କଳିଙ୍ଗ

 

 

 

 

 

 

 

 

 

କଳିଙ୍ଗ ବିଜୟ

ଲାଲା ନଗେନ୍ଦ୍ର କୁମାର ରାୟ

 

ପୂର୍ବାଭାସ

 

‘‘କଳିଙ୍ଗ ବିଜୟ’’ ମୋର ପ୍ରଥମ ନାଟକ ଲେଖା ଏବଂ ଲେଖିଥିଲି ୧୮ ବର୍ଷ ତଳେ । ବୌଦ୍ଧଧର୍ମର ସୁବର୍ଣ୍ଣଯୁଗର ଇତିହାସ ଏହାର ମୂଳଭିତ୍ତି ତଥାପି ଏହାକୁ ଇତିହାସ ବୋଲି ଭାବିବା ଭ୍ରମ । ସ୍ୱଜାତୀୟ ଗୌରବ ବୃଦ୍ଧି ନିମିତ୍ତ ଲେଖକମାନେ ଇତିହାସର ସୀମା ଲଙ୍ଘନ କରିପାରନ୍ତି । ଏ କ୍ଷେତ୍ରରେ ମଧ୍ୟ ତାହାହିଁ କରାଯାଇଅଛି । ନାଟକର ପ୍ରାଣ ହେଉଛି ବାସ୍ତବତା ଓ ସ୍ୱାଭାବିକତା; ତାହାର ବିକାଶ ଘଟେ ଯଥାଯଥ ଗୁରୁ ଲଘୁ ଉଚ୍ଚାରଣ ରୀତି ଏବଂ ଚରମ ଚମକ ଭାବରେ ଯୋଜନାଦ୍ୱାରା । ଏହାଛଡ଼ା ନାନା ଶ୍ରେଣୀର ଲୋକ ଦର୍ଶକମଣ୍ଡଳିରେ ଥାଆନ୍ତି ବୋଲି ନାଟକୀୟ ଦୃଶ୍ୟାବଳୀରେ ସବୁ ରସର ସମାବେଶ ଘଟାଇବା ଏକ ବିଶିଷ୍ଟି ଶୈଳୀ । ପୁଣି ନଟ ନଟୀ ସଭିଙ୍କୁ ସମ୍ୟକ ଭାବରେ ସଂଲିପ୍ତ ରଖିବା ଆବଶ୍ୟକ । ଏ ସବୁ ପ୍ରତି ଯଥାସମ୍ଭବ ଦୃଷ୍ଟି ରଖି ମୁଁ ଏହାକୁ ଲେଖିଅଛି । ଉଚିତ ମତେ ପ୍ରୟୋଜନ କରିପାରିଲେ ୩ ଘଣ୍ଟାରେ ଅଭିନୟ ଶେଷ ହୋଇପାରେ ।

 

ଲେଖା ଶେଷ କରି ପାଣ୍ଡୁଲିପିଟି ମୁଁ ନାଟ୍ୟାଚାର୍ଯ୍ୟ ସ୍ୱର୍ଗୀୟ ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କୁ ଦେଇଥିଲି । ସେ ଦୟାକରି କେତେ ଜାଗା ସଂଶୋଧନ କରିଦେଇଥିଲେ । ଏହାର ରୂପରେଖ ବ୍ୟଞ୍ଜନାରେ ମୋର ବନ୍ଧୁ ଡାକ୍ତର ଆଶୁତୋଷ ରକ୍ଷିତ ବହୁବିଧ ସାହାଯ୍ୟ କରିଥିଲେ ଓ ଡାକ୍ତର ଶ୍ରୀ ଅଦୈତ ଚରଣ ମହାନ୍ତି ୩ଟି ଗୀତ ବାନ୍ଧି ଦେଇଥିଲେ ଦୁହିଁଙ୍କ ପାଖେ ମୁଁ ଚିର ଋଣୀ ।

 

ବହି ଖଣ୍ଡି ଛପାଇବାର ସର୍ବବିଧ ସୁବିଧା ଓ ନିଜର ଛାପାଖାନା ଥିଲେ ମଧ୍ୟ ଏହା ଏଯାବତ୍‌ ପ୍ରକାଶିତ ହୋଇ ନଥିଲା । ଗତବର୍ଷ ପୀଡ଼ିତ ଥିଲାବେଳେ କଳାହାଣ୍ଡି ରାଜ୍ୟର ତରୁଣ ମହୀପତି ଓଡ଼ିଆ ଭାଷାରେ ଶ୍ରେଷ୍ଠ ନାଟକ ନିମିତ୍ତ ଏକ ସହସ୍ର ମୁଦ୍ରା ପୁରସ୍କାର ଘୋଷଣା କଥା ଶୁଣି ପାଣ୍ଡୁଲିପିଟି ପଠାଇଥିଲି । ସୌଭାଗ୍ୟ ବଶତଃ ବିଜ୍ଞ ବିଚାରକମାନେ ୩୫ ନାଟକ ମଧ୍ୟରୁ ଏହାକୁହିଁ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ କଲେ ଏବଂ ମହାରାଜାଙ୍କ ଘୋଷଣାନୁସାରେ ମୁଁ ପୁରସ୍କାର ପାଇଅଛି- ତାହାହିଁ ବର୍ତ୍ତମାନ ମୁଦ୍ରଣ କରିବାର ପ୍ରଧାନ ସହାୟ । କଳାହାଣ୍ଡି ମହାରାଜାଙ୍କର ବଦାନ୍ୟତା ଉତ୍କଳ ସାହିତ୍ୟ ଇତିହାସରେ ଏକ ଯୁଗାନ୍ତରି ପ୍ରେରଣା । ମୁଁ ତ ତାଙ୍କ ନିକଟରେ ଚିରକୃତଜ୍ଞ, ଅଧିକନ୍ତୁ ସେ ଆମ ଜାତିର ମଧ୍ୟ ଧନ୍ୟବାଦର ପାତ୍ର । ପୁରସ୍କାର ପାଇଥିବାରୁ ଉତ୍କଳୀୟ ସମ୍ୱାଦପତ୍ରମାନେ ମୋତେ ସମ୍ୱର୍ଦ୍ଧନା ଜଣାଇଥିଲେ ସେଥି ନିମିତ୍ତ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଅଛି ।

 

ଆଜିକାଲି କାଗଜର ଦୁର୍ଲଭତା ନିମିତ୍ତ ଇଚ୍ଛାଥିଲେ ମଧ୍ୟ ଶୋଭନ ଓ ସୁଲଭ ସଂସ୍କରଣ କରି ହେଲାନାହିଁ ବୋଲି ମୁଁ ଦୁଃଖିତ ।

 

ବହି ଖଣ୍ଡି ସର୍ବାଙ୍ଗ ସୁନ୍ଦର ଓ ପ୍ରମାଦ ଶୂନ୍ୟ କରିବାକୁ ମୁଁ ଚେଷ୍ଟା କରିଅଛି, ତଥାପି ଭ୍ରମ ପ୍ରମାଦ ରହି ଯାଇଥିବା ବିଚିତ୍ର ନୁହେଁ, ପାଠକେ ସେ ତ୍ରୁଟି ମାର୍ଜନା କରିବେ ବୋଲି ଭରସା ଅଛି । ଅଭିଜ୍ଞ ପାଠକଙ୍କ ଭିତରୁ କେହି ବହିଟିର ଯଥାର୍ଥ ସମାଲୋଚନା କରି ତ୍ରୁଟି ଦର୍ଶାଇଲେ ମୁଁ ଚିରବାଧିତ ହେବି ଏବଂ ପରବର୍ତ୍ତୀ ସଂସ୍କରଣ ସୁସଂସ୍କୃତ କରିପାରିବି । ଇତି ।

 

-ଜନ୍ମାଷ୍ଟମୀ-

ତା ୩୦-୮-୧୯୪୫

କଲିକତା ।

 

ଲାଲା ନଗେନ୍ଦ୍ର କୁମାର ରାୟ

Image

 

(କୁଶୀଲବ)

 

-ପୁରୁଷ-

 

 

 

ଶିଳାଦିତ୍ୟ

-

କଳିଙ୍ଗର ରାଜା

ମାୟାଦିତ୍ୟ

-

କଳିଙ୍ଗର ରାଜା ଭ୍ରାତା

ଶତ୍ରୁଦମନ

-

କଳିଙ୍ଗର ସେନାପତି

ଅରିନ୍ଦମ

-

କଳିଙ୍ଗର ସେନାପତି ପୁତ୍ର

ଅଶୋକ

-

ମଗଧ ସମ୍ରାଟ

ଐର

-

ଶତ୍ରୁଦମନର ଦୋହିତ୍ର ଓ ପରେ କଳିଙ୍ଗ ରାଜା

ପର୍ଶୁରାମ

-

ବିଜୟନଗର ରାଜପୁତ୍ର ପରେ କଳିଙ୍ଗ ସେନାପତି

ଜଗୁ, ସେଠାଲି, ତର୍କଚଞ୍ଚୁ

-

୩ ଜଣ କଳିଙ୍ଗ ବାସୀ

 

 

ଦୂତ, ମନ୍ତ୍ରୀ, ସାମନ୍ତ, ନାଗରୀକ, ସୈନ୍ୟ ଇତ୍ୟାଦି ।

 

 

 

-ସ୍ତ୍ରୀ-

 

 

 

ପୁଷ୍ପ

-

ଶତ୍ରୁଦମନର କନ୍ୟା, ମାୟାଦିତ୍ୟର ବାଗଦତ୍ତା

ସଂଘମିତ୍ରା

-

ଅଶୋକଙ୍କର କନ୍ୟା

ଅନଙ୍ଗ ମଞ୍ଜରୀ

-

ବିଜୟନଗର ରାଜକନ୍ୟା ପରେ କଳିଙ୍ଗର ରାଣୀ

ଚଞ୍ଚଳା

-

କଳିଙ୍ଗର ଜଣେ ବେଶ୍ୟା, ପରେ ସନ୍ୟାସିନୀ ନଗର ବାସୀ ସ୍ତ୍ରୀ ଲୋକମାନେ, ଓ ନର୍ତ୍ତକୀ ପ୍ରଭୃତି ।

Image

 

 

 

 

 

 

 

 

 

 

 

ପ୍ରଥମ ସଂସ୍କରଣ

 

ପ୍ରସ୍ତାବନା

 

(ଉଷାର ରକ୍ତିମ ଆଭା ପ୍ରାଚୀ ଦିଗବଧୂକୁ ସିନ୍ଦୁରାକ୍ତ କରିଦେଇଛି । ସ୍ଥାନେ ସ୍ଥାନେ ରହି ରହି ବିହଙ୍ଗର ବ୍ରାହ୍ମ ମୁହୁର୍ତ୍ତର କାକଳି ଧ୍ୱନି ଶୁଭୁଛି, ବିଶ୍ୱ ଯେପରି ବହୁ ଶତାବ୍ଦୀର ଅଶାନ୍ତ ଅନ୍ଧକାର ଭୋଗ କରି ଆଲୋକ ଓ ଶାନ୍ତି ପାଇଁ ବ୍ୟଗ୍ର । ଉଷା ଗାମ୍ଭୀର୍ଯ୍ୟ ଜଗତରୁ ଅପସରି ଯାଉଛି । ଏତିକିବେଳେ ପଟ୍ଟ ଉତ୍ତୋଳନ ଏବଂ ସୂକ୍ଷ୍ମ ଆସ୍ତରଣ ଅନ୍ତରାଳରେ ଗୋଲାପି ଆଲୋକଛଟା ସଙ୍ଗେ ଅଦୃଶ୍ୟ ନର୍ତ୍ତକୀମାନଙ୍କର ମାଙ୍ଗଳିକ ଗାନ । ସେମାନେ ହରଷରେ ପ୍ରଜାପତି ତୁଲ ଓ ପଦଚାଳନାରେ ପୂର୍ବାକାଶକୁ ନିର୍ଦ୍ଦେଶ କରି ଗାଉଛନ୍ତି ।)

(ଚାହଁ)

ଏବେ ଫିଟୁଛି ସରଗର ସରଣୀ ।

 

ଉଇଁ ଆସୁଛି ଉଷା ହେମ ବରଣୀ ॥

ନବହାସେ, ନବବେଶେ, ନବଶୋଭା–

 

ଧରି ମନୋହର ଧରଣୀ ।୧।

 

ଦୀନ ହୀନ ଦୁଃଖ ଗାଥା ସରି ଯାଉଛି ।

 

ବୀର ମାତା ଗରିମା ତା ଫେରି ଆସୁଛି ॥

ପରକାଶି ସୁଧାରାଶି, ଭାସିଆସେ–

 

ପରପାରୁ ମୁକତିର ତରଣୀ ।୨।

(ପ ଟ୍ଟ ପ ତ୍ତ ନ)

Image

 

ମାୟା

-

ତମରାଣ, ମୁଁ ବୁଝିପାରୁନାହିଁ ।

ପୁଷ୍ପ

-

କେଉଁଠୁ ବୁଝିବ, ଆଉରି ବଡ଼ ଭାଇଙ୍କ ସଙ୍ଗେ କଳି କର ବୁଝିବ ।

ମାୟା

-

ଓହୋ, ସେ କଥା ତମ କାନକୁ ଆସିଲାଣି ?

ପୁଷ୍ପ

-

ବାର ଅଦିନା କାନକୁ ଗଲା, ମୋ କାନ କ’ଣ ବନ୍ଦ କରନ୍ତି ।

ମାୟା

-

ନାହିଁ ପୁଷ୍ପ, ସେ ବିବାଦର ତ ମୀମାଂସା ହୋଇସାରିଛି ଆଉତ କିଛି ନାହିଁ-

ପୁଷ୍ପ

-

କ’ଣ ଆଉ କିଛି ନାହିଁ ? କହୁଁ କହୁଁ ଚୁପ ହେଲ କାହିଁକି,

ମାୟା

-

ଆଉ କଅଣ, ବିବାଦତ ନିଷ୍ପତ୍ତି ହୋଇଯାଇଛି ।

ପୁଷ୍ପ

-

ଭଲ ହୋଇଛି-ଛି, ଏଥି ସଙ୍ଗରେ ଯେ ରାଜବଂଶର କଳଙ୍କବାଇଦ ବାଜିଗଲାଣି, ମୋତେ ସେଥିପାଇଁ ବଡ଼ କଷ୍ଟ ହେଉଛି । କିବା ସେ ରାଜ୍ୟ ଯାହାପାଇଁ ଭାଇ ଭାଇର କଳି । ମୋ ଦେହ ଛୁଇଁ ଶପଥ କର ଆଉ ସେପରି ଚିନ୍ତା ମନରେ ଥାନ ଦେବ ନାହିଁ । ବଡ଼ ଭାଇ ବଡ଼, ସେ ରାଜା-ତୁମେ ସାନ-ମାନିକରି ଚଳ ।

ମାୟା

-

(ସ୍ୱଗତ) ହଁ-ସେଇଆ କରିବାକୁ ହେବ-ସେଥିପାଇଁ ମୁଁ ଆସିଛି-ଆଜିଠାରୁ ମୋର ସମସ୍ତ ବିବାଦର ଶେଷ- ଏବେ ଶିଳାଦିତ୍ୟହିଁ ରାଜା-ଏବଂ ମୁଁ-

ପୁଷ୍ପ

-

ଆଉ ତୁମେ କ’ଣ ? କୁହ ଚୁପ୍‌ ହେଲ କାହିଁକି ?

ମାୟା

-

ମୁଁ ରାଜାଜ୍ଞାପାଳକ-

ପୁଷ୍ପ

-

ସେଇଆ କୁହ-ମୋ ମନ ଯେ ବାର ରକମ ଆଶଙ୍କାରେ ଭରି ଉଠୁଥିଲା-ରାଇଜ ଚିନ୍ତାରୁ ଆମେ କ’ଣ ପାଇବା ? ଆମର କାହାରି ପ୍ରତି ହିଂସା ନାହିଁ କିମ୍ୱା ଇର୍ଷା ନାହିଁ-କାହାରି ପଦାର୍ଥରେ ଲାଳସା ନାହିଁ କି କାହାରି ସ୍ୱାର୍ଥରେ ବାଧା ନାହି-ଆମ ଦୁହିଁଙ୍କ ସଂସାର-ସେ’ ତ ଚିର ନୂତନ ଆନନ୍ଦମୟ-ନୁହେଁ ?

ମାୟା

-

ହଁ (ମୌନ ହେବା)

ପୁଷ୍ପ

-

ପୁଣି କ’ଣ ଭାବୁଛ ?

ମାୟା

-

ତୁମରି କଥା ହୃଦୟଙ୍ଗମ କରୁଥିଲି-

ପୁଷ୍ପ

-

କାହିଁକି, ସେଥିରେ ଭାବିବାର କ’ଣ ଅଛି ?-ତୁମେ ଚିରଦିନ ପାଇଁ ରହିଲ-ମୋର-ଆଉ ମୁଁ ଜନ୍ମ ଜନ୍ମ ପାଇଁ ରହିଲି ତୁମର;-ଏତ ଅତି ସରଳ କଥା

ମାୟା

-

ପୁଷ୍ପ ! ତୁମର ସରସ ପ୍ରେମ ଯେ ମାୟାଦିତ୍ୟର ଗୋଲକଧାମ-

ପୁଷ୍ପ

-

ତୁମର ଓ ମୋର ମିଳନରେ ବିଚ୍ଛେଦ ରହିବ ନାହିଁ-ହତାଶ୍‌, ବିଷାଦ, କି ଭ୍ରାନ୍ତି ପଶି ପାରିବନାହିଁ-ଏହାଠୁଁ ବଳି ଆଉ କ’ଣ ଚାହଁ ?

ମାୟା

-

(ସ୍ୱଗତଃ) ଆଉ ସମ୍ଭାଳି ପାରୁନାହିଁ-ମମତାର ନିଗଡ଼ବନ୍ଧ ଭାଙ୍ଗି ଯାଉଛି-ଏହାକୁ ନ ଜଣାଇ ଯାଇ ପାରୁନାହିଁ ? (ପ୍ରକାଶ୍ୟେ) ପୁଷ୍ପ ! (ଗଭୀର କଣ୍ଠରେ)

ପୁଷ୍ପ

-

କଅଣ କହୁନା ?

ମାୟା

-

ଆଜି ମୁଁ ତୁମଠାରୁ ବିଦାୟ ନେବାକୁ ଆସିଛି-

ପୁଷ୍ପ

-

ବିଦାୟ ନେବାକୁ ? ଆଉ ତ କାହିଁ ଯୁଦ୍ଧ ଲାଗିନାହିଁ-ଏତେ ଅଧୀର କାହିଁକି ? କୁଆଡ଼େ ଯିବକି ? କେତେ ଦିନ ପରେ ଫେରିବ ?

ମାୟା

-

କୁଆଡ଼େ ଯିବି-ଠିକ୍‌ ଜାଣେନାହିଁ-କିନ୍ତୁ କେବେ ଯେ ଫେରିବି ନାହିଁ-ଏ କଥା ଠିକ୍‌-

ପୁଷ୍ପ

-

ଯାଅ ମୁଁ ଏପରି ପରିହାସ ଭଲପାଏ ନାହିଁ-

ମାୟା

-

ନାହିଁ ପୁଷ୍ପ ! ପରିହାସ ନୁହେଁ-ମୁଁ ଯାଉଛି-

ପୁଷ୍ପ

-

କିଏ କହିଲା ? କାହା ହୁକୁମରେ ଶୁଣେ ?

ମାୟା

-

ରାଜ୍ୟର ରାଜା-

ପୁଷ୍ପ

-

ଦୂର ମିଛକଥା-କ’ଣ ହୋଇଛି ସତ କୁହ-

ମାୟା

-

କହିଲିତ, ମୁଁ ଶିଳାଦିତ୍ୟ ସହିତ ସିଂହାସନ ନେଇ ବିବାଦ କରୁଥିଲି-ଉଭୟେ ତରବାରୀ ନିଷ୍କାସନ କରିଛୁଁ, ଏପରି ସମୟରେ ଦେବପ୍ରେରିତ ତୁଲ୍ୟ ତୁମର ପିତା ଆସି ପହଞ୍ଚିଲେ-ତାଙ୍କର ବାକ୍ୟ, ତାଙ୍କର ତ୍ୟାଗ ପ୍ରତିଭା, ତାଙ୍କର ପବିତ୍ର ପରାମର୍ଶରେ ଆମର ବିବାଦ ତୁଟିଗଲା ଏବଂ ମୁଁ ଶିଳାଦିତ୍ୟକୁ ରାଜା ବୋଲି ସ୍ୱୀକାର କଲି । ବର୍ତ୍ତମାନ ମୋର ସେହି ରାଜବିଦ୍ରୋହର ଦଣ୍ଡସ୍ୱରୂପ ରାଜାଦେଶ ହୋଇଛି-ମୋର ପିତୃରାଜ୍ୟରୁ ଚିର ନିର୍ବାସନ, ନଚେତ୍‌ ମୃତ୍ୟୁ ।

ପୁଷ୍ପ

-

କଅଣ ପାଇଁ ରାଜ୍ୟ ନେଇ ବିବାଦ କରୁଥିଲ ? (ଚିନ୍ତିତରେ)

ମାୟା

-

(ଧୀରେ) ତୁମକୁ ରାଣୀ କରିବି ବୋଲି ।

ପୁଷ୍ପ

-

କ’ଣ ? ମୋତେ ରାଣୀ କରିବ ବୋଲି ? (ବିସ୍ମିତ)

ମାୟା

-

ହଁ ।

ପୁଷ୍ପ

-

ମୁଁ କଳିଙ୍ଗେଶ୍ୱରୀ ହୁଅନ୍ତି ?

ମାୟା

-

ଅବିଶ୍ୱାସ କାହିଁକି କରୁଛ ପ୍ରିୟେ ! ମୁଁ କି କେବେ ତୁମ୍ଭ ପାଖ ରେ ମିଥ୍ୟାବାଦୀ ହୋଇଛି ?

 

 

 

ପୁଷ୍ପ

-

(ଉଦ୍‌ବେଗରେ) ଅବିଶ୍ୱାସ ନୁହେଁ ହୃଦୟେଶ୍ୱର ! ମନରେ ବଡ଼ କ୍ଷୋଭ ହେଉଛି ଯେ ଏତେ ଦିନ ଯାଏ ଏ ଦୀନାର ଅନ୍ତର ବୁଝିପାରିଲ ନାହିଁ-ତୁମେ ଜାଣନାହଁ ମୁଁ ଯେ ରାଜ୍ୟର ଅଧିଶ୍ୱରୀ ସେ ରାଜ୍ୟ କେଡ଼େ ସୁନ୍ଦର, କେଡ଼େ ମହନୀୟ-ସେଠାରେ ପାର୍ଥିବ ଭୟଭ୍ରାନ୍ତି କିଛି ନାହିଁ-ସେ ରାଜ୍ୟର ରକ୍ଷାପାଇଁ ଯୁଦ୍ଧ ଛଳରେ ହତ୍ୟାକାଣ୍ଡର ଅଭିନୟ ହୁଏ ନାହିଁ । ସେ ରାଜ୍ୟଟା ମୋର ଗଗନ ପରି ଅସୀମ, ପବନ ପରି ପ୍ରଶାନ୍ତ, ସାଗର ପରି ଉଦାର; ସେ ପବିତ୍ର ରାଜ୍ୟରୁ ମୋତେ ଓଟାରି ଆଣି ଏହି ଭ୍ରାନ୍ତିଜଡ଼ିତ ଭ୍ରାତୃହତ୍ୟା ଉପରେ ପ୍ରତିଷ୍ଠିତ, କଳିଙ୍ଗ ରାଜ୍ୟର ଅଧିଶ୍ୱରୀ କରନ୍ତ ? ତୁମେ ନିୟତ ଆଶଙ୍କାଛନ୍ନ ହୋଇ ରାଜକାର୍ଯ୍ୟରେ ନିଜକୁ ପାଶୋରି ରହନ୍ତ, ଆଉ ମୁଁ ରାଜୋଦ୍ୟାନର ନିଭୃତ କୋଣରେ ବସି ନୀରବରେ ଅଶ୍ରୁପାତ କରୁଥାନ୍ତି, ନା ? ହାୟ ! କି ଭୁଲ ତୁମର-

ମାୟା

-

ପୁଷ୍ପ ! ପୁଷ୍ପ ! ମୋତେ କ୍ଷମାକର-

ପୁଷ୍ପ

-

ହୃଦୟ ଦେବତା ମୋର, କ୍ଷମା ନୁହେଁ-ଖାଲି ଅନୁତାପ କର ଯେ ଏ ଚିନ୍ତା କ୍ଷଣକ ସକାଶେ ହେଲେ ମଧ୍ୟ, ତୁମର ଅନ୍ତରରେ ସ୍ଥାନ ପାଇଥିଲା-ଆଉ ଆନନ୍ଦ କର ଯେ ସେ ଜଞ୍ଜାଳରୁ ରକ୍ଷା ପାଇଛ । ତୁମେ ମୋର ଯେଉଁ ରାଜ୍ୟର ଅଜାତ-ଶତ୍ରୁ ସମ୍ରାଟ; ସେ ରାଜ୍ୟରେ ଆଶଙ୍କା ନାହିଁ-ଅଛି ଆଶାର ଅଫୁରନ୍ତ ପ୍ରସ୍ରବଣ, ହିଂସା ଓ ଲାଳସା ନାହିଁ-ଅଛି ମୈତ୍ରୀ, ପ୍ରୀତି ଓ ଅହିଂସାର ସ୍ୱଚ୍ଛ ତ୍ରିବେଣୀଧାର ।

ମାୟା

-

ଶିଳାଦିତ୍ୟ ! ଥରେ ଦେଖିଯା-ଏହି ଛାର ରାଜ୍ୟ ବିନିମୟରେ ମୁଁ କି ସ୍ୱର୍ଗସମ୍ପଦ ଲାଭ କରିଛି, ଆଉ ରାଜ୍ୟ ଭ୍ରମରେ ତୁ ଜ୍ୱଳନ୍ତ ନରକର କି ବିଭୀଷିକା ବରଣ କରି ନେଇଛୁ-ହୃଦୟେଶ୍ୱରୀ-ମୋତେ ଯେ-ଆଜି-ଯିବାକୁ ହେବ ।

ପୁଷ୍ପ

-

(ଚମକିପଡ଼ି) ହଁ ରାଜାଜ୍ଞାରେ ରାଜ୍ୟରୁ ଚିର ନିର୍ବାସନ ନୋହିଲେ-(ଟିକିଏ ଚୁପରହି) ତାହାହେଲେ ମୋର କ’ଣ ହେବ ପ୍ରିୟତମ ! ମୁଁ ଯେ ଏକା ନୁହେଁ-ତୁମ୍ଭେ ଚାଲିଗଲେ ତୁମ୍ଭର ସନ୍ତାନର କଅଣ ହେବ?

ମାୟା

-

ବାସ୍ତିବକ୍‌, ତୁମ୍ଭର ଏପରି ଅବସ୍ଥାରେ ତୁମ୍ଭଙ୍କୁ ଛାଡ଼ିଦେଇ ଗଲେ ଲୋକନିନ୍ଦା ଅବଶ୍ୟମ୍ଭାବୀ, କିନ୍ତୁ ତୁମ୍ଭର ବୃଦ୍ଧ ପିତା-ଯେ କି ମୋତେ ମଧ୍ୟ ଆବାଲ୍ୟରୁ ପିତାମାତାର ସ୍ନେହ ଦେଇ ବଢ଼ାଇ ଆସିଛନ୍ତି, ତାଙ୍କୁ ଏହି ଅଶୀତିପର ବୟସରେ କିପରି ଏକାକୀ ଛାଡ଼ିଦେବା ? (ସ୍ୱଗତଃ) ବିଷମ ସମସ୍ୟା-କ’ଣ କରିବି ? ହାୟ-! ଦୁର୍ଦ୍ଦୈବ ! ଚିର ଭାଗ୍ୟହୀନ ମୁଁ-ସୁଖ ଯେ ମୋ ନିକଟରେ ସ୍ୱପ୍ନ-ଯେତେବେଳେ ଆବାଲ୍ୟ ସହଚରୀ ପ୍ରେମ ପ୍ରତିମା ସଙ୍ଗରେ ବିବାହର ସମସ୍ତ ବିଷୟ ସ୍ଥିର ହୋଇଯାଇଛି-ନିଷ୍ଠୁର ନିୟତିର ଅଜଣା ସଙ୍କେତରେ ପିତୃପ୍ରତିମ ବୃଦ୍ଧ ସେନାପତି, ବିଜୟନଗର ବିରୁଦ୍ଧରେ ଅଭିଯାନ କଲେ-ପୁଣି ତାଙ୍କର ଫେରି ଆସିବା ସଙ୍ଗେ ସଙ୍ଗେ ମୁଁ ଚିରନିର୍ବାସିତ ଏବଂ ପତ୍ନୀର ମୋର ଏ ଅବସ୍ଥା-ହାୟ ନିଷ୍ଠୁର ବିଧି ! ଏହାହିଁ କି ମୋ କପାଳରେ ଲେଖିଥିଲୁ ? ଏହାଠାରୁ ମୋର ମୃତ୍ୟୁହିଁ ଶ୍ରେୟଷ୍କର-(ପ୍ରକାଶ୍ୟେ) ନା, ମୁଁ ରହିବି, ରାଜାଦେଶ ଅମାନ୍ୟ କରି ମୃତ୍ୟୁକୁହିଁ ବରଣ କରିବି-ଆଉ ମୃତ୍ୟୁ ପୂର୍ବରୁ ସମସ୍ତଙ୍କ ସମକ୍ଷରେ କହିଯିବି ଯେ ତୁମେ ମୋର ବିବାହିତ ପତ୍ନୀ ଏବଂ ତୁମରି ଭାବୀ ସନ୍ତାନ ମୋରି ଆତ୍ମଜ ।

ପୁଷ୍ପ

-

ନା, ପ୍ରିୟତମ ! ତୁମେ ଯାଅ-ପୁଷ୍ପର ପ୍ରେମ ଏତେ ଲାଳସାସିକ୍ତ ନୁହେଁ ଯେ ସେ ତା’ର ପ୍ରାଣର ଦେବତାକୁ ଭ୍ରାତୃଜିଘାଂସାନଳରେ ଆହୂତି ଦେବାକୁ ରଖିବ, କିନ୍ତୁ ଜାଣିଥାଅ ହୃଦେୟଶ୍ୱର ! ପ୍ରେମର ଉଜ୍ଜ୍ୱଳରଶ୍ମି, ପୃଥିବୀର ପରପ୍ରାନ୍ତ ଭେଦି, ମୃତ୍ୟୁର ଅଜଣା ରାଜ୍ୟର ଅସୀମ ତଟରେ ସୁଦ୍ଧା, ପ୍ରେମିକର ସନ୍ଧାନ ରଖେ । କାୟିକ ଓ ମାନସିକ ବନ୍ଧନ-ଡୋରି-ଶତଧା ଛିନ୍ନ ହେଲେହେଁ ପ୍ରେମସିକ୍ତ ଆତ୍ମାର ମିଳନମାଧୁରୀ ଅନନ୍ତକାଳବ୍ୟାପୀ ଗଗନେ, ପବନେ, ସ୍ୱର୍ଗର ନନ୍ଦନ କାନନ ସୃଷ୍ଟିକରେ । ତୁମର ପୁଷ୍ପ ତୁମର ଥିଲା, ତୁମର ଅଛି ଓ ତୁମର ରହିଲା ।

ମାୟା

-

(ଗଦ ଗଦ ହୋଇ) ଲୋକନିନ୍ଦା-ସମାଜ-

ପୁଷ୍ପ

-

ଲୋକନିନ୍ଦା କଥା କ’ଣ କହୁଛ ? ତୁମର ପୁଷ୍ପ ଏପରି ଭୀରୁ ବା ହୀନା ନୁହେଁ ଯେ ସେ ନିଜର କାର୍ଯ୍ୟ ସକାଶେ କାହାରି ପାଖରେ ସଙ୍କୁଚିତ ହେବ । ଆମ୍ଭମାନଙ୍କର ବିବାହର ସାକ୍ଷୀ ସ୍ୱୟଂ ଭଗବାନ, ସତ୍ୟର ଅବଜ୍ଞା କେବେ ହେବନାହିଁ-ତାହାହେଲେ ଯେ ପୃଥିବୀ ରସାତଳକୁ ଚାଲିଯିବ-ମୋପାଇଁ ଦୁଃଖ କରନାହିଁ-ଆଶୀର୍ବାଦ କରି ଯେପରି ଅନ୍ତିମ ସମୟରେ ଥରେ ହେଲେ ତୁମର ଦେଖାପାଏ ।

Image

 

୩ୟ ଦୃଶ୍ୟ

ରାଜଅନ୍ତପୁର କକ୍ଷ

 

 

 

(କଳିଙ୍ଗ ରାଜଭବନର ଭିତର କକ୍ଷ । ସମୟ ରାତ୍ରୀ-ଚାରିଆଡ଼ ନିସ୍ତବ୍‌ଧ ଘର ଭିତରେ ସ୍ତିମିତ ଦୀପ ଶିଖା । କକ୍ଷ ଭିତରେ ରାଣୀ ଅନଙ୍ଗମଞ୍ଜରୀ କୁଟୀଳ ନେତ୍ରଭଙ୍ଗୀସହ ଅସ୍ଥିରଭାବେ ଏପାଖ ସେପାଖ ହେଉଛନ୍ତି । କେବେ ବସି ପଡ଼ୁଛନ୍ତି କେବେ ପୁଣି ଖିଡ଼ିକି ପାଖକୁ ଯାଇ ଅନାଉଛନ୍ତି ଯେମିତିକି କାହାର ସଂଗୋପନ ପ୍ରତୀକ୍ଷା)

ରାଣୀ

-

(ସ୍ୱଗତଃ) ପ୍ରତିଶୋଧ ନେବାପାଇଁ କଳିଙ୍ଗର ରାଜଭ୍ରାତାକୁ ନିର୍ବାସିତ କରାଇଅଛି । ଏବେ ସେହି ସେନାପତିର ସର୍ବନାଶ କରାଇ-ପର୍ଶୁରାମକୁ ସେନାପତି କରାଇ ପାରିଲେ ମୋର ଉଦ୍ଦେଶ୍ୟ ସିଦ୍ଧହେବ । ସେନାପତି ଶତ୍ରୁଦମନ ମୋତେ ପିତୃମାତୃହୀନା କରି ଶତ୍ରୁର ସେବିକା କରାଇଅଛି, ମୁଁ ତାହାର ତତୋଽଧିକ ଉଚ୍ଛେଦ ସାଧନ କରିବି । ରାଜା ମୋର କରାୟତ । ତାକୁ କରପୁତ୍ତଳୀ କରି ଏ ପଥରେ ଅଗ୍ରସର ହେବି ।

 

 

(ପର୍ଶୁରାମର ପ୍ରବେଶ)

ପର୍ଶୁରାମ

-

କି ଭଉଣୀ-ଏତେଦିନ ପରେ ଏ ଅସମୟରେ ଡାକରା ପଡ଼ିଲା କାହିଁକି ?

ରାଣୀ

-

(ଓଠରେ ହାତଦେଇ) ଆସ୍ତେ-ବିପଦର ସମ୍ଭାବନା ଅଛି ।

ପର୍ଶୁ

-

ବିପଦ, ତୁମ୍ଭେତ ରାଣୀ, ତୁମର କି ବିପଦ ?

ରାଣୀ

-

ହଁ ବିପଦ-ବୁଝିବା ଶକ୍ତିତ ନାହିଁ-ବୁଝିବୁ କାହୁଁ

ପର୍ଶୁ

-

ତେବେ ଜାଣିଶୁଣି ମୋତେ ବିପଦ ଭିତରକୁ ଡାକିବାର କି ପ୍ରୟୋଜନ ?

ରାଣୀ

-

ବିନା ପ୍ରୟୋଜନରେ ମୁଁ ଡାକନ୍ତି କାହିଁକି ? ତୋରତ ସବୁ ଯାଇଛି-ରାଜାଘରେ ଜନ୍ମି ଶତ୍ରୁର ଉପଜୀବୀ ହୋଇ ଯାବତ କୁସଙ୍ଗରେ ମାତି ତୋରତ ମନୁଷ୍ୟତ୍ୱ ଗଲାଣି । ହଉ ତୋ ପଥ ତୁ ବାଛି ନେଇଛୁ, ମୁଁ ବାଧା ଦେଉ ନାହିଁ ।

ପର୍ଶୁ

-

ସବୁ ମିଛ କଥା, କେହି ବଦ୍‌ମାସ ଏ କଥା ରଟାଇ ଦେଇଛି ।

ରାଣୀ

-

ସତ ମିଛରେ କିଛି ଯାଏ ଆସେ ନାହିଁ, ମୁଁ ତ ଆଉ ସେଥିପାଇଁ ତୋତେ ତଣ୍ଡୁ ନାହିଁ । ତୁ ଅଧୋପାତର ଏତେ ତଳକୁ ଯାଇଛୁ ଯେ ଫେରାଇବା ଚେଷ୍ଟା ବୃଥା-। ତେବେ ତୋର ବର୍ତ୍ତମାନ ଚରିତ୍ର ଗୋଟାଏ କାମରେ ଲାଗିବ ବୋଲି ଡକାଇଛି, ସେତିକି ଉପକାର କରିଲୁ ଭଲା ।

ପର୍ଶୁ

-

କି ଉପକାର ?

ରାଣୀ

-

ପିତୃ ଶତ୍ରୁର ପ୍ରତିହିଂସା-ପ୍ରତିଶୋଧ

ପର୍ଶୁ

-

ପ୍ରତିଶୋଧ-କିପରି, କଅଣପାଇଁ ?

ରାଣୀ

-

କଅଣପାଇଁ-ମନେ ପଡ଼ୁନାହିଁ । ଥରେ ସେହି ବିଜୟ ରଣକ୍ଷେତ୍ରରେ ପିତାଙ୍କର ଅନ୍ତିମ ଆଦେଶ ମନେକଲୁ ।

ପର୍ଶୁ

-

ସେଥିରୁ ଆଉ କ’ଣ ମିଳିବ । ଯେତେବେଳେ ଆଉ ଉପାୟ ନାହିଁ ସେତେବେଳେ ହାତ ସୁଖ, ଛାଡ଼ି ଅଜଣା ଆଶାରେ କିଏ ଦଉଡ଼ିବ ? ନା ସେ ଚେଷ୍ଟା ବୃଥା-ମୁଁ ବେଶ୍‌ ଅଛି ଭଉଣୀ-ଯେମିତି ଅଛି ସେମିତି ଥାଏ-ଆମୋଦ ପ୍ରମୋଦ ସ୍ଫୁର୍ତ୍ତି-ଆଉ ସେ ଗଣ୍ଡଗୋଳ କାହିଁକି ? ମୁଁ ଯାଏ-ଏଥିରେ ରହି ପାରିବିନାହିଁ

ରାଣୀ

-

ଆଉ ଟିକିଏ ରୁହ । ଆମୋଦ ପ୍ରମୋଦ ଯେତେ କରୁଛ କର ମୁଁ ମନା କରୁନାହିଁ-ବରଂ ବେଶି କରିବା ଚେଷ୍ଟା କରିବି । ମୋତେ ଟିକିଏ ସାହାଯ୍ୟ କର । ମୋ ଆକ୍ଷିରେ ସେହି ରଣଛବି ନାଚି ରହିଛି, ରାଜ୍ୟଗଲା, ରାଜତ୍ୱଗଲା, ପିତାମାତାଗଲେ, ଶେଷକୁ ଶତ୍ରୁର ଦାସୀତ୍ୱ-ଏ ଚିନ୍ତା ଯେ ଦଣ୍ଡ ପଲକରେ ମୋତେ ଜର୍ଜରିତ କରୁଛି । ଯାହାଇଚ୍ଛା କରୁଛୁ କର, ମୋତେ ଟିକିଏ ସାହାଯ୍ୟ କର, ସେନାପତି ପଦରେ ବସାଇ ଦେବି ।

ପର୍ଶୁ

-

ସେନାପତି ପଦରେ-ସତେ ! ମୁଁ ସେନାପତି ହୋଇପାରିବି । ହଉ ତେବେ କଅଣ କରିବି କହ-କିନ୍ତୁ ସେତ ତୋର ସ୍ୱାମୀ ଯେତେହେଲେ-

ରାଣୀ

-

ଭଲ ବୁଝିଛୁ ଭାଇ-ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ପ୍ରହସନ ମାତ୍ର । କଳେ କୌଶଳେ ନିଜ କାର୍ଯ୍ୟ ସାଧିବାପାଇଁ ଏଇ ରାଣୀ ପଦବରଣ । ଶିଳାଦିତ୍ୟକୁ ସ୍ୱବଶରେ ଆଣିବାପାଇଁ ଯାହା କିଛି ଚେଷ୍ଟା ମୋର-ବର୍ତ୍ତମାନ ଶିଳାଦିତ୍ୟ ସହିତ ଶତ୍ରୁଦମନର ଭଲ ଭାବ ନାହିଁ-ଏହାରି ଉପରେ ମୋର ଆଶା ନିହିତ (ଦୂରରୁ ପଦଶବ୍ଦ ଶୁଣି) ଏଇ କିଏ ଆସୁଛି-ତୁ ଟିକିଏ ଘର ଭିତରକୁ ଲୁଚିଯାତ ।

 

 

(ରାଜାଙ୍କ ପ୍ରବେଶ ଓ ରାଣୀ ଆଣ୍ଠୋଇପଡ଼ି ପ୍ରଣାମ)

ରାଜା

-

ଉଠ ରାଣୀ-ତୁମେ ଏପରି କାହିଁକି ହୁଅ କୁହତ ?

 

 

 

 

 

 

ରାଣୀ

-

ମହାରାଜ ! କେଉଁ ଦୀନହୀନ ଅବସ୍ଥାରୁ ଆଣି ମୋତେ ଶ୍ରୀଛାମୁ କାହିଁ ସ୍ଥାନ ଦେଇଛନ୍ତି, ସେ କଥା ମୁଁ କିପରି ଭୁଲିବି ? ଏ ଜୀବନ ସିନା ଶ୍ରୀଛାମୁଙ୍କ ଦୟାରୁ ରହିଲା, ସେନାପତିଙ୍କ ହାତରେ ଯେ କେବଠୁ ସରନ୍ତାଣି ?

ରାଜା

-

(ବିରକ୍ତରେ ସ୍ୱଗତଃ) ସବୁଠି ଦେଖୁଛି ସେହି ସେନାପତି, ସେନାପତି, ସେନାପତି ! ସମ୍ରାଟ ହୋଇ ମୁଁ ଯେପରି କିଛି ନୁହେଁ । (ପ୍ରକାଶ୍ୟେ) ଛି ରାଣୀ, ମୁଁ ଏତେ କରି ବୁଝାଇଛି, ତେବେ ବି ତୁମେ ଅତୀତର ସେ କଥା ଭୁଲୁ ନାହଁ । କୁହ ତୁମର ଆଉ କି ଅଭାବ ?

ରାଣୀ

-

ନାହିଁ ମହାରାଜ ! ଦାସୀର ଆଉ କି ଅଭାବ ଥାଇପାରେ । ଶ୍ରୀଛାମୁ ଯାହାର ହୃଦୟସର୍ବସ୍ୱ, ତାର ଆଉ କି ଅଭାବ । ଶ୍ରୀଛାମୁଙ୍କର ସେବିକା ହୋଇ ମୁଁ ଯାହା ପାଇଛି ଜଗତର କେତେଟା ନାରୀ ତାହା ପାଆନ୍ତି ।

ରାଜା

-

ସେବିକା କଅଣ ରାଣୀ ! ତୁମ୍ଭେ ଯେ ମୋର ହୃଦୟେଶ୍ୱରୀ ।

ରାଣୀ

-

ସେ କଥା କହନ୍ତୁ ନାହିଁ ପ୍ରଭୁ-ମୁଁ ନିତାନ୍ତ ନଗଣ୍ୟା, ସେବିକା ହେବାର ଯୋଗ୍ୟା ମଧ୍ୟ ନୁହେଁ-

ରାଜା

-

ବିଜୟ ନଗରର ରାଜକନ୍ୟା କଳିଙ୍ଗଶ୍ୱରୀ ହେବାର ଏକମାତ୍ର ଉପଯୁକ୍ତା-

ରାଣୀ

-

(ଅନ୍ୟମନେ) ବିଜୟନଗରର ସେହି ଦୃଶ୍ୟ ! ଉଃ,

ରାଜା

-

ମନରେ କଷ୍ଟ ହେଲା ରାଣୀ-ମତେ କ୍ଷମାକର, ଅଜ୍ଞାତସାରରେ ମୁଁ ତୁମ୍ଭର ନିଭୃତ ପ୍ରାଣତନ୍ତ୍ରୀରେ ଆଘାତ ଦେଇଛି-ଭୁଲି ଯାଅ ପ୍ରିୟେ ! ସେ ଶୋକାବହ ଇତିହାସ ଭୁଲିଯାଅ-ସବୁଠି ଦେଖୁଛି ସେହି ସେନାପତି ସେନାପତି, ସେନାପତି । ଏହାର ଗୋଟାଏ କିଛି ବ୍ୟବସ୍ଥା କରିବାକୁ ହେବ ।

ରାଣୀ

-

ନା ମହାରାଜ ! ସେନାପତିଙ୍କର କଅଣ ଦୋଷ ? ସେତ କେବଳ ରାଜାଜ୍ଞା ପାଳନ କରି କର୍ତ୍ତବ୍ୟ କଲେ । ସେ ଦିନ ତ ଦେଖିଲେ କି ଭାବରେ ଆପଣଙ୍କର ପକ୍ଷ ଧରି ବିବାଦ ବନ୍ଦ କଲେ ।

ରାଜା

-

ସେଇତ ତାର ଆସ୍ପର୍ଦ୍ଧା ରାଣୀ-ସେଇଥି ପାଇଁ ତ ମୋର ଏତେ ଅଶ୍ୱସ୍ତି-ଯେପରି ତାର ଦତ୍ତ ଏହି ସିଂହାସନ ସେ ଇଚ୍ଛା କଲେ କାଢ଼ି ନେଇପାରିବ । ସେନାଗୁଡ଼ାକ ମଧ୍ୟ ତାର ବଶ । ଆଗେ ସେମାନଙ୍କୁ ହାତ କରେ, ପରେ ତା କଥା ବୁଝିବି-

ରାଣୀ

-

ମୋର ମିନତି ରଖନ୍ତୁ ମହାରାଜ । ତାଙ୍କୁ ଶତ୍ରୁଜ୍ଞାନ କରନ୍ତୁ ନାହିଁ-

ରାଜା

-

କିନ୍ତୁ ମୋର ଯେପରି ମନେହୁଏ ତାହାରି ଦ୍ୱାରାହିଁ ମୋର ଅନିଷ୍ଟ ହେବ । ରାଜଧାନୀରେ ଆଉ ମନ ଲାଗୁନାହିଁ-

ରାଣୀ

-

ତେବେ ଚାଲନ୍ତୁ ମୃଗୟାକୁ ଯିବା-ଶତ୍ରୁଦମନର ନିଜ ଦୁର୍ଗ ଖଣ୍ଡଗିରିରେ ରହି ତାହାର ଅତିଥି ହେବା, ଆଉ ତାର ମନକଥା ବୁଝି ଆସିବା-

ରାଜା

-

ଠିକ୍‌ କହିଛ ରାଣୀ-ମୁଁ ମଧ୍ୟ ଦୁଶ୍ଚିନ୍ତାଗ୍ରସ୍ତ ରହି ଅନେକ ଦିନୁ ମୃଗୟାକୁ ଯାଇନାହିଁ-ଆଛା କେବେ ଯିବା ?

ରାଣୀ

-

ଯେତେ ଶୀଘ୍ର ଛାମୁଙ୍କର ଇଚ୍ଛା ହୁଏ । ମାତ୍ର ଶତ୍ରୁଦମନକୁ ଆଗରୁ ସଂବାଦ ଦେଇ ରଖନ୍ତୁ ।

ରାଜା

-

ଆଚ୍ଛା-ଏହି ଦଣ୍ଡରେ ସଂବାଦ ପଠାଉଛି । ତୁମେ ପ୍ରସ୍ତୁତ ହୁଅ (ପ୍ରସ୍ଥାନ ଓ ପର୍ଶୁରାମର ବାହାରିବା)

ରାଣୀ

-

ଶୁଣିଲତ ଭାଇ-ଏହି ହେଉଛି କାର୍ଯ୍ୟର ବେଳ ।

ପର୍ଶୁ

-

ହଁ ସବୁ ଶୁଣିଲି-ମୋତେ କ’ଣ କରିବାକୁ କହୁ ।

ରାଣୀ

-

(ଗଳାରୁ ହାର କାଢ଼ି)-ଏଇ ହାର ନେ ।

ପର୍ଶୁ

-

ହାର କଅଣ କରିବି ?

ରାଣୀ

-

ଏହାକୁ ନେଇ କୌଣସି ଚତୁରା ଯୁବତୀ ଠିକ୍‌ କର । ତାକୁ ସଙ୍ଗରେ ନେଇ ଆମ ସଙ୍ଗରେ ଖଣ୍ଡଗିରି ଚାଲ । ବାକି କଥା ସେଇଠି କହିବି । ଯା-(ପରଶୁରାମର ପ୍ରସ୍ଥାନ)

ରାଣୀ

-

(ସ୍ୱଗତଃ) ହା ଭଗବାନ । ସେହି ପରାଜୟ ପୂର୍ଣ୍ଣିମାଠାରୁ ଆଜି ଏଇ ପୂର୍ଣ୍ଣିମା ବର୍ଷଟିଏ ହେବାକୁ ଚାଲିଲା-ଏହା ମଧ୍ୟରେ ଦିନେ ହେଲେ ତୁମ୍ଭର ନାମ ନେଇ ନାହିଁ । ବିଧାତା-ଯଦି ତୁମେ ସତେ ଥାଅ ଟିକିଏ ଦୟାକର । ମୁଁ କିଛି ସୁଖ ସମ୍ପଦ ଆଶା କରୁନାହିଁ-ମୁଁ ଚାହେଁ ତୁମ୍ଭର ଅଶିବମୟ ଦାନବୀ ଶକ୍ତି, ନାରକୀୟ ନୃଶଂସତା ଏବଂ କୂଟ ହଳାହଳ । ଦଣ୍ଡକପାଇଁ ତୁମ୍ଭର ଅକରୁଣ ସଂହାର ଶକ୍ତି ମୋତେ ଦାନକର-ଥରେ ପ୍ରତିଶୋଧ ନେବାର ସୁଯୋଗ ଦିଅ-ମୁଁ ମୋ ପିତୃକାର୍ଯ୍ୟ ସମାପ୍ତ କରି ଆତ୍ମ ରକ୍ତରେ ତର୍ପଣ କରେ (ବେଗେ ପ୍ରସ୍ଥାନ)

Image

 

୪ର୍ଥ ଦୃଶ୍ୟ

ତୋଷାଲୀ ଉପକଣ୍ଠ ପ୍ରାନ୍ତର

 

 

 

(ସମୟ ସୂର୍ଯ୍ୟାସ୍ତ-ପୂର୍ଣ୍ଣ ନିର୍ଜନତା ସ୍ଥାନଟିକୁ ଅନେକଟା ଭୀତିପ୍ରଦ କରିଦେଇଛି-। ପଡ଼ିଆ ଭିତରେ ଗୋଟିଏ ବଡ଼ ଗଛ । ଜଗୁ ସେଠି ଚାରିଆଡ଼କୁ ଛନକା ଦୃଷ୍ଟିରେ ଚାହିଁ ସନ୍ତର୍ପଣରେ ପ୍ରବେଶ କଲା)

ଜଗୁ

-

(ସ୍ୱଗତଃ) ଏ ଜାଗାଟି ଖାସା ନିରୋଳା-କିଏ କାହିଁକି ଏଠିକି ଆସିବ । ଉଦୁବୁଦିଆ ଖରାରେ ତ ଏ ବାଟରେ କେହି ଆସନ୍ତି ନାହିଁ, ଏତ ରତ ରତ ବେଳ-। କାମଟା ଏଠି ଶେଷ କରିନିଏ । ଯେଉଁ କାଳ ପଡ଼ିଲା ମଣିଷ ଟିକିଏ ନିଶାପାଣି କରିବାକୁ ଦହଗଞ୍ଜ ହୋଇ ମଲା । ସେନାପତି ଫେରିଲାଣି, ଆଉ ରକ୍ଷା ନାହିଁ । କିରେ ବାବୁ । ବଡ଼ ପାୟାରେ ଅଛ, ଲଢ଼େଇ ଫଢ଼େଇ କରି କିଲା ଫତେ କର, ଆମକୁ ବାଡ଼େଇ କ’ଣ ପାଇବ । ଆମେ ଆମର ପେଟପାଟଣା ମାରି ଦମେ ଟାଣିବୁ-ତମର କି ଯାଏ । ହେ ଠାକୁର । ଏତେ ଲୋକ ମରୁଛନ୍ତି, ତା ଗଜା ଭେଣ୍ଡିଆ କୋଡ଼ିଏଟା ପୁଅ ହାଣରେ ଗଲେ, ଏ ବୁଢ଼ା ଶଳାକୁ ଯମ କଅଣ ଭୁଲି ଗଲା । ଯାହାହେଉ, ଏଉଠି ବସି ଛିଟାଏ ଟାଣି ଥାଏ । (ବସି ଗୁଳି ଟାଣିବା ଓ ସେଠାଲି ଜେନାର ପ୍ରବେଶ) ଏ ଶଳା ପୁଣି କିଏ ଏଠାକୁ ଗଳିଲା (ଅନାଇ) ଆରେ ଏତ ସେଠାଲି ଜେନା ହେବ ପରା-ଖାସା ଦମବାଜ ତ ଗାଁଆରେ ଖୁବ୍‌ ଭଲଲୋକି କରେ, ଗୋତାବାଜ ଶଳା ବୁଡ଼ି ବୁଡ଼ି ପାଣି ପିଏ-ଦେଖି ଏହାର ମତଲବ କ’ଣ (ଲୁଚିଯିବା)

ସେଠାଲି ଜେନା

-

(ସ୍ୱଗତଃ) ବମ୍‌ ଭୋଳାନାଥ-ଏଠି କେହି ଦେଖିବ ନାହିଁ । ଡାହାଣୀ ଡରରେ କେହି ଆସିବନାହିଁ-ଆମ ପରି ଛାତି କାହାର ହେବ ଯେ (ଗଞ୍ଜେଇ କାଢ଼ି ଦଳିବା ଓ ଜଗୁ ବାହାରି ପଡ଼ି)

ଜଗୁ

-

(ସ୍ୱଗତଃ) ଗିଆପ-ଗଞ୍ଜଡ଼ଙ୍କର ବଡ଼ବୋପା-ସରକାରୀ ମଣିଷ ଦେଖିଲେ ଧର୍ମ୍ମ ଯୁଜିଟି ଫଳେଇ ହୁଏ ।

ଯେନା

-

(ଜଗୁକୁ ଦେଖି) ସେଠି ଗୋଟାଏ ମଣିଷ ପରି ଦିଶୁଛି ନା-(ପ୍ରକାଶ୍ୟେ) କିଏ ବସିଛିରେ

ଜଗୁ

-

ଜେନାଏ-ଜଣାପଡ଼ିଲା ଯେ, ହଉ ତମ କାମ ତମେ କର-ମୋ କଥାରୁ କ’ଣ ପାଇବ ?

ଜେନା

-

କିରେ ଜଗୁଆ କିରେ, କଅଣ କରୁଛୁ ମ ?

ଜଗୁ

-

ତୁମେ ଯାହା କରୁଛ ତାଇ-ହେଲେ ତାଠାରୁ ପାହାଚେ କମ୍‌, ଏଇ ଯାହାକୁ କହନ୍ତି ଏକା ଗୁଲିକେ କିଲ୍ଲା ଫତେ । ତୁମେ ସିନା ଲୁଚାଇ ଖାଅ, ଆମେ କ’ଣ କାହାକୁ ଡରିଲାବାଲା । ଖାଲି ସେନାପତିଙ୍କ ଡରରେ ଏଣିକି ଆସିବା କଥା-ଅବୁଝାମଣା ରାଇଜ-ନିଶାଖୋର ବୋଲି ବାଡ଼େଇ ବାଡ଼େଇ ହାଡ଼ ଭାଙ୍ଗି ଦେବ । ଆର ଥରତ ମୋ ଦୁଇ ଦୁଇଟା ହୁକା ଭାଙ୍ଗି ଦେଲା । ତେବେ ତୁମ କଥା ଜଣାପଡ଼ିଲେ ଆଉ ପଞ୍ଚୁପରମେଶ୍ୱର ଫାଦା ମାଡ଼ିବ ନାହିଁ-ମୋର ତ ସବୁ ଡାକ ଫୁକାର ।

ଜେନା

-

ନାହିଁମ ଜଗୁଆ-ମୁଁ କ’ଣ ରୋଜିନା ଖାଏ, ଖାଲି ଦେହ ମୁଣ୍ଡ ବାଧିକା ପଡ଼ିଲେ, ମହାଦେବ ପ୍ରସାଦ, ଦମେ ଦିଦମ୍‌ ଟାଣି ଦିଏ; ଉଶ୍ୱାସ ଲାଗେ ।

ଜଗୁ

-

ତୁମେ ରୋଜି ଖାଅ କି ନଖାଅ ଗାଁରେ ପଡ଼ିବ ଯେ

ଜେନା

-

(ଭୀତ ଭାବରେ) ମୋ ଭାଇଟା ପରା, ମୋ ରାଣ, ମୋ ମୁଣ୍ଡ ଖାଉ; କାହାକୁ କହିବୁ ନାହିଁ-କାଲି ପଛେ ତୋ ଖରଚା ଚଳାଇବି-

ଜଗୁ

-

(ହସି ହସି) ତୁମେ କଅଣ ପାଗଲ ହେଲ ଜେନାପୁଅ, ଦିଦମ୍‌ ଛାଡ଼ି ଦଶ ଦମ୍‌ ଖାଇଲ-ମୋ ବାପର ଖାଉଚ କି ? ତୁମ ଧନରେ ତୁମେ ମଉଜ କରିବ-ମୋର କଅଣ । ମୁଁ ଖାଲି ଡରାଉଥିଲି ନା-କଥାରେ କହିଛି ଚୋରି କରିବ, ମହତ ଲୋକ ହାବୁଡ଼େ ପଡ଼ିବ । ଆଚ୍ଛା, ଭାଇ ତାକୁ ଡକାଇବା ଦରକାର କଅଣ ଥିଲା ? ଏଇତ ଦିବର୍ଷ ହେଲା ଲଢ଼େଇକୁ ଯାଇ ରାଇଜ ଜିଣିଥିଲା ବୋଲି, ମୋ ଲୋକା ମା’ ସାନ୍ତଙ୍କ ଘରୁ ଶୁଣି ଆସିଛି; ବହାଞ୍ଚତ୍‌ ଟିକେ ମନ ସୁଖରେ ନିଶା ଖୁଆଇ ଦେବ ନାହିଁ ।

ସେଠାଲି

-

କିରେ ଜଗୁ ! ତୁ କ’ଣ ଜାଣୁ ନାହିଁ-ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି । ରାଜା ଦୁଇପୁଅ ପରା ରାଇଜ ସକାଶେ ହାଣ କାଟ ଉପରେ ଥିଲେ; ସେନାପତି ଆସିବାରୁ ତାଙ୍କୁ ରକ୍ଷା ରକ୍ଷଣ କଲା ଓ ସାନଭାଇ ରାଜ୍ୟରୁ ତଡ଼ାଖାଇଲା-

ଜଗୁ

-

ହେଲେତ ସେମାନେ ହେଲେ ତାଙ୍କର ବଡ଼ବଡ଼ାନ୍ତ କଥା-ଦେଖିଲୁ ନାହିଁ ସେଦିନ ଲୋକାମିଶ୍ର ଓ ଦନେଇ ପ୍ରଧାନ ହାତେ ଡିହ ପାଇଁ କ’ଣ କଲେ । ରାଣ୍ଡି ଭାଉଜଟାକୁ ଦରମରାଭାବେ ବେଇଜତ୍‌ କରି ଘରୁ ବାହାର କରି ଦେଲେ-ଏତ ରାଇଜ ନେଇ । ଏ ତାଙ୍କର ଘର ଘରକା କଳି-ସେନାପତିକୁ ଅଣାଇ ଆମକୁ ହଇରାଣ କରାଇବାର କି ଦରକାର ଥିଲା । ଘୋର କଳିକାଳ ବୋଲି-ନୋହିଲେ (ପିଠିରେ ହାତମାରି) ଯୋଉ ଯାଉଁଳି ବେତ ମାଡ଼-ଧରମ ସହନ୍ତା ?

ଯେନା

-

ସତେମ ଜଗୁ-ମୁଁ ପରା ଡରରେ ଗଞ୍ଜେଇ ଗଛ ସବୁ ଉପାଡ଼ି ପକାଇଲି-ଏବେ ଟିକିଏପାଇଁ କେତେ ନାଲିଚା ହେଉଚି ।

 

 

(ତର୍କଚଞ୍ଚୁ ମଦକୁମ୍ପି ହାତରେ ଧରି ଚଞ୍ଚଳା ସହିତ ପ୍ରବେଶ)

 

 

ଇଏ ଗୋଟାଏ କିଏ ଗଡ଼ିଲାଣି । ଦଣ୍ଡେ ବି ଏକୁଟିଆ ରହିବାକୁ ଦେବେ ନାହିଁ-। ପିଚାଶୁଣୀ ଗଛ ବୋଲି ଏଠିକି ଆସିଲି-ଏଠିବି ମାଛ ହାଟ ବସାଇ ଦେବେରେ ବାବା-ଜଗୁଭାଇ କିଏ ଆସୁଛି ମୁଁ ପଳାଏ ।

ଜଗୁ

-

କାହିଁକି ପଳାଇବମ-ଏଠିକି କ’ଣ ଯେ ସେ ଲୋକ ଆସିବ । ଆମରି ଦଳିଆ କେହି ହେବ ।

ଜେନା

-

ନାହିଁରେ ଜଗୁ-ତୁ ସିନା ଏକା ଜାଣିଗଲୁ-ନୋହିଲେ ମୋ ଦମ ଟାଣିବା କଥା କାହାକୁ ମାଲୁମ ନାହିଁମ ।

ଜଗୁ

-

ଯାହା କହିଲ-ଏମିତିକା କଥାରେ ମୋତେ ଚଳ ଲାଗେ ତମ ପୁଅ ରଘୁଆ ଏକନମ୍ୱର ଗଞ୍ଜଡ଼ । ବାପ ନଖାଇଲେ ପୁଅ ଏମିତି ଓସ୍ତାତ ହାତ କୁଆଡ଼ୁ ପାଆନ୍ତା-ଟିକେ ଲୁଚି ରହି ମଜା ଦେଖନା-(ଜଗୁ ଓ ସେଠାଲି ଲୁଚିଯିବା)

ତର୍କଚଞ୍ଚୁ

-

ଚାଲିଆ ମ, ଚାଲିଆ (ଚଞ୍ଚଳାର ପ୍ରବେଶ)

ଚଞ୍ଚଳା

-

ଇଏ କୁଆଡ଼େ ଆଣିଲ । ମୋତେ ଡର ଲାଗୁଛି-

ତର୍କଚଞ୍ଚୁ

-

ଡର, କି ଡର-କାହାକୁ ଡର-ଆମେ କ’ଣ କଉଶଳାର ଶହେ ଷାଠିଏ ଧାରୁନା ଯେ ଡର-ଆମ ନୂଆ ରାଣୀର ଭାଇ ଥିବା ଯାଏଁ ମୋର ପୁଣି କାହାକୁ ଡର । ଆମ ଧନ ଆମ ମନ-ଢୋକେ ପିଇଦେନା ଦେଖିବୁ ଡର କଅଣ ତା’ ବଡ଼ ବୋପା ଛାଡ଼ି ପଳାଇବ । ଆ ଚାଲିଆ-

ଚଞ୍ଚଳା

-

ସତେ ! ପରଶୁରାମ କଅଣ ରାଣୀଙ୍କ ଭାଇ ।

ତର୍କ

-

ମଲା-ତୋତେ ମିଛ କହି ମୋର ଲାଭ କଅଣ । ତୁ ଆଜି ଯାଏଁ ବୁଝିନାହୁଁ । ରାଜ୍ୟତ ବର୍ତ୍ତମାନ ତାଙ୍କ ହାତରେ । ସେ ପରା ବିଜୟନଗର ରାଜାଙ୍କ ପୁଅ । ଦେଖିବୁ-ତୁ ଯଦି ତାଙ୍କ ସୁନଜରରେ ଥରେ ପଡ଼ିବୁ ତୁ’ବି ରାଣୀ ପାଲଟି ଯିବୁ, ସେତେବେଳେ ଭାବିବୁ ମୋ ସଙ୍ଗେ ଭାବ ରଖି କ’ଣ ନହେଲୁ । ସେଇଥିପାଇଁ ମୁଁ କହୁଛି କାହାକୁ ଡରିବା ଦରକାର ନାହିଁ।

ଜଗୁ

-

(ହୁକାଧରି ବାହାରି ପଡ଼ି) ଆମେ ବି କାହାକୁ ଡରି ହେ ମିଶ୍ରପୁଅ । ତୁମେ ବ୍ରାହ୍ମଣ ଛତିଶପାଟକ ରଜା ହୋଇ କାହାକୁ ନ ଡରିଲେ ଆମେତ ଧୋବା-କାହାର ପରବା ରଖୁ । (ଚଞ୍ଚଳା ପ୍ରତି) ଆସ ଲାଜ କାହିଁକି ? ଜେନାଏ ବି ଅଛନ୍ତି, ଗମତ୍‌ଟା ଭଲ କରି ହେଉ ।

ତର୍କ

-

କିରେ ଜଗୁଆ, କି ସେଠାଲି ! ତୁମେ ଦୁହେଁ ଏଠି, ବେଶ୍‌ ବେଶ୍‌-ମୁଁ ତ ସାଙ୍ଗୀ ଖୋଜୁ ଥିଲି । ବସ, ବସ, ଟିକିଏ ଟିକିଏ ପଞ୍ଚାମୃତ ପାଅ । ଆଜି କାହା ମୁଁହ ଚାହିଁ ଉଠିଥିଲି, (ସମସ୍ତଙ୍କର ମଦ୍ୟପାନ)

ଚଞ୍ଚଳା

-

(କଟାକ୍ଷେ) ଆଉ କାହାର ?

ଜଗୁଆ

-

(ମତୁଆଲ ହୋଇ) ସାଙ୍ଗୀ ! ଗୋଟାଏ ଗୀତ, ଗୋଟାଏ ରସରସିଆ ଗୀତ ।

ସେଠାଲି

-

(ଢଳି ଢଳି) ହଁ ହଁ

ତର୍କ

-

ହଉ-ଗା-ନା-

ଚଞ୍ଚଳା

-

ଗୀତ (ନୃତ୍ୟସହ)

 

 

ବାନ୍ଧିଛ ବନ୍ଧୁ କି ଅବା ଫାଶରେ

 

 

ରହିତ ନ ପାରେ ତିଳେ ନିଜ ବାସରେ॥ ଧ୍ରୁ

 

 

ଲୁଟାଇ ଏ ଯଉବନ-ତୁଟାଇ ଏ କୁଳମାନ

 

 

ଛୁଟେ ମୁଁ ମିଳନରସ-ମଧୁ ଆଶରେ ।୧।

 

 

ସରଗ ସୁଧଶିରୀ-ପୀରତି ଦିଏ ଢାଳି

 

 

ଯେତିକି ବିପଦ ଭୟ-ସେତେ ହାସରେ ।୨।

 

 

(ହଠାତ୍‌ ପର୍ଶୁରାମ ପ୍ରବେଶ ଓ ସମସ୍ତେ ଅଭିବାଦନ)

ପର୍ଶୁ

-

ନାହିଁ ନାହିଁ ଗୀତ ଫିତ ଛାଡ଼ । ମୁଁ ଯାହା କହୁଛି ଶୁଣ ।

ତର୍କ

-

କଅଣ କଥା । କହନ୍ତୁ ମଣିମା-

ପର୍ଶୁ

-

ଦେଖୁଚ ତ ସେନାପତି ଓ ତାର ପୁଅ କିପରି ଦୁର୍ଦ୍ଦାନ୍ତପଣ କରୁଛନ୍ତି । ରାଇଜ ତମାମ ତା ଡରରେ ଥରହର । ତାକୁ ଜବଦ୍‌ କରିବାକୁ ହେବ ।

ସମସ୍ତେ

-

ସେ କଥା ଆଉ ପଚାରୁଛ କଅଣ ମଣିମା-ବୁଢ଼ାକୁ ଜବଦ୍‌ କଲେ ମଣିମାଙ୍କର ପରା କୋଟି ପରମାୟୁ ହେବ ।

ପର୍ଶୁ

-

ମୁଁ ତାହାଇ କରିବାକୁ ଆସିଛି-ତମେ ସବୁ ମୋତେ ସାହାଯ୍ୟ କର ।

ସମସ୍ତେ

-

କୁହନ୍ତୁ ଆମେ କଅଣ କରି ପାରିବା ?

 

 

 

ପର୍ଶୁ

-

ସମସ୍ତଙ୍କ ଦରକାର ନାହିଁ-କେବଳ ଚଞ୍ଚଳାକୁ ନେଇ ଖଣ୍ଡଗିରି ଅରଣ୍ୟ ଭିତରେ ମୁଁ ହାତଗୋଡ଼ ବାନ୍ଧି ପକାଇ ଦେବି । ରାଜାରାଣୀ ଅରିନ୍ଦମ ସମସ୍ତେ ଶିକାରକୁ ଯାଇଛନ୍ତି । ସୁବିଧା ଦେଖି ସେ ‘‘ରକ୍ଷାକର ରକ୍ଷାକର’’ବୋଲି ଚିତ୍କାର କରିବ । ଅରନ୍ଦମ ତାକୁ ଉଦ୍ଧାର କରିବାକୁ ଦଉଡ଼ି ଆସିବ । ଚଞ୍ଚଳା ତାକୁ କାକୁତି ମିନତି କରି ବନ୍ଧନ ଦେଖାଇବ । ସେ ବନ୍ଧନ ଖୋଲିବାକୁ ନଇଁ ପଡ଼ିଲେ ପୁଣି ଆଉଥରେ ଚିତ୍କାର କରିବ, ମୁଁ ସେତିକିବେଳକୁ ରାଜାରାଣୀଙ୍କୁ ସେଠାରେ ହାଜର କରାଇବି-ରାଜା ପଚାରିଲେ ଚଞ୍ଚଳା ଅରିନ୍ଦମକୁ ଦେଖାଇ କହିବ ଯେ ସେ ତାହାର ଧର୍ମ ନଷ୍ଟ କରୁଥିଲା । ଆମେ ସବୁ ସାକ୍ଷୀ ହେବା । ବାସ୍‌ ଏହାପରେ ଯେଉଁ ଘଟଣା ତାହା ମୁଁ କରିବି । ସେନାପତି ଝିଅ ପୁଷ୍ପକୁ ମଧ୍ୟ ଧରି ଆଣିଲେ ଭଲ ମଜା ହେବ । ତୁମ୍ଭେମାନେ ଏତକ କରିପାରିଲେ ମୁଁ ରାଣୀଙ୍କୁ କହି ବହୁତ ପୁରଷ୍କାର ଦିଆଇବି ।

ତର୍କ

-

ବୁଝିଲୁ-କିନ୍ତୁ ଏଥିରେ କିଛି ବିପଦ ।

ଜଗୁ

-

କି ବିପଦ କଥା ଭାବୁଛ ଗୋସାଇଁ । ଯେଉଁଠି ରାଣୀ ଓ ରାଣୀଙ୍କ ଭାଇ ଆମର ସହାୟ ସେଠି ଆମର ଆଉ କିଏ ରୁମ ବଙ୍କା କରିବ-ଚାଲ ଏମିତିକା ସୁଯୋଗ ଛାଡ଼ିବା ନାହିଁ-

ପର୍ଶୁ

-

ସଫା ଜବାବ ମତେ ଦିଅ, ନୋହିଲେ ଅନ୍ୟ ଚେଷ୍ଟା କରିବି-

ସମସ୍ତେ

-

ନାହିଁ ମଣିମା-ଆମେ ସମସ୍ତେ ରାଜି,-ଆପଣ ନିଶ୍ଚିନ୍ତ ରହନ୍ତୁ-

ପର୍ଶୁ

-

ତେବେ ମୁଁ ଯାଏ-ତୁମେ ପ୍ରସ୍ତୁତ ଥାଅ-ମୁଁ ଡାକିଲାମାତ୍ରକେ ଯିବ । (ପର୍ଶୁରାମର ପ୍ରସ୍ଥାନ) ।

ତର୍କ

-

କି ଚଞ୍ଚଳା,-ପାରିବୁ ତ ?

ଚଞ୍ଚଳା

-

ମଲାମୋର-କେତେ ଘର ବୁଡ଼ାଇ ଆସିଲି, ଏ ପୁଣି କିବା କଥା ଯେ ପାରିବି ନାହିଁ-

ସମସ୍ତେ

-

କପାଳ ଖୋଲିଗଲାମ-ଚଲାଅ ଗୀତ ।

 

 

ଗୀତ

 

 

ବାନ୍ଧିଛ ବନ୍ଧୁ କି ଅବା ଫାଶରେ ।

Image

 

୫ମ ଦୃଶ୍ୟ

 

ସ୍ଥାନ-ଉଦ୍ୟାନ ସମୟ ସନ୍ଧ୍ୟା-

(ପୁଷ୍ପ ଗୀତ ଗାଇ ଗାଇ ପ୍ରବେଶ)

 

 

ମୁରଜବୀଣାଟି ମୋର, ସରଜି ନୟନେ ନୀର, ଆନମନେ ଉଠେଝୁରି ।

 

 

ଉଦାସ ଆକୁଳ ମନ, ମୁରୁଛି ପଡ଼େ ତାନ, ଅଧୀର ହିଆଟି କୁହରି ॥

 

 

ସକଳ ବାସନା ମୋର ତୁମରି ଚରଣେ ସଖା,

 

 

ଦଇନି ଲଭିଛି ଆଉ ନହେଲେ ନହେବ ଦେଖା,

 

 

ଯେବେ ଗୋ ବିପଞ୍ଚି ମୋର-

 

 

କାଟିଲୁ ରାଗିଣୀଡ଼ୋର-

 

 

ନବାଜ ନବାଜ ମନେ ବେଦନା ଭରି ।୧।

 

 

(ଗୀତପରେ ଶତ୍ରୁଦମନର ପ୍ରବେଶ)

ଶତ୍ରୁ

-

ମା’ ତୋର କଅଣ ହୋଇଛି କହିଲୁ ଯେତେବେଳେ ଦେଖୁଛି, ଏକାକିନୀ, ବିଷାଦିନୀ, କେବଳ ସେହି ଏକ କରୁଣ ସଙ୍ଗୀତ, ତୁତ ଏପରି ନଥିଲୁ ମା’ ! ତୋ ମୁହଁରେତ ସବୁବେଳେ ହସଖେଳ ଲାଗି ରହିଥିଲା ।

ପୁଷ୍ପ

-

କାହିଁକି ବାପା ତୁମେ ମୋ ଲାଗି ଏତେ ଚିନ୍ତିତ ହେଉଛ ? ମୁଁ ତ ବେଶ୍‌ ଅଛି ବାପା । ତୁମ ସ୍ନେହ ଯେ ମୋର ସ୍ୱର୍ଗ ବାପା

ଶତ୍ରୁ

-

(ସ୍ୱଗତଃ) ସେ ବି ଠିକ୍‌ ଏହିପରି କହୁଥିଲା । ଠିକ୍‌ ଏହିପରି ଭାଷା, ଏହିପରି କଣ୍ଠ, ଅବିକଳ ଏହିପରି ମନ

ପୁଷ୍ପ

-

କ’ଣ ଭାବୁଛ, ବାପା-

ଶତ୍ରୁ

-

ନାହିଁ ମା’ କିଛି ନାହିଁ ।

ପୁଷ୍ପ

-

ହଁ ବାପା ତୁମେ ମଝିରେ ମଝିରେ ଏମିତି କେତେ କ’ଣ ଭାବିଥାଅ, ମୋତେ କ’ଣ ଭଣ୍ଡାଇ ପାରିବ-କୁହ ବାପା-

ଶତ୍ରୁ

-

(ସ୍ୱଗତଃ) ଯେତେବେଳେ ଝୁଙ୍କି ଧରିଛି ନଶୁଣି ଛାଡ଼ିବ ନାହିଁ (ପ୍ରକାଶ୍ୟେ) ତେବେ ଶୁଣ ମା’, ତୋତେ ଦେଖିଲେ, ତୋର ମାଆର କଥା ବରାବର ମନେପଡ଼େ ।

ପୁଷ୍ପ

-

ମୋର ବି ମା’ ମନେପଡ଼େ ବାପା ।

ଶତ୍ରୁ

-

ହଁ ଲୋ ବାଇଆଣୀ-ସେ ଆଜକୁ ୧୫ ବର୍ଷ ତଳର କଥା-ତୁ ସେତେବେଳେ ମୋଟେ ଦେଢ଼ବର୍ଷର ପିଲା-ତୁ ତାର ଥିଲୁ ଅଞ୍ଚଳରନିଧି, ସର୍ବସ୍ୱଧନ; ମଲାବେଳେ ସେ ଯେ ତୋତେ ମୋଠାରେ ସମର୍ପି ଦେଇ କହିଲା ସ୍ୱାମୀ ! ମା’ ଛେଉଣ୍ଡଟିର ସବୁ ଦୋଷ କ୍ଷମା କରୁଥିବ । ସେଥିପାଇଁ କୌଣସି ସମୟରେ ତୋର ବିରସ ମୁଖ ଦେଖିଲେ ମୋ ମନରେ ତୋର ମାଆର ସେହି କଥା ମନେପଡ଼େ ଏବଂ ମନେହୁଏ ଯେ ସ୍ୱର୍ଗଲୋକରୁ ସୁଦ୍ଧା ସେ କାନ୍ଦି ଉଠୁଥିବ ।

ପୁଷ୍ପ

-

ତଥାପି ପିତା, ତୁମର ଏତେ ଭାବନା କରିବାର ହେତୁ ମୁଁ ବୁଝୁନାହିଁ ।

ଶତ୍ରୁ

-

ବାପ ମା’ଙ୍କର ଭାବନା ତୁ କ’ଣ ବୁଝିବୁ ଝିଅ-ଆଗେ ତୁ ନିଜେ ପୁଅ ଝିଅର ମା’ହୋ ତେବେ ଜାଣିବୁ ତୋର ଏ ବୁଢ଼ା ବାପା ସତ କହୁଛି କି ମିଛ କହୁଛି ।

ପୁଷ୍ପ

-

ପୁଅପାଇଁ ଅବା ଏତେ ଚିନ୍ତାଦକ ଶୋଭାପାଏ, ଝିଅପାଇଁ ଏତେ ସ୍ନେହ ନଥିଲେ ଭଲ ।

ଶତ୍ରୁ

-

କାହିଁକିରେ ପାଗଲି-ବାପ ମା’ ପାଖରେ କ’ଣ ପୁଅ ଝିଅ ତଫାତ୍‌ ଥାଏ ।

ପୁଷ୍ପ

-

ଥାଏନାହିଁ ? ପୁଅତ ଆଉ କୁଆଡ଼େ ଯିବନାହିଁ-ଝିଅ ଦୁଇଦିନ ପରେ ବାହା ହୋଇ ପର ହୋଇଯିବ ।

ଶତ୍ରୁ

-

(ହଠାତ୍‌ ଚମକି) ଭଲ କଥା ମନେପକାଇ ଦେଇଛୁ । କୁମାର ମାୟାଦିତ୍ୟ ଖବର କ’ଣ ଜାଣୁ । ତାଙ୍କ ସହିତ ତୋର ସାକ୍ଷାତ୍‌ ହେଲାଣି ?

ପୁଷ୍ପ

-

ହଁ ବାପ, ଏଇତ କିଛିକ୍ଷଣ ଆଗରୁ ମୋଠାରୁ ବିଦାୟ ନେଇଗଲେ ।

ଶତ୍ରୁ

-

(ବିସ୍ମୟରେ) ବିଦାୟ ନେଇଗଲେ ?

ପୁଷ୍ପ

-

ହଁ ବାପା, ରାଜାଙ୍କର ଆଦେଶ ଚିରନିର୍ବାସନ ନଚେତ୍‌ ମୃତ୍ୟୁ; ମୃତ୍ୟୁ ଅପେକ୍ଷା ନିର୍ବାସନ ଅଧିକ ପ୍ରିୟ ନୁହେଁକି ?

ଶତ୍ରୁ

-

(ଉଦ୍‌ବେଗରେ) କୁମାର ତୋତେ ଏକା ପକାଇ ଦେଇ ଚାଲିଯାଇଛି ? ସତ କହୁଛୁ ପୁଷ୍ପ ?

ପୁଷ୍ପ

-

ଶତ୍ରୁଦମନର କନ୍ୟା ମିଥ୍ୟା କହିବାକୁ କେଭେ ଶିଖିନାହିଁ ବାପା ।

ଶତ୍ରୁ

-

ତେବେ ଉପାୟ (ଉଦ୍‌ବିଗ୍ନଭାବେ)

ପୁଷ୍ପ

-

କ’ଣ କହୁଛ ବାପା, ମୁଁ କିଛି ବୁଝିପାରୁନାହିଁ । ତୁମର ଦେହକି କିଛି ଅସୁସ୍ଥ ଅଛି-?

ଶତ୍ରୁ

-

(ବିରକ୍ତି ସହିତ) ଯା ମୋ ସମ୍ମୁଖରୁ ବାହାରି ଯା, ନିଷ୍କଳଙ୍କ ବଂଶରେ କଳଙ୍କ ଲେପନ କରି ଆଉ ମୋ ସମ୍ମୁଖରେ ତୁ ଛିଡ଼ା ହୋନା-ଯୌବନ ମଦରେ ଉନ୍ମତ୍ତ ହୋଇ ଥରେ ଭୂତ ଭବିଷ୍ୟତ ଭାବିଲୁ ନାହିଁ-ଥରେ ପଦମର୍ଯ୍ୟାଦାର କଥା ଭାବିଲୁନାହିଁ-ନିର୍ଜ୍ଜନରେ ଗାନ୍ଧର୍ବ ବିବାହ କରି ନିଜର କୁମାରୀତ୍ୱକୁ ପାଶୋରି ଦେଲୁ । ଆଉ ସୟତାନ ସେ ମାୟାଦିତ୍ୟ, ଅସହାୟା କୁମାରୀର ସର୍ବନାଶ କରି ତାକୁ ଅକୂଳସାଗରରେ ଭସାଇ ଦେଇ ପଳାଇଗଲା ।

ପୁଷ୍ପ

-

ପିତା ! ପିତା !! ତାଙ୍କର ନିନ୍ଦା କରନ୍ତୁ ନାହିଁ ।

ଶତ୍ରୁ

-

(ବିରକ୍ତିରେ) ନିନ୍ଦା କରିବି ନାହିଁ-ଆଉ ପୁଷ୍ପଚନ୍ଦନ ଦେଇ ପୂଜା କରିବି-ମୋର ନିଷ୍କଳଙ୍କ ବଂଶ ଗରିମାକୁ କଳଙ୍କା ବୃତ୍ତ ଦେଖି ନୀରବ ରହିବି-ନାରୀ-

ପୁଷ୍ପ

-

ନାରୀ ବୋଲି ଅବଜ୍ଞା କରନାହିଁ ପିତା, ନାରୀ ଜାଣେ ସ୍ୱାମୀସେବା-ନାରୀ ଜାଣେ ଜଗତର ଦୁଃଖ ବରଣ-ନିର୍ଯ୍ୟାତନ ସହିବାକୁ ନାରୀର ଜନ୍ମ-

ଶତ୍ରୁ

-

ଚୁପ୍‌ କର ଦୁଷ୍ଟା-କାମନାରେ ନିଜକୁ ଉତ୍ସର୍ଗ କରି ପୁଣି କଥା କହୁଛୁ-

ପୁଷ୍ପ

-

ଉତ୍ସର୍ଗ କରିଛି ସତ, କିନ୍ତୁ କାମନାରେ ନୁହେଁ-ତୁମେତ ଶିଖାଇଛ, ଆତ୍ମୋତ୍ସର୍ଗରେ ନାରୀର ଚରମ ସାର୍ଥକତା-ପ୍ରେମରେ ନାରୀର ପରମ ପରିଣତି ଓ ଅପାର ଆନନ୍ଦ-

ଶତ୍ରୁ

-

ହା ଦୁର୍ଦ୍ଦୈବ ! ମୋତେ ଆଜି ସ୍ଥବିର ଦେଖି ଜଗତର ଆପଣା ପର ସମସ୍ତେ ଅତ୍ୟାଚାର କରିବାକୁ ଉଦ୍ୟତ । ଏକେ ଏକେ ସବୁ ସରିଥିଲା, କେବଳ ଏହି ବଂଶ ଗରିମାଟିକ ଥିଲା, ତାହା ମୂଳରେ ମଧ୍ୟ କୁଠାରଘାତ । (ତରବାରୀ ମୁଠାଧରିବା) ତୋର ମୃତ୍ୟୁ

ପୁଷ୍ପ

-

ମୋର ମୃତ୍ୟୁରେ ଯଦି ଏହି କଳଙ୍କ ଗାଥା ଧୌତ ହୋଇପାରିବ ତେବେ ମୁଁ ଘାତୁକର କଳୁଷିତ ଖଡ୍‌ଗ ପାଖରେ ସୁଦ୍ଧା ବେକ ଦେଖାଇବାକୁ କୁଣ୍ଠିତ ନୁହେଁ-ମାତ୍ର ମୁଁ ଯେ ଏକା ନୁହେଁ । ମୋର ସ୍ୱାମୀର ଶେଷସ୍ମୃତି ମୋଠାରେ-ନା ପିତା ମୋତେ ଯିବାକୁ ଦିଅ, ତୁମର ନିଷ୍କଳଙ୍କ କୁଳ ଗୌରବ ଅକ୍ଷୁର୍ଣ୍ଣ ରହୁ-(ଏକଆଡ଼େ ଅନାଇ) ଏଇ ମୋର ସ୍ୱାମୀ ମୋତେ ଅଜଣାରାଜ୍ୟରୁ ଅନାଇ ବସିଛନ୍ତି-ଶୈଶବରୁ ମାତୃହୀନ, ଯୌବନରେ ନିର୍ବାସିତ, ପ୍ରାସାଦବାସୀ ରାଜପୁତ୍ର ଆଜି ପଥର ଯାତ୍ରୀ-ମୁଁ ଯାଉଛି ପିତା-ମୋଠାରୁ ତାଙ୍କ ଦୁଃଖ ସହସ୍ର ଗୁଣ । ମାତୃହୀନା ମୁଁ-ତୁମ୍ଭଠାରୁ ପିତୃମାତୃ ସ୍ନେହ ଏକାଧାରରେ ପାଇଆସିଛି-ସେ କେବଳ ପିତୃମାତୃହୀନ ନୁହନ୍ତି-ସ୍ୱଦେଶ ବହିଷ୍କୃତ; ପିତା, ତୁମର ଏ ଆବାଲ୍ୟ ମାତୃସ୍ନେହ ବଞ୍ଚିତା କନ୍ୟା ଦୁନିଆ ଚକ୍ଷୁରେ ହଜାର କଳଙ୍କିନୀ ହେଲେ ମଧ୍ୟ ଈଶ୍ୱରଙ୍କ ଚକ୍ଷୁରେ ପାପଶୂନ୍ୟ, ମୋର ଏ ବିବାହର ଲାଳସା ନାହିଁ ପିତା, ଅଛି ନିର୍ଦ୍ଦୋଷ ପ୍ରାଣ ବିନିମୟ-କ୍ଷମା ନକରନ୍ତୁ ପଛକେ ଆଶୀର୍ବାଦ କରନ୍ତୁ, ମୁଁ ମୋର ନାରୀଧର୍ମ୍ମର ଶ୍ରେଷ୍ଠବ୍ରତ ଉଦ୍‌ଯାପନରେ ସକ୍ଷମ ହୁଏ-(କାନ୍ଦି କାନ୍ଦି) ବିଦାୟ ପିତା-

ଶତ୍ରୁ

-

ହା ବିଧାତା ! ଏ ତୋର କି ବିଡ଼ମ୍ୱନା-କି କଠୋର ପରୀକ୍ଷା- କି ଭୀଷଣ ମର୍ମଦାହ ମଧ୍ୟରେ ତୁ ଅଦ୍ଭୁତ ସ୍ନେହରସ ଦେଇ ପିତାମାତା ସୃଷ୍ଟି କରିଛୁ-ନା ! ଯା ହେବାର ହେଲାଣି-ମୋର ସବୁ ଗୋଳମାଳ ହୋଇଯାଉଛି-ଆଃ ଅଭାଗିନୀ-ତୋର କିଛି ଦୋଷ ନାହିଁ-ସବୁ ଏ ବୃଦ୍ଧର ଭାଗ୍ୟଲିପି-

ପୁଷ୍ପ

-

ମୋତେ ବିଦାୟ ଦିଅ ପିତା !

ଶତ୍ରୁ

-

ତୋର ସ୍ୱାମୀ ନିର୍ବାସିତ, କୁଆଡ଼େ ଯିବୁ ? ପିତୃ ହୃଦୟ ଛଡ଼ା ତୋର ସ୍ଥାନ ଆଉ କେଉଁଠି ? ମୋର ତ ସବୁ ଯାଇଥିଲା, ବାକି ଥିଲା ଜାତିର ଗର୍ବ-ସେ ବି ଯାଉ । ତୁ ଯଦି ତୋର ନିଷ୍ପାପ ଚରିତ୍ର ନେଇ ତୋର ନାରୀଧର୍ମ ପବିତ୍ର ରଖି ତୋର ଅନ୍ତରାତ୍ମା ନିକଟରେ ମୁଣ୍ଡ ଟେକି ରହିପାରୁ ତେବେ ମୋର କୌଣସି ଚିନ୍ତାନାହିଁ ମା’-

ପୁଷ୍ପ

-

ନାହିଁ ବାବା ! ତୁମେ କାହିଁକି ମିଛଟାରେ ତୁମର ମହତ୍‌ ଯଶ କଳଙ୍କିତ କରିବ

ଶତ୍ରୁ

-

କଳଙ୍କ କ’ଣ କହୁଛୁ ମା’ ? ଏ ବୃଦ୍ଧ ଆଉ କେତେଦିନ ବଞ୍ଚି ରହିବ-ଦେଶ ଲାଗି ଯଥାସର୍ବସ୍ୱ ବିସର୍ଜନ ଦେଇଛି-ଏକେ ଏକେ ମୋର ବିଂଶସନ୍ତାନ ରଣକ୍ଷେତ୍ରରେ ଆହୂତି ଦେଇଛି-ଏଥିରେ ଯଦି ଦେଶ ମୋର ଏତକ ନବୁଝେ ତେବେ ସେ ଦେଶ ଧ୍ୱଂସରେ ଯାଉ ମା’-ମୋର ଶୋଚନା ନାହିଁ-ଦେଶ ସିନା ମୋଠାରୁ ସେବା କର୍ତ୍ତବ୍ୟ ଚାହେଁ, ସେ କ’ଣ ମୋର ବାତ୍ସଲ୍ୟଧର୍ମ ବିସର୍ଜନ ଦେବାକୁ ଲୋଡ଼ିବ-ଦେଶର ସନ୍ତାନ ମୁଁ-ସନ୍ତାନର କର୍ତ୍ତବ୍ୟ ଯାହା କରିବି, ତାହା ବୋଲି କ’ଣ ନିଜର ଅପତ୍ୟ ସ୍ନେହପାଶୋରି ଦେବି ? କେହି ବିଶ୍ୱାସ କରୁ ବା ନକରୁ, ସମାଜ ଭଲ କହୁ କି ମନ୍ଦ କହୁ, ସେଥିରେ ମୋର ଭ୍ରୁକ୍ଷେପ ନାହିଁ-ଖାଲି ଭଗବାନଙ୍କ ନିକଟରେ ଆମର ମୁଣ୍ଡଟେକି ଠିଆ ହେବାର ଶକ୍ତି ଥିଲେ ସବୁଅଛି ମା’-

ପୁଷ୍ପ

-

ବାବା-

ଶତ୍ରୁ

-

ବଡ଼ ଅବାଧ୍ୟ ତୁ ମା’-ବାରମ୍ୱାର ସେହି କଥା କହି ମୋତେ କଷ୍ଟ ଦେବୁ-ତୁ କାହୁଁ ବୁଝିବୁ ପିତୃସ୍ନେହ କି ଗଭୀର କି ଅସୀମ-ପିତାର ପ୍ରାଣ କି ଉପାଦାନରେ ଗଠିତ । ଦେଖାଇବାର ହେଲେ ଦେଖାଇ ଦିଅନ୍ତି ପିତୃ ହୃଦୟ ସନ୍ତାନ ସନ୍ତତିର କି ଦୁର୍ଭେଦ୍ୟ ଦୁର୍ଗ-କିପରି ଅନନ୍ତପରି ଅନନ୍ତମୁଖୀ; ଚାଲ ମା’-ଆମେ ଆମର ଖଣ୍ଡଗିରି ଦୁର୍ଗରେ ଅରିନ୍ଦମ ପାଖରେ ରହିବା-ସେଠି ନିଷ୍ଠୁର ସଂସାରର ନିନ୍ଦାବାଦ ନଥିବ-ସେଠାରେ ଆମ୍ଭେ ପିତାପୁତ୍ରୀ ଦୁହେଁ ନିଜର ସ୍ମୃତି ସମ୍ୱଳକରି କାଳ କଟାଇବା-କେହି ଦେଖିବ ନାହିଁ-କେହି ଶୁଣିବାକୁ ଥିବନାହିଁ-ଉପରେ ବିରାଟ ଗଗନ ତଳେ ଶ୍ୟାମଳାଧରଣୀ, ମଧ୍ୟରେ ସ୍ନିଗ୍‌ଧ ମଧୁର ପବନ ହିଲ୍ଲୋଳ; ମୁଁ ତୋତେ ସେହିଠାରେ ମୋର ପିଲାକାଳର ଏବଂ ଯୌବନର ଉଚ୍ଛ୍ୱାସମୟ ଯୁଦ୍ଧ କାହାଣୀ ଶୁଣାଇବି-ତୁ ମୋତେ ତୋର ମଧୁର ସଙ୍ଗୀତ ଝଙ୍କାରରେ ଭୁଲାଇ ରଖିବୁ । ଚାଲ ମା’-(ପ୍ରସ୍ଥାନ)

Image

 

୬ଷ୍ଠ ଦୃଶ୍ୟ

ସ୍ଥାନ-ଖଣ୍ଡଗିରି, ନିକଟ ଅରଣ୍ୟ

 

 

 

(ସମୟ ସୂର୍ଯ୍ୟାସ୍ତ-ଅରଣ୍ୟରେ କ୍ରମ ବର୍ଦ୍ଧମାନ ଅନ୍ଧକାର ତହିଁର ନିସ୍ତବ୍‌ଧତାକୁ ଗୁରୁଗମ୍ଭୀର କରି ଦେଇଛି-ନୀଡ଼ ପ୍ରତ୍ୟାଗତ ବିହଙ୍ଗର କାକଳିମା ମଧ୍ୟେ ମଧ୍ୟେ ଉଠୁଛି, ଶତ୍ରୁଦମନର ପୁତ୍ର ଅରିନ୍ଦମ ଏକାକୀ ବଣ ଭିତରେ ବହୁବାର ଏପାଖ ସେପାଖ ହେଲେ ଏବଂ ନିରୀକ୍ଷଣ କରି ଯେପରି କାହାକୁ ଖୋଜିଲେ ତତ୍ପରେ ବାହାରି ଚାଲିଯିବା ବେଳେ କହିଲେ)

ଅରିନ୍ଦମ

-

କାହିଁ, ଏ ବଣରେ ତ ଏତେ ଖୋଜିଲି କିନ୍ତୁ ପୁଷ୍ପକୁ ପାଇଲି ନାହିଁ । ଗଲା କୁଆଡ଼େ-? ରାଣୀ ଡକାଇଲେ ବୋଲି କେତେବେଳୁ ଘରୁ ଚାଲି ଆସିଲା, ଏବେ ସନ୍ଧ୍ୟା ହେଲା ଫେରିଲା ନାହିଁ । ରାଣୀତ କହିଲେ ଯେ ଅନେକବେଳୁ ଫେରି ଗଲାଣି । କଅଣ ହେଲା କେଜାଣି-ବଣରେ କଅଣ ବାଟବଣା ହୋଇଗଲା; ହେଲେମଧ୍ୟ ଯିବ କୁଆଡ଼େ ? ଦେଖେ ଆଉ ଥରେ ଡାକ ମାରେ-ପୁଷ୍ପ-ପୁଷ୍ପ-(ପ୍ରତିଧ୍ୱନି-ହିଁ ପ୍ରତ୍ୟୁତ୍ତର ହେଲା, ହଠାତ୍‌ ଏ ସମୟରେ ଚିତ୍କାର ଶବ୍ଦ ଶୁଣାଗଲା-ଅରିନ୍ଦମ ଚମକିପଡ଼ି) ଏ କ’ଣ-କାହାର ଏହି ଆକୁଳ ଚିତ୍କାର-ପୁଷ୍ପର ନୁହେଁତ ?-କିଛି ଭୟ ନାହିଁ-(ଶବ୍ଦ ଅନୁସରି ଅରିନ୍ଦମ ଦଉଡ଼ି ଗଲା ଏବଂ ଏକ କୋଣରେ ଲୁଚିଥିବା ପର୍ଶୁରାମ ମଧ୍ୟ ଅନ୍ୟଆଡ଼େ ପଳାଇଗଲା । ଦୂରରେ ହାତଗୋଡ଼ ବନ୍ଧା ହୋଇ ଚଞ୍ଚଳା ପଡ଼ିଥିବା ଜାଗାରେ ଅରିନ୍ଦମ ପୁଣି ପହଞ୍ଚି ଚଞ୍ଚଳାକୁ ଦେଖି)

 

 

 

ଅରିନ୍ଦମ

-

କିଛି ଭୟ ନାହିଁ-କିଏ ତୁମ୍ଭେ-ତୁମର ଏପରି ଅବସ୍ଥା କଲା କିଏ ? ରହ ମୁଁ ଆଗେ ବନ୍ଧନ ଫିଟାଇ ଦିଏ- (ଅରିନ୍ଦମ ନଇଁପଡ଼ି ବନ୍ଧନ ଫିଟାଇଲାବେଳେ ଚଞ୍ଚଳା ପୁଣି ଥରେ ‘‘ରକ୍ଷାକର’’ ରକ୍ଷାକର ବୋଲି ଚିତ୍କାର କଲା-ଅରିନ୍ଦମ ବିସ୍ମିତ ହୋଇ ଥମି ଯିବାବେଳକୁ ଏକଆଡ଼ୁ ସାନୁଚର ରାଜାରାଣୀ ଶତ୍ରୁଦମନ ଓ ଅନ୍ୟଆଡ଼ୁ ପର୍ଶୁରାମ ପ୍ରଭୃତିଙ୍କ ପ୍ରବେଶ)

ରାଜା

-

ଏ କ’ଣ ?

ଚଞ୍ଚଳା

-

ଧର୍ମ୍ମାବତାର ମଣିମା-ମୁଁ ମଣିମାଙ୍କର କନ୍ୟାତୁଲ୍ୟ-ମୋତେ ରକ୍ଷା କରନ୍ତୁ । ଏ ଯୁବକ ମୋତେ ଏକା ଦେଖି ମୋର ଧର୍ମ୍ମ ନେଉଥିଲା-ବିଚାର କରନ୍ତୁ ମଣିମା-(ଅରିନ୍ଦମ ଅବାକ, ଶତ୍ରୁଦମନ ଘୃଣାରେ ସଂକୁଚିତ ହେବା)

ରାଜା

-

କି ଉତ୍ସୃଙ୍ଖଳ ଯୁବକ-ବଡ଼ ଆସ୍ପର୍ଦ୍ଧା ତ-ମୁହଁରୁ କଥା ବାହାରୁ ନାହିଁ ।

ଚଞ୍ଚଳା

-

ବୁଝନ୍ତୁ ମହାରାଜ !

ଅରିନ୍ଦମ

-

ଦୂର ପାପିୟସୀ-ଏଇ ଦଣ୍ଡକ ଆଗରେ ମୁଁ ତୋର ଆକୁଳ ଡାକରେ ସାହାଯ୍ୟ କରିବି ବୋଲି ଧାଇଁ ଆସିଲି-ତୋ ମୁହଁରେ ପୁଣି ଏକଥା ।

ରାଜା

-

ଚୁପ୍‌କର ପାଷଣ୍ଡ-ଅବଳାର ସର୍ବସ୍ୱ ହରଣ କରିବାକୁ ଯାଇ ତାକୁ ଉଦ୍ଧାର କରୁଥିଲୁ-ପାପ ଉପରେ ପାପ-ଦେଖୁଛ ସେନାପତି, ତୁମ୍ଭର କୁଳ ଚନ୍ଦ୍ରମାର କୀର୍ତ୍ତି-

ଶତ୍ରୁ

-

ହା ବିଧାତା !

ରାଜା

-

ଆଉ ବିଧାତା

ଚଞ୍ଚଳା

-

ମଣିମା-ଏ ଅତ୍ୟାଚାରର ଧର୍ମ୍ମ ବିଚାର କରନ୍ତୁ-

ରାଜା

-

ହଁ କରିବି-ଦେଖିବ ଯୁବକ, ଶିଳାଦିତ୍ୟ ସାମ୍ରାଜ୍ୟରେ ରମଣୀ ପ୍ରତି ଅତ୍ୟାଚାର କି ଭୀଷଣ ଭାବରେ ଦଣ୍ଡିତ ହୁଏ-କ’ଣ କହୁଚ ସେନାପତି ? ରକ୍ଷୀ, ଏ ଦୁର୍ବୃର୍ତ୍ତକୁ ବନ୍ଦୀ କରି ନେଇ ଚାଲ ।

ଶତ୍ରୁ

-

ମହାରାଜ ନ୍ୟାୟ ବିଚାର କରିବେ ।

ଅରିନ୍ଦମ

-

ବନ୍ଦୀ କରନ୍ତୁ-ଯେତେ ଇଚ୍ଛା କଠୋର ଶାସ୍ତି ଦିଅନ୍ତୁ କିନ୍ତୁ ଜାଣନ୍ତୁ ସମ୍ରାଟ ମୁଁ ନିର୍ଦ୍ଦୋଷ । ମୁଁ ମୃତ୍ୟୁକୁ ଭୟ କରେ ନାହିଁ, ଓ ମିଥ୍ୟା କହି ଆତ୍ମଦୋଷ ଗୋପନ କରିବାକୁ ମୁଁ ଶିଖିନାହିଁ ।

ରାଜା-

 

ଚୁପ୍‌କର ବର୍ବର-ଅବଳାକୁ ଏକାକିନୀ ପାଇ ଅତ୍ୟାଚାର କରିବାଟା ଶିଖିଛୁ-ମିଛ କାହିଁକି ଶିଖିବୁ ?

ଅରି

-

ମଣିମା ଦେଶର ରାଜା ଓ ଆମର ଅତିଥି, ନ୍ୟାୟାନ୍ୟାୟ ସତ୍ୟ ମିଥ୍ୟା ବିଚାର କରି ଦୋଷୀକୁ ଦଣ୍ଡ ଦେବେ, ଏ ସବୁ କାହିଁକି କହୁଚନ୍ତି-

ରାଜା

-

ଏହା ନକହି କ’ଣ ତୋର ସ୍ତବ ଗାନ କରନ୍ତି । ଅସ୍ପର୍ଦ୍ଧା କମ୍‌ ନୁହେଁ-ଚୁପ୍‌କର, ନଚେତ ମୋର ରକ୍ଷୀ ତୋତେ ଚିରଦିନ ପାଇଁ ଚୁପ୍‌କରିଦେବ-

ଅରି

-

ସେ ଭୟ କାହାକୁ ଦେଖାନ୍ତି ସମ୍ରାଟ-ଶତ୍ରୁଦମନର ପୁତ୍ର କେହି ପ୍ରାଣରଙ୍କ ନୁହନ୍ତି । ପିତା-ତୁମ୍ଭେ ବିଚଳିତ ହୋଇପଡ଼ୁଛ, କିନ୍ତୁ ମୁଁ ନିର୍ଦ୍ଦୋଷ ପିତା; ଏ ଷଡ଼ଯନ୍ତ୍ରର କିଛି ଜାଣେନାହିଁ-ବୀର କୂଳରେ ମୋର ଜନ୍ମ, ଜୀବନ ମୋର ହାତେ ହାତେ ସଙ୍ଗେ ସଙ୍ଗେ ବନ୍ଧା, ଏ କଥା ତ ତୁମେ ଶିଖାଇଛ । ବୀର ଚକ୍ଷୁରେ ଆନନ୍ଦାଶ୍ରୁ ଛଡ଼ା ଅନ ଅଶ୍ରୁ ରହିବା ଅବିଧି ଏକଥା ତୁମେହିଁ କହିଛ-ତେବେ ଦୁଃଖ କାହିଁକି ? ମନେକର ଏ ପୁତ୍ର ତୁମର ନଥିଲା ତୁମ୍ଭର ପଦକମଳ ମୋର ମହାତୀର୍ଥ ପିତା-ତାହା ଛୁଇଁ ମୁଁ ଶପଥ କରେ ଯେ ମୁଁ ନିଷ୍ପାପ-(ଚିନ୍ତିତ ହୋଇ) କେବଳ ଏତିକି ନୁହେଁ, ଆହୁରି ଦୁଃସମ୍ୱାଦ ଅଛି । ହୃଦୟକୁ ପାଷାଣରେ ବାନ୍ଧି ଶୁଣିଯାଅ-ପୁଷ୍ପ ମଧ୍ୟ ଅପହୃତା-

ଶତ୍ରୁ

-

(ବିକଳରେ) ଅପହୃତ !

ଅରି

-

ହଁ ଆଜି ସକାଳୁ ତାକୁ ଖୋଜି ପାଇନାହିଁ-ମୋତେ ଆଶୀର୍ବାଦ କର, ବୀରର ପୁତ୍ର ମୁଁ, ଯେପରି ବୀର ପରି ସୌଭାଗ୍ୟ, ଦୁର୍ଭାଗ୍ୟ ଦୁହିଁଙ୍କୁ ସମାନ ଭାବରେ ଆଲିଙ୍ଗନ କରିପାରେ ।

ରାଜା

-

ଅଭିନୟ ମନ୍ଦ ନୁହେଁ । ରକ୍ଷୀ ଗଡ଼କୁ ଫେରିଚାଲ, ଏପରି ଅଧମର ଅତିଥି ହେବା ଅଧର୍ମ୍ମ । (ଚଞ୍ଚଳାକୁ ଅନାଇ) ତୁମ୍ଭେ ମଧ୍ୟ ସଙ୍ଗରେ ଆସ-(ରାଜା ପ୍ରଭୃତି ସମସ୍ତେ ଅରିନ୍ଦମକୁ ନେଇ ପ୍ରସ୍ଥାନ)

ଶତ୍ରୁ

-

(ପଥଆଡ଼କୁ ଅନାଇ ଅନାଇ) ନେଇଗଲେ-ଏକ ସଙ୍ଗରେ ପୁତ୍ରକନ୍ୟା ଦୁଇ ଗଲେ-। ଆଜିଠାରୁ ବାପା ଡାକ ମୋର ବୁଡ଼ିଲା-ଯେଉଁ ଦେଶପାଇଁ ସର୍ବସ୍ୱାନ୍ତ ହେଲି; ହୃଦୟର ରକ୍ତବିନ୍ଦୁ ଢାଳି ଯାର ଗୌରବ ବଢ଼ାଇଲି-ସେ ଦେଶ, ସେ ଦେଶବାସୀଠାରୁ ଏହି ପ୍ରତିଦାନ । ନିଷ୍ଠୁର ବିଧାତା ! ଏପରି ମର୍ମନ୍ତୁଦ କାର୍ଯ୍ୟ ତୋର ଅଭିପ୍ରେତ ଥିଲା-ପିତା ପ୍ରାଣରେ ଏତେ ମାୟା, ମମତା କୋମଳତା ଦେଇ ଗଢ଼ୁ କାହିଁକି ? ନା’ ଆଉ ଭାବିପାରୁନାହିଁ-ମୁଁ ଉନ୍ମାଦ ହୋଇଯାଉଛି-ବିଧାତା-ନା-ବିଧାତା-ନାହିଁ-ବିଧାତା-ନାହିଁ-ବିଧାତା ନାହିଁ । (ବେଗେ ପ୍ରସ୍ଥାନ)

Image

 

୭ମ ଦୃଶ୍ୟ

ସ୍ଥାନ-ତକ୍ଷଶୀଳା ଗିରିଦୁର୍ଗ

 

 

 

(ପାର୍ବତ୍ୟ ଦୁର୍ଗ-ଶିଖରରେ ପତାକା ଉଡ଼ୁଛି । ଦୂରରେ ଶୃଙ୍ଗ ପରେ ଶୃଙ୍ଗ ମେଘାବୃତ୍ତ ଦେଖାଯାଉଥାଏ । ସମୟ ସନ୍ଧ୍ୟା-ଦୁର୍ଗର ସିଂହଦ୍ୱାର ସମୁଖରେ ଦଳେ ସୈନିକ ପତାକାକୁ ହାତ ବଢ଼ାଇ ଉଭା ହୋଇ ଗୀତ ଗାଉଥିଲେ-ସେମାନଙ୍କ ବଦନ ବୀରତ୍ୱପୂର୍ଣ୍ଣ, ସ୍ୱର ସତେଜ ଏବଂ ଚକ୍ଷୁ ଛଳଛଳ । ତାଙ୍କର ନେତୃତ୍ୱ କରୁଥିଲେ ଜଣେ ଉଚ୍ଚପଦସ୍ଥ ରାଜପୁରୁଷ ଯେ କି ମଗଧର ଦୂତ)

 

 

(ଗୀତ)

 

 

ଆସଭାଇ-ଦେଖ ଦୂରେ ଚାହିଁ

 

 

ଉଡ଼ଇ କେତନ ଗଗନେ ।

 

 

ଗାଅ ମାତି-ସୁଖ ଆଜ ରାତି

 

 

ସ୍ୱଦେଶ ମହିମା ସଘନେ ॥

 

 

ରଣକ୍ଷେତ୍ରେ ଯେତେ ଭାଇ-

 

 

ବୀର ମୃତ୍ୟୁ ବରି-ଜୟ ଦେଲେ ଆଣି

 

 

ମୁଞ୍ଚ ତାଙ୍କ ଲାଗି ସୁଖେ ନେତ୍ରୁ ପାଣି

 

 

ବିଜୟ ବାଇଦ ଗାଇ ॥

 

 

 

 

 

ଉଠୁ ଗରଜି ସିନ୍ଧୁ ଅଶନି-ଉଛୁଳି ଯାଉ ତା ପବନେ-

 

 

ଫୁଲାଇ ଛାତି ଘୋଷରେ ନିତି ମଗଧ କୀରତି ଭୂବନେ ॥

 

 

(ହଠାତ୍‌ ଗୀତ ବନ୍ଦ ଦୁର୍ଗ ଦ୍ୱାର ଫିଟିଗଲା । ଅଶୋକ ଧୀରେ ପାହାଚରୁ ଓହ୍ଲାଇ ଆସିଲେ-ସୈନିକମାନେ ପ୍ରଣାମ ଜଣାଇ ବାହୁଡ଼ି ଗଲେ ଏବଂ ଅଶୋକଙ୍କୁ ଦେଖିପାରି ମଗଧ ଦୂତ ନମସ୍କାର କରି କହିଲେ)

ଦୂତ

-

ଜୟ ମଗଧପତି ଅଶୋକଙ୍କର ଜୟ-

ଅଶୋକ

-

(ଆଶ୍ଚର୍ଯ୍ୟେ) ଏ ସବୁ କଅଣ ଦୂତ ? ସମ୍ୱାଦ କ’ଣ ?

ଦୂତ

-

ସମ୍ୱାଦ ଗୁରୁତର-ସମ୍ରାଟ ଦେହ ତ୍ୟାଗ କରିଛନ୍ତି-ଆପଣହିଁ ବର୍ତ୍ତମାନ ମଗଧେଶ୍ୱର-ଦୋଷ କ୍ଷମା କରନ୍ତୁ ମହାରାଜ !

ଅଶୋକ

-

ମୁଁ ମଗଧେଶ୍ୱର-ଜ୍ୟେଷ୍ଠଭ୍ରାତା ଜୀବିତ ଥାଉ ଥାଉ ସର୍ବ କନିଷ୍ଠ ମୁଁ-ଏଥର ତୁମ୍ଭଙ୍କୁ କ୍ଷମା କଲି ଦୂତ କିନ୍ତୁ ଆଉ ଏପରି କହିଲେ ଦଣ୍ଡ ପାଇବୁ ।

ଦୂତ

-

ସେବକ ସମ୍ୱାଦ ବାହକମାତ୍ର-କେବଳ ସ୍ୱର୍ଗୀୟ ସମ୍ରାଟଙ୍କ ଅନ୍ତିମ ଇଚ୍ଛା ଜ୍ଞପନାଥ ମନ୍ତ୍ରୀ ମୋତେ ପଠାଇଛନ୍ତି-

ଅଶୋକ

-

ପିତାଙ୍କର ଏ ଅନ୍ତିମ ଇଚ୍ଛା କାହିଁକି ?

ଦୂତ

-

ମହାରାଜ ! ଯେଉଁ ଧୈର୍ଯ୍ୟ ସ୍ଥୈର୍ଯ୍ୟ ଓ ଶୌର୍ଯ୍ୟର ପରାକାଷ୍ଟା ଦେଖାଇ ଦୂର୍ଦ୍ଧଷ ତକ୍ଷଶୀଳାକୁ ଦମନ କରିଅଛନ୍ତି, ଯେପରି ଛଦ୍ମ ବେଶରେ ଶତ୍ରୁ ଶିବିରରେ ପଶି ସମ୍ୱାଦ ସଂଗ୍ରହ କରି ଦୁର୍ଗ ଅଧିକାର କଲେ ତାହା ପାଟଳିପୁତ୍ରର ଘରେ ଘରେ ଘୋଷିତ ହେଉଛି-ବଡ଼ବଡ଼ ଯୁଦ୍ଧ ନିପୁଣ ସେନାନୀ ତଟସ୍ଥ । ସେଥିପାଇଁ ସ୍ୱର୍ଗୀୟ ସମ୍ରାଟ ବେଶ୍‌ ବୁଝିପାରିଥିଲେ ଯେ ରାଜ୍ୟ ରକ୍ଷା କରିବାକୁ ହେଲେ, ଆପଣଙ୍କ ପରି କଷ୍ଟ ସହିଷ୍ଣୁ ନିର୍ଭୀକ କର୍ଣ୍ଣଧାର ଆବଶ୍ୟକ । ତେଣୁ ତାଙ୍କର ସେହି ଅନ୍ତିମ ଇଚ୍ଛା ମନ୍ତ୍ରୀଙ୍କୁ ଏକାନ୍ତରେ ଜଣାଇ ଯାଇଥିଲେ ।

ଅଶୋକ

-

ଏଥିରେ ତ ଦୂତ ଭ୍ରାତୃ ବିବାଦ ଅବଶ୍ୟମ୍ଭାବି-ରାଜ୍ୟ ନେଇ ଭାଇ ଭାଇରେ ଯୁଦ୍ଧ ଏହା ମୋ ବିବେକ ବିରୁଦ୍ଧ । ମୁଁ ଯେପରି ଅଛି ସେହିପରି ଥାଏ ବଡ଼ ଭାଇ ରାଜା ହୁଅନ୍ତୁ ।

ଦୂତ

-

ଏ କଥା ଅବଶ୍ୟ ମଣିମାଙ୍କର ମହତ ହୃଦୟର ପରିଚାୟକ-କିନ୍ତୁ ଭାବି ଦେଖନ୍ତୁ ମହାରାଜ ଏକଆଡ଼େ କେତେଜଣ ଭାଇଙ୍କର ସ୍ୱାର୍ଥ-ଅନ୍ୟଆଡ଼େ ବିରାଟ ସାମ୍ରାଜ୍ୟର କୋଟି କୋଟି ପ୍ରଜା-ପିତାଙ୍କର ଏତେ ଯତ୍ନରେ ବର୍ଦ୍ଧିତ ଏହି ସାମ୍ରାଜ୍ୟରେ ବିଶୃଙ୍ଖଳା ହେଉ-ଦେଶସାରା ବିଳାସର ବନ୍ୟା ଖେଳିଯାଉ-ଏହା କ’ଣ ମଣିମାଙ୍କର ବିବେକ ସଂଗତ ? ଆଉ ସେହି ଭାଇ ଯେ କି ଏହି ତକ୍ଷଶୀଳା ଦମନରେ ଆପଣଙ୍କୁ ପଠାଇଥିଲେ ତାଙ୍କର କି ଅଭିପ୍ରାୟ, ମଣିମାଙ୍କୁ ବୋଧହୁଏ ଅଛପା ନାହିଁ-ମଣିମା ମଗଧକୁ ସ୍ୱାଧୀନ ଶକ୍ତିଶାଳୀ ଦେଖିବାକୁ ଚାହାନ୍ତି କି, ରାଜ୍ୟ ଉଚ୍ଛନ୍ନ ଯିବାକୁ ଚାହାନ୍ତି-ମହାରାଜା ଭ୍ରାତୃ ପ୍ରୀତି ଚାହାନ୍ତି କି ରାଜ୍ୟ ରଖିବାଦ୍ୱାରା ପିତୃଭକ୍ତି ଦେଖାଇବାକୁ ଚାହାନ୍ତି-

ଅଶୋକ

-

ମୋତେ ଚିନ୍ତା କରିବାକୁ ଅବସର ଦିଅ-ତୁମ୍ଭର ବାକ୍ୟ ପ୍ରଲୋଭନମୟ ।

ଦୂତ

-

ଆଉ ଅବସର ନାହିଁ ମହାରାଜ, ରାଜ୍ୟ ବର୍ତ୍ତମାନ ଅରାଜକ-ସମୟ ଓ ସୁଯୋଗ ଅଛି-ଗଣ୍ଡଗୋଳ ହେଲେ ସେନା-ସେନାନୀ ସମସ୍ତେ ମଣିମାଙ୍କ ଜୟ ପତାକା ତଳେ ଛିଡ଼ା ହେବାକୁ ପ୍ରସ୍ତୁତ-ଆପଣ କାଳ ବିଳମ୍ୱ ନକରି ପାଟଳୀପୁତ୍ର ଯାତ୍ରା କରନ୍ତୁ ।

ଅଶୋକ      -      କିନ୍ତୁ !

ଦୂତ

-

ଆଉ ଇତସ୍ତତ କରନ୍ତୁ ନାହିଁ ମହାରାଜ-ରାଜ୍ୟ ନିମିତ୍ତ ଏ ଭାର ମଣିମାଙ୍କୁ ବୋହିବାକୁ ପଡ଼ିବ-ଜାତିର ମଙ୍ଗଳ ଚେଷ୍ଟାରେ ନିଜତ୍ୱକୁ ବଳି ଦିଅନ୍ତୁ ।

ଅଶୋକ

-

ଏ ସମ୍ୱାଦ ଏତେ ଅକସ୍ମିକ ଓ ଅପ୍ରତ୍ୟାଶିତ ଯେ ଏହାର ଦାୟିତ୍ୱ, ବିନା ଚିନ୍ତାରେ ମୁଁ ଗ୍ରହଣ କରିବାକୁ ଅକ୍ଷମ-ମୋତେ କର୍ତ୍ତବ୍ୟ ସ୍ଥିର କରିବାକୁ ସମୟ ଦିଅ-

ଦୂତ

-

ମଣିମା ! ପ୍ରତ୍ୟୁତ୍ପନମତି । କାର୍ଯ୍ୟକ୍ଷେତ୍ରରେ କର୍ତ୍ତବ୍ୟ ଆପଣା ଛାଏଁ ସ୍ଥିର ହୋଇଯିବ-ରାଜ୍ୟ ବର୍ତ୍ତମାନ ଅରାଜକ-ସମାଜ ଶୃଙ୍ଖଳାବିହୀନ-ଏହାତ ଉପେକ୍ଷା କରିବାର ନୁହେଁ ବରଂ ମଣିମାଙ୍କର ବୀର ପ୍ରତିଭା ଦେଶ ହୃଦୟରେ ଆଶାର ସଞ୍ଚାର କରିବ-ଆଗେ ଦେଶ ରକ୍ଷା କରନ୍ତୁ-ପରେ କର୍ତ୍ତବ୍ୟ ଚିନ୍ତା କରିବେ-

ଅଶୋକ

-

ଆଉ ଭାଇମାନେ ମୋର-

ଦୂତ

-

ତାଙ୍କ ସହିତ ଅବସ୍ଥା ଦେଖି ବ୍ୟବସ୍ଥା କରିବେ-ସେଥିରେ ମଣିମାଙ୍କର ନିନ୍ଦା ନହୋଇ ବରଂ କର୍ତ୍ତବ୍ୟ ପରାୟଣତାର ଭୂରି ଭୂରି ସାଧୁବାଦ ଉଠିବ-

ଅଶୋକ

-

ଆଚ୍ଛା ବେଶ୍‌-ମୁଁ ତୁମ୍ଭର ପ୍ରସ୍ତାବ ଗ୍ରହଣ କଲି । ଯେତେଶୀଘ୍ର ପାରେ ମୁଁ ମଗଧ ଯାତ୍ରା କରିବି-କିନ୍ତୁ ମନେରଖ ଦୂତ ଏହି କଠୋର ଦାୟିତ୍ୱ ସମ୍ମୁଖରେ ନିଜର ଭ୍ରାତା ଓ ପିତାଙ୍କର ଇଚ୍ଛା ବଳି ଦେଇ ସାମ୍ରାଜ୍ୟ ଓ କର୍ତ୍ତବ୍ୟ ଛଡ଼ା ଯଦି ଆଉକିଛି ସଦ୍‌ବୃତ୍ତି ମୋ ମନରେ ସଜୀବ ନଥାଏ ତେବେ ସେ କଳଙ୍କ ମୋର ନୁହେଁ-ତୁମର, ତୁମ ଜାତିର ଏବଂ ଦେଶର । ଆସ ଦୂତ, ମୁଁ ଯାତ୍ରାର ଆୟୋଜନ କରିବାକୁ ଆଦେଶ ଦିଏ ।

ଦୂତ

-

ଯଥା ଆଜ୍ଞା ମହାରାଜ । (ପ୍ରସ୍ଥାନ)

Image

 

୭ମ ୮ମ ଦୃଶ୍ୟ

ନିରଞ୍ଜନା ନଦୀ ତଟସ୍ଥ ଆଶ୍ରମ

 

 

 

(ସମ୍ମୁଖରେ କ୍ଷୁଦ୍ର ତଟିନୀ-କୂଳରେ ବଟ ବୃକ୍ଷଟିଏ-ବୃକ୍ଷମୂଳେ ଏକ ପଥର ଉପରେ ହଳଦିଆ ଅଙ୍ଗରଖା ପିନ୍ଧି ଜଣେ ମୁଣ୍ଡିତଶିର ତରୁଣସନ୍ୟାସୀ ବସିଛି-ଦିଗ୍‌ବଳୟ ତଳେ ଡୁବିଥିବା ରବିର କ୍ଷୀଣ କିରଣ ସ୍ଥାନଟିକୁ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ କରିଛି-ସନ୍ୟାସୀର ବଦନ ଭଙ୍ଗିରେ ଆୟାସ ସାଧ୍ୟ ନିର୍ଲିପ୍ତ ସଂଯମର ଆଭାସ-ସ୍ଥାନଟି ଉତ୍କଳର ଉତ୍ତର ପ୍ରାନ୍ତ)

ସନ୍ୟାସୀ

-

ଭାଗ୍ୟର କି ଆଶ୍ଚର୍ଯ୍ୟ ପରିବର୍ତ୍ତନ-କାହିଁ ସିଂହାସନ ଲାଗି ଭାତୃ ବିବାଦ-ଆଉ କାହିଁ ସୁକଠୋର ଏହି ସନ୍ୟାସ ବ୍ରତ ଆଚରଣ । ଦୁଇ ବର୍ଷରୁ ଅଧିକ ହେଲା ଦୀକ୍ଷା ଗ୍ରହଣ କରିଛି-କେହି ନୁହେଁ-କିଛି ନୁହେଁ-ମନରେ ନିତିନା ଆବୃତ୍ତ କରୁଛି-ଗୁରୁ ଆନନ୍ଦ ମୋତେ ଭଗବାନ ଶାକ୍ୟସିଂହର ଦୀକ୍ଷା ଦେଲାବେଳେ କହିଲେ ‘‘ଉପଗୁକ୍ତ, ତୁମ୍ଭଦ୍ୱାରା କଳିଙ୍ଗର ସତ୍ୟ ଧର୍ମର ପ୍ରଚାର ହେବ । ସେହି ଦିନୁ ଏହି କଳିଙ୍ଗ ସୀମା ନିକଟରେ ରହିଛି-କିନ୍ତୁ କଠୋର ସାଧନା ଭିତରେ ପୁଣି କାହିଁକି ଏହି ଦୁର୍ବଳତା-ପୁଣି କାହିଁକି ଆସକ୍ତି ମମତାର ବନ୍ଧନ ମୋତେ ବିଚଳିତ କରୁଛି-ନା-ନା-ଏହା ଠିକ୍‌ ନୁହେଁ-ମୁଁ ଅନାସକ୍ତ ଯୋଗୀ-ମନ ସ୍ଥିରରହ-ହୃଦୟ ଧୈର୍ଯ୍ୟ ଧର-ଦୟାମୟ ମୋର କର୍ତ୍ତବ୍ୟ ପଥରେ ସହାୟ ହୁଅ-ମୁଁ ଯେମିତି ଅତୀତକୁ ନିଶେଷେ ପାଶୋରି ପାରେ । (ହଠାତ୍‌ ଦୂରରୁ ପବନରେ ଭାସି ଆସିଲା କରୁଣ ସ୍ୱର କିଏ ଅଛ-ଅନାଥିନୀକୁ ଟିକିଏ ଆଶ୍ରୟ ଦେବ) (କାନପାତି) କାହାର ଏ କରୁଣ ସ୍ୱର-ଦୂରକୁ ଅନାଇ ରହି ଦେଖିଲେ ଜଣେ ଜୀର୍ଣ୍ଣବସ୍ତ୍ରାବୃତ୍ତ ତରୁଣୀ-ନିତାନ୍ତ ଦୁର୍ବଳ ପଦରେ ଆସୁଛି-(କୋଳରେ ବର୍ଷକର ଶିଶୁଟିଏ) ଏ କ’ଣ-କିଏ ଏହି ଅସହାୟା ତରୁଣୀ-ବକ୍ଷରେ ଶିଶୁ-ମୋ ମନଟା ଏପରି ବ୍ୟାକୁଳ ହେଉଛି କାହିଁକି-?-ସଂସାରତ୍ୟାଗୀ ସନ୍ୟାସୀ ମୁଁ, ମୋର ପୁଣି-

ରମଣୀ

-

(କମ୍ପିତ ପଦକ୍ଷେପରେ ପ୍ରବେଶ; ଦୃଷ୍ଟି ବିଭ୍ରାନ୍ତ) ଦୁଃଖିନୀ ଅଭାଗିନୀ ମୁଁ-ମୋତେ ଟିକିଏ ଆଶ୍ରୟ ଦେବ-ସନ୍ୟାସୀ-

ସନ୍ୟା

-

(ସ୍ୱଗତଃ) କଣ୍ଠସ୍ୱରତ ବଡ଼ ପରିଚିତ-ତାହାରି ମୁଖ ଦିଶିଯାଉଛି-ହୃଦୟ ଦମ୍ଭଧର-(ପ୍ରକାଶ୍ୟେ) କୌଣସି ଭୟନାହିଁ ! ଦେବୀ ! ତୁମ୍ଭେ ନିଶ୍ଚିନ୍ତ ମନରେ ଏଠାରେ ଆଶ୍ରୟ ଗ୍ରହଣ କର-(ରମଣୀକୁ ବସିବାକୁ ସଙ୍କେତ କରିବା) ନିରାଶ୍ରୟକୁ ଆଶ୍ରୟ ଦେବା ତ ସନ୍ୟାସୀର ଶ୍ରେଷ୍ଠ କର୍ମ୍ମ ।

ରମଣୀ-

-

(ଶାନ୍ତ ଭାବରେ ତଳେ ବସି) ନିଷ୍ଠୁର ନିର୍ମ୍ମମ ସଂସାରର କଠୋର ତାଡ଼ନାରେ ପଡ଼ି, ଆତ୍ମୀୟ ସ୍ୱଜନ, ଗୃହ, ଦେଶତ୍ୟାଗିନୀ ହୋଇ ପଥର ଭିକାରିଣୀ ହୋଇଛି-ମୋ ଲାଗି ମୁଁ ବ୍ୟାକୁଳ ନୁହେଁ ସନ୍ୟାସୀ-ଏହି ଶିଶୁଟିକୁ ମୋର ଆଶ୍ରୟ ଦିଅ-ମୋର ନିରୁଦ୍ଦିଷ୍ଟ ସ୍ୱାମୀଙ୍କର ଏହା ଶେଷ ସ୍ମୃତି-ମୁଁ ତ ମୃତ୍ୟୁ ପଥର ପଥିକା-

ସନ୍ୟା

-

ନିଶ୍ଚିନ୍ତ ହୁଅ ଦେବୀ-ତୁମ୍ଭେ ଲୋଡ଼ିବା ଆଗରୁ ମୁଁ ସେ ଭାର ନେଇଛି-ତୁମ୍ଭର ପରିଚୟ ପାଇପାରେ କି ଦେବୀ !

ରମଣୀ

-

ଦୁଃଖିନୀର ପରିଚୟ ଶୁଣିବ ପ୍ରଭୁ ! ମୋଠାରୁ ବଳି ଅଭାଗିନୀ ସଂସାରରେ ଆଉକେହି ନାହିଁ-ଉତ୍କଳର ସେନାପତି ଶତ୍ରୁ-ଦମନଙ୍କର କନ୍ୟା ମୁଁ-କୁମାର ମାୟାଦିତ୍ୟଙ୍କର ପତ୍ନୀ-ସ୍ୱାମୀ ମୋର ରାଜାଜ୍ଞାରେ ରାଜ୍ୟରୁ ନିର୍ବାସିତ-ଗଲାବେଳେ ମୋତେ ସଙ୍ଗରେ ନେବାପାଇଁ କେତେ ଡାକିଥିଲେ-କିନ୍ତୁ ଗୃହରେ ବୃଦ୍ଧ ପିତାଙ୍କର କେହି ଆଶ୍ରୟ ନଥିବାରୁ ତାଙ୍କର ଶୁଶ୍ରୂଷା କରିବାପାଇଁ ଗୃହରେ ରହିଲି-ପରେ ରାଣୀଙ୍କର ଚକ୍ରାନ୍ତରେ ପଡ଼ି ଦେଶତ୍ୟାଗିନୀ-ପିଶାଚଙ୍କ କବଳରୁ ପଳାଇ ଆସୁଥିଲି-ପଥ ମଧ୍ୟରେ ଏ ଶିଶୁଟି ଜନ୍ମ ହେଲା-ବହୁକଷ୍ଟରେ ପାଳିଛି

ସନ୍ୟା

-

ହଁ ତାପରେ-କହୁ କହୁ ବନ୍ଦ ହେଲ କାହିଁକି ? କି ଚିନ୍ତା କରୁଛ ? (ଚକ୍ଷୁ ଛଳ ଛଳ ହେଲା)

ରମଣୀ

-

ଏ କ’ଣ ? ତୁମ୍ଭର ଚକ୍ଷୁ ଯେ ଲୋତକରେ ପୂର୍ଣ୍ଣ ହୋଇଉଠିଛି-ଅଭାଗିନୀର ଦୁଃଖ ଶ୍ରବଣ କରି ଦୁଃଖ ଲାଗୁଛି ସନ୍ୟାସୀ-

ସନ୍ୟା

-

ଏ ଦୁଃଖକାହାଣୀ ଶ୍ରବଣରେ ପାଷାଣ ଯେ ତରଳିଯିବ ଦେବୀ !

ରମଣୀ

-

(ସ୍ୱଗତଃ) ଏ ଯେ ଅତି ପରିଚିତ-ସେହି ସ୍ନେହବୋଳା-କଣ୍ଠସ୍ୱର ପରି-ଜଣାଯାଉଛି-ଦୟାମୟ ! ଆଉ ତ ବେଶୀ ସମୟ ନାହିଁ-ଏହି ସମୟରେ ଯଦି-(ପ୍ରକାଶ୍ୟେ ବ୍ୟଗ୍ର) ସନ୍ୟାସୀ-ସତ୍ୟ କୁହ ତୁମ୍ଭ ଗୃହ କେଉଁଠାରେ ଥିଲା-ତୁମ୍ଭର କ’ଣ ପିତାମାତା ନଥିଲେ-ସ୍ତ୍ରୀ ନଥିଲେ-

ସନ୍ୟା

-

(ସ୍ୱଗତଃ) କର୍ତ୍ତବ୍ୟର ଅତି କଠୋର ପରୀକ୍ଷା-(ଦୀର୍ଘନିଶ୍ୱାସ ପକାଇ) ନଥିଲେ କାହିଁକି ? ସମସ୍ତେ ଅଛନ୍ତି କିନ୍ତୁ ମୁଁ ସନ୍ୟାସୀ-

ରମଣୀ

-

ମୋର ଦେହ ଅବଶ ହୋଇଆସୁଛି-ଏ ଶିଶୁଟିକୁ ଟିକିଏ ଧର ସନ୍ୟାସୀ !

 

 

(ସନ୍ୟାସୀ ଶିଶୁକୁ ନେବା ଓ ଅତି କରୁଣଭାବରେ ଶିଶୁକୁ ଅନାଇବା)

ସନ୍ୟା

-

(ସ୍ୱଗତଃ) ନା, ହୃଦୟ ଧୈର୍ଯ୍ୟ ଭାଙ୍ଗିଛି-ଆଉ ପାରୁନାହିଁ ।

ରମଣୀ

-

(କଷ୍ଟରେ) ସେନ୍ୟାସୀ-ମୋର ଶେଷ ସମୟ ଉପସ୍ଥିତ-ଏତିକି କହିଯାଏ-ପଥରେ ଆସିଲାବେଳେ କେତେଗୁଡ଼ିଏ ଅବଧୂତ ଏହାକୁ ଆଶୀର୍ବାଦ କରି କହିଥିଲେ ଯେ ଏ ଦିଗ୍‌ବିଜୟୀ ବୀର ହେବ-କଳିଙ୍ଗର ଏକଛତ୍ର ସମ୍ରାଟ ହେବ-ବଂଶ ଗରିମାର ସମୂଳ ଏହାକୁ ମୁଁ ଆଉକିଛି ଦେଇପାରୁନାହିଁ କେବଳ ମୋର ପିତୃବଂଶର ଲୌକିକପ୍ରଥା ଅନୁସାରେ ଏହାର ନାମ ଐର ରଖିବ-(ଧୀରେ ଧୀରେ ଭୂମି ଉପରେ ଶୟନ) ଓଃ-ଏତେବେଳେ ଯେବେ ଥରେ ସ୍ୱାମୀଙ୍କର ଦେଖାପାଇଥାନ୍ତି-

ସନ୍ୟା

-

(ସଶବ୍ୟସ୍ତେ ପୁଷ୍କର ମସ୍ତକ କୋଳରେ ଧରି) ପୁଷ୍ପ ! ପୁଷ୍ପ ! ଚାହିଁ ଦେଖ, ମୁଁ ଯେ ତୁମ୍ଭର ସେହି ମାୟାଦିତ୍ୟ-

 

 

(ଦୂରରୁ କରୁଣ ବିଦାୟ ସଙ୍ଗୀତର ସ୍ୱର)

(ପ ଟ୍ଟ ପ ରି ବ ର୍ତ୍ତ ନ)

Image

 

୯ମ ଦୃଶ୍ୟ

(କଳିଙ୍ଗ ଦରବାର-ରାଜା ଓ ସଭାସଦବୃନ୍ଦଙ୍କ ସମ୍ମୁଖରେ)

 

 

 

ନର୍ତ୍ତକୀମାନଙ୍କର ଗୀତ ଓ ନୃତ୍ୟ :-

 

 

ଆଜି ଗାଆଲୋ ସଙ୍ଗାତ-ମଙ୍ଗଳ ସଙ୍ଗୀତ-

 

 

ନାଚି ନାଚି ତାଳେ ହରଷେ,

 

 

ଦେଖ ଅନୁପମ-ସାଜିଛି ଭୁବନ-

 

 

ଗଗନୁ ସୁଧା କି ବରଷେ ।

 

 

ଉଇଁ ଉଇଁ ଆସୁଛି ନିଶୀଥ ମଥାମଣି-

 

 

ଛୁଇଁ ଛୁଇଁ ଦଶଦିଶ, ସତେକି ହୀରାଖଣି ।

 

 

ନୀଳନଭେ କୋଟି କୋଟି-ସୁନାଦୀପ ଯାଏ ଫୁଟି-

 

 

ବିଶ୍ୱଶୋଭା ପଡ଼ୁଛି ଲୁଟି ।

 

 

କୁସୁମିତ ଉପବନ-ମନ୍ଦବହେ ସମୀରଣ-

 

 

କଳଗୀତି କୋକିଳର ହରୁଅଛି ମନପ୍ରାଣ,

 

 

ମୁଖରିତ ପୁରି-ସୁଧାସିନ୍ଧୁ ଭରି-

 

 

ସନ୍ତରି ସୁଷମା ସରସେ ॥

 

 

ଦେଖ ଏ କଳିଙ୍ଗ ଅବନି ପତି-

 

 

ରାଜସିଂହାସନେ ପାଳନ୍ତି କ୍ଷିତି,

 

 

ମରତେ ସରଗ ପଡ଼ିଅଛି ଖସି-

 

 

ତାଙ୍କରି ଗୁଣ ଦରଶେ ॥

ରାଜା

-

ପ୍ରହରୀ-ବନ୍ଦୀକୁ ଘେନିଆସ ଓ ସେନାପତିକୁ ଆସିବାକୁ କହ । (ପ୍ରହରୀର ପ୍ରସ୍ଥାନ)

 

 

ଯାଅ ନର୍ତ୍ତକୀମାନେ, ମୁଁ ତୁମ ନୃତ୍ୟଗୀତରେ ବଡ଼ ପ୍ରୀତ ହେଲି, ସେଥିପାଇଁ ଏହାର ପୁରଷ୍କାର ପରେ ଦେବି ।

 

 

(ନର୍ତ୍ତକୀମାନଙ୍କର ପ୍ରସ୍ଥାନ; ରକ୍ଷା ବନ୍ଦୀକୁ ନେଇ ପ୍ରବେଶ ଓ ସେନାପତି ମଧ୍ୟ ତାଙ୍କ ପଛେ ପଛେ ପ୍ରବେଶ)

 

 

ଜାଣିଛତ ସଭାସଦ୍‌, ଏ ପାଷାଣ୍ଡର ରାକ୍ଷସୀୟ କାଣ୍ଡ । ମୁଁ ନିଜେ ତାଙ୍କ ଘରେ ଅତିଥି, ଅଥଚ ଟିକିଏ ଭୟ ନାହିଁ ଅବଳାର ଧର୍ମ୍ମ ନେଉଥିଲା-ରାଣୀ ଏବଂ ମୁଁ, ତାହାର ସାକ୍ଷାତ୍‌ ଦ୍ରଷ୍ଟା-କୁହ ଏ କି ଦଣ୍ଡର ଯୋଗ୍ୟ-

ସଭାସଦ୍‌

-

ମଣିମା ରାଜ୍ୟର ନିୟମାନୁସାରେ ତାହାର ଏକମାତ୍ର ଶାସ୍ତି ହେଉଛି ପ୍ରାଣଦଣ୍ଡ ।

୨ୟ ସଭାସଦ୍‌

-

ପ୍ରାଣଦଣ୍ଡ ମହାରାଜ ! ପ୍ରାଣଦଣ୍ଡ-

ରାଜା

-

ବେଶ୍‌ ତାହାହିଁ ହେଉ । ବର୍ବର ଆଉ କିଛି କହିବାର ଅଛି ?

ଅରିନ୍ଦମ

-

ଆଉ କ’ଣ କହିବି ସମ୍ରାଟ । ସମଗ୍ର ଜଗତ ମୋର ନିନ୍ଦାବାଦ କରିପାରେ-ମୋତେ ଦୋଷୀ ଭାବିପାରେ-କିନ୍ତୁ ମହାରାଜ ! ମୁଁ ନିର୍ଦ୍ଦୋଷ-ମୋର ବିବେକ କହେ-ମୁଁ ଏ ବ୍ୟାପାରରେ ସମ୍ପୂର୍ଣ୍ଣ ନିର୍ଲିପ୍ତ । ଆଜି ଘଟଣା ଚକ୍ରର ବିରୁଦ୍ଧ ସମାବେଶ ଏବଂ ଶତ୍ରୁର ଷଡ଼ଯନ୍ତ୍ର ମୋତେ ସହସ୍ର ପ୍ରକାର ଦୋଷୀ ପ୍ରତିପନ୍ନ କଲେ ମଧ୍ୟ କହିବି ମୁଁ ନିର୍ଦ୍ଦୋଷ । ଦଣ୍ଡ ନିମିତ୍ତ ଦୁଃଖ ହେଉନାହିଁ ମହାରାଜ, ଦୁଃଖ ହେଉଛି ନିର୍ଦ୍ଦୋଷର ଶାସ୍ତିରେ ଜଣକର ଭଗବତ୍‌ ବିଶ୍ୱାସ ତୁଟି ଯାଉଛି ବୋଲି-

ରାଜା

-

କ’ଣ ଶୁଣୁଛ ରକ୍ଷୀ-ନେଇ ଯାଅ-ଏହାର ଆସ୍ପର୍ଦ୍ଧା ଅସହ୍ୟ ।

ଶତ୍ରୁ

-

(ଠିଆ ହୋଇ) ଟିକିଏ ଅପେକ୍ଷା କରନ୍ତୁ-ମହାମହିମମୟ ସମ୍ରାଟ ! ମୋର ଏହି ପକ୍ୱକେଶ, ଗଳିତଦନ୍ତ ଓ ଲୋଳିତ ଚର୍ମ ଆଡ଼କୁ ଥରେ ଅନାନ୍ତୁ । ଥରେ ମନେପକାନ୍ତୁ-ଏହି ଦେଶ ପାଇଁ ମୁଁ କ’ଣ ନକରିଛି-ଶରୀରର ପ୍ରତ୍ୟେକ ରକ୍ତବିନ୍ଦୁ ଅକାତରରେ ଢାଳି ଦେଇଛି । ୨୦ଟି ବୀର ସନ୍ତାନକୁ ରଣକ୍ଷେତ୍ରରେ ଶୁଆଇ ଆସିଛି-କେବେ ଦୁଃଖ କରିନାହିଁ କିଛି ପ୍ରତିଦାନ ମାଗି ନାହିଁ-(କୃତାଞ୍ଜଳି ପୂଟରେ) କ୍ଷମା କରନ୍ତୁ ମହାରାଜ-ମୋର ଏ ଅବୋଧ ଶିଶୁ ପୁତ୍ରକୁ କ୍ଷମା କରନ୍ତୁ-ମୁଁ ତାକୁ ନେଇ ଚାଲିଯାଏ । ପ୍ରତିଜ୍ଞା କରୁଛି ଆଉ ଏ ଜୀବନରେ କଳିଙ୍ଗର ତ୍ରିସୀମା ମଧ୍ୟକୁ ଆସିବି ନାହିଁ ।

ରାଜା

-

(ଚିନ୍ତିତ ହୋଇ) କଳିଙ୍ଗରୁ ଚାଲିଯିବ-କେବେ ଫେରିବ ନାହିଁ-ପ୍ରତିଜ୍ଞା କରୁଛ ।

ଶତ୍ରୁ

-

ହଁ ମହାରାଜ ।

ରାଜା

-

ରକ୍ଷୀ ତା ହେଲେ ମୁକ୍ତ କରିଦିଅ ।

ଅରିନ୍ଦମ

-

ନାହିଁ ପିତା-ଏପରି ଜୀବନ ଅପେକ୍ଷା ମୃତ୍ୟୁ ଶତଗୁଣ ଶ୍ରେୟସ୍କର ।

 

 

(ହଠାତ୍‌ ରାଣୀଙ୍କ ପ୍ରବେଶ)

 

 

 

ରାଣୀ

-

ରାଜା କ୍ଷମା କରିପାରନ୍ତି-କିନ୍ତୁ ରାଣୀ ମୁଁ-କଳିଙ୍ଗ ପ୍ରଜାପୁଞ୍ଜର ଜନନୀ ମୁଁ-କନ୍ୟାର ଧର୍ମନଷ୍ଟକାରୀକୁ କ୍ଷମା କରିପାରିବି ନାହିଁ । ବିଚାରରେ ଏକି କାରୁଣ୍ୟ ମହାରାଜ-! ଏ ଯଦି ମୋର ନିଜର ଗର୍ଭଜାତ ସନ୍ତାନ ହୋଇଥାନ୍ତା ତେବେ ମଧ୍ୟ ମୁଁ ତାକୁ ଏହାଠାରୁ ଅଧିକତର ଶାସ୍ତି ଦିଅନ୍ତି-

 

 

(ପ୍ରହରୀକୁ ପୁଣି ବନ୍ଧନ କରି ବନ୍ଦୀକୁ ନେଇ ଯିବାକୁ ଇଙ୍ଗିତ କଲେ ଓ ପ୍ରହରୀ ବନ୍ଦୀକୁ ନେଇ ଗଲା ପରେ ରାଜା ସିଂହାସନରୁ ଓହ୍ଲାଇ ଆସି ରାଣୀଙ୍କ ହାତ ଧରି ଭିତରକୁ ନେଇ ଚାଲିଗଲେ)

 

 

(ରାଜାଙ୍କ ପରେ ଅନ୍ୟ ସଭାସଦ୍‌ ମଧ୍ୟ ଚାଲିଗଲେ)

ଶତ୍ରୁ

-

ଏଇଆ ହେଲା-ଜଣେ କେହି ପଦେ ସହାନୁଭୂତି କଥା କହିଲା ନାହିଁ-କୃତଘ୍ନ ରାଜା-କୃତଘ୍ନ ଦେଶବାସୀ-ଶତ୍ରୁଦମନର ଆଜୀବନ ଦେଶ ସେବାର ଏହି ହେଲା ପରିଣାମ-ଖାଲିଗୁଡ଼ାଏ ସ୍ୱାର୍ଥପର ହିଂସ୍ରପଶୁ-ବିଧାତା ଏଇ ଲୀଳା ତୋର-ଓଃ (ପରଶୁରାମର ପ୍ରବେଶ)

ପର୍ଶୁ

-

ସେନାପତି !

ଶତ୍ରୁ

-

କଅଣ-ଆଉ କ’ଣ ବାକି ଅଛି-ଏ ବୃଦ୍ଧର ପ୍ରାଣ-

ପର୍ଶୁ

-

ମୋତେ କାହିଁକି ଦୋଷ ଦେଉଛନ୍ତି-ମୁଁ ତମକୁ ଶୁଭସମ୍ୱାଦ ? ଦେବି ବୋଲି ଆସିଛି-

ଶତ୍ରୁ

-

ଆଉ ଶୁଭସମ୍ୱାଦ-ଶୁଭସମ୍ୱାଦ-ଶୁଭସମ୍ୱାଦ-କଅଣ ଶୁଣେ

 

 

 

ପର୍ଶୁ

-

ରାଣୀଙ୍କର ଆପଣଙ୍କ ଉପରେ ଅସୀମ ଦୟା-ସେ କହି ପଠାଇଛନ୍ତି ତୁମେ ଯଦି ତୁମର ଦକ୍ଷିଣ ହସ୍ତ କାଟିଦେବ ତୁମ ପୁତ୍ରର ପ୍ରାଣଦଣ୍ଡ ରହିତ କରାହେବ-

ଶତ୍ରୁ

-

କ’ଣ କହୁଛ ଯୁବକ ? ଏ କ’ଣ ସତ୍ୟ (ଆନନ୍ଦରେ) ତୁମେ ମୋର ମଲା ଦେହରେ ଜୀବନ ଦେଲ-ତୁମର ଉପକାର ମୁଁ ସୁଝିପାରିବିନାହିଁ-ହାତ କଥା କଅଣ-ଜୀବନ ଦେଲେ ଯଦି ମୋର ପୁଅ କ୍ଷମା ପାଏ ତାଇ ଦେଉଛି ନିଅ-ଆସ ଯୁବକ ଥରେ ହାତ ଥାଉଁ ଥାଉଁ ତୁମ୍ଭଙ୍କୁ ଆଲିଙ୍ଗନ କରି ନିଏ । ରହ ମୁଁ ହାତ କାଟି ଦେଉଛି-(ପ୍ରସ୍ଥାନ)

ପର୍ଶୁ

-

(ସ୍ୱଗତଃ) ବେଶ୍‌ ହୋଇଛି-ଏକା ଢେଲାକେ ଦୁଇ ପକ୍ଷୀ ମରିବା; କଥାରେ ଅଛି ସ୍ତ୍ରୀ ବୁଦ୍ଧି ପ୍ରଳୟଙ୍କରୀ-ବୁଢ଼ା ବଂଶ ନିର୍ବଂଶ ହେଲା ଆମର ମଧ୍ୟ ପ୍ରତିହିଂସା ନିଆହେଲା । ଅନଙ୍ଗମଞ୍ଜରୀ ନହେଲେ ଏପରି ବୁଦ୍ଧି ମୋ ମୁଣ୍ଡରେ ପଶନ୍ତା ନାହିଁ, ଥିଲି ଏକ ସ୍ୱାଧୀନ ରାଜପୁତ୍ର ହେଲି ଶତ୍ରୁ ଗୃହରେ ବନ୍ଦୀ । ସଙ୍ଗ ଦୋଷରୁ ସବୁ ହରାଇଥିଲି କିନ୍ତୁ ଏହିକ୍ଷଣି ଖାଲି ଧପାଧପ ଉଠିପଡ଼ୁଛି-ସାବାସ୍‌ ମୋ ଭଉଣୀର ବୁଦ୍ଧି । (ଦୂରରୁ ଦେଖି) ଏହି ବୁଢ଼ା ତା’ର କଟା ହାତ ନେଇ ଆସିଲାଣି-

ଶତ୍ରୁ

-

(ପ୍ରବେଶ କରି ନିଜର କଟା ହାତ ଧରି) ଏଇ ନିଅ ବୁଢ଼ାର କଟା ହାତ-କାହିଁ ମୋ ପୁଅ ଦିଅ ।

 

 

(ରାଣୀ କଟାମୁଣ୍ଡ ଧରି ବେଗେ ପ୍ରବେଶ)

ରାଣୀ

-

ଏଇ ନିଅ ତୁମର ପୁଅ-(ମୁଣ୍ଡ ଦେବା)

ଶତ୍ରୁ

-

(ଚମକି) ଇଏ କଅଣ ?

ରାଣୀ

-

ବିଜୟନଗର ବିଜୟୀର ପୁରସ୍କାର ।

ଶତ୍ରୁ

-

(ଚିତ୍କାର କରି) ପୁରସ୍କାର ନୁହେଁ ରାକ୍ଷସୀ ଅଭିସମ୍ପାତ-(ପତନ ଓ ମୂର୍ଚ୍ଛା)

 

 

(ନେପଥ୍ୟେ ବିଷାଦ ସଙ୍ଗୀତର ଗମ୍ଭୀର ମୂର୍ଚ୍ଛନା)

(ପ ଟ୍ଟ ପ ରି ବ ର୍ତ୍ତ ନ)

Image

 

ଦ୍ୱିତୀୟ ଅଙ୍କ

୧ମ ଦୃଶ୍ୟ

 

 

 

(ସ୍ଥାନ-ଶତ୍ରୁଦମନ ଗୃହରେ ବହିରସ୍ଥ ଅଳିନ୍ଦ; ସମୟ-ସନ୍ଧ୍ୟା-ଜଗୁ, ତର୍କଚଞ୍ଚୁ, ସେଠାଲି ସେଠି ବସି ନିଶା ଖାଉଥିଲେ । ଚଞ୍ଚଳା ଭଲ ବେଶରେ ପହୁଞ୍ଚିବା ଓ ସେମାନଙ୍କ ନିକଟରେ ବସିବା, ସମସ୍ତେ ମୁହଁ ଚାହାଁଚାହିଁ ହେଲେ । ପରେ ପୂର୍ବକଥା ଖିଅ ଧରି, ତର୍କଚଞ୍ଚୁ କହିଲେ)

ତର୍କଚଞ୍ଚୁ

-

ଆଚ୍ଛା ଭାଇ ଜଗୁ, ସେଠାଲି ! ଦେଖିଲ ଆମ୍ଭେମାନେ ଏକତାଦ୍ୱାରା କେତେ ବଡ଼ ବଡ଼ କାମ ଫତେ କଲେ-ଏକତା ନଥିଲେ କ’ଣ-

ଜଗୁ

-

ଆରେ ଏ କଥା କଅଣ-ସେ କଥା କଅଣ ? କଥାତ ଗୋଟିଏ ।

ତର୍କ

-

ଆରେ ଓଲୁ ! ଏ କଥା ନୁହେଁ-ଏକତା-ଏକତା; ଗିଆପ ମୂର୍ଖ ହେଲାଠୁଁ କଥା ସଇଲା । ଦେଖୁଛ ଜେନାଏ-କିଛି ବୁଝିପାରୁନାହିଁ ।

ସେଠାଲି

-

ବୁଝିବ କୁଆଡ଼ୁ-ମୁଣ୍ଡତ ଗୋବର ଗଡ଼ିଆ

ତର୍କ

-

ଆରେ ଏହି ଯେ ବାର ରକମ ନିଶାପାଣି କରୁଥିଲେଁ-କିଏ ଖାଉଥିଲେ ଅଫିମ-କିଏ ଖାଉଥିଲା ଗଞ୍ଜେଇ-କିଏ ଖାଉଥିଲା ତାଡ଼ି-ମୁଁ ଯେମିତି ମଦ-ସମସ୍ତେ ସବୁ ଛାଡ଼ି ଏକ ଜାଗାରେ ବସି ପାଞ୍ଚରକମ ଚାଟ୍‌ ଦେଇ ମଉଜ କରି ଏଇ ଯେଉଁ ଗୁଲି ଖାଇଲୁ-ଏହାକୁ କହନ୍ତି ଏକତା-ପଞ୍ଚପ୍ରାଣ ଏକଆତ୍ମା-

ସେଠାଲି

-

ଯାହା କହିଲ ମିଶ୍ରେ-ନିଶା ଭିତରେ ରଜାଟାଏ-ମିଜାଜ୍‌ ଏପରି ଥଣ୍ଡା ରଖେ-

ଜଗୁ

-

ଆରେ ଭାଇ, ମୁଁ ପରା ସେଥିପାଇଁ ଆଗରୁ ଗୁଲି ଧରିଛି-ଏଥିରେ ବଡ଼-ସାନ ନାହିଁ-ହାଡ଼ି ପାଣ ଜାତି ବିଚାର ନାହିଁ-ଧୋବା ମୁହଁରୁ ଛଡ଼ାଇ ବ୍ରାହ୍ମଣ ଖାଏ-ବ୍ରାହ୍ମଣ ମୁହଁରୁ-

ତର୍କ

-

ଆରେ ଶୁଣ-ଏଇ ଏକତା ଯୋଗୁଁ ସେନାପତି ହାତ କଟାଇଲୁ-ତା ଝିଅକୁ ଘରୁ ବାହାର କଲୁ-ସେନାପତିକୁ ତଡ଼ାଇ ତା ଜାଗାରେ ନୂଆ ସେନାପତି ବସାଇଲୁ ପୁଣି-ଯେ ଆମକୁ ନିଶାଖୋର ବୋଲି ବାଡ଼େଇ ଥିଲା-ତାର ଖାସ୍‌ ବସିଲା ଘରକୁ ଆମର ନିଶାପାଣିର ଆଡ଼ା କଲେଁ-ନୋହିଲେ କାହିଁ ଗୁହବଣ କାହିଁ ମଲାଚଣ୍ଡିଆ ବୁଲି ବୁଲି କେତେ ହଇରାଣ ହେଉ ନଥିଲେ-ଏହା ଉପରେ ପୁଣି ପୁରସ୍କାର-ଆଉ କ’ଣ ଲୋଡ଼ା ?

ଚଞ୍ଚଳା

-

ଆହା ମୋ କରାମତି-ସତେ ଯେମିତି ୟାଙ୍କରି ଯୋଗେ ହେଲା-ମୁଁ ନଥିଲେ ଦେଖାଯାଇଥାନ୍ତା ଯେ-

ତର୍କ

-

ତୁଟା କିଏ ଲୋ ! ମାଇକିନା ଜାତି, ମୁଣ୍ଡରେ ବିଶ୍ୱାଏ ବୋଲି ବୁଦ୍ଧି ନାହିଁ-କଥା କହୁଛି ଷାଠିଏ ହାତ-ଆଲୋ !

 

 

ତୋତେ ପହିଲୁ ଘରୁ କାଢ଼ି ନଆଣିଥିଲେ-ତୋତେ ମୋ ଓସ୍ତାତି ହାତ ନଦେଇଥିଲେ କେତେ କରାମତି ଦେଖାଇଥାନ୍ତୁ ଦେଖିଥାନ୍ତି ଯେ-ତୋର ଚଉଦ ପୁରୁଷ ପାରନ୍ତନା-ଛତରଖାଇ କୋଉଠିକାର !

ଚଞ୍ଚଳା

-

ମୋ ଚଉଦ ପୁରୁଷ ଓଘଉଛ କାହିଁକିମ ?

ତର୍କ

-

ନାହିଁ ତୋତେ ଡରିବି !

ଜଗୁ

-

ଆହା କଳି ତକରାଳରୁ କି ମିଳିବ, ହଁ ତୁ ଯେମିତି କଲୁ ସେମିତି ନୂଆ ସେନାପତିଙ୍କର ସୁନଜରରେ ପଡ଼ିଗଲୁ-ହାର ପାଇଲୁ-ପିନ୍ଧା ପାଇଲୁ-ଅବିକା ପୁଣି ନୂଆ ପୁରସ୍କାର ପାଇବୁ-ସେଥିରୁ ଆମକୁ କଅଣ ଭାଗ ଦେବୁ ?

ସେଠାଲି

-

ଯାହା କୁହ-ସଖୀର ଆମର କପାଳ ଖୋଲିଗଲା, ଉଛୁଣି ଆମକୁ ଗୋଟାଏ ଭଲ ଗୀତ ଗାଇ ଖୁସି କରାତ-ସେନାପତି ଆସିବା ଯାଏ ଟିକିଏ ମଉଜ ଚାଲୁ-

 

 

(ଚଞ୍ଚଳା ଗୀତ ଆରମ୍ଭ କରିବାବେଳେ ପରଶୁରାମର ପ୍ରବେଶ)

 

 

(ଗୀତ)

 

 

ଦେଇଛି ବିକି ଜୀବନ ପଦତଳି ମୁଁ ତ ପଦତଳି ।

ପରଶୁରାମ

-

ଏ ସବୁ କଅଣ ? ଏତେ ଗୋଳମାଳ କାହିଁକି ?

ସମସ୍ତେ

-

(ସନ୍ତ୍ରସ୍ତରେ) ଆଜ୍ଞା, ଆମେ ନୋହୁଁ, ଏଇ ଚଞ୍ଚଳା କରୁଥିଲା ।

ପର୍ଶୁ

-

ଚଞ୍ଚଳା ?

ଚଞ୍ଚଳା

-

(ହସି) ଚିହ୍ନିଲା କାଳ ଗଡ଼ିଗଲାଣି ପରା ଆଉ ଚିହ୍ନିବ କାହିଁକି ? ହଉ-ନ ଚିହ୍ନ ପଛକେ (ପାଖକୁ ଯାଇ) କାହିଁ ମୋ ପୁରସ୍କାର, ମୁଁ ଯାଉଛି-ଏଣିକି କେତେ ନୂଆ ଜୁଟିବେ ।

ପର୍ଶୁ

-

(ରାଗିକରି) କଅଣ ହେଲା !

ତର୍କ

-

ଚୁପ୍‌କର-ଗିଆପ ମାଇକିନିଆ ହେଲାରୁ କଥା ସରିଲା ; ଯେଉଁ ସୁନ୍ଦରୀ ଲୋକତ, ଖାତର ପଡ଼ୁନାହିଁ । ତୋ ଭଳି ପଚାଶ ଗଣ୍ଡା ପୋଇଲି ତାଙ୍କ ଗୋଡ଼ତଳେ ଗଡ଼ ଗଡ଼-କେଉଁ ଲୋକକୁ କିପରି କଥା କହନ୍ତି-

ପର୍ଶୁ

-

ଏପରି ହୀନ ଚରିତ୍ରା ସ୍ତ୍ରୀଲୋକ ମୋର ଦରକାର ନାହିଁ, ଏହାକୁ ଏଠାରୁ ଦୂର କରିଦିଅ

ଜଗୁ

-

ବାହାର ପୋଇଲି (ଗୋଇଠାମାରି ଚଞ୍ଚଳାକୁ ତଡ଼ିଦେଲା)

 

 

(ଏଣେ ତେଣେ ଅନାଇ ଅନାଇ ଶତ୍ରୁଦମନର ପ୍ରବେଶ)

ଶତ୍ରୁ

-

ପୁଷ୍ପ-ପୁଷ୍ପ-ମା’ ମୋର କୁଆଡ଼େ ଗଲୁ-?

 

 

(ଜଗୁ ସେଠାଲି ପ୍ରଭୃତି ଡରରେ ଗୁଳି ହୁକା ଲୁଚାଇବା)

ପର୍ଶୁ

-

ଡର କାହିଁକି ?

ସମସ୍ତେ

-

ନାହିଁ ଆଜ୍ଞା କି ଡର; କିଏ ତୁ ବୁଢ଼ା ? ଏଠି ପୁଷ୍ପ କି ଫଳ କିଛି ନାହିଁ ଯା ବଗିଚାରେ ଖୋଜିବୁ-

ଶତ୍ରୁ

-

ଏଁ, ମୋରି ଗୃହରେ ମୋରି ସମ୍ମୁଖରେ ଏପରି କଥା; କିଏ ତୁମ୍ଭେମାନେ ?

ଜଗୁ

-

(ହସି ହସି) ଚିହ୍ନିପାରୁନାହଁ ? ହାତ ସିନା ତୁମର ଯାଇଛି, ଆଖିତ ଅଛି-

ଶତ୍ରୁ

-

କଅଣ ? ଏତେଦୂର ଆସ୍ପର୍ଦ୍ଧା-(ଜଗୁ ଆଦି ଡରିଯିବା)

ପର୍ଶୁ

-

ଆସ୍ପର୍ଦ୍ଧା ତୁମ୍ଭର ନା ଆମ୍ଭର-ଆଖି ରଙ୍ଗାଉଛ କାହା ଉପରେ ? ଆଉ ସେ ଦିନକାଳ ନାହିଁ ବୃଦ୍ଧ । ଚକ ଘୁରି ଯାଇଛି-ଯା ବାହାରି ଯା-ନଚେତ୍-

ଶତ୍ରୁ

-

ନଚେତ୍ ବାହାର କରିଦେବ-ନା ? ହଉ କହିଯାଅ । ସିଂହ ଯେତେବେଳେ ଶକ୍ତିହୀନ ହୁଏ ଶୃଗାଳ ମଧ୍ୟ ତା ମୁଖରୁ ଗ୍ରାସ କାଢ଼ି ନିଏ ।

ପର୍ଶୁ

-

କ’ଣ ଅନାଉଛ ସେଠାଲି-ଦିଅ ବେହିୟାକୁ ତଣ୍ଟିଆ ମାରି ବାହାର କରିଦିଅ-(ସେଠାଲି ଉଠିବା)

 

 

 

ଶତ୍ରୁ

-

(ଯାଉ ଯାଉ) ଏହା ମଧ୍ୟ ଭାଗ୍ୟରେ ଥିଲା । ବର୍ତ୍ତମାନ ସୁଦ୍ଧା ସଂସାର ଠିକ୍ ଉଲଟପାଲଟ ହୋଇନାହିଁ । ବର୍ତ୍ତମାନସୁଦ୍ଧା ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ଯାଉଛନ୍ତି-ବର୍ତ୍ତମାନ ସୁଦ୍ଧା ଖରାବର୍ଷା ଦିନରାତି, ନିୟମିତରୂପେ ହେଉଛି-ବର୍ତ୍ତମାନସୁଦ୍ଧା ଗ୍ରହ ଉପଗ୍ରହ ସବୁ ଠିକ୍ ଆଗ ପରି ଆପଣା ବକ୍ଷରେ ବୁଲୁଛନ୍ତି-ବର୍ତ୍ତମାନ ସୁଦ୍ଧା ମାତା ସନ୍ତାନକୁ ସ୍ତନ୍ୟ ଦେଇ ପାଳନ କରୁଛି, ବର୍ତ୍ତମାନ ସୁଦ୍ଧା ମାନବ ମନରୁ ସ୍ନେହ ମମତା ସମୂଳେ ଧ୍ୱଂସ ହୋଇନାହିଁ-ତେବେ-

ଜଗୁ

-

ଆରେ ବୁଢ଼ା-ଏ ପ୍ରଳାପ ବକିବା ସ୍ଥାନ ନୁହେଁ । ସଂସାର ଯେମିତି ଥିଲା ସେମିତି ଅଛି-କେବଳ ତୋହରି କଥା କେହି ମନେପକାଏ ନାହିଁ । କୋଟିଏ ତାରା ଭିତରୁ ଗୋଟିଏ ଖସି ପଡ଼ିଲେ ସେ ଜାଗା ଯେପରି ଅପୂର୍ଣ୍ଣ ରହେ ନାହିଁ-ତୋହରି ଭାଗ୍ୟ ବିପଯ୍ୟୟରେ ଠିକ ସେହିପରି କାହାରି ଦୃଷ୍ଟି ନାହିଁ କିମ୍ବା ଚିନ୍ତା ନାହିଁ-ପରିବର୍ତ୍ତନ ଜଗତର ହୋଇନାହିଁ-ହୋଇଛି ତୋର; ତୋରି ଅବସ୍ଥା କେବଳ ଓଲଟ ପାଲଟ ହୋଇ ଯାଇଛି; ବୁଝିଲୁ, ଯା ପଳାଃ-।

ଶତ୍ରୁ

-

ହଁ ଯାଉଛି-କିନ୍ତୁ ମନେରଖ, ଏଦିନ ରହିବ ନାହିଁ-ଏ ଅନ୍ୟାୟର ସୁବିଚାର ହେବ-ଏ ପାପର ପ୍ରାୟଶ୍ଚିତ ହେବ-ଏ ଅଧର୍ମ୍ମର ଶାସ୍ତି ମିଳିବ-ସେତେବେଳେ ଦଣ୍ଡପଲକରି ଶତବୃଶ୍ଚିକ ଦଂଶନରେ ଜର୍ଜରିତ ହୋଇ ଆଉ ଅନୁତାପ କରିବାକୁ ସୁଯୋଗ ପାଇବ ନାହିଁ-ମନରୁ ଆଜି ଯେଉଁ କରୁଣା, ସହାନୁଭୂତି ବିବେକକୁ ଜଳାଞ୍ଜଳି ଦେଇଛ-ସେତେବେଳେ ଶତବ୍ୟାକୁଳ କଣ୍ଠରେ ସହସ୍ର ଚିତ୍କାର କରି ଲୋଡ଼ିଲେ ସୁଦ୍ଧା କେହି ଶୁଣିବେ ନାହିଁ-ପଦେ ଆହା କେହି କହିବେ ନାହିଁ-ସଂସାର !! ତୋର ଏହି ଅବସ୍ଥା-ଏତେ ଅବିଚାର, ଏତେ ଅତ୍ୟାଚାର-ଓଃ ! ଗୋଟାଏ ଦାବାନଳ-ଗୋଟାଏ ଭୂମିକମ୍ପ-ଗୋଟାଏ ପ୍ରଳୟ ଝଞ୍ଜାରେ ସବୁ ରେଣୁ ରେଣୁ ହୋଇ ଧୂଳିରେ ମିଶି ଯାଉ ନାହିଁ କାହିଁକି ?

Image

 

୨ୟ ଦୃଶ୍ୟ

 

 

 

(ସ୍ଥାନ-ତୋଷାଲି ରାଜ ପ୍ରାସାଦର ମନ୍ତ୍ରଣା କକ୍ଷ । ରାଜା ଶିଳାଦିତ୍ୟ ନିଜର ମନ୍ତ୍ରଣା କକ୍ଷରେ ଛିଡ଼ା ହୋଇଥିଲେ । ମୁହଁରେ ତାଙ୍କର ଚିନ୍ତା ଆତଙ୍କ ଏବଂ ଅସ୍ଥିରତାର ଗଭୀର ରେଖା-ନିକଟରେ ମନ୍ତ୍ରୀ ଉପସ୍ଥିତ; ରାଜା କିଛି ଗୋଟାଏ ସମ୍ବାଦ ଶୁଣି ଚିନ୍ତା କଲେ ଏବଂ ତାହାପରେ କହିଲେ)

ଶିଳା

-

ହଁ, ତା’ ପରେ-

ମନ୍ତ୍ରୀ

-

ତା’ପରି ରାଜ୍ୟମୟ ଅଶାନ୍ତିର ସ୍ରୋତ । ପଶ୍ଚିମରେ ବସ୍ତର ରାଜା ବିଦ୍ରୋହୀ, ତାହା ସହିତ ଯୋଗ ଦେଇଅଛି ମୂଷିକ ରାଜା-ଏଣେ ମଗଧପତି ଅଶ୍ୱେକ ସମଗ୍ର ଆର୍ଯ୍ୟାବର୍ତ୍ତର ଏକଛତ୍ର ଅଧିପତି । ବିଜୟ ନିଶା ଏବଂ ସାମ୍ରାଜ୍ୟ ଲୋଭ ଦେବତାକୁ ମଧ୍ୟ ଉନ୍ମାଦ କରିଥାଏ-ଏଣୁ ଆଶଙ୍କା ହୁଏ-

ଶିଳା

-

ଅଶୋକ ଉତ୍କଳ ଉପରେ ଲୋଲୁପ ଦୃଷ୍ଟି ଦେବ ?

ମନ୍ତ୍ରୀ

-

ହଁ ମହାରାଜା ସେତେବେଳେ କିଏ ସୈନ୍ୟ ପରିଚାଳନା କରିବ ? ଶ୍ରୀଛାମୁ ଦିବାରାତ୍ର ପ୍ରାସାଦ ଭିତରେ; ନବୀନ ସେନାପତି ମଧ୍ୟ ବିଳାସରେ ଆକଣ୍ଠ ମଜ୍ଜିତ-ଏଇଥି ମଧ୍ୟରେ ଯେତେ ରକମର କଥା । (ନୀରବ)

ଶିଳା

-

ହଁ କୁହ ଚୁପ ହେଲେ କାହିଁକି ?

ମନ୍ତ୍ରୀ

-

ସାହସ ବଳୁନାହିଁ ଅଭୟ ମିଳିଲେ କହିବି ।

ଶିଳା

-

ତୁମେ ମନ୍ତ୍ରଣାଦାତା-ମହାମାତ୍ୟ; ଶଙ୍କା ସଙ୍କୋଚ କି ନିମିତ୍ତ ।

 

 

 

ମନ୍ତ୍ରୀ

-

ନବୀନ ସେନାପତିଙ୍କର ଦୌରାତ୍ମ୍ୟରେ ପ୍ରଜାଏ ବ୍ୟକ୍ତିବ୍ୟସ୍ତ ଗୁଡ଼ାଏ ଇତର ନିଶାଖୋର ସଙ୍ଗରେ ଜୁଟି ନାନାଦି କୁକାର୍ଯ୍ୟରେ ଦେଶ ଉଚ୍ଛନ୍ନ କରୁଛନ୍ତି-ଏଥିରେ ରାଜ ବଂଶର ମର୍ଯ୍ୟାଦାହାନି ହେଉଛି-ପ୍ରଜାଙ୍କ ଉପରେ ଅତ୍ୟାଚାର-

ଶିଳା

-

ଅତ୍ୟାଚାର ! (ଚିନ୍ତିତରେ) କରିବତ ରାଜପୁତ୍ର ହୋଇ ନୀଚସ୍ୱଭାବ ।

ମନ୍ତ୍ରୀ

-

ଅଥଚ ମଣିମା ଜାଣିଶୁଣି ତାଙ୍କୁ ସେନାପତି କଲେ ।

ଶିଳା

-

ନ କଲେ ତ ଆଉ ଉପାୟ ନ ଥିଲା-ରାଣୀଙ୍କ ଅନୁରୋଧ ।

ମନ୍ତ୍ରୀ

-

ତା ବୋଲି ପ୍ରଜାପୁଞ୍ଜଙ୍କ ପ୍ରତି, ରାଜ୍ୟ ପ୍ରତି ଯେ ଶ୍ରୀଛାମୁଙ୍କର ଗୋଟାଏ ବିରାଟ କର୍ତ୍ତବ୍ୟ ଅଛି-ତାହା କ’ଣ ଭୁଲିଗଲେ ?

ଶିଳା

-

ଭୁଲି ନାହିଁ-ସବୁ ବୁଝିଛି, କିନ୍ତୁ କଅଣ କରିବି ମନ୍ତ୍ରୀ-ରାଣୀଙ୍କର କୌଣସି କଥା ଏଡ଼ି ପାରୁନାହିଁ-

ମନ୍ତ୍ରୀ

-

(ସ୍ୱଗତଃ) ତା ନ ହୋଇଥିଲେ ଶତ୍ରୁଦମନ ପରି ନିଷ୍ଠାପର ଦେଶ ସେବକର ଏ ଅବସ୍ଥା ଘଟନ୍ତା କିପରି ? (ପ୍ରକାଶ୍ୟେ) ମଣିମା ମୁଁ ରାଜସେବକ, ରାଜ୍ୟର ଭଲମନ୍ଦ ନିବେଦକ- ରାଜ୍ୟ ଚାରିଆଡ଼ୁ ଶତ୍ରୁ ସମାକୁଳ; ପ୍ରଜାଏ ରାଜଭକ୍ତି ହରାଇଲେଣି ପ୍ରଜାଙ୍କର ଏହି ଅସନ୍ତୋଷର ଆଶୁପ୍ରତିକାର ନହେଲେ ରାଜ୍ୟ ରହିବା କଷ୍ଟକର ।

ଶିଳା

-

ତୁମେ ଏହାର ବିହିତ ପ୍ରତିକାର କର ମନ୍ତ୍ରୀ ।

ମନ୍ତ୍ରୀ

-

କରନ୍ତି-କିନ୍ତୁ ମଣିମାଙ୍କ ଉଦାସୀନତା ଯେ ମୋର ଆତ୍ମବିଶ୍ୱାସ ତୁଟାଇ ଦେଇଛି-

ଶିଳା

-

ତା’, ପାଇକମାନେ ଆମର କ’ଣ କରୁଛନ୍ତି ? ଆମର ପାର୍ବତ୍ୟସେନା ଓ ବୋଲଗଡ଼ର ବକ୍‌ସି ବାହିନୀ ?

ମନ୍ତ୍ରୀ

-

ସମସ୍ତେ ତ ପ୍ରସ୍ତୁତ ଅଛନ୍ତି-ମାତ୍ର କର୍ଣ୍ଣଧାରହୀନ ସେମାନେ କିଏ ଆଜି ସେମାନଙ୍କ ପ୍ରାଣରେ ଦେଶପ୍ରୀତିର ଉଦ୍ଦୀପନ୍ନା ଜଗାଇ ଦେବ ?

 

 

(ରାଣୀଙ୍କ ପ୍ରବେଶ)

ରାଣୀ

-

କି ପରାମର୍ଶ ଚାଲିଛି ସ୍ୱାମୀ-

ରାଜା

-

ରାଜ୍ୟର ଅଶାନ୍ତିରେ ମନ୍ତ୍ରୀ ଉପାୟ ନପାଇ ସେଇ କଥା କହୁଥିଲେ ।

ରାଣୀ

-

ଉପାୟ ପାଉନାହାନ୍ତି ? ତେବେ ଯିଏ ଉପାୟ ପାଇବ ତା’ପାଇଁ ସ୍ଥାନ ଛାଡ଼ି ଦେଉନାହାନ୍ତି ?

ମନ୍ତ୍ରୀ

-

ମହାଦେବୀ ବୃଥାରେ ମୋତେ ଦୋଷ ଦେଉଛନ୍ତି ।

ରାଣୀ

-

ବୃଥାରେ ଦୋଷ ଦେଉଛି-ତୁମେ ତେବେ ଅଶାନ୍ତି ପ୍ରତିକାରର କି ସୁପରାମର୍ଶ ଦେଉଥିଲ ଶୁଣେ-ନବୀନ ସେନାପତିଙ୍କର ଦୋଷତ ଏତେବେଳ ଯାଏ ଗାଇଲ-ମୁଁ ଉହାଡ଼ରୁ କିଛି କିଛି ଶୁଣିଛି ।

ମନ୍ତ୍ରୀ

-

ଯାହା ପ୍ରକୃତ କଥା ତାହାହିଁ କହୁଥିଲି ।

ରାଣୀ

-

ଓଃ ! ଏଇ ବୁଦ୍ଧିରେ ମନ୍ତ୍ରୀତ୍ୱ କର; ନବୀନ ସେନାପତି ତୁମ୍ଭ ପରି ଅଜ୍ଞାତ କୂଳଶୀଳ ନୁହନ୍ତି । ତାଙ୍କର ବଂଶ ମର୍ଯ୍ୟାଦା ଓ ବୀରତ୍ୱର ଅଭିମାନ ଅଛି, ଜାଣ ସେ ଅସୀଜିବୀର ସନ୍ତାନ ।

ମନ୍ତ୍ରୀ

-

(ସ୍ୱଗତଃ) ବୀରତ୍ୱତ ବିଜୟନଗର ରଣ ଭୂମିରେ ଜଣାଯାଇଛି । ବଂଶ ଗରିମା ଏଇଠି ଫୁଟି ଦିଶୁଛି । (ପ୍ରକାଶ୍ୟେ) ମୁଁ ବିଶ୍ୱାସୀ ରାଜସେବକ ମାତ୍ର ତୁଳନାର ପାତ୍ର ନୁହେଁ ମହାରାଣୀ ।

 

 

 

ରାଣୀ

-

ବିଶ୍ୱାସୀ ରାଜସେବକ ! ଦେଶର ଏଭଳି ଅବସ୍ଥାରେ ନିରାଶାର କଥା କୁହନ୍ତା କି-? ନା ମହାରାଜ ! ଆପଣ ନିଶ୍ଚିନ୍ତ ରୁହନ୍ତୁ । ନବୀନ ସେନାପତି ନିଜର କର୍ତ୍ତବ୍ୟ ସୁସମ୍ପନ୍ନ କରିପାରିବେ । ଦେଶସାରା ଅଶାନ୍ତି ଅନଳ ଜ୍ୱଳିଉଠୁ । ଚାରିଆଡୁ ଶତ୍ରୁ ଆକ୍ରମଣ କରୁ-ଉତ୍କଳ ସେନାର ଅସୀଧାର ପରୀକ୍ଷା କରି ଫେରିଯିବ ।

ଶିଳା

-

ତା କଅଣ ଆଉ ଯିବେ ନାହିଁ ? ବାସ୍ତବିକ ମନ୍ତ୍ରୀ-ତୁମେତ ମୋତେ ସଙ୍ଗତ ମନ୍ତ୍ରଣା ଦେଉନାହଁ-ତୁମର କଥାଗୁଡ଼ାକ ଭୀରୁତା ବ୍ୟଞ୍ଜକ-ତୁମ୍ଭର ମନ ଉତ୍ସାହହୀନ । ମନେରଖ ମନ୍ତ୍ରୀ, ପୁଣି ଏପରି କହିଲେ ମୁଁ ବଡ଼ ରୁଷ୍ଟ ହେବି-ଯାଅ-! ପ୍ରାନ୍ତବର୍ତ୍ତୀ ସମସ୍ତ ଦୁର୍ଗାଧ୍ୟକ୍ଷଙ୍କୁ ରାଜାଜ୍ଞା ପ୍ରେରଣ କର, ସେମାନେ ଯେପରି ପ୍ରସ୍ତୁତ ରୁହନ୍ତି ।

ମନ୍ତ୍ରୀ

-

ଯେ ଆଜ୍ଞା ମହାରାଜ (ପ୍ରସ୍ଥାନୋଦ୍ୟତ)

ଶିଳା

-

ଆଉ ଉତ୍ତର ଦିଗରେ ଯଜ୍ଞପୁର ଦୁର୍ଗ ସୁରକ୍ଷିତ କରାଇ ରସଦ ସଂଗ୍ରହ କର । ତାମ୍ରଲିପ୍ତର ଶାସନ କର୍ତ୍ତାଙ୍କୁ ଜଣାଅ-ସେ ତାଙ୍କର ସମସ୍ତ କୈବର୍ତ୍ତ ସୈନ୍ୟ ସୁସଜ୍ଜିତ କରି ମୋର ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତୀକ୍ଷା କରନ୍ତୁ-ଯାଅ ।

 

 

(ରାଜା ରାଣୀଏକଆଡ଼େ ଓ ମନ୍ତ୍ରୀଙ୍କର ଅନ୍ୟଆଡ଼େ ପ୍ରସ୍ଥାନ)

Image

 

୩ୟ ଦୃଶ୍ୟ

 

 

 

(ସମୟ-ସୂର୍ଯ୍ୟାସ୍ତ; ସ୍ଥାନ - କଳିଙ୍ଗର ଉତ୍ତର ସୀମାସ୍ଥ ନିର୍ଜ୍ଜନ ଗ୍ରାମ୍ୟପଥ; ରୁକ୍ଷବେଶ ଓ ମୁକ୍ତକେଶରେ ବିଭ୍ରାନ୍ତଭାବେ ଚଞ୍ଚଳାର ପ୍ରବେଶ, ମୁଠାରେ ଲମ୍ବ ଛୁରୀଟାଏ । ଦୃଷ୍ଟିଶୂନ୍ୟ ଏବଂ ମୁଖରେ ପ୍ରତିହିଂସାର କ୍ରୁର ଛଟା-)

ଚଞ୍ଚଳା

-

ଧର୍ମ୍ମଗଲା, କର୍ମ୍ମଗଲା-ଶେଷକୁ ଗୋଇଠା ଖାଇଲି-ଯାହା କୁଶିକ୍ଷାରେ ପଡ଼ି, ନିର୍ଦ୍ଦୋଷ ଯୁବକର ସର୍ବନାଶ କଲି-ବୁଢ଼ା ସେନାପତିର ପୁଅକୁ ମରାଇ ବୁଢ଼ାର ହାତ କଟାଇଲି-ତାହାରିଠାରୁ ଏହି ଗୋଇଠା ମାଡ଼ । ପାପୀନୀ ଡାକିନୀ ମୁଁ, ମୋର ଏହାହିଁ ଉପଯୁକ୍ତ ଶାସ୍ତି-ନା,ନା-ଏହାଠୁଁ ବଳି ବେଶି ଦଣ୍ଡ ମୋର ପାଇବା ଉଚିତ-ମୋର ପାପର ସୀମା କଳନା କରି ହେବନାହିଁ, ଏପରି ପାପ ଦୁନିଆରେ ଆଉ କେହି କରିନଥିବ । ମୁଁ କି ପ୍ରାୟଶ୍ଚିତ କରିବି ? ନା-ମୁଁ ସେ, ଭଣ୍ଡ ଲମ୍ପଟକୁ ପ୍ରଘଟ କରିବି-ହତ୍ୟା କରିବି-ଯେପରି ତାହାର ମଧୁର କଥାରେ ଆଉ କେଉଁ ନାରୀକୁ ନ ଭୁଲାଏ; ଆଉ ଯେପରି ତାର ପାପ ପ୍ରଶ୍ୱାସ, ପବନକୁ ବିଷାକ୍ତ ନକରେ କିନ୍ତୁ ବିଚରା ବୁଢ଼ାର ଦେଖା ମିଳନ୍ତା କି ମୋର ପାପ କାହାଣୀ କହି ତା ଭୁଲ ଭାଙ୍ଗି ଦିଅନ୍ତି; କ୍ଷମା ତ ସେ ମୋତେ ଦେବେ ନାହିଁ, ଦେଲେ ମୁଁ ବି ନେବି ନାହିଁ, ହେଲେ ବୁଢ଼ା ମରିବା ଆଗରୁ ଥରେ ଶୁଣିଯା’ନ୍ତା କି ତା ପୁଅ ନିର୍ଦ୍ଦୋଷ; ରାଣୀ ଚକ୍ରାନ୍ତ କରି ଏ ଦଶା ଘଟାଇଲେ, ବିଚରାର ମନ ଟିକିଏ ଉଶ୍ୱାସ ହୁଅନ୍ତା-ଓଃ (ବସିପଡ଼ି ଚିନ୍ତା କରିବା)

 

 

(ପର୍ଶୁରାମର ପ୍ରବେଶ)

ପର୍ଶୁ

-

କାହିଁ-ଏଇଠିକି ଆଣିଦେବେ ବୋଲିତ କଥା ହୋଇଥିଲା, ଏତ ଓଡ଼ିଶା ମୁଲକ ଶେଷ ଆଡ଼ ଜାଗା-ବେଶ୍ ନିରୋଳ- କାହିଁ ଏତେବେଳେ ଯାଏଁ କୁଆଡ଼େ ଗଲା; ଟଙ୍କା ପଇସାତ ଯେତେ ଚାହିଲା ଦେଇଛି-ଦେଖିବାକୁ ଖାସା ସୁନ୍ଦରୀ-ଗୋଟିଏ ଚାଉଳରେ ଗଢ଼ା (ଛାତିରେ ହାତମାରି) ନା ଡର କାହାକୁ । ମନଟା ଗୁଡ଼ୁ ଗୁଡ଼ୁ ହୋଇଯାଉଛି-ଟିକିଏ ପିଇ ନେଲେ (ମଦ ପିଇବା)-ବେଶ୍-ଟିକିଏ ବସେ ଆଗେ-

ଚଞ୍ଚଳା

-

(ସ୍ୱଗତଃ) ବୁଝିଲି ପୁଣି କାହାର ସର୍ବନାଶର ମତଲବରେ ବସିଛି । ବିଧାତା ଠିକ୍ ସୁଯୋଗ ଜୁଟାଇ ଦେଇଛି-ଏତିକିବେଳେ ପାପୀକୁ ଶେଷ କରେ-(ପଛକୁ ଛୋରାଧରି ଚୁପ୍‌ ଚୁପ୍‌ ଆସି ଆଘାତ)

ପର୍ଶୁ

-

ବାପରେ-ଉଃ-ହୁଃ

ଚଞ୍ଚଳା

-

ଆଉ ବାପରେ-ଖାଲି ମଲା ଆଗରୁ ଦେଖି ଯା-ଯାହାର ସର୍ବନାଶ କରି ଗୋଇଠା ମାରି ତଡ଼ି ଦେଇଥିଲୁ-ମୁଁ ସେହି ଚଞ୍ଚଳା ।

ପର୍ଶୁ

-

(ଅତି କଷ୍ଟରେ) ହା ବିଧାତା-ଉଃ ।

ଚଞ୍ଚଳା

-

ପୁଣି ସେହି ପବିତ୍ର ନାମ ପାପ ତୁଣ୍ଡରେ ଧରୁଛୁ, (ଆଘାତ)

ପର୍ଶୁ

-

ଓଃ-ହୋଃ- (ମୃତ୍ୟୁ)

ଚଞ୍ଚଳା

-

ହେଲା । ଭଗବାନ ! ନାନା-ସେ ନାମ ଧରିବାର ମୋର ଅଧିକାର ନାହିଁ । ମୁଁ ଏବେ କ’ଣ କରିବି କୁଆଡ଼େ ଯିବି ? (ବିହ୍ୱଳଭାବେ ଏପାଖ ସେପାଖ ହେବା)

 

 

(ଶତ୍ରୁ ଦମନର ପ୍ରବେଶ)

ଶତ୍ରୁ

-

ଏ କ’ଣ-ହତ୍ୟା ! ଓଃ ! ଚାରିଆଡ଼େ ହତ୍ୟା-ଖାଲି ହତ୍ୟା-ଦୁନିଆ ସାରା ହତ୍ୟା, ହତ୍ୟା, ହତ୍ୟା (ଚଞ୍ଚଳାକୁ ଦେଖି)-କିଏ- ତୁ ?

ଚଞ୍ଚଳା

-

(ଉପରକୁ ଚାହିଁ)-ଦୂରକୁ ଚାଲିଯାଅ-ମୁଁ ପିଶାଚିନୀ-ମୋର ପ୍ରଶ୍ୱାସରେ ବିଷ, ସ୍ପର୍ଶରେ ମୃତ୍ୟୁ-

ଶତ୍ରୁ

-

ଆହା ବିଚାରି ମୋରି ପରି ଶୋକାତୁରା-ମୋରି ପରି ମର୍ମ୍ମବ୍ୟଥା ଭୋଗୁଛି (ପ୍ରକାଶ୍ୟେ) କ’ଣ ହୋଇଛି କହ-ମୃତ୍ୟୁତ ମୋତେ ଡରି ପଳାଇଛି ନାରୀ !

ଚଞ୍ଚଳା

-

କଅଣ ଆଉ କହିବି ? ମୋ କଥାର ଶେଷ ନାହିଁ କି ମୋ ପାପର ଅନ୍ତନାହିଁ-ମୁଁ କିଏ ଚିହ୍ନିପାରୁନାହିଁ ସେନାପତି, ମୁଁ ପରା ତୁମର ସର୍ବନାଶକାରିଣୀ-

ଶତ୍ରୁ

-

ମୋର ସର୍ବନାଶକାରିଣୀ (ବିସ୍ମୟରେ)

ଚଞ୍ଚଳା

-

ହଁ, ଯାହା ହୋଇଛି ସବୁ ମୋରିଦ୍ୱାରା ।

ଶତ୍ରୁ

-

(ସ୍ୱଗତଃ) ଆହା ବିଚାରି ମୋରି ପରି ଉନ୍ମାଦିନୀ-(ପ୍ରକାଶ୍ୟେ) କ’ଣ କରିଛୁ ତୁ ?

ଚଞ୍ଚଳା

-

ତୁମର ପୁତ୍ର ହତ୍ୟା, ତୁମର କନ୍ୟା ଚୋରି, ତୁମର ପୁଅ ନିର୍ଦ୍ଦୋଷ, ଝିଅ ନିଷ୍ପାପ-

ଶତ୍ରୁ

-

ଏଁ ଏଁ -ପୁଅ ମୋର ନିର୍ଦ୍ଧୋଷ । ମନ ଧୈର୍ଯ୍ୟଧର-ତୁମେ କାହିଁକି ଏହା କଲ । ମୁଁ ତୁମର କି ଦୋଷ କରିଥିଲି ?

ଚଞ୍ଚଳା

-

ରାଣୀ ଓ ତାଙ୍କ ଭାଇର କୁଶିକ୍ଷାରେ ପଡ଼ି-ତୁମେ ତାଙ୍କର ସର୍ବନାଶ କରିଥିଲ, ସେ ତୁମର ସର୍ବନାଶ କଲେ କିନ୍ତୁ ମୋର ଦୁଃଖ ଏହି ଯେ ମୋପରି ରାକ୍ଷସୀଦ୍ୱାରା ତାହା ହେଲା ।

 

 

 

ଶତ୍ରୁ

-

(ମୁଣ୍ଡରେ ହାତମାରି) ହା ବିଧାତା ! ଏଇ କଥା ଶୁଣାଇବୁ ବୋଲି କ’ଣ ଏତେକାଳ ବଞ୍ଚାଇ ରଖାଇଲୁ । କିନ୍ତୁ ସ୍ଥବିର ମୁଁ- ଏହାର କି ପ୍ରତିଶୋଧ ନେବି ! ସବୁ ଯେ ଯାଇଛି ।

ଚଞ୍ଚଳା

-

(ଦଉଡ଼ିଆସି ଗୋଡ଼ତଳେ ପଡ଼ି) ମୋତେ କ୍ଷମାକର ।

ଶତ୍ରୁ

-

(ଉନ୍ମାଦତୁଲ୍ୟ) କ୍ଷମା-କ୍ଷମା-ହେଉ ! ଭାଗ୍ୟତ ମୋ ପ୍ରତି ଅପ୍ରସନ୍ନ ତୁ କ’ଣ କରିବୁ-ଏ ମୃତ୍ୟୁର କରାଳ କ୍ଷେତ୍ରରୁ ପଳାଇଚାଲ । ଖାଲି ଟିକିଏ ସୁବିଧା ସୁଯୋଗ ମିଳୁ ପରେ ପ୍ରତିଶୋଧ-(ବୃଦ୍ଧର ପଳାୟନରେ ଚଞ୍ଚଳା ବ୍ୟସ୍ତ ହୋଇ ଚାହିଁଲା, ଜଣେ ସନ୍ୟାସୀ ଆସୁଥିଲେ ତାଙ୍କ ପାଖକୁ ଦୌଡ଼ିଯାଇ କହିଲା)

ଚଞ୍ଚଳା

-

କିଏ ଅଛ ଟିକିଏ ଆଶ୍ରୟ ! ରକ୍ଷାକର ବାବା-ଏଇ ଯେ ବୃଦ୍ଧ ପଳାଇ ଯାଉଛି (କାନ୍ଦ କାନ୍ଦ ହୋଇ) ବିଚରାର ମୋ ପାଇଁ ଏତେ ଦଶା, ତାକୁ ଦୟାକରି ଫେରାଇ ଆଣ ।

ସନ୍ୟା

-

(ଚାହିଁ) ଉନ୍ମାଦର ଲକ୍ଷଣ ନାରୀ-ତାକୁ ଆଉ ଫେରାଇ ଆଣି ହେବନାହିଁ । ଆସ, ତୁମର ଆଶ୍ରୟର ବ୍ୟବସ୍ଥା କରିବି । ବେଶି ଅନ୍ଧାର ହୋଇନାହିଁ, ସାମାନ୍ୟ ଚେଷ୍ଟା କଲେ ଅନେକ ଦୂର ଯାଇ ପାରିବା ।

ଚଞ୍ଚଳା

-

ତୁମ ସାଙ୍ଗରେ ଯିବି ମୁଁ କିଏ ଜାଣ ?

ସନ୍ୟା

-

ଜାଣିବାର ପ୍ରୟୋଜନ ନାହିଁ ତୁମେ ବିପନ୍ନା ଏହାହିଁ ଯଥେଷ୍ଟ ପରିଚୟ ।

ଚଞ୍ଚଳା

-

ଯଥେଷ୍ଟ ନୁହେଁ-ମୁଁ ନରଘାତିନୀ-ନାରୀଘାତିନୀ-ପାପିଷ୍ଠା କୁଳଟା ମୋର ପାପରେ ଆଉ କାହାକୁ ଜର୍ଜରିତ କରିବି ନାହିଁ- କଳିଙ୍ଗରେ ରହିବା ମୋର ଅସମ୍ଭବ ।

 

 

 

ସନ୍ୟା

-

ବେଶ୍, ତେବେ ଚାଲ ମୋର ପାଟଳିପୁତ୍ର ଆଶ୍ରମରେ ରହିବ-କିନ୍ତୁ ବହୁଦୂର ପଥ ଯାଇପାରିବ ? (ଚିନ୍ତାକରି) ହଁ ଏକ ସୁବିଧା ଅଛି-ମଗଧେଶ୍ୱର ବର୍ତ୍ତମାନ ରାଜ୍ୟ ପରିଦର୍ଶନ ନିମିତ୍ତ ଆସିଛନ୍ତି-ଅଳ୍ପ ଦୂରରେ ତାଙ୍କ ଶିବିର-ତାଙ୍କରି କନ୍ୟା ମୋର ଶିଷ୍ୟା-ଚାଲ ତାଙ୍କର ସଙ୍ଗରେ ପଠାଇଦେବି ।

ଚଞ୍ଚଳା

-

ଆଶ୍ରମରେ ରହିବି ? ପାପିନୀକୁ ତମର ଭୟନାହିଁ-ମୋର ଛାୟା ଯେ ନରକ ।

ସନ୍ୟା

-

ଲୋକାଳୟରେ ଯାର ସ୍ଥାନ ନାହିଁ-ଆଶ୍ରମ ଯେ ତାହାରିପାଇଁ-ମୋର ପାପ ପ୍ରତି ଡର ଅଛି-ପାପୀ ପ୍ରତି ଗଭୀର ସହାନୁଭୂତି ଛଡ଼ା ଆଉ କିଛି ନାହିଁ-ପାପପୂଣ୍ୟର ବିଚାରକ ତ ମୁଁ ନୁହେଁ ।

ଚଞ୍ଚଳା

-

ନା ସନ୍ୟାସୀ ! ମୋର ବୃତ୍ତାନ୍ତ ଜାଣିନାହିଁ ବୋଲି ଏପରି କହୁଛ ? ମୋର ପାପର ସୀମା ନାହିଁ-ଜଗତରେ କୌଣସି କୁକାର୍ଯ୍ୟ ମୋର ବାକିନାହିଁ ଜାଣ ?

ସନ୍ୟା

-

ଜାଣେନାହିଁ କି ଜାଣିବାକୁ ଚାହେଁ ନାହିଁ; ଭୁଲନା ମା’-ମୁଁ ତୁମର ସନ୍ତାନ ।

ଚଞ୍ଚଳା

-

(ଅବାକ ହୋଇ) ସନ୍ତାନ ! ତେବେ ଚାଲ ବାପା- (ପ୍ରସ୍ଥାନ )

Image

 

୪ର୍ଥ ଦୃଶ୍ୟ

ସ୍ଥାନ-ବୋଧଗୟା ରାଜଉଦ୍ୟାନ

 

 

 

(ସମୟ-ସନ୍ଧ୍ୟା; ଉଦ୍ୟାନର ସରସୀ ତଟରେ ବସି ସଙ୍ଘମିତ୍ରା ଚନ୍ଦ୍ରୋଦୟ ଦେଖି ଗୀତ ଗାଉଥିଲେ । ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା ସାନ୍ଧ୍ୟ ପ୍ରକୃତିକୁ ଲୋଭନୀୟ କରିଥିଲା-ସଙ୍ଗୀତର ସ୍ୱର ଲହରି କ୍ରମେ ଦୂରରୁ ଦୂରକୁ ଯାଇ ଅସୀମରେ ଲୟ ପାଉଥିଲା, ଗାୟିକା ନିଜେ ତନ୍ମୟ ହୋଇ ରହିଥିଲା । ପଛରୁ ଅଶୋକ ପ୍ରବେଶ କରି ପ୍ରଥମେ ନିବିଷ୍ଟ ଚିତ୍ତରେ ଗୀତଟି ଶୁଣିଲେ ।)

 

 

ଗୀତ

 

 

ଦିନୁଦିନ ଅନୁକ୍ଷଣ ବଢ଼ୁଛି ଆଶା,

 

 

ପୁରିଲେ ନ ପୁରେ ନୁହେଁ ପରାଣ ତୋଷା ।

 

 

ଆବେଗ ଆଶଙ୍କା ତାପ- କେବଳ ବଢ଼ାଏ ପାପ

 

 

କାମନାର ଏ ମାଦକ ହିଆ କରେ ଦକଦକ,

 

 

ଝୁରି ଝୁରି କ୍ଷୀଣତନୁ-

 

 

ପାଶୋର ନ ଯାଏ ମନୁ

 

 

ମନେ ହୁଏ ଶେଷ ଆଉ ନ ହେବ ନିଶା ॥

 

 

(ଗୀତଟି ଶେଷ ପରେ ଅଶୋକ ପାଖକୁ ଯାଇ କହିଲେ)

ଅଶୋକ

-

ଏ କଅଣ ମା’-ତୁ ଏଠି ଏକୁଟିଆ ବସିଛୁ-ତେଣେ ମୁଁ ତୋତେ ଖୋଜି ଖୋଜି ହଇରାଣ ହୋଇଗଲିଣି-

ସଂଘମିତ୍ରା

-

କଅଣପାଇଁ ବାବା ? କିଛି କାମ ଅଛି ?

ଅଶୋକ

-

ନାହିଁ କିଛି କାମ ନାହିଁ-ମୁଁ ନଗର ବୁଲି ଯାଇଥିଲି-ଗୋଟିଏ ବଟବୃକ୍ଷ ମୂଳରେ ଅନେକଗୁଡ଼ିଏ ନୂତନ ସନ୍ୟାସୀ ବସିଥିବାର ଦେଖିଲି-ତୁତ ଜାଣୁ ସେହି ଅକର୍ମାଗୁଡ଼ାଙ୍କୁ ଦେଖିଲେ ମୋତେ ବଡ଼ ବିରକ୍ତି ଲାଗେ-ଏଣୁ ତାଙ୍କୁ ସେଠାରୁ ବାହାର କରିବାକୁ ଯାଉଥିଲି-ହଠାତ୍ ତାଙ୍କ ଭିତରୁ ଜଣେ କହିଲା-‘ପିତାର ଏହି ସନ୍ୟାସୀ ହିଂସା ଅଥଚ କନ୍ୟାର ଅଚଳା ଭକ୍ତିରେ ପାଷାଣ ତରଳି ଯାଏ-ମନଟା ବଦଳି ଗଲା-ବୁଝିଲି, ସେ ତୋରି ପ୍ରଶଂସା କରୁଥିଲା-ନିଜର ନିନ୍ଦାରେ ରାଗ ନକରି, ତୋରି ପ୍ରଶଂସାରେ ମୁଗ୍‌ଧହୋଇ ସେଠାରୁ ଫେରି ଆସିଲି ଏବଂ ସଙ୍ଗେ ସଙ୍ଗେ ସେହି ଭୂମିଖଣ୍ଡ ତାଙ୍କୁ ଦାନ କରିଆସିଲି-ସେହି କଥା ତୋତେ କହିବି ବୋଲି ଖୋଜୁଥିଲି-

ସଂଘମିତ୍ରା

-

ସଦାଶିବ ତେବେ ମୋର ପ୍ରାର୍ଥନା ଶୁଣିଛନ୍ତି-

ଅଶୋକ

-

ତୋର କଅଣ ପ୍ରାର୍ଥନା ଶୁଣିଛନ୍ତି ଲୋ-(ସହାସ୍ୟେ) ।

ସଂଘମିତ୍ରା

-

ଏଇ ତୁମ ପ୍ରାଣରେ ସନ୍ୟାସୀଙ୍କ ପ୍ରତି ବିରକ୍ତି ନଜନ୍ମାଇବା ।

ଅଶୋକ

-

ଦୂର ପାଗଳି ! ବିରକ୍ତି ନଜନ୍ମାଇବା ଏଠି କ’ଣ ହେଲା ? ତୋର ପ୍ରଶଂସା ଶୁଣି ମୁଁ ତ ନରମ ହୋଇଗଲି ମା’-

ସଂଘମିତ୍ରା

-

ସେ ଯାହା ହେଉ ବାବା-(ମୁହଁ ଶୁଖାଇବା) ।

ଅଶୋକ

-

ଏକ’ଣ ? ପୁଣି ମୁହଁ ଶୁଖାଇ ଦେଲୁ କାହିଁକି ? ଆଚ୍ଛା ତାହାହିଁ ହେଉ-ତୋର ପ୍ରାର୍ଥନା ସଦାଶିବ ଶୁଣିଲେ-ଚାଲ ଘରକୁ ଚାଲ-ରାଜଧାନୀକୁ ପରା ଆଜି ଫେରିଯିବା ?

ସଂଘମିତ୍ରା

-

କାହିଁକି ? ଏତେ ତରବର କାହିଁକି ? ଆଉ କିଛିଦିନ ରହିବା । ମୋତେ ଏ ଜାଗା ବଡ଼ ଭଲ ଲାଗୁଛି-

ଅଶୋକ

-

ନାହିଁ, ମା’, ସେଠିପରା ରାଜକାର୍ଯ୍ୟ ବହୁତ ବାକି-ତୁ ଖାଲି ବେରାମ ଥିଲୁ ବୋଲି ଏଠିକି ବାଧ୍ୟ ହୋଇ ଆସିଥିଲି ।

ସଂଘମିତ୍ରା

-

ଆଚ୍ଛା ବାପା ରାଜ୍ୟପାଇଁ ଏତେ ଭ୍ରାତୃହତ୍ୟା କାହିଁକି କଲ ? ଯେତେ ହେଲା ହେଲା ଏଣିକି ଭଲା ବନ୍ଦ କର ।

ଅଶୋକ

-

(ଚିନ୍ତାଭରେ) ତୁ ସେ କଥା କାହୁଁ ବୁଝିବୁ ମା’ ? ସେ ହତ୍ୟା ନୁହେଁ ଦେଶର ମଙ୍ଗଳ ଲାଗି କର୍ତ୍ତବ୍ୟ ପାଳିବାକୁ ଯାଇ ନିଜର ମମତାକୁ ବଳିଦାନ ।

ସଂଘମିତ୍ରା

-

ଏ ଜାତିକା ବଳିଦାନ ବାପା-ରକ୍ତର ଭାଇ-ପିଲାଦିନୁ କେତେ ଆଦର ସୋହାଗରେ ବଢ଼ିଛ ତାଙ୍କ ପ୍ରତି ଏଡ଼େ ନିଷ୍ଠୁର ପଣ-ଛାଗ, ମହିଷ ଏତେ ବଳି ଥାଉଁ ଥାଉଁ ଏ ନରବଳି-ଭ୍ରାତୃବଳି ଛାଡ଼ ବାପା ।

ଅଶୋକ

-

ଛାଗ, ମହିଷ ବଳି ଦେବୀ ପାଖରେ ମା’ ଏ ଯେ ଦାନବୀ ପାଖରେ ବଳିଦାନ-ଦଶଜଣଙ୍କର ଜୀବନ ହାନୀରେ ଦଶଶତଙ୍କର ଜୀବନ ରକ୍ଷା, ଦଶଭାଇଙ୍କର ଅପ୍ରୀତିରେ ଦଶସହସ୍ରଙ୍କର ପ୍ରୀତି ମମତା ଲାଭ-ଛାଡ଼ ତୁ ସେ ସବୁ ବୁଝିବୁ ନାହିଁ ମା’-ଏ ସବୁ ନିର୍ମମ ରାଜନୀତି ।

ସଂଘମିତ୍ରା

-

ସେ ଯେଉଁ ନୀତି ହେଉ ବାବା-ଅହିଂସାର ନୀତି ନୁହେଁ-ହିଂସା ଉପରେ ପ୍ରତିଷ୍ଠିତ ରାଜ୍ୟର ମୂଲ୍ୟ କ’ଣ ?

 

 

 

ଅଶୋକ

-

ମୂଲ୍ୟ ଅଛି ମା’-ସାମ୍ରାଜ୍ୟ ନାହିଁ ବୋଲି ହିନ୍ଦୁର ହିନ୍ଦୁତ୍ୱ ନାହିଁ-ଆର୍ଯ୍ୟର ଆର୍ଯତ୍ୱ ନାହିଁ-କେବଳ କ୍ଷୁଦ୍ର ସ୍ୱାର୍ଥ-କ୍ଷୁଦ୍ର ଦଳାଦଳି ଓ ସଂଘର୍ଷଣ-ଦେଶର ଏହି ଅଧୋଗତି ଏବଂ ଧର୍ମର ଏହି ଘୋର ବ୍ୟତିକ୍ରମ-ମୁଁ ବୁଝିସୁଝି ଏଥିପାଇଁ ସ୍ନେହ ମମତା ସବୁ ବିସର୍ଜନ ଦେଇଛି । ଶେଷରେ ଦେଖିବୁ-ଏହି ଧ୍ୱଂସ ଏବଂ ଏହି ହତ୍ୟା ଭିତରୁ, ଏକ ନୂତନ ଧର୍ମ, ନୂତନ ଦେଶ, ନୂତନ ସମାଜର ସୃଷ୍ଟି ହେବ; ମୋର ଏ ହିଂସା ବୋଲି ଯାହା କହୁଛୁ ତାହାହିଁ ଦିନେ ଅହିଂସାର ଜାହ୍ନବୀ ପ୍ଲାବନରେ ଆର୍ଯ୍ୟାବର୍ତ୍ତରେ ଗୋଟାଏ ପୁଲକ ପ୍ରବାହ ଖେଳାଇ ଦେବ-ଆ ମା’, ଏ ସବୁରେ ତୁ ମୁଣ୍ଡ ଖରାପ କରନା-ଆ-ମୁଁ ଯାଏଁ । (ପ୍ରସ୍ଥାନ)

Image

 

୫ମ ଦୃଶ୍ୟ

 

 

 

(ସମୟ ରାତ୍ର-ସ୍ଥାନ ଗୟାନଦୀ ତୀରସ୍ଥ କୁଟୀର; ମୃତ୍ୟୁ ଶଯ୍ୟାରେ ଶତ୍ରୁ ଦମନ-ଐରର କୋଳରେ ମୁଣ୍ଡ ଦେଇ ଶୋଇଥିଲେ । ଐର ଉଦ୍‌ଗ୍ରୀବ ପ୍ରାଣରେ ଏକଧ୍ୟାନରେ ଶତ୍ରୁଦମନର ମୁହଁକୁ ଅନାଇ ପଙ୍ଖା କରୁଥାଏ । ଦୂରରୁ ସତେ ଯେମିତି ବିଷାଦଭରା ଗମ୍ଭୀର ସ୍ୱରଟାଏ ପବନରେ ଖେଳି ଯାଉଥାଏ । କିଛିକ୍ଷଣ ପରେ ଶତ୍ରୁଦମନ ଆଖି ଫିଟାଇ ନିଜର ଚାରିପାଖ ଅବସ୍ଥା ଦେଖି ଚିନ୍ତାକଲେ, ପରେ କହିଲେ)

ଶତ୍ରୁଦମନ

-

(ଚେତା ପାଇ ଚାରିଆଡ଼େ ଅନାଇ) ମୁଁ କେଉଁଠି-ତୁମ୍ଭେ କିଏ ?

ଐର

-

କିଛି ଚିନ୍ତା ନାହିଁ-ଦେଖୁନାହଁ ତୁମ୍ଭେ ସନ୍ୟାସୀ ଆଶ୍ରମରେ-

ଶତ୍ରୁଦମନ

-

ଓଃ-ଏଠିକି କିପରି ଆସିଲି-(ବସିବାକୁ ଚେଷ୍ଟା)

ଐର

-

ତୁମେ ମୂର୍ଚ୍ଛିତ ହୋଇ ବାଟ ପାଖରେ ପଡ଼ିଥିଲ-ମୁଁ ନେଇ ଆସିଛି-

ଶତ୍ରୁ

-

ହଁ ମନେପଡ଼ିଲା, ବାବା-ବାଟରେ ପଡ଼ିଥିଲି-

ଐର

-

(ସ୍ୱଗତଃ) କିଏ ଏହି ପରପାରିର ଯାତ୍ରୀ-ମୋର ମନ ଏପରି ସଂସାରୀସୁଲଭ ମମତାରେ ଭରିଯାଉଛି କାହିଁକି ?

ଶତ୍ରୁ

-

ଯୁବକ- (କଷ୍ଟରେ)

ଐର

-

କଅଣ ବେଶୀ କଷ୍ଟ ହେଉଛି ?

ଶତ୍ରୁ

-

କଷ୍ଟ-କଷ୍ଟର ସୀମାତ ମୁଁ ଟପି ଆସିଛି ।

ଐର

-

ତେବେ କଅଣ କହୁଛ ?

ଶତ୍ରୁ

-

ଆଛା କହିପାର, ସଂସାର ଆଗପରି ଅଛି କି-କିଛି ପରିବର୍ତ୍ତନ ହେଲାଣି ।

ଐର

-

(ସ୍ୱଗତଃ) ଏହା ବୃଦ୍ଧର ପ୍ରଳାପ ବାକ୍ୟ-କିନ୍ତୁ ଏ କଅଣ-ମୁଁ ଏହାର କଟାକ୍ଷ ରଶ୍ମିରେ ଏପରି ବିହ୍ୱଳ ହୋଇଯାଉଛି କାହିଁକି-ଏ କି ଦୁର୍ବଳତା-

ଶତ୍ରୁ

-

ନୀରବ ରହିଲ ଯୁବକ ?

ଐର

-

ସଂସାର ପୂର୍ବପରି ରହିଛି ।

ଶତ୍ରୁ

-

ଠିକ୍ ଦେଖୁଛ-ପୂର୍ବପରି ଅଛି-ଆଗେତ କିନ୍ତୁ ଏତେ ପ୍ରତାରଣା ଏତେ ଛଳନା-ଏତେ କୃତଘ୍ନତା-ନଥିଲା ।

ଐର

-

ସ୍ଥିର ହୋଇ ଶୋଇରୁହ ବୃଦ୍ଧ, ମନରେ ଶାନ୍ତି ପାଇବ ।

ଶତ୍ରୁ

-

ହଉ, (ଆଖି ବୁଜିବା)

ଐର

-

ଏ କି ଭାବନା ମୋ ମନରେ ଉଠୁଛି-ସଂସାରତ୍ୟାଗୀ ସନ୍ୟାସୀଙ୍କର ଶିଷ୍ୟ ମୁଁ-ମୋର ଏ ପ୍ରବୃତ୍ତିଜ୍ୱାଳା କାହିଁକି ?

ଶତ୍ରୁ

-

(ହଠାତ୍) ଯୁବକ ! ମୋର ସମୟ ନିକଟ-ମୁଁ କହିଯାଏଁ –

ଐର

-

କଅଣ କହିଯିବ ?

ଶତ୍ରୁ

-

ମୋର ଆତ୍ମ ପରିଚୟ-ଏହାପରେ କହିବାକୁ ଆଉ ଅବସର ନଥିବ ।

ଐର

-

ପରେ କହିବ-ବର୍ତ୍ତମାନ ତୁମ୍ଭଙ୍କୁ କଷ୍ଟ ହେବ ।

ଶତ୍ରୁ

-

ହେଉ ପଛେ-ତୁମେ ଖାଲି ଶୁଣିଯାଅ-

ଐର

-

ହଉ କୁହ ତେବେ-ନା ଥାଉ-କି ପ୍ରୟୋଜନ –

ଶତ୍ରୁ

-

ପ୍ରୟୋଜନ ଅଛି-ମୁଁ କିଏ ଜାଣ-ମୁଁ କଳିଙ୍ଗର ଏକକାଳୀନ ଛତ୍ରପତି ଶତ୍ରୁଦମନ-(ଦୀର୍ଘନିଶ୍ୱାସ ମାରିବା)

ଐର

-

ନା-ତୁମ୍ଭଙ୍କୁ କଷ୍ଟ ହେଉଛି-ଥାଉ-ବର୍ତ୍ତମାନ ଇଷ୍ଟ ଚିନ୍ତାକର –

ଶତ୍ରୁ

-

ଇଷ୍ଟ ଚିନ୍ତା କରିବି-ମୋ ବକ୍ଷରେ କି ଦୁନିର୍ବାର ତୀବ୍ରଜ୍ୱଳା ତା ତୁମ୍ଭେ ବୁଝିବ କାହୁଁ-ନା, ନା, ମୁଁ କହିଯାଏ-କେଜାଣି ଅବା ସେଥିରେ କିଛି ଶାନ୍ତି ପାଇବି । ମୁଁ ଥିଲି କଳିଙ୍ଗ ସେନାପତି-ମୋର ଅଙ୍ଗୁଳି ସଞ୍ଚାଳନରେ ଲକ୍ଷମଥା ସଞ୍ଚାଳିତ ହେଉଥିଲା-ଦିନେ ମୋର କଟାକ୍ଷରେ ସୈନିକ ପ୍ରାଣରେ ହୃତ୍‌କମ୍ପ ଜନ୍ମୁଥିଲା-ମୁଁ ସେହି ସେନାପତି, ଯାହାର କରୁଣାବଳରୁ ଶିଳାଦିତ୍ୟ ଆଜି କଳିଙ୍ଗରେ ରାଜା କିନ୍ତୁ ପାଇଛି କ’ଣ ଜାଣ ? ସେହି କୃତଘ୍ନ ସ୍ତ୍ରୈଣ-ରାଜା ମୋର ଅବଶିଷ୍ଟ ଏକମାତ୍ର ପୁତ୍ରକୁ ହତ୍ୟା କରିଛି-ମୋତେ ହସ୍ତହୀନ କରିଛି ଏବଂ ମୋର ଏକମାତ୍ର କନ୍ୟାକୁ ଅପହରଣ କରିଛି-

ଐର

-

କେତେ ବର୍ଷ ହେବ ଏହା ଘଟିଛି ।

ଶତ୍ରୁ

-

ଆଜକୁ ୧୮ବର୍ଷ ହେବ (ଦୀର୍ଘନିଶ୍ୱାସ ମାରିବା)

ଐର

-

ଥାଉ ବୃଦ୍ଧ ତୁମ୍ଭର ଏ ଦୁଃଖ କାହାଣୀ-

ଶତ୍ରୁ

-

ଆଜି ଯଦି ବିଧାତା ଦୟାକରି ମୋର ହାତ ଫେରାଇ ଦିଅନ୍ତା-ଯଦି ମୃତ୍ୟୁ ଦୟାକରି ଟିକିଏ ଅବସର ଦିଅନ୍ତା-ତେବେ ଦେଖନ୍ତ ଯୁବକ-ଏ ବୃଦ୍ଧ ଏବେ ସୁଦ୍ଧା ଏ ଶରୀରରେ ଏତେ ଶକ୍ତି ରଖିଛି ଯେ ସେ ଯଦି ଥରେମାତ୍ର ତାର ପୂର୍ବ ସୈନ୍ୟମାନଙ୍କ ମଧ୍ୟରେ ଠିଆ ହେବ ତାହାହେଲେ ସେହି ସୈନିକମାନଙ୍କର ଆନନ୍ଦ ଚିତ୍କାରରେ-କଳିଙ୍ଗ ରାଜ୍ୟ ଏକାବେଳେକେ ଭସ୍ମୀଭୂତ ହୋଇଯିବ-ଉଃ-(ଦୀର୍ଘଶ୍ୱାସ)

ଐର

-

କଷ୍ଟ ହେଉଛି ବୃଦ୍ଧ-ବନ୍ଦ କର-

ଶତ୍ରୁ

-

ନା, ଆଉ ଅଳ୍ପ ଅଛି ଶୁଣିନିଅ-ମୋର ଆଉ କେହି ନାହିଁ-କେବଳ ସେହି ଅପହୃତା କନ୍ୟାଟି ଯଦି କାହିଁ ବଞ୍ଚିଥାଏ ବା ତାହାର କେହି ବଂଶଧର ଥାଏ-ଯଦି ତାର କେବେ ସନ୍ଧାନ ପାଅ-ତାକୁ କହିଦେବ ଯୁବକ-ମୃତ୍ୟୁର ପରପାର୍ଶ୍ୱରେ ବସି- ତୋର ପିତା, ମାତାମହ ଅନାଇ ରହିଛନ୍ତି-ତୁ କେବେ ପ୍ରତିଶୋଧ ନେବୁ- (ଦୀର୍ଘନିଶ୍ୱାସ ତ୍ୟାଗ )

ଐର

-

(ସ୍ୱଗତଃ) ଅପହୃତା କନ୍ୟା-ଅବ ତାହାର ବଂଶଧର-(ପ୍ରକାଶ୍ୟେ) ତୁମ୍ଭର କନ୍ୟାର ନାମ କ’ଣ ?-ପୁଷ୍ପ ନୁହେଁ ତ ?

ଶତ୍ରୁ

-

ହଁ, ହଁ, ପୁଷ୍ପ-ତୁମ୍ଭେ କାହୁଁ ଜାଣିଲ-ତାକୁ ଚିହ୍ନ ? କାହିଁଅଛି କହିପାର ? (ଉତ୍ତେଜିତଭାବେ)

ଐର

-

(ସ୍ୱଗତଃ) ସେ ଯେ ମୋର-

ଶତ୍ରୁ

-

(ଉଠବସି) ଆଉତ ସହିପାରୁନାହିଁ-(ଐରକୁ ଧରି ପକାଇ) ମୋର ଯାହା କିଛି ଧର୍ମ୍ମ-ତାହା ତୁମ୍ଭଠାରେ ବିନିମୟ କରି କହିଯାଉଛି-କହିବ ଯୁବକ-ମୋର ଅନ୍ତିମ ଅନୁରୋଧ ପ୍ରତିଶୋଧ, ପ୍ର-ତି-ଶୋ-ଧ (ମୃତ୍ୟୁ)

ଐର

-

(ମୁଣ୍ଡରେ ହାତମାରି) ପୁଷ୍ପ ଯେ ମୋର ମାଆର ନାମ-ସେ ଅପହୃତା ଏବଂ ସମ୍ଭ୍ରାନ୍ତ କଳିଙ୍ଗ କନ୍ୟା ଏକଥା ଗୁରୁଦେବ ମଧ୍ୟ କହିଛନ୍ତି; ଓଃ ଏତେଦିନେ ଏ ରହସ୍ୟ ବୁଝିପାରିଲି-ଅଜା, ଅଜା, (ଶତ୍ରୁଦମନକୁ ଧରି)-ମୁଁ ତୁମ୍ଭର ସେହି ହତଭାଗ୍ୟ ପୌତ୍ର-ଯାଅ ବୀର ସଂସାରର ପ୍ରପଞ୍ଚ ଜ୍ୱାଳାରୁ ଜୀବନ୍ତ ନରକରୁ ମୁକ୍ତି ନେଇଯାଅ; ଯେଉଁଠି ପ୍ରତାରଣା ନାହିଁ-କୃତଘ୍ନତା ନାହିଁ; ଆତ୍ମଗ୍ଲାନି ନାହିଁ; କିନ୍ତୁ ଆଶୀର୍ବାଦ କର; ତୁମ୍ଭର ନିର୍ଦ୍ଦେଶ ପାଳି ମୁଁ ଯେପରି ଜଗତକୁ ଦେଖାଇପାରେ କୃତଘ୍ନତାର ଶାସ୍ତି ଅଛି-ଅତ୍ୟାଚାରର ଦଣ୍ଡ ଅଛି, ଯଦି କୃତକାର୍ଯ୍ୟ ହୋଇ ଫେରେ ତେବେ ତୁମର ଏହି-ମୃତ୍ୟୁ ସ୍ଥାନକୁ ପିତୃ ପୁରୁଷଙ୍କର ପିଣ୍ଡକ୍ଷେତ୍ର କରିବି, ଆଜି ବୁଝୁଛି-ଭିକ୍ଷୁ ପାଳିତ ହେଲେ ମଧ୍ୟ ମୋର ମନରେ ସମୟେ ସମୟେ କ୍ଷତ୍ରିୟସୁଲଭ ଉନ୍ମାଦନା କାହିଁକି ଆସେ । ଏହି ତୁମ୍ଭର ଶବଦେହ ସ୍ପର୍ଶକରି ଶପଥ କରୁଛି କଳିଙ୍ଗ ରାଜାବଂଶର ବିଲୋପ ସାଧନ କରିବି-ଶିଳାଦିତ୍ୟକୁ ଉଚିତ ଶାସ୍ତି ଦେବି ଯଦି ସେ ନରକରେ ଆଶ୍ରୟ ନିଏ ତେବେ ସୁଦ୍ଧା ତାର ନିସ୍ତାର ନାହିଁ- ପ୍ରତିଶୋଧ-ପ୍ରତି-ଶୋଧ-ପ୍ରତିଶୋଧ

(ପ ଟ୍ଟ ପ ରି ବ ର୍ତ୍ତ ନ)

Image

 

୬ଷ୍ଠ ଦୃଶ୍ୟ

(ଉତ୍କଳ ସୀମାନ୍ତ ରାଜପଥ-ତର୍କଚଞ୍ଚୁ ଏକାକୀ, କୁଷ୍ଠବ୍ୟାଧି ଗ୍ରସ୍ତ)

 

ତର୍କଚଞ୍ଚୁ

-

ଆଉ କେତେ ପଳାଇବି, ପଳାଇ ପଳାଇ ହଇରାଣ । କିଏ ମାଇଲା ନୂଆ ସେନାପତିକୁ ଅଥଚ ଦୋଷ ଲଦା ହେଲା ଆମ ଉପରେ-ଆଉ ପଳାଇବାର ତ ଶକ୍ତି ନାହିଁ-ଆଉ ପଳାଇଲେ ବା କ’ଣ ହେବ-ଦେହରେ ଯେଉଁ ବ୍ୟାଧି ଦେଖାଗଲାଣି, ସେତ ମଲାର ବଡ଼ ବୋପା; ଧରାପଡ଼ିଲେ ତ ଶୂଳି-ଏପରି ଖରାପ ରୋଗରେ ପଡ଼ିସଢ଼ି ମରିବାଠାରୁ ଧରା ଦେଇ ଶୂଳି ପାଇବା ଭଲ; ପାଦତ ଆଉ ପାଦେ ଆଗଉ ନାହିଁ ଏଇଠି ବସେଁ କପାଳରେ ଯାହାଥିବ; (ବସି ଗୋଡ଼ ଆଉଁସିବା ମାଛି ଅଡ଼େଇବା)

 

 

(ଜଗୁର ଛୋଟେଇ ଛୋଟେଇ ପ୍ରବେଶ)

ଜଗୁ

-

ବାଟତ ଆଉ ଶେଷ ହେବାକୁ ନାହିଁ ବାବାଜୀ ମଠ ଯେ କେଉଁଠି କୋଉ ବାଟରେ ଯିବି ଜାଣେ ନାହିଁ । ଏହି ଲେଙ୍ଗଡ଼ା ଗୋଡ଼ରେ ୯ ମାସ ହେଲା ଚାଲିଲିଣି; ତିନିଦିନ ହେଲା ପେଟରେ ମୁଠାଏ ଦାନା ପଡ଼ିନାହିଁ; ଏଣେ ପେଟର ଜ୍ୱାଳା ବାହାରେ ରୋଗର ଜ୍ୱଳା; ମରିଯାଆନ୍ତି ତ ଏ କଷ୍ଟରୁ ତରି ଯାଆନ୍ତି । ହେ ଯମଦେବତା ତୁମେ କ’ଣ ମୋତେ ଭୁଲିଗଲ ।

କ୍କ

କଳିଙ୍ଗ

ତର୍କ

-

(ସ୍ୱଗତଃ) ଏ ତ ଜଗୁ ସେଠୀର ତୁଣ୍ଡ ଶବଦ ପରି ବୋଧ ହେଉଛି; ତାର ଦୁଃଖ ବି ମୋ ଦୁଃଖଠାରୁ କମ୍ ନୁହେଁ, ହେବ କାହୁଁ,-ପାପ ବୋଲିତ ଆଉ କିଛି ବାକି ରଖିନାହୁଁ; ମୋତେ ବୋଧହୁଏ ଚିହ୍ନିପାରୁନାହିଁ; ଏ ଦେହ ଯାହା ହେଲାଣି ଏଥିରେ ନିଜର ପୁଅ ମାଇପତ ଚିହ୍ନିବା କଷ୍ଟ ।

ଜଗୁ

-

ବାବା, ଲଣ୍ଡା ବାବାଜୀ ମଠକୁ ବାଟ କିଏ ଆଉ କେତେଦୂର କହିପାରିବ ?

ତର୍କ

-

କାହିଁକି ? କଅଣ ପାଇଁ ସେଠାକୁ ଯାଉଛ ?

ଜଗୁ

-

ବାବା, ଶୁଣିଲି-ସେଠାରେ ହୁକୁମ୍ ମିଳୁଛି-ଯେତେ ଲେଙ୍ଗଡ଼ା, କଣା ବଡ଼ ବେମାରିଆ ସେଠି ଆଶ୍ରା ପାଉଛନ୍ତି ଭଲ ହେଉଛନ୍ତି ସେଥିପାଇଁ ବାବା, ବହୁତ ଦୂରରୁ ଓଡ଼ିଶା ରାଇଜରୁ ଆସିଛି । (ହଠାତ୍‌ ତର୍କଚଞ୍ଚୁ ଦେହ ଦେଖି) ବାପା ତୁମ ଦେହରେ ତ ରୋଗ ଦେଖାଗଲାଣି, ତୁମେ କ’ଣ ସେଇଠିକି ଯାଉଛ କି ? ମୋତେ ଟିକିଏ ସଙ୍ଗରେ ନିଅ ।

ତର୍କ

-

କି ଜଗୁ ଚିହ୍ନି ପାରୁନାହୁଁ ? ମୋତେ ଭଲ କରି ଅନାଇଲୁ

ଜଗୁ

-

(ନିରୀକ୍ଷଣ କରି ଆଶ୍ଚର୍ଯ୍ୟେ) ଏ ଯେ ମିଶ୍ରେ-ଆଁ-ତୁମ ଚେହେରା ଏମିତି ହୋଇଛି ଯେ ତୁମକୁତ ସାତ ଦୁଷ୍ମନ ଚିହ୍ନିପାରିବନାହିଁ-ତୁମେ ଏଠି ବସିଛ ଚିହ୍ନା ଦଉନା; ସେ ମଠର ଖବର ପାଇ ବୋଧହୁଏ ଆସିଛ ?

ତର୍କ

-

ନାରେ ଜଗୁ-ମଠ ଫଠ ଖବର ମୁଁ ଜାଣେନାହିଁ । ମୁଁ ତୋରିଠୁଁ ଶୁଣୁଛି, ସେଠିକି ଗଲେ କ’ଣ ରୋଗ ଆରାମ ହେବ ? ତେବେ ଚାଲ ମୁଁ ବି ତୋ ସଙ୍ଗରେ ଯିବି-

ଜଗୁ

-

ବାଟତ ଜଣାନାହିଁ; ଏଇଠି ଅପେକ୍ଷା କର କେହି ବାଟୋଇ ଗଲେ ପଚାରିବା, ଏଇତ ଦୂରରୁ ଜଣେ କିଏ ଆସୁଛି-

 

 

(ସେଠାଲି ବାଡ଼ିଧରି ଗୀତ ଗାଇ ଗାଇ ପ୍ରବେଶ)

(ଗୀତ)

କୃତକର୍ମ ଫଳ ଭୋଗେ ତିତି ନେତ୍ର ନୀରେ-

ସୃଷ୍ଟି ମଧ୍ୟେ ଦୃଷ୍ଟିହୀନ କର୍ମନାଶା ତୀରେ ।

ସୁଖ ବନ୍ଧୁ ସୁଖ ସାଥୀ ଭୁଲିଗଲେ ଗୋ-

ଦୁଃଖସିନ୍ଧୁ ଚିର ଯାତ୍ରୀ ବୁଲି ବୁଲେ ଗୋ

ମର୍ମବ୍ୟଥା ମର୍ମେ ମାରି-କର୍ମଲିପି ଅନୁସରି

ନିରୁପାୟେ ପ୍ରାଣ ଯାଏ ପଥପରେ ଏବେ ହାହାକାରେ ॥

ତର୍କ

-

ଜଗୁରେ, ଦେଖିଲୁ ଏ ସେଠାଲିର ତୁଣ୍ଡ ନା ?

ଜଗୁ

-

ଠିକ୍ ତ ମିଶ୍ରେ-ସେଠାଲିର ଖବର ମୁଁ ତ ବହୁକାଳରୁ ପାଇନାହିଁ, ସେ କ’ଣ ଅନ୍ଧ ହୋଇଗଲାଣି ?

 

 

(ସେଠାଲି ସେହିପରି ବାଟ ଅଣ୍ଡାଳି ଚାଲିଲା)

ତର୍କ

-

ହଇହେ, କେଉଁଠୁ ଆସୁଛ ?

ସେଠାଲି

-

ବାବା, ଅନେକ ଦୂରରୁ ଆସୁଛି, ତୁମେ ଜାଣିବ ନାହିଁ-

ତର୍କ

-

ତମ ଆକ୍ଷିକି କଅଣ ଦୃଶ୍ୟ ହେଉନାହିଁ ?

ସେଠାଲି

-

ନା ବାବା-

ତର୍କ

-

ତେବେ ଆସିଲ କିପରି ?

ସେଠାଲି

-

ବାବା, ସେ ଦୁଃଖର କଥା କହନା-କେହି ସାହା ଭରସା ନାହିଁ, ଏକମାତ୍ର ପୁଅକୁ ସାଙ୍ଗରେ ଘେନି ଆସୁଥିଲି ତାକୁ ଚାରିଦିନ ତଳେ ସାପ ମାଇଲା-ଏଇ ବାଡ଼ି ଠକ୍ ଠକ୍ କରି ଆସୁଛି-ଏତେକ ବାଟ ଖାଲ ଢିପରେ ପଡ଼ି ଉଠି ଆସୁଛି-କାଲି ଶୁଣିଥିଲି ଏଇଠି କୋଉଠି ନଈ ଅଛି-ତା ଆର ପାରିରେ ଜଣେ ସାଧୁ ଥାନ୍ତି, ତାଙ୍କ ହୁକୁମ୍‌ରେ ଅସାଧ୍ୟ ମଧ୍ୟ ସାଧ୍ୟ ହେଉଛି, ମୋତେ ଟିକିଏ ବାଟ ବତେଇ ଦିଅ ବାବା-

ଜଗୁ

-

ମିଶ୍ରେ, ଏତ ସେଠାଲିର ଚାଲି ଚରଣ-ଏ ନିଶ୍ଚୟ ସେହି; ଆଉ ଟିକିଏ ଖୋଲି ପଚାରନା-

ତର୍କ

-

ଯିବତ ହଁ-ତୁମ୍ଭ ଘର କେଉଁଠି ? ଆସୁଛ କେଉଁଠୁ ? ଅନ୍ଧ କ’ଣ ଜନ୍ମରୁ ଥିଲ ନା ହେଲ ?

ସେଠା

-

କଅଣ ଶୁଣିବ ବାବା ସେ ଦୁଃଖ କଥାଗୁଡ଼ାକ, ସବୁ ମୋର ଅର୍ଜିଲା କର୍ମ, ସେ କଥା ଶୁଣିଲେ ତୁମକୁ ପାପ ଲାଗିବ ମୋତେ ଟିକିଏ ବାଟ କହିଦିଅ ତୁମର କୋଟି ପରମାୟୁ ହେବ ।

ତର୍କ

-

ହଉ ଯିବତ, ଟିକିଏ ବସ କଥା କ’ଣ କୁହ ଶୁଣିବା-

ସେଠା

-

ଶୁଣିବ-ଖାଲି ମନ ଖରାପ ହେବ-ମୋ ଘର କଳିଙ୍ଗ ମୂଲକରେ-ବହୁତ ପାପ କରିଛି, ନିଶା ଖାଇଛି, ମୋର ତିନୋଟି ସାଙ୍ଗୀଥିଲେ ତାଙ୍କ ସାଙ୍ଗରେ ପଡ଼ି ବହୁତ କୁକାର୍ଯ୍ୟ କରିଛି । ନିଶା ଖାଉଥିଲି କ୍ଷତି ନଥିଲା କିନ୍ତୁ ତାଙ୍କ ସାଙ୍ଗରେ ପଡ଼ି ପରବୋହୂ, ଭୂଆସୁଣୀଙ୍କି ନଜର ଦେଲି-ତାରି ଫଳରେ ଆକ୍ଷି ହରାଇଛି । ଗୋଟିଏ ବୋଲି ପୁଅ, ଏ ଅନ୍ଧକୁ ବାଟ କଢ଼ାଇ ଆଣୁଥିଲା; କାଲି ତାକୁ ଆର ଗାଁରେ ସାପ ମାଇଲା-ମୋ ବଂଶ ବୁଡ଼ିଲା-(କାନ୍ଦିବା)

ଜଗୁ

-

ଜେନାଏ-କାନ୍ଦୁଛ କାହିଁକି ? ଜୀବନ ଯାକତ ପଡ଼ିଛି-

ସେଠା

-

ଜେନାଏ ବୋଲି ଡାକିଲ କିପରି ? କିଏ ତୁମ୍ଭେ ସାନ୍ତେ ?

ଜଗୁ

-

ଆରେ ମୁଁ ପରା ଜଗୁ ଆଉ ଏ ମିଶ୍ରେ ଆପଣେ –

ସେଠା

-

କଅଣ-ଜଗୁଭାଇ, ଆଉ ମିଶ୍ର ସାଆନ୍ତେ ! କେଉଁଠି ବସିଛ ? ଟିକିଏ ପାଖକୁ ଆସ-ଜୁହାର ଭାଇ-

ତର୍କ

-

ଜେନାଏ-ଆଉ ପାଖକୁ ଡାକ ନାହିଁ-ମୋତେ ବଡ଼ ବେମାରି-ଜଗୁବି ଲେଙ୍ଗଡ଼ା-ପାପତ ଆଉ କାହାରି ଉଣା ନୁହେଁ-ନିକ୍ତିରେ ଓଜନ ହୋଇ ଫଳ ମିଳିଛି, ତେବେ ଚାଲ ସେଠାଲି ଚାଲ ଜଗୁ ସେହି ମଠକୁ ଯିବା-ସେଇ ଗୀତଟା ପୁଣି ଗା-

 

 

(ତର୍କଚଞ୍ଚୁ ଜଗୁ ଆଗରେ ଚାଲିଲେ ପଛରେ ସେଠାଲି ଗୀତ ଗାଇ ଗାଇ ଚାଲିଲା)

ସେଠାଲି

-

ଗୀତ

 

 

କେବା ଏହି ଅସମୟେ ସାହା ହେବ ଗୋ

 

 

ଏ ଅଜଣା ଦେଶେ ମୋତେ ରାହା ଦେବ ଗୋ

 

 

ପଡ଼ିଗଲେ ନେବ ଧରି-ଭୋକେ ଦେଇ ଅନ୍ନ ବାରି

 

 

ପାତକୀକୁ ପରଶିବ-ସାନ୍ତ୍ୱନାରେ ସରସିବ

 

 

ଦୁଃଖ ଯାତନାରେ ।୨।

(ଯ ବ ନି କା ପ ତ୍ତ ନ)

Image

 

୭ମ ଦୃଶ୍ୟ

ମଗଧର ଦରବାର କକ୍ଷ; ସମୟ ରାତ୍ରୀ

 

 

 

(ସୁସଜ୍ଜିତ ରାଜସଭା-ସାମନ୍ତ ପାତ୍ରମିତ୍ର ଯଥା ସ୍ଥାନରେ ଉପବିଷ୍ଟ ପ୍ରହରୀ ନିକଟରେ ଠିଆ ନର୍ତ୍ତକୀମାନଙ୍କର ନୃତ୍ୟ ଗୀତରେ ଦରବାର ମୁଖରିତ)

ଗୀତ

(ଦେଖ) ବିଜୟ ବିଭବେ ସାଜିଛି ମଗଧ,

ବିକଶିତ ରାଜ ମହିମା ।

ପୁଲକେ ଉଚ୍ଛୁଳି ପବନ ହିଲ୍ଲୋଳେ

ଭାସିଆସେ ବୀର ଗରିମା ।

ଜୀବନ ମନ ମାତିଯାଏ,

ଅମାନିଶା ଧୀରେ ମିଳାଇ ଯାଏ

ନବସାଜେ ଆଜି ରାଜନ୍ତି ଭୂପତି

ସରାଗେ ଆଶୀଷ ଢାଳଇ ଗୋ-

ନବରବି ଛବି ରଙ୍ଗିମା ॥୧॥

 

 

(ଗୀତ ପରେ ନର୍ତ୍ତକୀମାନେ ସମ୍ରାଟଙ୍କୁ ଅଭିବାଦନ ଜଣାଇ ପ୍ରସ୍ଥାନ କଲେ)

ଅଶୋକ

-

ସାମନ୍ତବର୍ଗ, ଆଜି ଆପଣମାନଙ୍କୁ କାହିଁକି ଆହ୍ୱାନ କରିଛି ଜାଣନ୍ତି ?

୧ମ ସାମନ୍ତ

-

ଆଦେଶ କରନ୍ତୁ ରାଜାଧିରାଜ !

ଅଶୋକ

-

ଭାରତର ବର୍ତ୍ତମାନ ରାଜନୈତିକ ଅବସ୍ଥା ଦେଖୁଛନ୍ତି ତ ? ପୁଣ୍ୟଶ୍ଳୋକ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କର ସେହି ବିଶାଳ ସାମ୍ରାଜ୍ୟ କାହିଁ ?

୨ୟ ସାମନ୍ତ

-

ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଜନପଦରେ ପରିଣତ ହୋଇ ଦେଶର ବହୁତ କ୍ଷତି କରିଛି-

ଅଶୋକ

-

କେବଳ କ’ଣ ସେତିକି ? ଏହି କ୍ଷୁଦ୍ର କ୍ଷୁଦ୍ର ରାଜ୍ୟହିଁ ଏ ଦେଶର ଜାତୀୟତା, ସମ୍ପାଦନରେ ବିଘ୍ନ; ଏକତା ଓ ଦେଶାତ୍ମବୋଧ ଜନ୍ମାଇବାର ବିରାଟ ଅନ୍ତରାୟ ।

୧ମ ସାମନ୍ତ

-

ଏହା ଅଭ୍ରାନ୍ତ ସତ୍ୟ ମଣିମା-

ଅଶୋକ

-

ଏହାରି ଯୋଗୁ ଶୌର୍ଯ୍ୟବୀର୍ଯ୍ୟ ଓ ସଭ୍ୟତାରେ ଜଗତ ଶ୍ରେଷ୍ଠ ହୋଇ ଭାରତମାତାର ଏ ହୀନ ଦଶା-ସର୍ବତ୍ରହିଁ କେବଳ ହିଂସା, ଦ୍ୱେଷ, ଜଡ଼ତା; କେବଳ କ୍ଷୁଦ୍ର ସ୍ୱାର୍ଥର ସଂଘର୍ଷ-ଆତ୍ମ ପ୍ରତାରଣା-

୨ୟ ସାମନ୍ତ

-

ଅଭିଶାପଗ୍ରସ୍ତ ଭାରତ ଓ ଭାରତବାସୀର ଦୁର୍ଭାଗ୍ୟ-

ଅଶୋକ

-

କେବଳ ଭାଗ୍ୟକୁ ଦୋଷିଲେ ଚଳିବ ନାହିଁ କି ନିଶ୍ଚେଷ୍ଟ ହୋଇ ବସିରହିଲେ ଆର୍ଯ୍ୟ ମହିମାର ସେ ଅପୂର୍ବ ଅତୀତ ଗରିମା ଫେରିଆସିବ ନାହିଁ-ସେଥି ନିମିତ୍ତ ସର୍ବସ୍ୱ ପଣରେ ସ୍ୱଦେଶ ବତ୍ସଳତାର ପରାକାଷ୍ଠା ଦେଖାଇବାକୁ ପଡ଼ିବ-

୧ମ ସାମନ୍ତ

-

ମହାରାଜାଙ୍କର ନିର୍ଦ୍ଦେଶ ଆମ୍ଭମାନଙ୍କର ଧର୍ମ୍ମ, ଆଦେଶ ବେଦବାକ୍ୟ-କହନ୍ତୁ ସମ୍ରାଟ କ’ଣ କରିବୁ ?

ଅଶୋକ

-

ଏହି ଭେଦାଭେଦ ବିନଷ୍ଟ ଦେଶକୁ ପୁଣି ଏକ ମହାଦେଶରେ ପରିଣତ କରିବାକୁ ହେବ-ଏହି ସ୍ୱାର୍ଥାନ୍ଧ ହୀନଚେତ୍ତା ଭାରତକୁ ପୁଣି ମହାଜାତୀୟତାର ଉନ୍ମାଦନାରେ ଉଦ୍ଦୀପ୍ତ କରିବାକୁ ହେବ-ଏହିସବୁ କ୍ଷୁଦ୍ରରାଜ୍ୟ ଭାଙ୍ଗି ଏକ ବିଶାଳ ରାଜ୍ୟର ପ୍ରତିଷ୍ଠା କରିବାକୁ ହେବ-

୨ୟ ସାମନ୍ତ

-

ମହାମହିମ ସମ୍ରାଟ, ଏହି ମହାବ୍ରତ ପାଳନରେ କିଏ ଅବା ମଣିମାଙ୍କର ଅନୁଗାମୀ ନହେବ-ଅତୀତର ଉଜ୍ଜ୍ୱଳ ସ୍ମୃତି କାହାର ପ୍ରାଣରେ ଅବା ଆନନ୍ଦଝଙ୍କାର ନ ଉଠାଇବ ? ଜାତିର ମହତ୍ତ୍ୱ ଅର୍ଜନରେ କିଏ ଅବା ମାନବତ୍ୱର ଶ୍ରେଷ୍ଠ ଅଞ୍ଜଳି ଦେବକୁ କୁଣ୍ଠିତ ହେବ ? ଆମ୍ଭମାନଙ୍କର ମଧ୍ୟ ସେହି ଏକ ବ୍ରତ, ଏକ ଆଶା; ସେହି ଏକ ଦୀକ୍ଷା, ଏକ ଉଚ୍ଛ୍ୱାସ-ମୃତ୍ୟୁର ସମ୍ମୁଖୀନ ହୋଇ ଆତ୍ମପ୍ରାଣରେ ତର୍ପଣ କରି ଦେଶ ମାତୃକାର ଜଡ଼ପିଣ୍ଡରେ ପ୍ରାଣ ପ୍ରତିଷ୍ଠା କରିବାକୁ ହେବ-ହୃତ୍‌ପିଣ୍ଡର ପ୍ରତ୍ୟେକ ତନ୍ତ୍ରୀ ଛିନ୍ନ ଭିନ୍ନ ହୋଇଗଲେ ମଧ୍ୟ ସେହି ଏକ ସ୍ୱରର ଝଙ୍କାରରେ ନିଜକୁ ଅନୁପ୍ରାଣିତ କରିବାକୁ ହେବ, ‘‘ତ୍ୱଂହି ପ୍ରାଣାଶରୀରେ’’ –

୧ମ ସାମନ୍ତ

-

ଆଦେଶ କରନ୍ତୁ ସମ୍ରାଟ, ମଗଧର ବିପୁଳ ବାହିନୀର ବିଜୟ ସଙ୍ଗୀତର ପ୍ରାଥମିକ ଉଦ୍‌ବୋଧନ କେଉଁ ରାଜ୍ୟରେ କରିବେ-

 

 

(ଉଦ୍‌ଭ୍ରାନ୍ତଭାବେ ଐରର ପ୍ରବେଶ)

ଐର

-

କଳିଙ୍ଗରେ ତାହାର ପ୍ରାଥମିକ ଉଦ୍‌ବୋଧନ ହେଉ ମହାରାଜ !

ଅଶୋକ

-

କିଏ ତୁମ୍ଭେ ଉଚ୍ଛୃଙ୍ଖଳ ଉନ୍ମାଦ ଯୁବକ ?-

ଐର

-

ଉଚ୍ଛୃଙ୍ଖଳ, କିନ୍ତୁ ଉନ୍ମାଦ ନୁହେଁ ସମ୍ରାଟ-କେଉଁ ରାଜ୍ୟକୁ ପ୍ରଥମେ ଅଭିଯାନ କରିବେ ପ୍ରଶ୍ନ ଉଠିଥିଲା, ମୁଁ ତାହାରି ସୂଚନା ଦେଉଛି; ଧୃଷ୍ଟତା ମାର୍ଜନା କରନ୍ତୁ;

ଅଶୋକ

-

ଯୁବକ, ତୁମ୍ଭର ପରିଧେୟ ଜୀର୍ଣ୍ଣଶୀର୍ଣ୍ଣ ହେଲେହେଁ ତୁମ୍ଭ କଥାରେ ସିଂହର ଶକ୍ତି ନିହିତ ଅଛି; କହ କିଏ ତୁମ୍ଭେ ?

ଐର

-

ଏ ହତଭାଗ୍ୟ କଳିଙ୍ଗର ଭୂତପୂର୍ବ ସେନାପତି ଶତ୍ରୁଦମନଙ୍କ ଦୋହିତ୍ର

ସମସ୍ତେ

-

ସ୍ୱନାମଖ୍ୟାତ ବୀର ଶତ୍ରୁ ଦମନଙ୍କର ଦୋହିତ୍ର !

ଐର

-

ବିଶ୍ୱାସ କରିପାରୁନାହାନ୍ତି-ମୋର ଏ ଦୀନହୀନ ଦଶା ଦେଖି କିଏ ଅବା ବିଶ୍ୱାସ କରିବ ?

୨ମ ସାମନ୍ତ

-

(ଦୃଢ଼ଭାବେ) ଏ ରଙ୍ଗାଳୟ ନୁହେଁ ଯୁବକ, ମଗଧପତିଙ୍କ ମନ୍ତ୍ରଣାମଣ୍ଡପ ।

ଐର

-

ମନ୍ତ୍ରଣାମଣ୍ଡପ ଜ୍ଞାନରେତ ଏଠାକୁ ଆସିଛି, ନଚେତ୍ ଜଗତପତିଙ୍କର ରଙ୍ଗାଳୟକୁ ମଧ୍ୟ ମୁଁ ତୁଚ୍ଛ ଜ୍ଞାନ କରେ;

 

 

(ସାମନ୍ତମାନେ ବିରକ୍ତିରେ ଐରକୁ କଟାକ୍ଷ କରିବାରୁ ଅଶୋକ ଆକ୍ଷିଠାରି ବାରଣ କଲେ ଓ କହିଲେ)

ଅଶୋକ

-

ଆଗେ ତୁମ୍ଭର ସବିଶେଷ ପରିଚୟ ଦିଅ-ଯେଉଁ ବୀରଶ୍ରେଷ୍ଠ ସେନାପତିଙ୍କର ସହାୟତାରେ କଳିଙ୍ଗ ଆଜି ସାରା ଦାକ୍ଷିଣାତ୍ୟର ସର୍ବଶ୍ରେଷ୍ଠ ରାଜ୍ୟ; ସେହି ସମରକୁଶଳୀ ଯୋଦ୍ଧାର ବଂଶଧର ହୋଇ ତୁମର ଏ ଅକିଞ୍ଚନ ଅବସ୍ଥା କାହିଁକି-?

ଐର

-

କାହିଁକି ? ବିଶ୍ୱାସ ଘାତକ କଳିଙ୍ଗେଶ୍ୱରଙ୍କର କୃତଘ୍ନତା ଫଳରୁ-

ଅଶୋକ

-

ତେବେ କ’ଣ ସେନାପତି ଶତ୍ରୁଦମନ ଆଉ-

ଐର

-

ଆଉ ଇହଧାମରେ ନାହାନ୍ତି-ସେହି ସ୍ତ୍ରୈଣ, କୃତଘ୍ନ ରାଜା-ରାଣୀର କୁମନ୍ତ୍ରଣାରେ ସେନାପତିଙ୍କର ଶେଷ ସନ୍ତାନକୁ ପ୍ରାଣଦଣ୍ଡ ଦେଇ ସେନାପତିଙ୍କୁ ହସ୍ତବୀହୀନ କରି ନାନାଦି ଲାଞ୍ଛନା ଦେଇଥିଲା । ଅଶୀତିପର ବୃଦ୍ଧ ନିଜର ଏକମାତ୍ର କନ୍ୟାର ସନ୍ଧାନରେ ଆସି, ସେହି ଅଭାଗିନୀ କନ୍ୟାର ମୃତ୍ୟୁ ସମ୍ବାଦ ପାଇ ଗୟାକ୍ଷେତ୍ରରେ ପ୍ରାଣତ୍ୟାଗ କରିଅଛନ୍ତି । ତାଙ୍କର ସେହି କନ୍ୟା, ଏ ହତଭାଗାର ମାତା କିନ୍ତୁ ଦୁର୍ଦ୍ଦୈବ ବଶତଃ ଆଜୀବନ ଭିକ୍ଷୁଗୃହରେ ପାଳିତ । ଏ ପର୍ଯ୍ୟନ୍ତ ବିଶ୍ୱାସଘାତକର ଶାସ୍ତି ହୋଇନାହିଁ; କୃତଘ୍ନତାର ପ୍ରତିଶୋଧ ଘଟିନାହିଁ; ଶରଣାଗତକୁ ଆଶ୍ରୟ ଦେଇ ମହାରାଜ, କଳିଙ୍ଗ ଅଭିମୁଖରେ ଅଭିଯାନ କରନ୍ତୁ; ମାତାମହଙ୍କର ଅନ୍ତିମ ଅନୁରୋଧ ପାଳିବାରେ ମୋତେ ସୁବିଧା ଦିଅନ୍ତୁ ସମ୍ରାଟ-!

୨ୟ ସାମନ୍ତ

-

ତୁମେ ଯେ ତାଙ୍କ ଦୋହିତ୍ର, ତାହାର ପ୍ରମାଣ, ସାକ୍ଷୀ

ଐର

-

ସାକ୍ଷୀ, ମୋର ଅନ୍ତରାତ୍ମା, ମୋର ଧର୍ମ୍ମଦୀକ୍ଷା-

୧ମ ସାମନ୍ତ

-

ତୁମ୍ଭେ ଯଦି ମିଛ କହୁଥାଅ । ଅଜ୍ଞାତ କୁଳଶୀଳକୁ ଆଶ୍ରୟ ଦେବା ରାଜଧର୍ମ୍ମ ନୁହେଁ-

ଐର

-

ରାଜଧର୍ମ୍ମ ନହୋଇପାରେ-ମନୁଷ୍ୟର ଧର୍ମ୍ମ ଏବଂ କ୍ଷତ୍ରିୟର କର୍ତ୍ତବ୍ୟତ ?

୧ମ ସାମନ୍ତ

-

ଆମ୍ଭେମାନେ ଅନ୍ୟ ଏକ ଉଦ୍ଦେଶ୍ୟରେ ବର୍ତ୍ତମାନ ଅନୁପ୍ରାଣିତ ତୁମ୍ଭଙ୍କୁ ଆଶ୍ରୟ ଦେଲେ ସେଥିରେ ବିଘ୍ନ ଘଟିପାରେ-

ଐର

-

ସେଇକଥା କହନ୍ତୁ, ମୋର ଧାରଣାଥିଲା ମହାରାଜ ଅଶୋକ ବଡ଼ ନିର୍ଭୀକ, ଜଣକର ଚେଷ୍ଟା ଚରିତ୍ର ନେଇ ସନ୍ଦେହ କରିବା ତାଙ୍କର ପ୍ରକୃତି ବିରୁଦ୍ଧ, ଆଉ ତାଙ୍କର ସାମନ୍ତବର୍ଗ ଅଦ୍ଭୁତ କର୍ମୀ କିନ୍ତୁ ତାହା ନୁହେଁ-

୨ୟ ସାମନ୍ତ

-

ଏ ଯୁଦ୍ଧରେ ତୁମ୍ଭର କ’ଣ ଲାଭହେବ ? ଖାଲି ପ୍ରତିହିଂସା-

ଐର

-

ହିଂସା କି ପ୍ରେମ ଜାଣେ ନା, ମୁଁ ଚାହେ ପ୍ରତିଶୋଧ-(ଅଶୋକଙ୍କୁ ଚାହିଁ ହାତ ଯୋଡ଼ି) ବୀରକେଶରୀ ସମ୍ରାଟ ! ବଡ଼ ଆଶାରେ ମହାରାଜଙ୍କର ଆଶ୍ରୟ ପ୍ରାର୍ଥୀ ହୋଇଛି-ପ୍ରପୀଡ଼ିତକୁ ସାହାଯ୍ୟଦେବା କ୍ଷତ୍ରୀୟର ଧର୍ମ୍ମ ସମ୍ରାଟ ! (ଆଣ୍ଠୁମାଡ଼ି ବସିବା)

ଅଶୋକ

-

ଉଠ, ବୀର ଯୁବକ ! ସାମନ୍ତବର୍ଗ ! ଆଜିଠାରୁ କଳିଙ୍ଗବିଜୟ ଅଶୋକର ସର୍ବ ପ୍ରଧାନ ସାଧନା-ଯଥାଶୀଘ୍ର ପଚାଶ ହଜାର ମୈଥିଳୀ ସୈନ୍ୟ ନେଇ କଳିଙ୍ଗ ଆକ୍ରମଣର ଆୟୋଜନ କର, ଆବଶ୍ୟକ ହେଲେ ମଗଧ ଜନଶୂନ୍ୟ କରି କଳିଙ୍ଗ ବିଜୟରେ ଅଗ୍ରସର ହେବାକୁ ହେବ । ମୁଁ ତୁମ୍ଭଙ୍କୁ ଆଶ୍ରୟ ଦେଲି ଯୁବକ-! ତୁମ୍ଭେ ହେଲ ଏ ବୀରବାହିନୀର ଅଗ୍ରଣୀ-(ସାମନ୍ତମାନେ ପରସ୍ପର କଟାକ୍ଷ କରିବା) ମାଗଧୀର ବୀର୍ଯ୍ୟ ଏବଂ କଳିଙ୍ଗର ଶୌର୍ଯ୍ୟରେ କଳିଙ୍ଗର ବିଜୟ ସାଧିତ ହେବ-ଆସ ଯୁବକ ! ତୁମ୍ଭଙ୍କୁ ଥରେ ଆଲିଙ୍ଗନ କରେଁ-

ସମସ୍ତେ

-

ଜୟ ମହାରାଜ ଅଶୋକଙ୍କର ଜୟ-

(ଯ ବ ନି କା ପ ତ୍ତ ନ)

Image

 

ତୃତୀୟ ଅଙ୍କ

୧ମ ଦୃଶ୍ୟ

 

 

 

(ସ୍ଥାନ- ମଗଧ ଶିବିର । ସମୟ ସନ୍ଧ୍ୟା । ସମଗ୍ର ଶିବିର ବିଧ୍ୱସ୍ତ-ପରାଜିତ ମାଗଧି ସୈନ୍ୟ ପଳାଇ ଯାଇଛନ୍ତି । ଶିବିରରେ ନାନାଦି ଯୁଦ୍ଧ ସମ୍ଭାର ବିକ୍ଷିପ୍ତ ହୋଇପଡ଼ିଛି । ଅବଶିଷ୍ଟ ୩।୪ ଜଣ ସୈନ୍ୟ ମଧ୍ୟ ପଳାଇବା ପାଇଁ ଉଦ୍ୟତ, ଜଣେ ସୈନିକ ଭୀତତ୍ରସ୍ତଭାବେ ଆଗବଢ଼ି ପଛକୁ ଚାହିଁ ସଙ୍ଗୀକୁ ଡାକୁଛି ଦୂରରୁ ଶୁଭୁଛି ଜୟ ଭେରୀ-)

୧ମ- ସୈନିକ

-

ପଳାଇ ଆରେ ଭାଇ ପଳାଇଆ-କଳିଙ୍ଗ ସୈନ୍ୟ ସଙ୍ଗେ କିଏ ଯୁଦ୍ଧ କରିବ ।

 

 

(ଏହି ସମୟରେ ଐର ପଛଆଡ଼ୁ ଆସି ଘୃଣାଭରେ ହାତ ବଢ଼ାଇ କହିଲେ)

ଐର

-

ଯାଅ-ଚାଲିଯାଅ-କାପୁରୁଷ ପ୍ରାଣରଙ୍କ, ଏଇ ତୁମ୍ଭର ବୀର ଆଷ୍ଫାଳନ-ତୁମ୍ଭେ ନା କାହିଁ ସ୍ୱଦେଶ ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ଜୀବନ ପଣ କରନ୍ତ-ତା ନକରି ଦେଶର, ଜାତିର ଓ ରାଜାର ଆତ୍ମମର୍ଯ୍ୟାଦାରେ କଳଙ୍କକାଳି ବୋଳି ଦେଉଛ, ଧିକ୍ ତୁମ୍ଭଙ୍କୁ-ଏଠୁଁ ପଳାଇ କ’ଣ ଚିରଦିନ ବଞ୍ଚି ରହିବ-ରଣ କ୍ଷେତ୍ରରୁ ପଳାଇଯାଇ କ’ଣ ଚିରଦିନ ମୃତ୍ୟୁକୁ ଫାଙ୍କି ଦେବ ?

ଜନୈକ-ସୈନିକ

-

ପଳାଇବୁ ନାହିଁତ କ’ଣ ଛିଡ଼ାହୋଇ ତୁଛାଟାକୁ ପ୍ରାଣ ଦେବୁ, ଏଟା କଅଣ ଏଡ଼େ ତୁଚ୍ଛ-ଛୁଣୁଛ କ’ଣ ଭାଇ ଚାଲ (ଅଗ୍ରସର)

 

 

 

ଐର

-

ହଉ ଯାଅ-ତୁମ ଭିତରେତ ସିଂହ ଶକ୍ତି ମୃତ ହେଲାଣି-ବୀରତ୍ୱର ସର୍ବଗ୍ରାସୀ ଉନ୍ମାଦନାତ ତୁମ୍ଭର ନାହିଁ, ବିଜୟ ମାଦକର ମୋହନ ମଦିରା ତୁମେ କାହୁଁ ଆସ୍ୱାଦନ କରିବ; ଯାଅ-ଚାଲିଯାଅ (ସୈନ୍ୟଙ୍କର ପ୍ରସ୍ଥାନ)

 

 

(ସସୈନ୍ୟେ ଶିଳାଦିତ୍ୟଙ୍କ ପ୍ରବେଶ ଓ ଐରଙ୍କୁ ଦେଖି ସୈନ୍ୟମାନେ ଦୁଇ ହାତ ଧରି ପକାଇଲେ ପଳାୟିତ ମଗଧ ସୈନ୍ୟଙ୍କୁ ଦେଖାଇ ଶିଳାଦିତ୍ୟ କହିଲେ)

ଶିଳାଦିତ୍ୟ

-

କି ଯୁବକ ଏହି ଭୀରୁଗୁଡ଼ାଙ୍କୁ ଆଣି କଳିଙ୍ଗ ଜୟ କରିବାର ଆସ୍ପର୍ଦ୍ଧା ? ସୈନିକ-ପାଷଣ୍ଡର ମୁଣ୍ଡକାଟି ପକାଅ-

ଐର

-

ମୁଣ୍ଡ କାଟିବ ? କାଟ-(ମୁଣ୍ଡ ବଢ଼ାଇଦେବା)

ଶିଳା

-

କଅଣ, ମୃତ୍ୟୁକୁ ଭୟ ନାହିଁ-

ଐର

-

ତା କ’ଣ ଆଜି ବୁଝିଲ ? ଆଉ ଡେରି କାହିଁକି ଆସ ସୈନିକ-(ସୈନିକକୁ ଚାହିଁ କହିଲେ ଓ ସେ ଅଗ୍ରସର ହେଲା)

ଶିଳାଦିତ୍ୟ

-

ଅପେକ୍ଷାକର-ମୃତ୍ୟୁ ଯଦି ଏହାର ଏଡ଼େ ଆକାଙ୍‌କ୍ଷାର ବିଷୟ ତେବେ ତାର ସେ ଦଣ୍ଡ ନିଷ୍ପ୍ରୟୋଜନ-ଶତ୍ରୁ ଶତ୍ରୁଇ ରହୁ-ବରଂ ତାକୁ ମୁକ୍ତି ଦିଆଯାଉ ସେ ତାହାର ଉଦ୍ଧତ ଅଶୋକକୁ କହୁ-କଳିଙ୍ଗ ବୀର ଭୂମି-କଳିଙ୍ଗ ଜୟ କରିବାକୁ ଆଜ ସୁଦ୍ଧା ପୃଥିବୀରେ ପୁରୁଷ ଜନ୍ମି ନାହାନ୍ତି-

 

 

(ସୈନ୍ୟମାନେ ଐରକୁ ଛାଡ଼ି ଦେଲେ)

ଯା’

-

ବାତୁଳ-ପ୍ରାଣ ନେଇ ପଳେଇ ଯା-ରଣ ଲାଳସା ଯଦି ମନରେ ଥାଏ, କଳିଙ୍ଗ ବୀରତ୍ୱ ପରୀକ୍ଷା କରିବାକୁ ଯଦି ଆଗ୍ରହ ଜନ୍ମେ, ତେବେ ତୋର ଆଶ୍ରୟ ଦାତାକୁ କହିବୁ-ଥରେ ନୁହେଁ-ପାରିଲେ ସହସ୍ରଥର ଆସି କଳିଙ୍ଗ ସେନାର ଅସୀଧାର ପରୀକ୍ଷା କରିଯାଉ-

ଐର

-

(ଅତିଶୟ କ୍ଷୋଭରେ) ନା ବିଜେତା-ମୋତେ ମୃତ୍ୟୁ ଦିଅ ତୁମ୍ଭର ଦୟାଦତ୍ତ ଜୀବନଠାରୁ ମୃତ୍ୟୁ ମୋର ଶ୍ରେୟସ୍କର-

ଶିଳା

-

ତୋର ଆସ୍ପର୍ଦ୍ଧାତ କମ୍ ନୁହେଁ-ନୋହିଲେ ଏହି ଭୀରୁଗୁଡ଼ାଙ୍କୁ ଘେନି ଆସିଥାନ୍ତୁ କଳିଙ୍ଗ ଜୟ କରିବାକୁ-ସମସ୍ତ ଆର୍ଯ୍ୟବର୍ତ୍ତ ଜୟ ଲାଭକରି ସମ୍ରାଟ ଚନ୍ଦ୍ରଗୁପ୍ତ ଯାହାକୁ ଡରି ରହିଥିଲେ, ତୁ ଆସିଛୁ ସେହି କଳିଙ୍ଗ କେଶରୀକୁ-

ଐର

-

(ଅତି ଦୁଃଖରେ) ଆଉ ଲଜ୍ଜା ଦିଅନା-ହତ୍ୟାକର ।

ଶିଳା

-

ଠିକ୍ ହୋଇଛି-ନିଜର ଜୀବନରେ ଧିକ୍‌କାର ଆଣି ଜୀଇବା ମୃତ୍ୟୁଠାରୁ ବେଶୀ ମର୍ମଭେଦି-ଯା’ ଦୁରାଚାରୀ-ତୋର ପ୍ରଭୁକୁ କହିବୁ-ଶକ୍ତିଥିଲେ ନିଜେ ଆସୁ-ଆହୁରି କହିବୁ ତୋର ସେ ଅଶୋକ ରାଜାକୁ-ସୁପ୍ତସିଂହକୁ ଜାଗ୍ରତ ଓ ବିରକ୍ତ କରି କେହି ରକ୍ଷା ପାଇପାରେ-କିନ୍ତୁ କଳିଙ୍ଗ କେଶରୀଙ୍କୁ ଉତ୍ତ୍ୟକ୍ତ କରି ପୃଥିବୀର ପରପ୍ରାନ୍ତରେ ଲୁଚିଲେ ସୁଦ୍ଧା ରକ୍ଷାନାହିଁ-ଚାଲ ସୈନିକ-(ପ୍ରସ୍ଥାନ)

ଐର

-

(ସ୍ୱଗତଃ) ଓଃ-ମୃତ୍ୟୁ ବି ମିଳିଲା ନାହିଁ-ମୃତ୍ୟୁ କ’ଣ ଐରକୁ ଭୁଲିଗଲା-କୁଆଡ଼େ ଯିବି-କାହାକୁ ମୁହଁ ଦେଖାଇବି-(ଚିନ୍ତାକରି) ହେଉ ପଛେ ଆତ୍ମହତ୍ୟା-ଏ ତୁଚ୍ଛ ପ୍ରାଣ ବାହାରି ଯାଉ-

 

 

(ଛୁରୀ ଉଠାଇବାବେଳେ ସନ୍ୟାସୀର ପ୍ରବେଶ ଓ ଧରିବା)

ସନ୍ୟାସୀ

-

ପ୍ରାଣ କେବେ ତୁଚ୍ଛ ନୁହେଁ ଐର-ଏହା ବିଧାତାର ମହାଦାନ-ବୀରତ୍ୱ ବରଣ କରିଛ-ବୀର ପରି କାର୍ଯ୍ୟକର ।

ଐର

-

(ବିହ୍ୱଳ ହୋଇ) କିଏ ଗୁରୁଦେବ ? ଅନ୍ତର୍ଯ୍ୟାମୀ, ଆପଣତ ସବୁ ଜାଣନ୍ତି-ଯେବେ ଅଯାଚିତରେ ଦୟା କରିଛନ୍ତି-ବାଧା ନଦେଇ ପଦଧୂଳି ଦିଅନ୍ତୁ-

ସନ୍ୟାସୀ

-

ନର ହୋଇ ନରକର ପଥିକ ତୁ-ବାଧା ଦେବିନାହିଁ ? ଧୈର୍ଯ୍ୟଧର ବୀର-

ଐର

-

ଧୈର୍ଯ୍ୟ ଧରିବି-ସର୍ବସ୍ୱ ହରାଇ-ଶତ୍ରୁ ପଦାଘାତ ଖାଇ ଧୈର୍ଯ୍ୟ ଧରିବି ?

ସନ୍ୟାସୀ

-

ଅଧୈର୍ଯ୍ୟ ହେଲେ କ’ଣ ତାହା କଟିଯିବ, ବାତୁଳ ଏହା ଶକ୍ତିର ଅପବ୍ୟବହାର-ସତ୍ୟର ଅପୌରୁଷ ଖ୍ୟାତି-ଜୀବନ କ’ଣ ଏତେ ମୂଲ୍ୟହୀନ ଐର ? ମହାକର୍ତ୍ତବ୍ୟ ତୋ ସମ୍ମୁଖରେ

ଐର

-

କିଂ କର୍ତ୍ତବ୍ୟ ବିମୂଢ଼ ମୁଁ-ଉପାୟହୀନର ଆଉ ଗତି କ’ଣ ?

ସନ୍ୟାସୀ

-

ଗତି ? ଗତି ଆତ୍ମହତ୍ୟା ନୁହେଁ-ଆତ୍ମ ପ୍ରତିତୀ-ହତାଶ୍‌ ହୃଦୟରେ ପୁଣି ନବୀନ ଆଶାର ସଞ୍ଚାର-

ଐର

-

ଅସମ୍ଭବ-

ସନ୍ୟାସୀ

-

ଅସମ୍ଭବ ଶବ୍ଦ କାପୁରୁଷର ସମ୍ବଳ । ପ୍ରତିଜ୍ଞା ମନେଅଛି ଐର ?

ଐର

-

ଥାଇ କଅଣ ହେବ-ସବୁ ଯେ ସରିଛି ଗୁରୁ-

ସନ୍ୟାସୀ

-

କିଏ କହିଲା ସବୁ ସରିଛି, ତୋର ସତ୍ୟତ ସଙ୍ଗେ ସଙ୍ଗେ ଅଛି ।

ଐର

-

ଆଉ କ’ଣ କରିପାରେ-କହନ୍ତୁ ଗୁରୁଦେବ ! ଉପାୟ କ’ଣ ?

ସନ୍ୟାସୀ

-

ଉପାୟ-ଚେଷ୍ଟା ଉପରେ ଚେଷ୍ଟା । ଏହି ଜଡ଼ ତରଙ୍ଗିଣୀକୁ ଅନା-ବର୍ଷପରେ ବର୍ଷଧରି କେତେ ବାଧାବିଘ୍ନ ଅତିକ୍ରମ କରି ସେ ତାହାର ଲକ୍ଷ୍ୟଆଡ଼କୁ ଧାଇଁଛି-ଆଉ ଚେତନ ତୁ-ମାନବ ହୃଦୟ ତୋର-ତୋହ ଲକ୍ଷ୍ୟ ତୁ ଏତେ ଶୀଘ୍ର ଭୁଲିଯାଉଛୁ-ପ୍ରତିଜ୍ଞା କଲାବେଳେ ଏ ସବୁ ମନେକରିବାର ଥିଲା-ତା’ ନକରି କାର୍ଯ୍ୟକ୍ଷେତ୍ରରେ ହତାଶ୍‌ ହୋଇ ଆତ୍ମହତ୍ୟା କରିବା, ଦେବ-ଦାନବ-କି ମାନବ କାହାରି ଉଚିତ ନୁହେଁ-ଆ ବତ୍ସ ମୋ, ସଙ୍ଗରେ ଆ-

 

 

(ଐରକୁ ଟାଣି ନେଇଯିବା ଓ ଅନ୍ତରାଳରୁ ସଙ୍ଗୀତ ସ୍ୱର)

Image

 

୨ୟ ଦୃଶ୍ୟ

ସ୍ଥାନ-ଆଶ୍ରମ ; ସମୟ ସନ୍ଧ୍ୟା ।

 

 

 

(ଜଗୁ, ସେଠାଲି, ତର୍କଚଞ୍ଚୁ-ଆଶ୍ରମଦ୍ୱାରେ ପହଞ୍ଚି)

ତର୍କ

-

ମଠରେ କିଏ ଅଛ ବାବା !

ସେଠା

-

ଅନ୍ଧକୁ ଦୟାକର ବାବା !

ଜଗୁ

-

କିଏ ଅଛ ! ରକ୍ଷାକର ବାବା !

ଚଞ୍ଚଳା

-

(ବାହାରକୁ ଆସି) କିଏ ତୁମ୍ଭେମାନେ, କେଉଁଠୁ ଆସିଛ କଅଣ ହୋଇଛି ?

ତର୍କ

-

(ଗୋଡ଼ତଳେ ପଡ଼ି) ଆମେ ଅନେକ ଦୂରରୁ ଆସିଛୁ ମା’-କଳିଙ୍ଗ ଦେଶରୁ-ଶୁଣିଲୁ ଏଠି ଜଣେ ସାଧୁ ଥାନ୍ତି-ତାଙ୍କ କଥାରେ ଅସାଧ୍ୟ ସାଧନ ହୁଏ, ତାଙ୍କ ଦର୍ଶନ କଅଣ ଟିକିଏ ମିଳିବନାହିଁ ମା’ !-

ଚଞ୍ଚଳା

-

ସେତ ମଠରେ ନାହାନ୍ତି-ତେବେ ଅଳ୍ପଦିନେ ଫେରିବେ; ତୁମ୍ଭେମାନେ ଆସ-ଏହିଠାରେ ଆଶ୍ରୟ ନିଅ-

ତର୍କ

-

ବାଟ ଚାଲି ଚାଲି ଗୋଡ଼ ପଥର ପାଲଟି ଗଲାଣି ମା’, ଆଉ ଉଠି ହେଉନାହିଁ ।

ସେଠା

-

ତିନିଦିନ ହେଲା ପେଟରେ ଗଣ୍ଡାଏ ଦାନା ପଡ଼ିନାହିଁ ମା’-

ଜଗୁ

-

ମନ୍ଦାଏ ପାଣି ମା’-ତଣ୍ଟି ଶୁଖିଯାଉଛି-

ଚଞ୍ଚଳା

-

ଆହା କେତେ କଷ୍ଟ-ଆଛା ମୁଁ ଆଣି ଦେଉଛି-(ଭିତରୁ ପାଣି ଆଣି ମିଶ୍ର ପାଖକୁ ଯାଇ) ଆହା ତୁମ୍ଭ ହାତରେତ ବଡ଼ ବେଶୀ ଘା’ ହୋଇଛି ପିଇପାରିବ ନାହିଁ-ରହ ମୁଁ ପିଆଇ ଦିଏ-

ତର୍କ

-

(ଚଞ୍ଚଳ) ନାହିଁ ମା’ ମୋତେ ଛୁଅଁ ନାହିଁ-ଦେଖୁନାହଁ-ମୋ ଦେହରୁ କିପରି ଦୁର୍ଗନ୍ଧ ବାହାରୁଛି-ଏ ବଡ଼ ଅସାଧ୍ୟ ରୋଗ- ଶତ୍ରୁକୁ ମଧ୍ୟ ଭଗବାନ ଏ ରୋଗ ନଦିଅନ୍ତୁ ।

ଚଞ୍ଚଳା

-

(ବିକଳରେ) ନାହିଁ ବାପ ! କିଛି ଚିନ୍ତା ନାହିଁ-ସାଧୁଙ୍କ ଦୟାରୁ ମୋର କିଛି ଆଶଙ୍କା ନାହିଁ-ଏଇତ ମୋର ରୋଜିନା କାମ-ଏଥିରେ ମୋର ବଡ଼ ଆନନ୍ଦ-

ତର୍କ

-

କିଏ ମା’ ତୁମ୍ଭେ-ପାପୀ ପ୍ରାଣରେ ଅମୃତ ଢାଳୁଛ, ତୁମ୍ଭେ ମାନବୀ ନା ଦେବୀ ?-

ଚଞ୍ଚଳା

-

ଦେବୀ ନୁହେଁ ବାବା ଦାନବୀ-ଦେବୀ ବୋଲି କହି ମୋର ପାପ ବଢ଼ାଅ ନା-

ତର୍କ

-

ତୁମେ ଦେବୀ ନୁହ ତ କିଏ ଦେବୀ ମା’-

ଚଞ୍ଚଳା

-

ଯଦି ତୁମ୍ଭେ ମୋର ଗତଜୀବନ କଥା ଜାଣନ୍ତ ତେବେ ମୋତେ ଘୃଣା କରନ୍ତ-ମୋର ଏତିକି ଭରସା ଯେ ମୁଁ ମହାପୁରୁଷଙ୍କ ଆଶ୍ରା ପାଇଛି ।

ଜଗୁ

-

ତେବେ କଅଣ ମା’, ଆମର ସଂସାରରେ ଆଶ୍ରା ଅଛି ?

ଚଞ୍ଚଳା

-

ସେ ମହାପୁରୁଷଙ୍କ ପାଖରେ କେହି ନିରାଶ୍ରୟ ନୁହନ୍ତି-

ସେଠା

-

ଆମେ ଯେ ବଡ଼ ପାତକୀ ମା’-ଆମଠୁଁ ବଳି ଦୁନିଆରେ ପାପୀ ନାହାନ୍ତି-

ଚଞ୍ଚଳା

-

ମୋଠୁ ବଳି ତୁମ୍ଭର କଅଣ ପାପ ବେଶୀ ? ମୁଁ ଜଣେ ଗୃହସ୍ଥର ଝିଅ-ଗୃହସ୍ଥର ବୋହୁ-ମୋର ଘର ମଧ୍ୟ ସେହି କଳିଙ୍ଗରେ-କୁସଙ୍ଗରେ ପଡ଼ି ଯେତେ ବ୍ୟଭିଚାର କରିଛି; ନାରୀ ହୋଇ ଯେତେ ନାରୀଙ୍କର ସର୍ବସ୍ୱ ନେଇଛି କହିଲେ ଗୋଟାଏ ପୋଥି ହେବ-କିନ୍ତୁ ତା ଫଳରେ ସେହି ମିଶ୍ର ସେହି ଜଗୁ-ସେହି ସେଠାଲି-ମୋତେ-

ତର୍କ

-

କଅଣ କହିଲ ମା’ ! ମା’ ତୁମେ କଅଣ ତାଙ୍କୁ ଜାଣ ।

ଚଞ୍ଚଳା

-

ହଁ ବାବା ସେହିମାନେ ଯେ ମୋର ପାପ ପଥର ସାଥୀ-

ମିଶ୍ର

-

(ଅନୁତାପରେ) ମା’-ମା’-ମୁଁ ସେହି ମିଶ୍ର ମା’-

ଜଗୁ

-

ମା’ ! ମୋତେ କଅଣ ଚିହ୍ନିପାରୁନାହୁଁ-ମୁଁ ପରା ଜଗୁ-

ସେଠା

-

ଆଉ ମୁଁ ସେହି ସେଠାଲି-

 

 

(ଜଗୁ ସେଠାଲି ଚଞ୍ଚଳାର ଗୋଡ଼ତଳେ ପଡ଼ିବା)

ସେଠା

-

ମା’, ମୁଁ ତ ତୋତେ ଆଉ ଦେଖି ପାରୁନାହିଁ-ଏ ପାପ ଆକ୍ଷି ଭଗବାନ କାଢ଼ି ନେଇଛନ୍ତି-ଜଗୁ ଭାଇ ! ଥରେ ମୋ ମୁଣ୍ଡଟା କାଟିନେଇ ମୋର ମା’ ଗୋଡ଼ତଳେ ଗଡ଼ାଇ ଦେ-

ଚଞ୍ଚଳା

-

(ଅଧୀର) ଭଗବାନ, ତୁମ୍ଭେ କଅଣ ନକରିପାର-ଆଜି ଚାରି ନରକର କୃମିକୀଟ, କି ଭାବରେ ଅନୁପ୍ରାଣିତ । କି ମଧୁର ଏହି ମାତୃ ସମ୍ବୋଧନ-ଜଗତର ସମସ୍ତ ପାପ ସମସ୍ତ ଆବିଳତା-ଏକ ନିମିଷରେ ଏଇ ମା’ ଡାକରେ କୁଆଡ଼େ ଉଭେଇଗଲା-ଆଜି ମୋ ଜୀବନ ଧନ୍ୟ-

(ପ ଟ୍ଟ ପ ତ୍ତ ନ)

Image

 

୩ୟ ଦୃଶ୍ୟ

 

 

 

(ପାଟଳିପୁତ୍ରର ଧର୍ମଶାଳା-ସମୟ ଉଷା । ଐର ଧର୍ମଶାଳର ଅଗଣାରେ ଚିନ୍ତାକୂଳ ପ୍ରାଣରେ ଦଣ୍ଡାୟମାନ, ନିକଟରେ ସଙ୍ଘମିତ୍ରା, ଆଗରୁ ଯେପରି କିଛି କଥାବାର୍ତ୍ତା ଚାଲିଛି । ସେହି କଥାର ସୂତ୍ରଧରି ଐର ଅତି ଶୁଷ୍କ ହତାଶ୍‌ ବାକ୍ୟରେ କହିଲେ)

ଐର

-

ଆଉ କଅଣ ବାକି ଅଛି ଯେ ସମ୍ରାଟପୁତ୍ରୀ, ମୋତେ ଧୈର୍ଯ୍ୟ ଧରିବାକୁ କହୁଛ ।

ସଂଘମିତ୍ରା

-

କଅଣ ନାହିଁ ଶୁଣେ-ତୁମ୍ଭର ମନୁଷ୍ୟତ୍ୱ-ତୁମ୍ଭର ସତ୍ୟ ପ୍ରତିଜ୍ଞା-ତୁମ୍ଭର ବୀରତ୍ୱ-ସବୁତ ଅଛି ।

ଐର

-

ଥାଇ କଅଣ ହେବ-ମୁଁ ଏକା-ପରାସ୍ତ-ପରାଶ୍ରିତ-

ସଂଘ

-

ଯୁଦ୍ଧରେ ପରାଜିତ ହୋଇ ଏତେ ଅଧୀର ହେଉଛ-ତୁମ୍ଭେ କଅଣ ତୁମ୍ଭର ପ୍ରତିଜ୍ଞା ପାଶୋରି ଦେଲ ?

ଐର

-

ତାହା ପାଶୋରି ଦେବି ସମ୍ରାଟପୁତ୍ରୀ ? ନିଜର ଜନ୍ମମୃତ୍ୟୁ ପାଶୋରିପାରେ କିନ୍ତୁ ତପ୍ତ ଅଶ୍ରୁଧାରେ ଲିଖିତ ସେହି ପ୍ରତିଜ୍ଞା ପାଶୋରିବି କିପରି ? ତାହା ପାଶୋରିବାର ନୁହେଁ-

ସଂଘ

-

ତେବେ ସେ ପ୍ରତିଜ୍ଞା ରକ୍ଷା ଲାଗି କ’ଣ କରୁଛ ଶୁଣେ ?-ଆତ୍ମଗ୍ଲାନି ନିଶ୍ଚେଷ୍ଟତା ଏବଂ ନୈରାଶ୍ୟ-ଏଥିରେ କଅଣ ପ୍ରତିଜ୍ଞା ରହିବ ?

ଐର

-

କିନ୍ତୁ ଦେଖିଲତ ଦେବୀ ! ମୁଁ ଦୈବ କର୍ତ୍ତୃକ କି ଭାବରେ ବିଡ଼ମ୍ବିତ ? ରାଜବଂଶରେ ଜନ୍ମି ଆଜନ୍ମ ପିତୃମାତୃହୀନ ହୋଇ, ଭିକ୍ଷୁ ପାଳିତ ହେଲି ! ଯୌବନର ପ୍ରଥମ ଉଚ୍ଛ୍ୱାସରେ ଅତୀତର କାହାଣୀ ଶୁଣି ପିତୃଶତ୍ରୁର ପ୍ରତିଶୋଧ ନେବାକୁ ବିଦେଶୀ ରାଜାର ଶରଣ ନେଲି କିନ୍ତୁ ମୋ ଦୁର୍ଦ୍ଦୈବ ମୋତେ ପଦେ ପଦେ ବାଧା ଦେଉଛି-

ସଂଘ

-

ଦୈବ କେବେ ଦୁର୍ଦ୍ଦୈବ ନୁହେଁ-ନିଜର ଅପୌରୁଷତ୍ୱ ଦୈବ ଉପରେ ଢାଳନା ।

ଐର

-

ଦୁର୍ଦ୍ଦୈବ ନୁହେଁ ? ତେବେ ଦୈବ ସୁଷ୍ଟିରେ ଏପରି ନୃଶଂସତା-ଅତ୍ୟାଚାରର ଉତ୍ପୀଡ଼ନ କାହିଁକି ? ତାଙ୍କର ପ୍ରେମରାଜ୍ୟ ହିଂସାର ହଳାହଳରେ ଏପରି ପୂତିଗନ୍ଧମୟ ହୁଏ କାହିଁକି ?

ସଂଘ

-

ବୃଥା ଏ ଅଭିମାନ ତୁମ୍ଭର ବୀର !-ଆଜି ଯଦି ତୁମ୍ଭେ ଜୟ କରି ଫେରିଥାନ୍ତ ତେବେ ଠିକ ଏହାର ବିପରୀତ କଥା କହୁଥାନ୍ତ-ପରାସ୍ତ ହୋଇ ଫେରିଛ ସେଥିଲାଗି ଏତେ ଦୁଃଖ-ଏତେ ଅଧୀରତା । ଏହାହିଁ କଅଣ ବୀରର ଲକ୍ଷଣ; ଏହାହିଁ କଅଣ ସିଦ୍ଧିଲାଭର ପନ୍ଥା ?

ଐର

-

ତେବେ ତୁମ୍ଭେ କଅଣ କୁହ-ସମ୍ରାଟ ନନ୍ଦିନୀ !

ସଂଘ

-

ମୁଁ କଅଣ କହେ-ମୁଁ କହେ ଏହା ଭୀରୁତା-ଉଦାସୀନତା; ଏ ସବୁ ଛାଡ଼ି ପୁଣି ଲକ୍ଷ୍ୟ ପଥରେ ଅଗ୍ରସର ହୁଅ-

ଐର

-

ଏହି ଦୁଃଖ, ପରାଜୟ, ଲାଞ୍ଛନା-

ସଂଘ

-

ତୁମେ କଅଣ ଭାବିଛ-ସୁଖହିଁ ତୁମ୍ଭର ଈଶ୍ୱରଙ୍କଠାରୁ ଏକମାତ୍ର ପ୍ରାପ୍ୟ ଏବଂ ଦୁଃଖଟା ତାଙ୍କର ତୁମ୍ଭ ଉପରେ ଅତ୍ୟାଚାର; ନା ବୀର ! ଦୁଃଖ ସୁଖ, ଆନନ୍ଦ ନିରାନନ୍ଦ, ଜୟ ପରାଜୟ କେବଳ ଗୋଟିଏ ନିୟମର ଦୁଇଟି ଶାଖା-

ଐର

-

ସେଇଥିଲାଗି କଅଣ ଦୁଃଖର ଶାଖାଟି କେବଳ ମୋରି ମୁଣ୍ଡରେ ଭାଙ୍ଗି ପଡ଼ିଛି ! ଏଥିପାଇଁ ଦାୟୀ କିଏ ?

ସଂଘ

-

ଦାୟୀ ତୁମ୍ଭର ନିଜର ଏକାଗ୍ରତାହୀନ ସାଧନା; ଅଜ୍ଞାତ ସ୍ଥାନ, ଅପରିଚିତ ସୈନିକ, ନୂତନ ଉଦ୍ୟମ ଅଥଚ ଦୁଃସାଧ୍ୟଲକ୍ଷ; ବୀର ହୃଦୟ ଯାହାର, ମହତ୍ ଉଦ୍ଦେଶ୍ୟ ଯାହାର, ତା ପକ୍ଷରେ ପରାଜୟ ତ ହତାଶ୍‌ର ଲକ୍ଷଣ ନୁହେଁ ବରଂ ନବୀନ ଆଶାର ଉନ୍ମାଦନା-

ଐର

-

କିନ୍ତୁ ଏତେ ମଗଧସେନା ମୋପାଇଁ ମରାଇ ମଗଧେଶ୍ୱର କଅଣ ମନେକରୁଥିବେ; କେଉଁ ସାହସରେ ତାଙ୍କୁ ମୁହଁ ଦେଖାଇବି ?

ସଂଘ

-

ବୃଥା ଏ ସଙ୍କୋଚ ତୁମ୍ଭର; ନିୟତ ଯୁଦ୍ଧ ବିଗ୍ରହରେ ଲିପ୍ତଥାଇ ରକ୍ତପ୍ରବାହ ଉପରେ ସିଂହାସନ ସ୍ଥାପନ କରି ମଗଧେଶ୍ୱର ପରାଜୟ ଶବ୍ଦକୁ କେବଳ ଆଭିଧାନିକ ମନେକରନ୍ତି । ଇତସ୍ତତଃ କରିବାର କାରଣ ନାହିଁ । ତୁମ୍ଭେ ଜାଣନା ବୀର, ରାଜାଧିରାଜ ଅଶୋକ ଯାହା କର୍ତ୍ତବ୍ୟ ବୋଲି ମନେକରନ୍ତି, ତାହା ସାଧନ ନିମିତ୍ତ ସେ ଜଗତର ସମସ୍ତ ପ୍ରିୟପଦାର୍ଥ ଅକାତରେ ବିସର୍ଜନ ଦେଇପାରନ୍ତି । କଠୋର କର୍ତ୍ତବ୍ୟ ପାଖରେ ପୁତ୍ରଶୋକାତୁରା ଜନନୀର ତପ୍ତାଶ୍ରୁଧାର ଅବା ଆତତାୟୀର ଉତ୍‌ଥିତ ଖଡ଼୍‌ଗ, କିଛି ତାଙ୍କୁ ବିଚଳିତ କରିପାରେନା ।

ଐର

-

ଦେବୀ- ଦେବୀ- ତୁମ୍ଭର କଥାରେ ଯେ ଐରର ପ୍ରାଣରେ ନବୀନ ଆଶାର ସଞ୍ଚାର ହେଉଛି କିନ୍ତୁ ସଫଳ ହୋଇ ପାରିବତ ?

ସଂଘ

-

ନହୋଇ ପାରିବତ ସେହି ଚେଷ୍ଟାରେ ଜୀବନ ଅବସାନ ହେଉ; ଯାଅ ମଗଧେଶ୍ୱରଙ୍କୁ ସାକ୍ଷାତ୍‌ କର-ତୁମ୍ଭର ବ୍ରତ ନିଶ୍ଚୟ ଉଦ୍‌ଯାପିତ ହେବ ।

ଐର

-

ତେବେ ଯାଉଛି ରାଜପୁତ୍ରୀ ! ତୁମେ ପିତାପୁତ୍ରୀ ଦୁହେଁ ଐରର ଶେଷ ଭରସା-ପିତାର କାୟିକ ଶକ୍ତି ଏବଂ ପୁତ୍ରୀର ମାନସିକ ବଳ ମୋତେ ଲକ୍ଷ୍ୟପଥରେ ନେଇଯାଉ । (ପ୍ରସ୍ଥାନ)

ସଂଘ

-

(ସ୍ୱଗତଃ) ଏହି ଯୁବକ-ଗୁରୁଦେବଙ୍କର ଆଶ୍ରମରେ ଆଜନ୍ମପାଳିତ-ଅଥଚ ଏହାର ପ୍ରାଣରେ କାମନାର କି ତୀବ୍ର ଜ୍ୱାଳା- ଏ ଅଧର୍ମ୍ମର ଅଭ୍ୟୁତ୍‌ଥାନ ବିନା ସଂଘର୍ଷଣରେ ବିଲୟ ହେବ ନାହିଁ-ଏହି ବିରାଟ କାମନା-ବହ୍ନି, ଖାଣ୍ଡବ ବନ ତୁଲ୍ୟ ଅସୀମ ଆହୂତି ନପାଇଲେ ଲିଭିବ ନାହିଁ-କିନ୍ତୁ ଭବିଷ୍ୟତରେ ଏ ଆବିଳତା ଓ ଆସକ୍ତି ଯେତେବେଳେ ମନରୁ ଲୁପ୍ତ ହେବ, ସେତେବେଳେ କଅଣ ରହିବ ? ରହିବ ନିଷ୍କାମ ଦୀକ୍ଷାର ନଭସ୍ପର୍ଶୀ ପାବନଶିଖା, ଆତ୍ମତ୍ୟାଗର ଅଶ୍ରୁତପୂର୍ବ ଉନ୍ମାଦନା, ବିଶ୍ୱପ୍ରେମର ଯୁଗପ୍ଲାବୀ ପୁଲକଧାରା-ସେତେବେଳେ ହିଂସା ଅହିଂସାରେ ବିଲୟ, କ୍ଷମାରେ ବିଦ୍ୱେଷର ବିପର୍ଯ୍ୟୟ-ବିଶ୍ୱାସରା ମୈତ୍ରୀ, ବିଶ୍ୱସାରା ପ୍ରୀତି, ଧନ୍ୟ ସାଧକ, ଜ୍ଞାତ ପଥରେ ତୁମ୍ଭେ କି କୈବଲ୍ୟ ଆଡ଼କୁ ଯାଉନାହିଁ । ଏହି ଭାଗ୍ୟହୀନା କଅଣ ତାହାର କିଛି କାର୍ଯ୍ୟରେ ଆସିବ ନାହିଁ ?

(ପ ଟ୍ଟ ପ ତ୍ତ ନ)

Image

 

୪ର୍ଥ ଦୃଶ୍ୟ

 

 

 

(ସ୍ଥାନ-କଳିଙ୍ଗ ମନ୍ତ୍ରଣା କକ୍ଷ; ସମୟ-ମଧ୍ୟ ରାତ୍ରୀ । ସାରାନଗରୀ ହତାଶ୍‌ ଓ ବିପଦର ଆଶଙ୍କାରେ ମ୍ରିୟମାଣ-ରାଜା ଶିଳାଦିତ୍ୟ ଅସ୍ଥିରଭାବେ କକ୍ଷ ମଧ୍ୟରେ ଏପାଖ ସେପାଖ ହେଉଛନ୍ତି-ମନ୍ତ୍ରୀ ଏକ ଜାଗାରେ ଠିଆ ହୋଇ ଆଦେଶ ଅପେକ୍ଷାରେ ଅଛନ୍ତି ।)

ଶିଳା

-

ସମ୍ବାଦ ତାହାହେଲେ ଖୁବ୍‌ ଭୀଷଣ । ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଆଡ଼େ ବିପ୍ଲବ ବିଦ୍ରୋହ ଏବଂ ଗଣ୍ଡଗୋଳ ?

ମନ୍ତ୍ରୀ

-

(ନୀରବ ରହିଲେ)

ଶିଳା

-

ଚୁପ୍ ରହିଲ ଯେ-ତୁମର ପରାମର୍ଶ କଅଣ ?

ମନ୍ତ୍ରୀ

-

ପରାମର୍ଶର ଅବସର ନାହିଁ ମହାରାଜ ।

ଶିଳା

-

ଏହାହିଁ କଅଣ କଳିଙ୍ଗ ମହାମାତ୍ୟ ପକ୍ଷରେ ଉଚିତ କଥା ? ହତାଶ୍‌ର ବାଣୀ ଶୁଣିବାକୁ କଅଣ ତୁମକୁ ଡକାଇଥିଲି ।

ମନ୍ତ୍ରୀ

-

ସତ୍ୟ କହିବା ଯେ ମୋର କର୍ତ୍ତବ୍ୟ ମହାରାଜ !

ଶିଳା

-

ଏଇ କର୍ତ୍ତବ୍ୟ ତୁମର-ଦେଶ ଶତ୍ରୁ ସମାକୂଳ, ରାଜ୍ୟ ଧ୍ୱଂସ ପଥରେ-ଏତିକିବେଳେ ତୁମେ ଶୁଣାଉଛ ମର୍ମଭେଦି ପରାସ୍ତ କାହାଣୀ-ଧିକ ତୁମକୁ-

ମନ୍ତ୍ରୀ

-

କଅଣ କରିବି ସମ୍ରାଟ-ମୁଁ ଯେ କିଛି କୂଳ କିନାରା ପାଉନାହିଁ

ଶିଳା

-

ତେବେ ଛାଡ଼; ମୋତେ ଏକାକୀ ଏହି ଅକୂଳସାଗରରେ ଝମ୍ପ ଦେବାକୁ ପଡ଼ିବ । ସେନା ସାମନ୍ତ, ମନ୍ତ୍ରୀ ମନ୍ତ୍ରଣା, ମୋର କିଛି ଲୋଡ଼ାନାହିଁ-

 

 

(ଦୂତର ପ୍ରବେଶ ଓ ନୀରବ ଅଭିବାଦନ)

ଶିଳା

-

ପୁଣି କି ସମ୍ବାଦ ଦୂତ ?

ଦୂତ

-

ତାମ୍ରଲିପ୍ତ ଶତ୍ରୁକବଳିତ ଏବଂ ୨୦ ସହସ୍ର କଳିଙ୍ଗସେନା ବି ନଷ୍ଟ

ଶିଳା

-

୨୦ ସହସ୍ର ? ତା’ପରେ ଆଉ କିଛି ।

ଦୂତ

-

ସିଂହଭୂମିର ଭୂୟାଁବାହିନୀ ଯୁଦ୍ଧରେ ଅଗ୍ରସର ହୋଇଥିଲେ ମାତ୍ର ଐରର ମାଗଧିସେନା ସମସ୍ତଙ୍କୁ ବିଧ୍ୱସ୍ତ କରିଛନ୍ତି ବେଳାପ୍ଲାବୀ ସିନ୍ଧୁଗାମୀ ନଦ ପରି ଐର ଆସୁଛି ମୃତ୍ୟୁର ଅଗ୍ରଦୂତ ହୋଇ ।

ଶିଳା

-

ଆଉ କିଛି ? କହିଯାଅ-

ଦୂତ

-

ଗିରି ଗ୍ରାମ ବନ କାନ୍ତାର ସର୍ବତ୍ର ବିଭୀଷିକାର ଦାବାନଳ ସୃଷ୍ଟି କରି ଐରର ବିଜୟ ବାହିନୀ ଆଜ ଉନ୍ମତ । ଏକମାତ୍ର ଉପାୟ ହେଉଛି-

ଶିଳା

-

କଅଣ ? (ବ୍ୟଗ୍ରଭାବେ)

ଦୂତ

-

ସନ୍ଧି ପ୍ରାର୍ଥନା-

ଶିଳା

-

(ରାଗରେ) କଅଣ କହିଲୁ ଦୂତ । ସେ ଦିନ ଯେଉଁ ଅପୋଗଣ୍ଡ ଶିଶୁଟାକୁ ତୁଚ୍ଛ ଜ୍ଞାନ କରି ଜୀବନରେ ନମାରି ଛାଡ଼ି ଦେଇଥିଲି ତାହା ସହିତ ସନ୍ଧି କରିବି । ଶୁଣୁଛ ମନ୍ତ୍ରୀ; କାପୁରୁଷଗୁଡ଼ାଏ ନପୋଷିଛି ।

ମନ୍ତ୍ରୀ

-

ଦୂତ ସମ୍ବାଦ-ବାହକ ମାତ୍ର ମହାରାଜ ।

ଶିଳା

-

ଯା’ ଘରେ ଘରେ ଘୋଷଣା ଦେ, ଯେତେ ଯେଉଁଠି ଅବଶିଷ୍ଟ ସୈନ୍ୟ ଅଛନ୍ତି ସମସ୍ତେ ଅଚିରେ ଆସି ରାଜଧାନୀରେ ସମବେତ ହେଉନ୍ତୁ । କଳିଙ୍ଗର ପ୍ରତ୍ୟେକ ପୁରୁଷ, ଶିଶୁ ଅବା ତରୁଣ, ପ୍ରୌଢ଼ ବା ବୃଦ୍ଧ କେହି ବାକି ନରହୁ, ଯା ।

ମନ୍ତ୍ରୀ

-

ମଣିମା-ସେ ଦିଗରୁ ମୁଁ ଶ୍ରୀଛାମୁଙ୍କର ଆଦେଶ ନପାଇ ମଧ୍ୟ ଚେଷ୍ଟା କରିଛି । କୃତକାର୍ଯ୍ୟ ହୋଇନାହିଁ ।

ଶିଳା

-

ମୋତେ ଏ କଥା ଜଣାଇନାହଁ ।

ମନ୍ତ୍ରୀ

-

ଆଉ ଜଣାନ୍ତି କାହିଁକି ? ରାଜାର ଆଦେଶଠାରୁ ରାଣୀଙ୍କ ଆଦେଶ ବଳି ଗଲାରୁ ଏବଂ ପ୍ରଜାମାନେ ଅତ୍ୟାଚାରିତ ହୋଇ ପ୍ରତିକାର ନପାଇବାରୁ ସେମାନଙ୍କ ମନବ୍ୟଥା, ନୀରବ ଭାଷାରେ ଷଡ଼ଯନ୍ତ୍ର ରାଜଦ୍ରୋହ ପ୍ରଚାର କରି ଦେଶକୁ ରୁଦ୍ଧଶ୍ୱାସର ଭଗ୍ନଧ୍ୱନିରେ ବିକମ୍ପିତ କରୁଥିଲା । ଏଇଥିପାଇଁ ପ୍ରଜାଏ ଆଜି ପୃଷ୍ଟଭଙ୍ଗ ଏବଂ ଉପଯୁକ୍ତ ସେନାନୀ ଅଭାବରୁ ସୈନ୍ୟମାନେ ଛତ୍ରଭଙ୍ଗ ।

ଶିଳା

-

ଏ ଯେ ଦୁର୍ବିସହ କଳଙ୍କ; ରାଜା ଉପରେ କ୍ଷୋଭ କରି କଳିଙ୍ଗବାସୀ ଯଦି ଭୀରୁ ହୁଅନ୍ତି, ରାଜାର ଅବିଚାର ପାଇଁ ଜନ୍ମଭୂମିକୁ ଶତ୍ରୁ ହାତରେ ଟେକି ଦିଅନ୍ତି, ଦେଶର ଏହି ଦୁର୍ଦ୍ଦିନରେ ଯଦି ଦେଶର ସନ୍ତାନ ହୋଇ ପଛଘୁଞ୍ଚା ଦିଅନ୍ତି ତେବେ ଭବିଷ୍ୟତ ଇତିହାସ କଅଣ ଗାଇବ ?

ମନ୍ତ୍ରୀ

-

କାହାକୁ କହିବେ ମଣିମା କିଏ ଶୁଣିବ ?

ଶିଳା

-

ବେଶ୍ ତାଇ ହେଉ । କେହି ନଆସୁ ମୁଁ ଏକା ଯିବି, କେହି ଯୁଦ୍ଧ ନକରୁ ମୁଁ ଏକା ମୃତ୍ୟୁର ସମ୍ମୁଖୀନ ହେବି ।

ମନ୍ତ୍ରୀ

-

ମହାରାଜ, ଅଶୀତିପର ବୃଦ୍ଧ ମୁଁ-ଆଜୀବନ କଳିଙ୍ଗ ଅନ୍ନରେ ପ୍ରତିପାଳିତ, ଦେଶ ଶତ୍ରୁର ଗତିରୋଧ କରିବାର ସାଧ୍ୟ ଯଦି ଆଜି ଏ ସ୍ଥବିରର ନଥାଏ ତଥାପି ଦେଶର ସ୍ୱାଧୀନତା ନିମିତ୍ତ ପ୍ରାଣକୁ ଅକାତରେ ବଳି ଦେବାର ସଂକୋଚ ମଧ୍ୟ ମୋର ନାହିଁ । ଯାଉଛି ଦେଖେ-(ପ୍ରସ୍ଥାନ)

 

 

(ମନ୍ତ୍ରୀର ପ୍ରସ୍ଥାନ ପରେ ଶିଳାଦିତ୍ୟ କିଛିକ୍ଷଣ କକ୍ଷ ଭିତରେ ଏପାଖ ସେପାଖ ବୁଲି ଚିନ୍ତା କଲେ ତତ୍ପରେ କହିଲେ)

ଶିଳା

-

ଏଇ ହେଲା ପରିଣାମ-ଆଜି ବୀରପ୍ରସୂ କଳିଙ୍ଗ ଶତ୍ରୁ କବଳିତ ହେଲାବେଳେ ତାହାର ସ୍ତ୍ରୈଣ ରାଜାର ଅନୀତି ଯୋଗୁଁ କେହି ଜଣେ ହେଲେ ସନ୍ତାନ ବାହାରୁନାହିଁ ମାତାକୁ ରକ୍ଷା କରିବାକୁ ଆଜି ମୋର କେହି ସଖା ସୋଦର ନାହିଁ; ଆଜି ମୁଁ ଏକା-

 

 

(ହଠାତ୍ ରାଣୀଙ୍କର ପ୍ରବେଶ)

ରାଣୀ

-

ଏକା ନୁହେଁ ମହାରାଜ ! ମୁଁ ଯେ ସାଙ୍ଗେ ସାଙ୍ଗେ । ଦୁଃଖ କଅଣ-ଚାଲ, ସ୍ୱାମୀ ସ୍ତ୍ରୀ ଦୁହେଁ ଶତ୍ରୁ ସହିତ ଯୁଦ୍ଧ କରିବା ।

ଶିଳା

-

(ପ୍ରାଣହୀନ ହାସ୍ୟ ସହ) ଶତ୍ରୁ ସହିତ ନୁହେଁ, ମୃତ୍ୟୁ ସହିତ; ବେଶ୍ ଚାଲ-କିନ୍ତୁ ମନେରଖ, ରଣକ୍ଷେତ୍ର ରାଜପ୍ରାସାଦର ଶୟନକକ୍ଷ ନୁହେଁ ।

ରାଣୀ

-

ଏବଂ ଆନ୍ଧ୍ର ରାଜକନ୍ୟା ମୃତ୍ୟୁର ସ୍ତାବିକା ନୁହେଁ ।

ଶିଳା

-

ଦୁର୍ଦ୍ଦିନରେ ସୁଦ୍ଧା ମୋତେ ହସ ମାଡ଼ୁଛି । ହଉ ଚାଲ-ରାଜାରାଣୀ ପାଖାପାଖି ଠିଆହୋଇ ଶତ୍ରୁର ତୀର ମୁନକୁ ବକ୍ଷ ମୁକ୍ତ କରିଦେବା-ଜୀବନ ରଙ୍ଗମଞ୍ଚରେ କି ଭଳି ଯବନିକା ପଡ଼ିବ ଦେଖିବା-

ରାଣୀ

-

ଉତ୍କଟ ଅଭିନବ ଏବଂ ଅଶ୍ରୁତପୂର୍ବ ବିୟୋଗାନ୍ତକ ଦୃଶ୍ୟରେ ସେ ମହାକାବ୍ୟର ସମାପ୍ତି ହେବ ।

(ପ ଟ୍ଟ ପ ତ୍ତ ନ)

Image

 

୫ମ ଦୃଶ୍ୟ

 

 

 

(ତୋଷାଲି ରାଜପଥ । ପଳାତକ ନଗରବାସୀଗଣ । ଅନ୍ତରାଳରୁ ଗୋଟାଏ ଭୀତିପ୍ରଦ କୋଳାହଳ ଶୁଣାଯାଉଥାଏ । ଉର୍ଦ୍ଧଶ୍ୱାସ ହୋଇ ଦୁଇଜଣ ନଗରବାସୀ ଓ ଜଣେ ସ୍ତ୍ରୀ ଲୋକର ପ୍ରବେଶ)

ହରିଆ

-

ଆଲୋ ପେଚା ମା’, ଆଲୋ ଦଉଡ଼ି ଆଲୋ, ଦଉଡ଼ି ଆ-

 

 

(ପଛକୁ ଭୟେ ଭୟେ ଅନାଇ ହାତଠାରି ଚିତ୍କାର କରିବା)

ପେଚା ମା’

-

ହଇମ-ମୋ ପନିକି, କୁଣ୍ଡ, ବିଶାକାଠି ସବୁ ଛାଡ଼ି ଆସିଲି-ଟିକିଏ ଦଉଡ଼ି ଯା’ ମ-ହାଣ୍ଡିଶାଳ ପିଣ୍ଡାରେ ଅଛି

ହରି

-

ଆଉ ହାଣ୍ଡିଶାଳ-ସେଠି ତ ଧୂଆଁ ଉଠିଲାଣି । (ମୁଣ୍ଡ ଟେକି ଅନାଇବା) ହେଇ ଦେଖ-ମୁଁ କଅଣ ମରିବାକୁ ଯିବି-

ପେଚା ମା’

-

ଅଣ୍ଡିରା ମିଣିପ ହୋଇ ମାଇପିଙ୍କ ପରି ଏଡ଼େ ଡର କିଆଁ ମ - ଚୋରିଗଲେ ଫେର୍ କେଉଁଠୁ ପାଇବା-ନଅ ପଇସା ପାଣିରେ ଗଲା ସିନା-

ହରି

-

ଆଲୋ-ଗଲେ ଯାଉ, ଜୀବନ ଥିଲେ କେତେ ନଅ ପଇସା । ଚାଲ ପଳାଇ ଚାଲ-ଏଇ ଦେଖ ସାନ୍ତରା ସାହି ଜଳି ଉଠିଲାଣି-ବାପରେ-ସଇଲାରେ-

 

 

(ଅନ୍ୟ ନଗରବାସୀ ଧଇଁ ସଇଁ ହୋଇ ପ୍ରବେଶ)

ଦରିଆ

-

କି ଦୁର୍ଯୋଗରେ ବାପା-ମୋର ସବୁ ଧାନ ଅମାର ଜଳିଗଲା-କଅଣ କରିବି-ଲଢ଼େଇ କଲେ ରାଜା ସଙ୍ଗେ ରାଜା, ମାଡ଼ ପଡ଼ିଲା ଆମ ଗରିବଙ୍କ ଉପରେ । କି କାଳ ପଡ଼ିଲାରେ ।

ହରି

-

ପ୍ରଧାନ ପୁଅ-ପାଇକଗୁଡ଼ାକ ଏ ଗାଁରେ ବି ନିଆଁ ଲଗାଇ ଦେଲେଣି-ହେଇ ଅନାଇଲଣି ଆର ଗାଁରେ ମଧ୍ୟ ନିଆଁ ଜଳୁଛି- କିଛି ବାକି ରଖୁ ନାହାନ୍ତି ।

 

 

(ଦୂରରୁ କାନ୍ଦବୋବାଳି ଶବ୍ଦ)

ହରିଆ

-

ହେଇ ଶୁଣ-ରାମ ସାହୁ ପାଟି ଶବଦ-ପିଲା ବୁଢ଼ା କିଛି ବାକି ରଖୁ ନାହାନ୍ତି-ବିଚରା ଗଲା ଏଥର । ଚାଲ ପଳାଇବା ।

ପେଚା ମା’

-

ରାମ ସାହୁ ଗଲା ? ମୋର ତିନିଅଣା କାଳି କରି ଖାଇଛି କିଏ ଦେବ-

ଦରିଆ

-

ତା’ର ତିନି ଲକ୍ଷ ଟଙ୍କାର ଜୀବନ ଗଲା ତୋ ତିନି ଅଣାକୁ କିଏ ପଚାରେ ଲୋ ।

ହରି

-

ପଧାନ ଭାଇ ! ପରଜାଙ୍କର ଏ ନିଶ୍ୱାସ କଅଣ ତା ଉପରେ ପଡ଼ିବ ନାହିଁ-ଏଥିରେ କଅଣ ଧର୍ମ୍ମ ସହିବ ?

ପଧାନ

-

ଧର୍ମ୍ମ କଅଣ ଆଉ ଏ ଯୁଗରେ ଅଛି କିରେ ହରିଆ-ଆମେ ସବୁ ହୀନକପାଳିଆ, ଯୁଆଡ଼େ ଯାଇ କର୍ମ୍ମ ଘେନି ବୁଲୁଥାଇଁ; ଚାଲ-ଚାଲ-(ଦଉଡ଼ି ପଳାଇବାକୁ ଉଦ୍ୟତ)

ପେଚା ମା’

-

ଏ-ମୋ ଖୋସଣୀ ଫିଞ୍ଚିଗଲା, ଟିକିଏ ଛିଡ଼ା ହୁଅ ମ-

ହରି

-

ଫିଟିଲେ ଫିଟିଲା-ଆଗେ ଜୀବନ ରହୁ-ପଛେ ଖୋସଣୀ ମାରିବୁ-ଏ ମାଇପି ଜାତି ସାଙ୍ଗରେ ଥିଲେ ତିନିପୁରରେ ଠାବ ନାହିଁ ।

ପଧାନ

-

ହଉ, ହଉବେ, ଜଲଦି ମାରିଦେ-ଏହିକ୍ଷଣିକା ଆସି ପହଞ୍ଚିବେ-ଆଉ ରକ୍ଷାନାହିଁ-ସେ ପାହାଡ଼ ଖୋଲରେ ନଲୁଚିଲେ ଆଉ ରକ୍ଷାନାହିଁ-ମୁଁ ତ ମୋ ଧନରତ୍ନ ଯେତେ ସବୁ କୂଅରେ ପକାଇ ପଳାଇ ଆସିଛି-ଆଲୋ ଆ ଜଲଦି-ନହେଲେ ମର ଏଇଠି-

ପେଚା ମା’

-

ନାଇଁ ନାଇଁ ଚାଲ-ମୋ ମା’ଲୋ-(ସମସ୍ତଙ୍କର ପଳାୟନ)

(ପ ଟ୍ଟ ପ ତ୍ତ ନ)

Image

 

୬ଷ୍ଠ ଦୃଶ୍ୟ

 

 

 

(ଶିଳଦିତ୍ୟଙ୍କ ଶବିର-ସମୟ ସନ୍ଧ୍ୟା; ଦୂରରୁ ବିଜୟ କୋଳାହଳ ଶୁଭୁଛି-ଶିଳାଦିତ୍ୟ ହତାଶରେ କ୍ଷିପ୍ତ । ଜଣେ ଦୂତ ସମ୍ବାଦ ନେଇ ଆସିଥିଲା-ସେ ଠିଆ ହୋଇଛି)

ଦୂତ

-

ପଳାଇ ଯାଆନ୍ତୁ ମହାରାଜ । ବର୍ତ୍ତମାନ ସୁଦ୍ଧା ସମୟ ଅଛି ।

ଶିଳା

-

କୁଆଡ଼େ ପଳାଇଯିବି-ଚାରିଆଡ଼େ ଯେ ସୈନ୍ୟ ଘେରି ରହିଅଛନ୍ତି-ବାଟ କାହିଁ-ତୁ ବରଂ ପଳାଇ ଯା-ପ୍ରାଣରକ୍ଷା ହେବ ।

ଦୂତ

-

ମୁଁ ମୋ ପାଇଁ ଚିନ୍ତିତ ନୁହେଁ ମହାରାଜ ! କିନ୍ତୁ ଆଉ ଉପାୟ ନାହିଁ । ସବୁ ସୈନ୍ୟ ଆମ୍ଭର ଛତ୍ରଭଙ୍ଗ ଦେଇ ପଳାଇ ଗଲେଣି-

ଶିଳା

-

ମୁଁ ତେବେ ଆଉ ଏ ପୋଡ଼ାପ୍ରାଣ ଘେନି କେଉଁଆଡ଼େ ଯିବି ?

ଦୂତ

-

ଥରେ ହେଲେ ଚେଷ୍ଟା କରନ୍ତୁ ମହାରାଜ-ଯଦି ଆତ୍ମରକ୍ଷା ହୁଏ-ପରେ ପୁଣି ସୈନ୍ୟ ସଂଗ୍ରହ କରି ପାରିବା । ଯୁଦ୍ଧରେ ଜୟ ପରାଜୟ ଘଟିଥାଏ ।

ଶିଳା

-

ପୁଣି ସୈନ୍ୟ ସଂଗ୍ରହ ? (ଅବିଶ୍ୱାସ ଭରେ)

ଦୂତ

-

ହଁ ମହାରାଜ-(ନେପଥ୍ୟେ ଜୟ ମଗଧେଶ୍ୱରଙ୍କର ଜୟ) ଏଇ ମହାରାଜ ! ଶିବିର ଆକ୍ରମଣ ହେଲାଣି-ଆଉ ବେଳ ନାହିଁ ପଳାଇଯାନ୍ତୁ ମହାରାଜ-ପଳାଇଯାନ୍ତୁ-

 

 

(ହଠାତ୍ ଐର ସସନ୍ୟୈ ପ୍ରବେଶ)

ଐର

-

ଆଉ ପଳାଇବାକୁ ହେବନାହିଁ-ବନ୍ଦୀ କର ସୈନିକ-

 

 

(ସୈନ୍ୟ ଶିଳାଦିତ୍ୟ ଓ ସୈନିକକୁ ବନ୍ଦୀ କଲେ)

ଶିଳା

-

କିଏ-ପରାନ୍ନଭୋଜୀ-ଅଜାତଶୁଶ୍ରୁ ଯୁବକ-

ଐର

-

ହଁ-ଚିହ୍ନିପାରୁନାହଁ-ସେ ଯୁଦ୍ଧ ଆଉ ଏ ଯୁଦ୍ଧତ ବେଶୀ ଦିନର କଥା ନୁହେଁ (ବିଦ୍ରୁପରେ) ଓହୋ-କଳିଙ୍ଗ କେଶରୀଙ୍କର କେଶର ଆଜି ଛିଡ଼ିଯାଇଛି ପରା ?

ଶିଳା

-

ଚିହ୍ନିଛି ! ମୁଁ ଯେଉଁ ଶ୍ୱାନକୁ ସେ ଦିନ ଘୃଣାରେ ନମାରି ଛାଡ଼ି ଦେଇଥିଲି ସେହି-ତୁ-ନା-

ଐର

-

ହଁ ସେହି ତୋର ଯମ ! ମନେପଡ଼େ ପାଷାଣ୍ଡ, ଯେତେବେଳେ ମୋର ପୂଜ୍ୟପାଦ ମାତାମହ ତୋତେ ଦୟାପରବଶ ହୋଇ ସିଂହାସନ ଦାନ କରିଥିଲେ ? ମନେପଡ଼େ କୃତଘ୍ନ ! ତୁ କି ଭାବରେ ସେ ଦାନର ପ୍ରତିଦାନ ଦେଇଛୁ ? ତୋର ଅଙ୍ଗ ପ୍ରତ୍ୟଙ୍ଗ ଖଣ୍ଡ ବିଖଣ୍ଡ କରି ଶ୍ୱାନ ଶୃଗାଳକୁ ଖୁଆଇଲେ ମଧ୍ୟ ତୋର ସମୁଚିତ ହେବନାହିଁ-ତୋର ମୃତ୍ୟୁ-(ଅଶୋକ ସସୈନ୍ୟେ ପ୍ରବେଶ)

ଅଶୋକ

-

ମୃତ୍ୟୁ ଯେ ତା’ ପ୍ରତି ଆଶୀର୍ବାଦ ଐର-ତାକୁ ମୃତ୍ୟୁଠାରୁ ବଳି ଭୀଷଣ ଦଣ୍ଡ ଦେବାକୁ ପଡ଼ିବ-ପ୍ରତି ନିୟତ ଜୀବନ୍ତ ମୃତ୍ୟୁର ବିଷଦାହରେ ଜଳାଇ ପୋଡ଼ାଇ ମାରିବାକୁ ହେବ-

ଐର

-

ଠିକ୍ କହିଛନ୍ତି ମହାରାଜ ! ମୃତ୍ୟୁ ତାକୁ ଏତେଶୀଘ୍ର ଦେବାର ନୁହେଁ-ମୃତ୍ୟୁ ଆଶଙ୍କାରେ ସେ ମର୍ମେ ମର୍ମେ ଶିହରୁ ଥାଉ ।

ଶିଳା

-

ଉଦ୍ଧତ ରାଜା, ବିଜୟ ଉଦ୍ଧତ ରାଜଭୃତ୍ୟ ! ଶିଳାଦିତ୍ୟ ବନ୍ଦୀ ହେଲେହେଁ ଭୀରୁ ନୁହେଁ-ତାର ଯଥାସର୍ବସ୍ୱ ଗଲେ ମଧ୍ୟ ତା’ର ଧମନୀରେ କଳିଙ୍ଗର ବୀରରକ୍ତ ପ୍ରବାହିତ-ନିୟତିର ଚକ୍ର ଘୃର୍ଣ୍ଣନରେ ଆଜି ତା’ର ଏ ଦୁରବସ୍ଥା-ନଚେତ୍ ପଦାଘାତରେ (ତଳେ ପଦାଘାତ) ଏହାର ଉପଯୁକ୍ତ ପ୍ରତିଫଳ ଦିଅନ୍ତି-ଯଦି ଦଣ୍ଡକ ପାଇଁ ମୁକ୍ତି ପାଆନ୍ତି-(ଟାଣି ଓଟାରି ହେବା) ଓଃ- ବାସ୍ତବରେ ବନ୍ଧନରେ ପଡ଼ି କେଶରୀ ଆଜି ଅଚଳ-ଭାଗ୍ୟ ବିମୁଖରୁ ଶୃଙ୍ଖଳିତ-ନଚେତ୍ ଶ୍ୱାନ ଶୃଗାଳ, କେଶରୀ ସମ୍ମୁଖରେ ପଳାୟନର ପଥ ପାଆନ୍ତେ ନାହିଁ-

ଅଶୋକ

-

(ହସି ହସି) ଲମ୍ଫ ଝମ୍ଫ ଯେତେ କରିବାର କରିନିଅ-ଆଉ ବେଳ ପାଇବ ନାହିଁ । ରକ୍ଷୀ-ମୋର ଅନ୍ୟାଦେଶ ପର୍ଯ୍ୟନ୍ତ ସତର୍କରେ ବନ୍ଦୀ କରି ରଖ-

ଶିଳା

-

ହଁ ନେଇଚାଲ-ଶ୍ୱାନ ଶୃଗାଳର ଆସ୍ଫାଳନ ଅସହ୍ୟ । (ସୈନ୍ୟ ବନ୍ଦୀକୁ ନେଇ କିଛି ଅଗ୍ରସର ହେଲେ)

ଅଶୋକ

-

ଆଉ ତାର ରାଣୀ-ତାକୁ ଛାଡ଼ି ଦିଆଯାଉ ଐର

ଐର

-

ନା ମହାରାଜ ! ମୁଁ ଭୁଲି ଯାଇଥିଲି । ସେହି ତ ସବୁ ଅତ୍ୟାଚାରର ମୂଳ-ଏ ମୂଢ଼ ତ ତା’ ହସ୍ତର କ୍ରୀଡ଼ା ପୁତ୍ତଳି; ତାହାରି କୁଶିକ୍ଷାରେ ମୋର ମାତାମହ ହସ୍ତ ହୀନ ହୋଇଥିଲେ;

ଅଶୋକ

-

କିନ୍ତୁ-ଐର ! ସେ ଯେ ରମଣୀ ।

ଐର

-

ରମଣୀ ବୋଲିତ ଏତେ କଥା-ନଚେତ୍ ମୁଁ ତାକୁ ବନ୍ୟଜନ୍ତୁର ଭକ୍ଷ କରାଇଥିଲେ ମଧ୍ୟ ତୃପ୍ତି ପାଆନ୍ତି ନାହିଁ-

ଶିଳା

-

ରାଜା ! ପରାଜିତ ହୋଇଛି ମୁଁ-ଫଳାଫଳ କାର୍ଯ୍ୟାକାର୍ଯ୍ୟ ଦାୟିତ୍ୱ ମୋର-ରାଣୀ ଅବଳା-ତାଙ୍କ ପ୍ରତି ଅବିଚାର କର ନା, ଅନ୍ତତଃ କ୍ଷତ୍ରିୟ ଯୁଦ୍ଧର ନିୟନ ପାଳନ କର-

ଅଶୋକ

-

ହଁ-ଐର ! ରାଣୀଠାରେ ଆମର କି ଆବଶ୍ୟକ-ତା’ପାଇଁ ଯୁଦ୍ଧନୀତି ଲଙ୍ଘନ କରିବା କାହିଁକି ?-

ଐର

-

ଲଙ୍ଘନ କରିବା କାହିଁକି ? ଏତେବେଳେ ଏ ବର୍ବରର ଯୁଦ୍ଧନିୟମ ବାହାରୁଛି-କିନ୍ତୁ ଯେତେବେଳେ ସେହି ପାପିଷ୍ଠାର ପ୍ରରୋଚନାରେ ପଡ଼ି ଗତ ଯୁଦ୍ଧରେ ୫ ସହସ୍ର ମୈଥିଳି ସୈନ୍ୟଙ୍କୁ ତପ୍ତତୈଳରେ ନିକ୍ଷେପ କରି-

ଅଶୋକ

-

ତପ୍ତତୈଳରେ ନିକ୍ଷେପ କରି-ଏ ଅସହ୍ୟ; ରକ୍ଷୀ ନେଇଯାଅ କଳିଙ୍ଗର ଉଚ୍ଛେଦସାଧନ ମୋର ଚରମବ୍ରତ-ଯାଅ, ଯାହାକୁ ଯେଉଁଠି ପାଅ-କିଛି ବିଚାର କରନା-କେବଳ ହତ୍ୟାକର, ଗ୍ରାମ ନଗର ଜନଶୂନ୍ୟ କର-ଦୁଗ୍‌ଧପୋଷ୍ୟ ଶିଶୁ କି ଅଶୀତିପର ବୃଦ୍ଧ; ପୁରୁଷ କିମ୍ବା ନାରୀ ଯେ ହେଉ, ଖାଲି ହତ୍ୟା-ହତ୍ୟା-ହତ୍ୟା-ହତ୍ୟାକର-

ଐର

-

ପ୍ରଜାଙ୍କୁ ହତ୍ୟା କରିବାକୁ ଆଦେଶ ଦେଉଛନ୍ତି ମହାରାଜ ! ସେମାନେ ତ ନିର୍ଦ୍ଦୋଷ-

ଅଶୋକ

-

ନିର୍ଦ୍ଦୋଷ ? ମନେକର ଐର ତୁମ୍ଭର ପିତୃପୁରୁଷଙ୍କର ବଂଶ ଇତିହାସ-ଏହି ଦେଶର କୃତଘ୍ନ ପ୍ରଜା-ଯାହାଙ୍କ ଲାଗି ତୁମ୍ଭର ମାତାମହ ନିଜ ହୃଦୟର ଶେଷରକ୍ତ ବିନ୍ଦୁଟି ପର୍ଯ୍ୟନ୍ତ ଢାଳିଦେଲେ ସେମାନେ କଲେ କଅଣ ?-କେହି କ’ଣ ସେତେବେଳେ ସହାନୁଭୂତି ଦେଖାଇଥିଲେ ?

ଐର

-

(ଓଷ୍ଠ କାମୁଡ଼ି) ହଁ ଠିକ୍-ମାତାମହଙ୍କର ଅନ୍ତିମ ଆଦେଶ, ତାହାହିଁ ହେଉ-କଳିଙ୍ଗ ଦେଖୁ କୃତଘ୍ନତାର ପରିଣାମ କିପରି ଭୟାବହ-ଜଗତ ଦେଖୁ ବୀର ପ୍ରତି ଦୁର୍ବ୍ୟବହାରରେ କେତେଦୂର ବିଷଜ୍ୱାଳାର ଉଦ୍ରେକ ହୁଏ-

ଅଶୋକ

-

ଯାଅ ସୈନିକ ! ତୁମ୍ଭେ ଶାଣିତ କୃପାଣକୁ ପ୍ରତିଶୋଧ ମନ୍ତ୍ରରେ ତିକ୍ତ କରି କଳିଙ୍ଗର ଘରେ ଘରେ ଖାଲି ମହାମାରୀର ସୃଷ୍ଟିକର-ଶସ୍ୟ କ୍ଷେତ୍ରରେ ଅଗ୍ନିଜାଳି ଭସ୍ମ କରିଦିଅ-କୂପ ପୁଷ୍କରିଣୀରେ ବିଷଭରି ହଳାହଳର ସୃଷ୍ଟିକର-ଯେଣେ ଯାଅ, କେବଣ ମୃତ୍ୟୁର ମର୍ମଭେଦୀ ହାହାକାରରେ ଗଗନ ପବନ ବିଷାକ୍ତ କରିଦିଅ-ବିଜୟ ଦମ୍ଭରେ ବିକ୍ଷସ୍ଫୀତ କରି ଦେଶସାରା ଭୀଷଣ ଆତଙ୍କର ସୃଷ୍ଟିକର-ଏବଂ ତାହାରି ଉପରେ ମଗଧର ରାଜସିଂହାସନ ଦୃଢ଼ ହୋଇଯାଉ ।

ସୈନିକଗଣ

-

ଜୟ ମହାରାଜ ଅଶୋକଙ୍କର ଜୟ ।

(ଯ ବ ନି କା ପ ତ୍ତ ନ)

Image

 

ଚତୁର୍ଥ ଅଙ୍କ

୧ମ ଦୃଶ୍ୟ

ତୋଷାଲି ଦରବାର କକ୍ଷ, ସମୟ ରାତ୍ରୀ ।

 

 

 

କଳିଙ୍ଗ ବିଜୟ ପରେ ଅଶୋକ ପ୍ରଥମ କରି ତୋଷାଲି ରାଜପ୍ରାସାଦରେ ଆପଣାର ଦରବାର କରି ଅଛନ୍ତି । କଳିଙ୍ଗ ଓ ମାଗଧି ବହୁ ସମ୍ଭ୍ରାନ୍ତ ବ୍ୟକ୍ତି ବିଦ୍ୟମାନ । ସେନା ସେନାଧ୍ୟକ୍ଷକୁ ଉପଯୁକ୍ତ ପୁରଷ୍କାର ଦିଆଯିବ । ଐର ଏତେବେଳେ ଯାଏ ଅନୁପସ୍ଥିତ । ଦରବାର କାର୍ଯ୍ୟ ଆରମ୍ଭ ପୂର୍ବରୁ ନର୍ତ୍ତକୀମାନେ ନୃତ୍ୟ ଗୀତ ଆରମ୍ଭ କଲେ ।

ଗୀତ

ନର୍ତ୍ତକୀଗଣ-

ଚାହାଁ ସଖି, କିବା ଶିରୀ ମହୀରେ ରାଜେ;

ଗଗନେ ରାଜେ ଆଜି ମହୀରେ ରାଜେ-

ମଳୟ ପରଶି ମନ୍ଦେ-ଅନିଳ ଶୀତଳ ଗନ୍ଧେ

ଗାଏ ଜୟ ସୁନୁ ସୁନୁ ସୁରେ ॥

ରଜତ କିରଣେ ଶଶି,

ସଜତ କରିଛି ନିଶି,

କୂଜନେ କୋକିଳା ତାନ ଧରେ ।

ସେହି ସୁରେ ବାନ୍ଧିତାନ-ଗାଅ ବନ୍ଧୁ ଜୟଗାନ

ଭାରତର ଦୁଃଖନିଶା ଭାଜେ ।୧।

(ନର୍ତ୍ତକୀମାନଙ୍କର ପ୍ରସ୍ଥାନ)

ଅଶୋକ

-

ସାମନ୍ତଗଣ !-ଆଜି ଏହି ଆନନ୍ଦ ଦିବସରେ ଆନନ୍ଦକର-ମଗଧର ବିଜୟ ଦୁନ୍ଦୁଭି ତୋଷାଲିର ଗୃହେ ଗୃହେ ନିନାଦିତ ହେଉ । ଏତେଦିନ ପରେ-ଏତେ ସେନାକ୍ଷୟରେ କଳିଙ୍ଗର ଜୟ ହୋଇଛି-କିନ୍ତୁ ଯେଉଁମାନେ ପ୍ରାଣଦେଇ ଦେଶର ଏ ଗୌରବ କିଣି ଆଣିଲେ ତାଙ୍କର ତ ଅକ୍ଷୟସ୍ୱର୍ଗ; ସୈନିକର ଆଦର୍ଶ ସେମାନେ-ମୃତ୍ୟୁରେ ଅମର ହୋଇରହିବେ ସେମାନେ-ତାଙ୍କପାଇଁ ଦୁଃଖ କରିବା ମୂର୍ଖର କାର୍ଯ୍ୟ-ମାତ୍ର ଯେଉଁମାନେ ସେ ସୁଯୋଗରୁ ବଞ୍ଚିତ ସେହି ଯୁଦ୍ଧ ପ୍ରତ୍ୟାଗତ ସୈନିକମାନଙ୍କର ଆନନ୍ଦ ଉତ୍ସବ ଆଜି ରାଜ ବ୍ୟୟରୁ ନିର୍ବାହିତ ହେଉ-

୧ମ ସାମନ୍ତ

-

ଯଥା ଆଜ୍ଞା-ମହାରାଜ !-

ଅଶୋକ

-

ଅବଶ୍ୟ ଐର ନିକଟରେ ଆମ୍ଭେମାନେ କୃତଜ୍ଞ-ନବୀନ ଏବଂ ତରୁଣ ହେଲେହେଁ ସେ ଯେଉଁ ତେଜସ୍ୱିତା ଏବଂ ଦକ୍ଷତାର ପରିଚୟ ଦେଇଛି-ସେହି ଏକା ତାହାର ତୁଳନା; ଯେଉଁ ଅତିବୀର୍ଯ୍ୟ ରଣ ଉନ୍ମାଦନାରେ ସୈନିକର ଆହତ ଶରୀରରେ ଶକ୍ତି ସଞ୍ଚାର କରିଛି-ତାହା ପ୍ରତ୍ୟେକ ମଗଧ ସେନାନୀର ଅନୁକରଣୀୟ । ଅଦ୍ଭୁତ ଯୁବକ-ସାକ୍ଷାତ୍‌ ଯେପରି ଗୋଟାଏ ମୂର୍ତ୍ତୀମାନ ପ୍ରଳୟ-ମୁଁ ସାରା ଆର୍ଯ୍ୟାବର୍ତ୍ତ ଜୟ କରିଛି-ପଞ୍ଚନନ୍ଦଠାରୁ ଗୌଡ଼ ପର୍ଯ୍ୟନ୍ତ ବହୁତ ଯୁଦ୍ଧ କରିଛି- ବହୁତ ବୀର ଦେଖିଛି କିନ୍ତୁ ମୃତ୍ୟୁ ତୁଚ୍ଛାକରି ଏ ଅନନ୍ୟ ସାଧାରଣ ବୀର ପ୍ରତିଭାର ପରିଚୟ ଏଇ ପ୍ରଥମ ଦେଖିଲି-କାହିଁ ଦୈବରିକ-ଯାହାଙ୍କ ନିମିତ୍ତ ବିଶେଷକରି ଆଜିକାର ଏହି ବିଜୟ ଉତ୍ସବର ଅନୁଷ୍ଠାନ, ସେହି ବୀର ଯୁବକ କାହାନ୍ତି ?- ଯାଅ-ତାଙ୍କୁ ସସମ୍ମାନେ ଘେନିଆସ ।

 

 

(ଐରର ପ୍ରବେଶ ଓ ଅଭିବାଦନ)

ଐର

-

ଆଉ ଡାକିବାକୁ ହେବନାହିଁ ମହାରାଜ ମୁଁ ନିଜେ ଆସିଛି ।

ଅଶୋକ

-

ଆସ ବୀର ! ଏତେବେଳ ଯାଏ କୁଆଡ଼େ ଥିଲ ? ଏ ବିଜୟ ଉତ୍ସବ ତୁମ୍ଭରି-ଏଥିରେ ତୁମ୍ଭର ସର୍ବ ପ୍ରଥମେ ଯୋଗଦେବା ଉଚିତ-ଦୈବାରିକ-ନର୍ତ୍ତକୀମାନଙ୍କୁ ଆଉ ଗୋଟାଏ ବନ୍ଦନା ଗୀତ ଗାଇବାକୁ କୁହ-

ଐର

-

ନା ମହାରାଜ ! ବନ୍ଦ କରନ୍ତୁ-(ଶୁଷ୍କ କଣ୍ଠରେ)

ଅଶୋକ

-

ଏ କ’ଣ ଐର-ଏତେ ବିମର୍ଷ କାହିଁକି ? ତୁମ୍ଭର ବିରସ ବଦନ-ରୁକ୍ଷ କେଶ-ନିଷ୍ପ୍ରଭ ଚାହାଣି ଏବଂ ଏପରି ନିବୀର୍ଯ୍ୟ ପ୍ରତିଭାର କାରଣ କଅଣ ?

ଐର

-

(ବ୍ୟାକୁଳ ଭାବରେ) ମହାରାଜ !

ଅଶୋକ

-

ଏପରି କଣ୍ଠସ୍ୱର କାହିଁକି ଐର, ତୁମେ କାହିଁ ବିଜୟ ଉତ୍ସବରେ ବେଳାପ୍ଳାବୀ ସିନ୍ଧୁ ପରି ଉନ୍ମାଦ ରହନ୍ତ, ତା ନରହି ଏ କଅଣ କରୁଛ ?

ଐର

-

ବିଜୟ ନୁହେଁ ମହାରାଜ ! ଏ ଯେ ମୋର ଘୋର ପରାଜୟ-

ଅଶୋକ

-

ପରାଜୟ ? ତୁମ୍ଭର ପ୍ରତିଶୋଧ ନେବା ପ୍ରତିଜ୍ଞା ପୂର୍ଣ୍ଣ ହୋଇଛି ତୁମ୍ଭର ପିତୃଶତ୍ରୁ ପରାଜିତ ହୋଇଛି-କୃତଘ୍ନତାର ଶାସ୍ତି ମିଳିଛି-ଏବଂ ମୋର ଜୀବନର ଏକ ଶ୍ରେଷ୍ଠ ଉଦ୍ଦେଶ୍ୟ ସାଧିତ ହୋଇଛି-ତଥାପି ତୁମେ ତାକୁ ପରାଜୟ କହୁଛ ? ମୁଁ କିଛି ବୁଝିପାରୁନାହିଁ; ଶିଳାଦିତ୍ୟକୁ ବନ୍ଦୀ କଲା ଦିନ ତ ତୁମେ ଏପରି ନଥିଲ-

ଐର

-

ତା କାହୁଁ ଥାଆନ୍ତି ? ସେତେବେଳେ ମୁଁ ଯେ ଘୋର ଅନ୍ଧସତ୍ୟ ମହାରାଜ ! ଶିଳାଦିତ୍ୟ ବନ୍ଦୀଶାଳାରେ ରହି ପ୍ରକୃତ ବନ୍ଦୀ ନୁହେଁ-ମୁଁ ହିଁ ତାକୁ ବନ୍ଦୀ କରି ନିଜେ ମୁକ୍ତ ଆକାଶତଳେ ରହି ବନ୍ଦୀ-

ଅଶୋକ

-

ତୁମର କଥାତ ପ୍ରହେଳିକା ପରି ଲାଗୁଛି-ଏ ପ୍ରଳାପ କାହିଁକି ବୀର ?

ଐର

-

ପ୍ରଳାପ ନୁହେଁ ମହାରାଜ ! ଏହା ମୋର ବ୍ୟାକୁଳ ଅନ୍ତରର କରୁଣ ବିଳାପ-

ଅଶୋକ

-

କଥା କଅଣ ? ତୁମ୍ଭଙ୍କୁ ଏ ଆତ୍ମଗ୍ଳାନି କିଏ ଦେଲା ?

ଐର

-

ମୋର ମନ ମୋତେ ଦେଲା-କାଲି ସନ୍ଧ୍ୟାରେ ନଗର ଭ୍ରମଣ କରିବାକୁ ଯାଇ ଯେଉଁ କରୁଣଗୀତି ଶୁଣି ଆସିଲି- ସ୍ଵଦେଶର ଯେଉଁ ନଗ୍ନ ଦାରୁଣ ଦୃଶ୍ୟ ଦେଖି ଆସିଲି-ସେଥିରେ ମୁଁ ବୁଝିପାରୁଛି ମୋର କାର୍ଯ୍ୟ କି ଭୟାବହ । ମୁଁ ମନୁଷ୍ୟର କାର୍ଯ୍ୟ କରିନାହିଁ, ମୁଁ ମନୁଷ୍ୟ ନୁହେଁ ପ୍ରେତ ପିଶାଚ-ନା-ତହୁଁ ବଳି ଅଧମ-ତହୁଁ ବଳି ନିର୍ମମ-

ଅଶୋକ

-

ଏଥିଲାଗି ବିମର୍ଷ ହେବାର କାରଣ ମୁଁ ତ କିଛି ବୁଝିପାରୁନାହିଁ-ଯୁବକ ।

ଐର-

 

ଆପଣ ବୁଝିବେ କିପରି ? ଜାତିଦ୍ରୋହୀ ହୃଦୟର ତୀବ୍ର ଜ୍ୱାଳା ଆପଣ ଜାଣିବେ କିପରି ?

ଅଶୋକ

-

କଅଣଗୁଡ଼ାଏ ବାତୁଳ ପରି ବହୁଛ ଐର-ଜୟଲାଭ କରି ତୁମ୍ଭର ମସ୍ତିଷ୍କ କଅଣ ବିକୃତ ହୋଇଯାଇଛି ?

ଐର

-

ମସ୍ତିଷ୍କ ଠିକ୍ ଅଛି ମହାରାଜ, କିନ୍ତୁ ପ୍ରାଣହିଁ ବିକୃତ ହୋଇଯାଇଛି-ଏ ଦୁନିର୍ବାର ତୀବ୍ରଜ୍ୱାଳା-କାହିଁ ଗଲେ ନିର୍ବାପିତ ହେବ ? ଓଃ-ସହସ୍ର ସହସ୍ରଙ୍କୁ ପତିହୀନା, ପୁତ୍ରହୀନା କରି ସେମାନଙ୍କ କ୍ରନ୍ଦନରେ ଆକାଶ ଅବନୀ ପ୍ରତିଧ୍ୱନିତ କରି କଳିଙ୍ଗରେ ଯେ ନିର୍ମମ ହତ୍ୟା ଲୀଳା ସମାହିତ ହୋଇଛି ତାର ସାକ୍ଷାତ୍‌ ଦ୍ରଷ୍ଟା ଯେ ଏହି ହତଭାଗ୍ୟ ମହାରାଜ ?

ଅଶୋକ

-

ବାତୁଳ ବାଳକ-

ଐର

-

ଠିକ୍ କହିଛନ୍ତି ମହାରାଜ । ଯଥାର୍ଥରେ ମୁଁ ବାତୁଳ-ତା ନହେଲେ ଆପଣ ଆଜି କଳିଙ୍ଗ ସିଂହାସନରେ ବସନ୍ତେ କିପରି ? କଳିଙ୍ଗମୟ ମୃତ୍ୟୁର ଆର୍ତ୍ତନାଦ ଉଠନ୍ତା କିପରି-କାହିଁ ସେ ପାଟଳିପୁତ୍ର-ଆଉ କାହିଁ ଏ ତୋଷାଲି-କିଏ ଆପଣଙ୍କୁ ଏଠାକୁ ଆଣିଲା ? କାହାଯୋଗୁଁ ଶସ୍ୟଶ୍ୟାମଳା କଳିଙ୍ଗ ମରୁପ୍ରାନ୍ତରରେ ପରିଣତ ହେଲା-? ଯେଉଁ ଦେଶର ମହିମା ବୃଦ୍ଧି ନିମିତ୍ତ ମୋର ପିତାମାତାମହ ସର୍ବସ୍ୱାନ୍ତ ହୋଇଥିଲେ ମୁଁ ହିଁ କଲି ତା’ର ଉଚ୍ଛେଦ ସାଧନ-ବାତୁଳ ନୁହେଁ ତ କଅଣ ?

ଅଶୋକ

-

ଯୁବକ ! ତୁମେ କଅଣ ମନେକରିଛ-ତୁମର ସାହାଯ୍ୟ ବ୍ୟତିରେକେ କଳିଙ୍ଗ ବିଜୟ ଅଶୋକ ପକ୍ଷରେ ଅସମ୍ଭବ । ଯେଉଁ ଅଶୋକ ସମଗ୍ର ଆର୍ଯ୍ୟାବର୍ତ୍ତ ଏକାକୀ ବାହୁବଳରେ ଜୟ କରିଛି-ତା ପକ୍ଷରେ କଳିଙ୍ଗ ବିଜୟ ଯେତେ ଦୁସାଧ୍ୟ ହେଲେ ମଧ୍ୟ ଅସମ୍ଭବ ନୁହେଁ-ବରଂ ଏ ବିଜୟରେ ତୁମରି ମଙ୍ଗଳ ହୋଇଛି-ତୁମରି ପ୍ରତିଜ୍ଞା ରକ୍ଷା ହୋଇଛି । ଏଥିସକାଶେ ତୁମର ମୋଠାରେ କୃତଜ୍ଞ ରହିବା ଉଚିତ-କିନ୍ତୁ ତାହା ପରିବର୍ତ୍ତରେ ତୁମ୍ଭର ମୁଖରେ ଏପରି କଥା ଅସୁନ୍ଦର ଅସଙ୍ଗତ ଏବଂ ଅମାର୍ଜନୀୟ; ଯଦି ଏତେ କଥା ତୁମ୍ଭର ଥିଲା, ଆଗରୁ ଭବିଷ୍ୟତ ଚିନ୍ତା ନକଲ କାହିଁକି ? ମୋ ପାଖରେ ଶରଣ ପଶି-କଳିଙ୍ଗ ବିଜୟରେ ଆହ୍ୱାନ କରିଥିଲ କାହିଁକି ?

ଐର

-

(ସ୍ୱଗତଃ) ଶିଳାଦିତ୍ୟ ଠିକ୍ କହିଥିଲା-ପରାଶ୍ରୟିତ ଏବଂ ପରାନ୍ନଭୋଜୀ ଶ୍ୱାନ ମୁଁ (ପ୍ରକାଶ୍ୟେ) ସେହିତ ମୋର ମହାପରାଧ ମହାରାଜ !

ଅଶୋକ

-

ଯୁବକ ! ଉଦ୍ଧତ ପଣରେ ତୁମେ କଅଣ କରୁଛ-ଭାବି ଦେଖ-ମନ ସ୍ଥିର କର-

ଐର

-

ମୃତ୍ୟୁରେ ମଧ୍ୟ ମୋ ମନ ସ୍ଥିର ହେବନାହିଁ ମହାରାଜ ! ମୋର ଶାସ୍ତିର ଆବଶ୍ୟକ, ବ୍ୟାକୁଳରେ କହନ୍ତୁ ମହାରାଜ ! କି ଶାସ୍ତି ପାଇଲେ ମୋ ପାପର ପ୍ରାୟଶ୍ଚିତ ହେବ ?

ଅଶୋକ

-

ଶାସ୍ତି ନେବାକୁ ଏତେ ବ୍ୟାକୁଳ କାହିଁକି ? ତୁମ୍ଭର ପ୍ରଳାପବାକ୍ୟ ମୁଁ କ୍ଷମା କରୁଛି-

ଐର

-

ପ୍ରଳାପବାକ୍ୟ କ୍ଷମା କରନ୍ତୁ ବା ନକରନ୍ତୁ-ମୁଁ ଚିନ୍ତିତ ନୁହେଁ କିନ୍ତୁ ମୋର ଶାସ୍ତି ଅନ୍ୟ ଦୋଷପାଇଁ ଲୋଡ଼ା-

ଅଶୋକ

-

କେଉଁ ଦୋଷ-

ଐର

-

ଦେଶଦ୍ରୋହୀ ହେଲେ ଯେଉଁ ଦୋଷ ହୁଏ ସେହି ଦୋଷ-ତାହାରି ଦଣ୍ଡ-ଆପଣ ବର୍ତ୍ତମାନ ରାଜା-ମୋତେ ଦଣ୍ଡ ଦିଅନ୍ତୁ ।

ଅଶୋକ

-

(ଟିକିଏ ଚିନ୍ତାକଲେ ପରେ ସ୍ମିତହାସ୍ୟରେ କହିଲେ) ବେଶ୍-ଦଣ୍ଡ ନେବାକୁ ପ୍ରସ୍ତୁତ ଅଛ-ସେତେବେଳେ ତର୍କ ଯୁକ୍ତି କରିବନାହିଁ-

ଐର

-

ନାହିଁ ମହାରାଜ ।

ଅଶୋକ

-

ସତ୍ୟ କହୁଛ-ପ୍ରତିଜ୍ଞା କରୁଛ-କୁହ-

ଐର

-

ପ୍ରତିଜ୍ଞା କରୁଛି ମହାରାଜ ।

ଅଶୋକ

-

ଦେଖ-ମୁଁ କିଏ ଜାଣ-

ଐର

-

କଳିଙ୍ଗ ବିଜେତା ଏବଂ ମୋର ଆଶ୍ରୟଦାତା ।

ଅଶୋକ

-

ତେବେ ସ୍ଥିର ଓ ଅବିଚଳିତ ଚିତ୍ତରେ ମୋର ଦଣ୍ଡାଜ୍ଞା ଗ୍ରହଣକର; ମୁଁ ତୁମ୍ଭଙ୍କୁ ଏପରି ଦଣ୍ଡ ଦେବି ଯାହା ପୃଥିବୀରେ କେହି କାହାରିକୁ ଦେଇ ନଥିବ-ମନେରଖ-ବିନା ଆପତ୍ତିରେ ଗ୍ରହଣ କରିବ-

ଐର

-

ମୁଁ ତ ମୃତ୍ୟୁ ପାଇଁ ଭୀତ ନୁହେଁ ମହାରାଜ !

ଅଶୋକ

-

କିନ୍ତୁ ଏହା ମୃତ୍ୟୁଠାରୁ ଅଧିକ ଚମକପ୍ରଦ ।

ଐର

-

ତଥାପି ମୁଁ ପ୍ରସ୍ତୁତ ।

ଅଶୋକ

-

ଯଦି ତାହାହିଁ ହୋଇଥାଏ ତେବେ ଚଣ୍ଡାଶୋକ ବୋଲି ଅଖ୍ୟାତି ପାଇଥିଲେ ମଧ୍ୟ ମୁଁ ନୀଚ କିମ୍ବା ଲୋଭୀ ନୁହେଁ-କଳିଙ୍ଗ ବିଜୟରେ ଅଶୋକର ପ୍ରଧାନ ସହାୟକ-ଏହି ନିଅ (ରାଜଦଣ୍ଡ ଓ ମୁକୁଟ ଧରି) ଏହି ରାଜଦଣ୍ଡ ସ୍ୱହସ୍ତରେ ଗ୍ରହଣ କରି ଅଶୋକର ଶାସ୍ତିର ତୀବ୍ରତା ଅନୁଭବ କର-

ଐର

-

(ବିହ୍ୱଳ ହୋଇ) ମହାନୁଭବ ଉଦାର ମହାରାଜ ! ମୋତେ କ୍ଷମା କରନ୍ତୁ ।

ଅଶୋକ

-

ବାଳକ ! ଦିଗ୍‌ବିଜୟୀ ଅଶୋକର ଏହା ପ୍ରଥମ ଆଦେଶ ଏବଂ ପ୍ରତିଭା ପୂଜାର ପ୍ରଥମ ଉପହାର-

ସଭାସଦବର୍ଗ

-

‘‘ଜୟ କଳିଙ୍ଗପତି ଐରଙ୍କର ଜୟ’’

(ପ ଟ୍ଟ ପ ତ୍ତ ନ)

Image

 

୨ୟ ଦୃଶ୍ୟ

 

 

 

(ସନ୍ୟାସୀ ଆଶ୍ରମ, ସମୟ-ପ୍ରଭାତ; ଆଶ୍ରମ ନିକଟ ବୃକ୍ଷମୂଳେ ବେଦୀ, ସେଠାରେ ଶିଳ ରଖାଥାଏ । ଅଳ୍ପକ୍ଷଣ ପରେ ଜଗୁ, ସେଠାଲି ଓ ତର୍କଚଞ୍ଚୁ ଆଶ୍ରମ ଦ୍ୱାର ଫିଟାଇ ବାହାରକୁ ଆସି ବୃକ୍ଷମୂଳେ ବସିଲେ । ପ୍ରଭାତ ପ୍ରକୃତି ସଙ୍ଗେ ସ୍ୱର ମିଳାଇ ସେଠାଲିର ଗୁଣୁ ଗୁଣୁ ଗୁଞ୍ଜନ ଝଙ୍କାର ଉଠିଲା । ଜଗୁ ଓ ତର୍କଚଞ୍ଚୁ ଗୀତ ଶୁଣି ପୁଟୁଳି ଫିଟାଇ ଚେର ମୂଳ କୁଟିବାକୁ ଲାଗିଲେ । ସେମାନଙ୍କର ଅବସ୍ଥା ଅନେକ ବଦଳି ଯାଇଥାଏ । ଏହାପରେ ଗୈରିକ ବେଶରେ ଆସିଲା ଚଞ୍ଚଳା-କିଛିକ୍ଷଣ ଦୁହିଁଙ୍କ କାମ ଦେଖିଲା ପରେ ସେଠାଲିର ଗୀତ ଶୁଣି ଗଭୀର ସହାନୁଭୁତି ସହିତ କହିଲା)

ଚଞ୍ଚଳା

-

ମିଶ୍ର ଓ ଜଗୁର କିଛି କିଛି କରିଲି-ତୋରତ ବାପା କିଛି କରି ପାଇଲି ନାହିଁ-ଆଖି ଦୁଇଟିତ ଫେରି ଆସିଲା ନାହିଁ ।

ସେଠାଲି

-

ନାହିଁ ମା’, ମୋର ସେ ପାପ ଚକ୍ଷୁରେ ଦରକାର ନାହିଁ-ତାହାରି ଯୋଗେ ଜଗତଟାକୁ ଲୋଭ ଲାଳସା ଦୃଷ୍ଟିରେ ଦେଖି ସର୍ବନାଶ ହୋଇଛି-ସେ ଜଞ୍ଜାଳ ଭଗବାନ କାଢ଼ି ନେଇ ଭଲ କରି ଅଛନ୍ତି-ବେଶ ଅଛି ତେବେ ବେଳେ ବେଳେ ଦୁଃଖ-

ଚଞ୍ଚଳା

-

ଦୁଃଖ ହେଉଛି ବାବା-ହେବାରକଥା-

ସେଠା

-

ନାହିଁ ମା’ ସେଥିପାଇଁ ଦୁଃଖ ନାହିଁ-ଦୁଃଖ ହେଉଛି ଯେ ମିଶ୍ର ସାଆନ୍ତ କି ଜଗୁପରି ମୁଁ ତୋ କାମରେ ଲାଗି ପାରିଲି ନାହିଁ- କାହାରି ସେବା କରି ପାରିଲି ନାହିଁ-

ଚଞ୍ଚଳା

-

ବାବା-ତୁ ମୋର ବେଶି କାମ କରିବୁ-ତୋର କରୁଣ ସଙ୍ଗୀତର ମଧୁର ମୁର୍ଚ୍ଛନା କେତେ ହତଭାଗ୍ୟକୁ ଆଶା ଦେବ, କେତେ ବିପଥଗାମୀକୁ ସୁପଥରେ ଆଣିବ-ତୋର ଅନ୍ତରର ଆବେଗ କାହାଣି କେତେ ଅଶାନ୍ତ ହୃଦୟରେ ସାନ୍ତ୍ୱନା ଅମୃତ ସେଚନ କରିବ-ଚାଲ-ଆମେ ଦୁହେଁ ଗୀତ ଗାଇ ଗ୍ରାମେ ଗ୍ରାମେ ବୁଲି ଭ୍ରାନ୍ତ ଦେଶବାସୀଙ୍କୁ ନବୀନ ମନ୍ତ୍ର ଶୁଣାଇବା-

ସେଠାଲି

-

ଚାଲ ମା’-ତେବେ ତୁ ମୋ କାନ୍ଧରେ ବସି ବାଟ କଢ଼ାଇ ନେବୁ-ତୋତେ ଦେଖିଲେ ମୋ ପରି କେତେ ପତିତ ଉଦ୍ଧାର ହେବେ-ତୋର ସ୍ପର୍ଶରେ କେତେ ପାପୀ ତାପି ସୁଧୁରି ଯିବେ-

ଜଗୁ ଓ ତର୍କ

-

ଆମେ କଅଣ କରିବୁ ମା ? ଆମକୁ ମଧ୍ୟ ସଙ୍ଗରେ ନେ

ଚଞ୍ଚଳା-ନା

-

ତୁମ୍ଭେ ଏହି ଆଶ୍ରମରେ ରହି ଆର୍ତ୍ତଆତୁରଙ୍କର ସେବା କର-ଦେଖୁ ନାହଁ ପ୍ରତିଦିନ କେତେ ପୀଡ଼ିତ-କେତେ ସମାଜ ତ୍ୟକ୍ତ-କେତେ ଭାଇ ଭଉଣୀ ଅସହାୟରେ ମରୁଛନ୍ତି; ଏହି ଆଶ୍ରମକୁ ସେବା ସଦନରେ ପରିଣତ କରି ଦୁହେଁଯାକ ଲାଗିପଡ଼-ଶତ୍ରୁ, ମିତ୍ର, ଜଣା ଅଜଣା ଯେ ଆସୁ ସମାନ ସେବା-ସମାନ ଯତ୍ନ ।

ତର୍କଚଞ୍ଚୁ

-

ଶୁଣି ନାହୁଁ ମା’-ଐର ରାଜା ହେଲାଦିନୁ ରାଜ୍ୟମୟ, ରାସ୍ତା, ଘାଟ ପାନ୍ଥଶାଳା-ଜଳାଶୟ, ଚିକିତ୍ସାଳୟ ସ୍ଥାପିତ ହେଲାଣି

ଚଞ୍ଚଳା

-

ହଁ ବାବା ହୋଇଛି-ରାଜା ସାହାଯ୍ୟ ନକଲେ-ଜଣ ଜଣକ ଚେଷ୍ଟାରେ ଏକାମ ସେତେ ସଫଳ ହୁଅନ୍ତା କି ? (ସ୍ୱଗତଃ) ‘‘ଆହା ଏତେ ଦିନେ ଗୁରୁଦେବଙ୍କର ଜୀବନ ବ୍ୟାପୀ ସାଧନା ସଫଳ ହେଲା’’-

ଜଗୁ

-

କଅଣ ଭାବୁଛୁ ମା’-

ଚଞ୍ଚଳା

-

ଭାବିବି ଆଉ କଅଣ ବାପ-କେବଳ ଆନନ୍ଦରେ ଅଧୀର ହୋଇ ପଡ଼ୁଛି ଏହି ନବ ଯୁଗର ଉଷାଲୋକ ଦେଖି-ତାହା ଯେତେବେଳେ ମଧ୍ୟାହ୍ନ ମାର୍ତଣ୍ଡରେ ପରିଣତ ହେବ-ସେତେବେଳେ ଏକ ନବୀନ ପ୍ରେମର ପୁଲକ ରାଜ୍ୟ,ଧରଣୀକୁ ସ୍ୱର୍ଗ କରି ତୋଳିବ-କାମୀ ନଥିବେ-କାମନା ନଥିବ-ତୁମ୍ଭେ ଥାଅ, ମୁଁ ଯାଏ-

ତର୍କ

-

କେବେ ଫେରିବୁ ମା’ ।-

ଚଞ୍ଚଳା

-

ଯେତେବେଳେ ସୁବିଧା ପାଇବି-କାହିଁକି ତୁମ୍ଭେ କ’ଣ ପାରିବ ନାହିଁ-ମୁଁ ଫେରେ ନଫେରେ ତୁମ୍ଭର କାମତ ନିର୍ଦ୍ଦିଷ୍ଟ ରହିଲା-

ଜଗୁ ଓ ତର୍କ

-

ହଉ ଯା ମା’-କିନ୍ତୁ ଆଶୀର୍ବାଦ କରିଯା-(ପ୍ରଣାମ କରିବା)

ଚଞ୍ଚଳା

-

ପ୍ରଭୁ ଅବଲୋକିତଶ୍ୱର ତୁମ୍ଭର ସହାୟ ହଉନ୍ତୁ-ଆ ସେଠାଲି ତୋର ସେହି ଗୀତଟା ଗାଇ ଗାଇ ଚାଲ-

 

 

 

(ସେଠାଲି ଗୀତ ଗାଇବା)

ଦେଖ ଚାହିଁ ନବ ଭାନୁନଭେ ଉଇଁଲାଣି ।

ରଙ୍ଗାକରେ ଭଙ୍ଗା ପ୍ରାଣ ଧୀରେ ଛୁଇଁଲାଣି ॥ ଘୋଷା

ଫିଟି ଫିଟି ଆସିଲାଣି ଗୋଲକ ତୋରଣ ଦ୍ୱାର,

ତୁଟି ତୁଟି ଗଲାଣିରେ ହିଂସା ବାଦ ପରସ୍ପର,

ଗଗନରେ ସୁଧାରେଖା-

ପବନରେ ପ୍ରେମ ଶିଖା,

ଗାଅ ଭାଇ ମଙ୍ଗଳ

ପୁରେ ପୁରେ ଉଛଳେ ଚହଳ-

ନବ ଧର୍ମେ-ଧରା ସାଜେ,

ପାପ ଭାର ନଇଁଲାଣି ।୧।

 

 

(ଗୀତ ଗାଇ ଗାଇ ସେଠାଲି ଓ ଚଞ୍ଚଳା ବାହାରିଗଲେ, ଜଗୁ ଓ ତର୍କଚଞ୍ଚୁ ତାଙ୍କୁ ଅନାଇ ରହିଲେ)

(ପ ଟ୍ଟ ପ ତ୍ତ ନ)

Image

 

୩ୟ ଦୃଶ୍ୟ

 

 

 

(ବୋଧଗୟା ନଦୀ ତୀର-ସମୟ-ସୂର୍ଯ୍ୟାସ୍ତ-ଐର ଏକାକୀ ପ୍ରବେଶକରି କିଛିକ୍ଷଣ ବିଚରଣ କଲାପରେ ଆରମ୍ଭ କଲେ)

ଐର

-

(ସ୍ୱଗତଃ) ଆଜି ଏତେକାଳ ପରେ ପ୍ରତିଜ୍ଞା ମୋର ପୂରଣ ହେଲା-ମୃତ ଦେହ ବକ୍ଷରେ ଧରି ଯେଉଁ ପ୍ରତିଜ୍ଞା କରିଥିଲି ତାହା ଫଳରେ କଳିଙ୍ଗର ଗୃହେ ଗୃହେ ସେହି ମୃତ୍ୟୁର ବିଭୀଷିକା ସୃଷ୍ଟି କଲି । ଭିକ୍ଷୁ ଗୃହରେ ଭିକ୍ଷୁ ପାଳିତ ହୋଇ ଅତୀତ ମୋର ନଥିଲା କିନ୍ତୁ ଜୀବନର ଘୃର୍ଣ୍ଣିପାକରେ-ଯୌବନର ପ୍ରଥମ ଉଚ୍ଛାସରେ କିଏ ମୋତେ ଏହି ନିର୍ମମ ଧ୍ୱଂସ ପଥକୁ ଟାଣି ଆଣିଲା ? ବର୍ତ୍ତମାନ ବୁଝୁଛି ଏ ରକ୍ତ-ସିକ୍ତ ରାଜ ସିଂହାସନ, ଭିକ୍ଷୁକର ସେ ଜୀର୍ଣ୍ଣ କୁଟୀର ଠାରୁ ମଧ୍ୟ ବହୁଗୁଣରେ ତୁଚ୍ଛ-

 

 

(ହଠାତ୍ ସନ୍ୟାସୀର ପ୍ରବେଶ ଐର ଦେଖି ପ୍ରମାଣ କରିବା)

ଐର

-

ଗୁରୁଦେବ । ମୋତେ ପ୍ରକୃତ ପଥ ଦେଖାଇ ଦିଅନ୍ତୁ-ଏହି ଅତୃପ୍ତି ବର୍ଦ୍ଧକ ରାଜପଦ ମୋର ଲୋଡ଼ା ନାହିଁ ।

ସନ୍ୟା

-

ଲୋଡ଼ା ନଥିଲେ ପର୍ଣ୍ଣକୁଟୀରରୁ କିଏ ତୋତେ କଳିଙ୍ଗର ରାଜପ୍ରାସାଦକୁ ଆଣନ୍ତା-ବିଧାତାର କୌଣସି କାର୍ଯ୍ୟ ନିରର୍ଥକ ନୁହେଁ ବତ୍ସ-

ଐର

-

ଏହି ହତ୍ୟା-ଏହି ନୃଶଂସତା-ଏ ସବୁ କଅଣ-

ସନ୍ୟା

-

ନିର୍ମଳ ଶାନ୍ତି ଫେରିବାର ଏ ଝଟି କାହିଁ ପୂର୍ବ ଲକ୍ଷଣ ଐର-

ଐର

-

ଶାନ୍ତିର ପୂର୍ବ ଲକ୍ଷଣ ହତ୍ୟା ? ଅଦ୍ଭୁତ !

ସନ୍ୟା

-

ହଁ-କିନ୍ତୁ ସେ ଶାନ୍ତିଟା ପୂର୍ବାପେକ୍ଷା ଅପୂର୍ବ ହେବ-

ଐର

-

ମୋତେ କିନ୍ତୁ ଆପଣଙ୍କର ସେହି କୁଟୀର ଅଧିକ ଶାନ୍ତିପ୍ରଦ ଥିଲା ଗୁରୁଦେବ ।

ସନ୍ୟା

-

ତାହାତ ଏହିଠାରେହିଁ ପାଇବୁ-ପ୍ରାସାଦରେ ରହି କୁଟୀରବାସୀ ଭାବରେ ଚଳ-ଶାନ୍ତି ଓ ଅଶାନ୍ତି ତ ବାହ୍ୟିକ-ବସ୍ତୁ ନୁହେଁ-ତାହା ମାନସିକ ଅବସ୍ଥା ମାତ୍ର ।

ଐର

-

ତେବେ କହନ୍ତୁ ଗୁରୁ-କି ସାଧନା କଲେ ସେ ଅବସ୍ଥା ପାଇବି-

ସନ୍ୟା

-

ଭୁଲି ଗଲୁଣି-ମୁଁ ତ ବରାବର କହିଛି କାମନାର ବିନାଶରେ ଦୁଃଖର ବିନାଶ-ଦୁଃଖ ଯଦି ଗଲା ବାକି ଯାହା ରହିଲା-ତାହାହିଁ ହେଉଛି ମାନବତ୍ୱର ଚରମ ସିଦ୍ଧି-

ଐର

-

କିନ୍ତୁ ଆପଣତ ମୋତେ ଏ କାମନା ସ୍ରୋତକୁ ଠେଲି ଦେଇଛନ୍ତି-

ସନ୍ୟା

-

ନଚେତ-ତୋର କାମନା ବିନାଶ-ସାଧନା ସଫଳ ହୁଅନ୍ତା ନାହିଁ-ଯାହାର ହୃଦୟରେ ମୂଳରୁ କାମନା ନାହିଁ-ସେ କାମନା ଜୟ କରିବ କାହୁଁ ?-ନା, ଐର ଭୋଗ୍ୟବସ୍ତୁ ସମ୍ମୁଖରେ ରଖି ତ୍ୟାଗ କରିବାହିଁ ହେଉଛି ପ୍ରକୃତ ତ୍ୟାଗ-

ଐର

-

ତଥାପି ଗୁରୁଦେବ ! ସେ ଅଜ୍ଞାତ ସାଧନାହିଁ ମୋର ଶ୍ରେୟସ୍କର ଥିଲା-ଆଜି ଏ ଧ୍ୱଂସ ତାଣ୍ଡବରେ କି କୁକ୍ଷଣରେ ହାତ ଦେଇଛି-କୁଆଡ଼େ ଯାଇଛି-ନିଜେ ଜାଣେନା-

ସନ୍ୟା

-

ଏହି କଠୋର ପରୀକ୍ଷା ତୋର ଆବଶ୍ୟକ ଥିଲା, ଐର ।

ଐର

-

ଧ୍ୱଂସ ଭିତରେ ଦେଇ ପରୀକ୍ଷା-କୋଟିଏ ସଂହାର କରି ଗୋଟିକର ଆତ୍ମପ୍ରତିଷ୍ଠା-

ସନ୍ୟା

-

ତା ନୁହେଁ-ଗୋଟିକର ସଂହାରରେ କୋଟି କୋଟି ପ୍ରାଣ ପ୍ରତିଷ୍ଠା-ଏହା ସ୍ରଷ୍ଟାଙ୍କର ସୃଷ୍ଟି ପ୍ରତି ମହାକରୁଣାର ନିଦର୍ଶନ । ଅନିର୍ବାର୍ଯ୍ୟ ସଂଘର୍ଷଣରେ ପାପକ୍ଷୟ ନହେଲେ ଜଗତରେ ପୂଣ୍ୟ ପ୍ରତିଷ୍ଠା ସମ୍ଭବ ହୁଅନ୍ତା କି?

ଐର

-

ତଥାପି ଗୁରୁ ! ଏତେ ହତ୍ୟାପରେ ଏ ରାଜପଦ ଗ୍ରହଣ ନକରି ଅନୁତାପ କରିବା ଉଚିତ । ଆପଣ ସିନା ମୋତେ ଏହା ଭିତରକୁ ଠେଲି ଦେଲେ ।

ସନ୍ୟା

-

ଅର୍ଥାତ୍‌ ତୁ ଧ୍ୱଂସ ସାଧନ କରି ପଳାଇ ଯାଇ ଅନୁତାପ କରିବାକୁ ବ୍ୟାକୁଳ ହେଉଥିଲୁ-ଭୁଲିଗଲୁ ଅନୁତାପ ଆତ୍ମକ୍ଷୟ କାରିତା ଭିତରେ ସେତେ ସଜୀବ ନୁହେଁ-ଯେତେ ହୁଏ ସ୍ୱକାର୍ଯ୍ୟର ବିପରିତ ସମ୍ପାଦନରେ । ତୁ କଳିଙ୍ଗର ଧ୍ୱଂସ ସାଧନ କରି ଅନୁତାପ ଛଳରେ ଆତ୍ମଗ୍ଳାନି କରୁଥିଲୁ-ମୁଁ ସେ ଧ୍ୱଂସ ଭିତରୁ ନୂଆ ସୃଷ୍ଟି କରିବାକୁ ପ୍ରବୃତ୍ତି ଦେଲି-

ଐର

-

କିନ୍ତୁ ମୁଁ ଯେ ବଡ଼ ଦୁର୍ବଳ-ଏହା ଅସମ୍ଭବ ବୋଧ ହେଉଛି ।

ସନ୍ୟା

-

ମାନବ ଅମୃତର ସନ୍ତାନ-ଅସୀମ ଶକ୍ତିର ଆଧାର-ସେ ଦୁର୍ବଳ ନୁହେଁ-

ଐର

-

ଗୁରୁ ! ତେବେ କଅଣ କରିବି ଆଦେଶ ଦିଅନ୍ତୁ ।

ସନ୍ୟା

-

ଅଧୀର ହେଉଛୁ କାହିଁକି ବୀର ! ମନରୁ ସମସ୍ତ ଗ୍ଳାନି ଛାଡ଼ି ନବଜୀବନ ଆରମ୍ଭ କର । ଦେଶସାରା ଯେଉଁ ହାହାକାର ଉଠାଇଛ ଯେଉଁ ଶ୍ୟାମଳ କ୍ଷେତ୍ର ମରୁପ୍ରାନ୍ତର କରିଛ, ସେଠାରେ ମୈତ୍ରୀ, ପ୍ରୀତି ଓ ସେବାର ତ୍ରିବେଣୀଧାରା ବୁହାଅ, ପ୍ରତ୍ୟେକ କଳିଙ୍ଗି ବୁଝୁ ସହସ୍ର ସହସ୍ରଙ୍କର ମୃତ୍ୟୁ ଫଳରୁ କୋଟି କୋଟି, ନବ ଜୀବନର ଅମର ମନ୍ତ୍ର ପାଇଛନ୍ତି-ପରଷ୍ପର ପ୍ରତି ଦ୍ୱନ୍ଦ୍ୱ ଯାଇ ମିଳନ ହୋଇଛି-ଈର୍ଷା ଯାଇ ଭ୍ରାତୃଭାବ ବଢ଼ିଛି-ଆର୍ତ୍ତ ଅନାଥର ଆଶ୍ରୟ ପାଇଁ ଗ୍ରାମେ ଗ୍ରାମେ ସାହାଯ୍ୟକେନ୍ଦ୍ର ଅନୁଷ୍ଠାନ କର-ଏକା ସଙ୍ଗରେ ପ୍ରକୃତି-ପୁଞ୍ଜର ଧର୍ମ୍ମ, କର୍ମ୍ମ, ସେବାର ଆୟୋଜନ କରି ତୁମେ ଜଗତକୁ ଦେଖାଅ ଯେ ଭୋଗ ବିଳାସରେ ବୁଡ଼ିଲେ ସୁଦ୍ଧା ମନୁଷ୍ୟ ସାଧନା ସେବା ଫଳରେ କେତେଦୂର ତ୍ୟାଗୀ ରହିପାରେ; ତୁମର କାର୍ଯ୍ୟରେ ଫଳ ପ୍ରତ୍ୟାଶା ନଥିବ ବା ଅହମିକା ନଥିବ-ନିନ୍ଦା ବା ପ୍ରଶଂସାରେ ତୁମେ ବିଚଳିତ ହେବନାହିଁ, ଦେଖିବ-ଦେଶର ରାଜା ହୋଇ ତୁମେ କିପରି ପ୍ରଜାର ପ୍ରାଣର ଦେବତା ପରି ପ୍ରତିଷ୍ଠିତ ହେବ ।

 

 

(ସନ୍ୟାସୀ ଯେମିତି ଆସିଥିଲେ ସେମିତି ଚାଲିଗଲେ ଐର କିଛିକ୍ଷଣ ଚିନ୍ତାକରି ତାଙ୍କ ଯିବା ପଥରେ ଗଲେ ।)

(ପ ଟ୍ଟ ପ ତ୍ତ ନ)

Image

 

୪ର୍ଥ ଦୃଶ୍ୟ

 

 

 

(ସ୍ଥାନ-ପାଟଳିପୁତ୍ରର ପ୍ରାସାଦ ଉଦ୍ୟାନ । ସନ୍ଧ୍ୟାବେଳେ ସଘଂମିତ୍ରା ଉଦ୍ୟାନରେ ଏକୁଟିଆ ଗୀତ ଗାଉଥିଲେ । ଗୀତର ପ୍ରତି ଛତ୍ର ସଂସାରର ଅକରୁଣ ପ୍ରକୃତିରେ ଆଲୋଡ଼ିତ । ଅଶୋକ ଉଦ୍ୟାନକୁ ଆସି ଗୀତ ଶୁଣି ମୁଗ୍‌ଧ ମନରେ ଦୂରରେ ଥମି ଗଲେ । ଗୀତର ଭାବ ତାଙ୍କ ମନକୁ ଜିଜ୍ଞାସୁ କରିଦେଲା)

 

 

ଗୀତ

 

 

ସଂଘମିତ୍ରା-

 

 

ସତ୍ୟ ଜୀବନର କାହିଁ ଗୋ ଜଗତେ

 

 

ମିଥ୍ୟା ପୂରିତ ଛଳନା,

 

 

ତିକ୍ତ କାମନା ଭରିଛି ପରାଣେ

 

 

ନ ହେବ ତା’ର କଳନା ॥

 

 

ତଥାପି ନର ଭାବେନା ଭୁଲି

 

 

ସଂସାର ସୁଖ ଅଳୀକ ବୋଲି

 

 

ମାତିଛି ଖାଲି କାମନା ପୂରଣେ

 

 

ଦିବାନିଶି ଭୋଗି ଯାତନା ॥

ଅଶୋକ

-

(ପ୍ରବେଶ କରି) କି ମଧୁର ଏହାର ସଙ୍ଗୀତ; ମନକୁ ଯେପରି ଗୋଟାଏ ଅଜଣା ରାଇଜକୁ ଟାଣି ନେଇ ଯାଏ । ଆଶା ଆଶଙ୍କା ବିଷାଦ ସବୁ ଗୀତ ଶୁଣୁ ଶୁଣୁ ପାଶୋର ହୋଇଯାଏ, ପ୍ରଖର ହୋଇଉଠେ ଗୋଟାଏ କଥା-କାମନା-ପ୍ରକୃତରେ ତାହା କଅଣ ଏଡ଼େ ଭୀଷଣ !

ସଂଘ

-

(ଅଶୋକଙ୍କୁ ଦେଖି) ବାବା-ତୁମେ କେତେବେଳୁ ଆସିଲଣି; ଏଡ଼େ ଚିନ୍ତିତ ଦିଶୁଛି କାହିଁକି ?

ଅଶୋକ

-

ନା ମା’, ଚିନ୍ତିତ ନୁହେଁ-ତୁ ଗୀତ ଗାଉଥିଲୁ-ମୋତେ କିପରି ନୂଆ ଲାଗିଲା-ସେଥିପାଇଁ ଶୁଣୁଥିଲି; ସେଦିନ ସେ ସନ୍ୟାସୀ ମଧ୍ୟ ଏହିପରି ଏକ ନୂଆ କଥା କହିଗଲା-

ସଂଘ

-

କେଉଁ ସନ୍ୟାସୀ ବାବା !

ଅଶୋକ

-

ମୁଁ କଅଣ ତାଙ୍କୁ ଚିହ୍ନେ ? ଐର ତାଙ୍କୁ ତା’ର ଗୁରୁ ବୋଲି କହିଲା-

ସଂଘ

-

ଐରର ଗୁରୁ ! ସେତ ଜଣେ ମହାପୁରୁଷ-

ଅଶୋକ

-

ତୁ କିପରି ତାଙ୍କୁ ଚିହ୍ନିପାରିଲୁ-କିଏ ଚିହ୍ନାଇ ଦେଲା ?

ସଂଘ

-

ଚିହ୍ନାଇଲା ମୋର ମନ-ଚିହ୍ନିଲି ତାଙ୍କର ବଦନର ଅପୂର୍ବ ଶାନ୍ତିମୟ ପ୍ରଭାରୁ-ଏବଂ ସାକ୍ଷାତ୍‌ ହୁଏ କେବେ ଏଇଠି, କେବେ ଅବା ଧର୍ମ୍ମଶାଳାରେ-

ଅଶୋକ

-

ତୁ କଅଣ ତେବେ ଧର୍ମ୍ମଶାଳାକୁ ଯାଉ ? ସନ୍ୟାସୀକୁ କଅଣ ରାଜାଜ୍ଞା ଲଘଂନ କରି କେହି ଉଦ୍ୟାନକୁ ଛାଡ଼ିଦିଏ ?

ସଂଘ

-

ବାବା ! ତୁମେତ ମୋତେ ଧର୍ମ୍ମଶାଳାକୁ ଯାଇ ଗରିବ ଦୁଃଖୀମାନଙ୍କୁ ସାହାଯ୍ୟ କରିବାକୁ ଅନୁମତି ଦେଇଛ-ଆଉ ଏ ପ୍ରାସାଦତ ମୋର ବୋଲି କହିଚ-ଏଠି ପୁଣି ରାଜାଜ୍ଞା କଅଣ ?

ଅଶୋକ

-

ତଥାପି ମା’-(ଗମ୍ଭୀର ହେବା)

ସଂଘ

-

ତେବେ ବାବା, ମନା କରିଦିଅ ମୁଁ ଘର କଣରେ ଚୁପ୍‌ଚାପ୍‌ ବସି ରହିବି ।

ଅଶୋକ

-

ନା, ନା, ନା-ସେଥିରେ ତୁ ବେମାର ହୋଇଯିବୁ । ଆରଥର ସେଇଆ କରିଥିଲୁ ବଡ଼ କଷ୍ଟ ପାଇଛି ମା’-ଆଉ ମୋର କିଏ ଆପଣାର ଅଛି । ତୁ କ’ଣ କରୁଛୁ କର-ତେବେ ଟିକିଏ ସତର୍କ ହୋଇ କରୁଥା ଯେପରି ରାଜବଂଶର ମର୍ଯ୍ୟାଦା ହାନି ନହୁଏ-

ସଂଘ

-

ସେ ଦିଗରେ ନିଶ୍ଚିନ୍ତ ଥାଆନ୍ତୁ-(କ୍ଷଣକ ପରେ) ବାବା !

ଅଶୋକ

-

କଅଣ ମା’ କହ-ଏତେ ସଂକୋଚ କାହିଁକି ?

ସଂଘ

-

ଏତେ ଯୁଦ୍ଧ ଏତେ ନରହତ୍ୟା ପରେ ପୁଣି କାହିଁକି ସେହି ନୃଶଂସ ଅଭିନୟ-ସେହି ରକ୍ତ ପୀପାସା ?

ଅଶୋକ

-

ଏ ଯେ କ୍ଷତ୍ରୀୟର ରାଜନୀତି ମା’ !

ସଂଘ

-

କିନ୍ତୁ ଏ ତ ମନୁଷ୍ୟର ଧର୍ମ୍ମନୀତି ନୁହେଁ ବାବା ! ଏଥିରେ କଅଣ ପ୍ରକୃତ ଉନ୍ନତି ହେବ ? ହେଲେ ତାହା କେତେଦିନପାଇଁ-

ଅଶୋକ

-

(ସ୍ୱଗତଃରେ) ସେ ଦିନ ସନ୍ୟାସୀ ମଧ୍ୟ ଠିକ୍‌ ଏହି କଥା କହୁଥିଲା ।

ସଂଘ

-

ଆଜି ଯେଉଁମାନେ ଆପଣଙ୍କୁ ପ୍ରବଳ ଜାଣି ବନ୍ଦନା ଗାଉଛନ୍ତି ହୁଏତ କାଲି ସୁଯୋଗ ପାଇଲେ ସେହିମାନେହିଁ ଆପଣଙ୍କ ବକ୍ଷରେ ଛୁରି ବସାଇବେ; ଏହାହିଁ କ’ଣ ରାଜନୀତି ବାବା !

ଅଶୋକ

-

ଏତେତ ଭାବି ଦେଖିନାହିଁ ମା’-ଏକ ସାମ୍ରାଜ୍ୟ ହେଲେ, ଏକ ରାଜ୍ୟ ହେଲେ ପ୍ରଜା ପ୍ରାଣରେ ଭ୍ରାତୃଭାବ ଆସିବ ।

ସଂଘ

-

ଏହା ଆଗରୁ ଅନେକେତ ଏପରି ଚେଷ୍ଟା କରି ବିଫଳ ହୋଇଛନ୍ତି-ରାମରାଜ୍ୟରେ ଯାହା ହୋଇନାହିଁ-ଯୁଧିଷ୍ଠିରଙ୍କର ଧର୍ମ୍ମରାଜ୍ୟରେ ଯାହା ଘଟିନାହିଁ-ତାହା ଏହି ଘୋର କଳିକାଳରେ ଘଟିବ ?

ଅଶୋକ

-

(ଚିନ୍ତିତ ହୋଇ) ପ୍ରକୃତ କଅଣ ତାହା ! ! ଆଛା ମା’ ତୁ କ’ଣ ସେ ସନ୍ୟାସୀଠାରୁ ଦୀକ୍ଷା ନେଇଛୁ ? ତାଙ୍କୁ ତ ସେଦିନ ଦେଖି ମୋ ମନ ସ୍ୱତଃ ନଇଁପଡ଼ିଲା-! ବର୍ତ୍ତମାନ ମନେପଡ଼ୁଛି-କି ଗୁଣରୁ ମୁକୁଟ-ମଣ୍ଡିତ-ରାଜଶିର, ମୁଣ୍ଡିତ ମସ୍ତକ ସନ୍ୟାସୀ ପାଖରେ ନତ ହୁଏ ?

ସଂଘ

-

ଏ ଯାଏ ଦୀକ୍ଷା ନେବାର ଯୋଗ୍ୟତା ମୋର ଜନ୍ମି ନାହିଁ ପିତା ! ବୃକ୍ଷମୂଳ ବା ଗିରିକନ୍ଦରବାସୀ, ଶାକାନ୍ନ ଭୋଜୀ ସନ୍ୟାସୀ, ଯେଉଁ ରାଜ୍ୟରେ ସମ୍ରାଟ ପିତା, ତାହା ତୁଳନାରେ ସମଗ୍ର ପୃଥିବୀର ଏକତ୍ରୀକୃତ ସମ୍ପଦ ଯେ କିଛି ନୁହେଁ-ତା’ମନରେ ଚିର ଶାନ୍ତି-ତାର ପ୍ରାଣରେ ସମସ୍ତଙ୍କ ପାଇଁ ସମାନ ସହାନୁଭୂତି-ମଙ୍ଗଳ ଛଡ଼ା ଅମଳଙ୍ଗର କଥା ତା’ମୁଖରେ ନଥାଏ ।

ଅଶୋକ

-

ହୋଇପାରେ, ଆଛା ସତ କହ ମା’, ତୁ ତାଙ୍କ ସହିତ କି ଆଲୋଚନା କରୁ-

ସଂଘ

-

ତୁମ୍ଭର ମଙ୍ଗଳ କଥା ପିତା-

ଅଶୋକ

-

ଦୂର ବାୟାଣି-ସମ୍ରାଟ ଅଶୋକ, ଯାହାର ଇଙ୍ଗିତରେ ରାଜ୍ୟ ବିପର୍ଯ୍ୟୟ, ତାର ପୁଣି ଅମଙ୍ଗଳ କିଏ କରିବ ?

ସଂଘ

-

ଆଉ କେହି ନୁହେଁ-ତୁମ୍ଭେ ନିଜେ-

ଅଶୋକ

-

ମୁଁ ନିଜେ ? କ’ଣ ଗୁଡ଼ାଏ କହୁଛୁ ମା’-

ସଂଘ

-

ଯାହା ପ୍ରତ୍ୟହ ପ୍ରତ୍ୟକ୍ଷ କରେ ତାହାହିଁ କହୁଛି ବାବା !

ଅଶୋକ

-

କଅଣ ପ୍ରତ୍ୟକ୍ଷ କରୁ ?

ସଂଘ

-

ସେ ଅତି ଭୀଷଣ କଥା ବାବା-ଯେ ଆସେ-

ଅଶୋକ

-

ଆସେ !-କିଏ ଆସେ?-ପ୍ରସାଦରକ୍ଷୀ କଅଣ କରୁଥାନ୍ତି, ସେମାନେ କ’ଣ-

ସଂଘ

-

ରକ୍ଷୀ କ’ଣ କରିବେ ପିତା-ସେ ମୂର୍ତ୍ତଅମାନୁଷିକ; ରକ୍ଷୀଙ୍କର କିଛି ଦୋଷ ନାହିଁ-

ଅଶୋକ

-

ତେବେ କ‘ଣ ଦେଖୁ ମା’-ଶୀଘ୍ର କହ-ସତ୍ୟ କହ-

ସଂଘ

-

ଦେଖେଁ-ନିଦ୍ରିତ ହେଲାପରେ ତୁମେ ନାନା ବିଭୀଷିକାପୂର୍ଣ୍ଣ କଥା କୁହ-ଅତି ଆତୁର ଭାବରେ ଭୀତ ହୋଇ ଡାକଛାଡ଼-ବେଳେ ବେଳେ ଘୋର ନିଦ୍ରାରେ ତରବାରୀ ଉଠାଇ ଶୂନ୍ୟକୁ ଆକ୍ରମଣ କର-ମୁଁ ଯଦି ଜାଗି ନବସନ୍ତି ତେବେ ଆତ୍ମହତ୍ୟା କରନ୍ତଣି-

ଅଶୋକ

-

ଆତ୍ମହତ୍ୟା ! ତୋର ଏସବୁ ସ୍ୱପ୍ନର ବିକାର-ଭାରତ ବଜୟୀ ଅଶୋକର ଏ ଦୁର୍ବଳତା-(ଅବିଶ୍ୱାସ୍ୟ ହାସ୍ୟ)

ସଂଘ

-

ସେ ସିନା ଜାଗ୍ରତାବସ୍ଥାରେ, ସୁପ୍ତିରେ ଯେ ତୁମ୍ଭେ ଶିଶୁ-ସେ ଅବସ୍ଥାର ପ୍ରତିମୂର୍ତ୍ତି ରଖି ପାରିଲେ ଦେଖନ୍ତ ତୁମ୍ଭେ କେତେ ଦୁର୍ବଳ-କେତେ ଅସହାୟ-

ଅଶୋକ

-

ତେବେ ମୋତେ ଜାଗ୍ରତ କରି ଦେଖାଉ ନାହୁଁ କାହିଁକି ?

ସଂଘ

-

କହିଲିତ ! ସୁପ୍ତି ଭାଙ୍ଗିଲେ ତୁମ୍ଭେ ସମ୍ରାଟ ଅଶୋକ । କାହିଁକି, ଗତ ରାତି କଥା କଅଣ ତୁମ୍ଭର ମନେ ନାହିଁ ? ତୁମ୍ଭେ ନିଜେ ମୋତେ କୁଣ୍ଢାଇଧରି ଦୁଇଟି ଭୀଷଣ କାଳମୂର୍ତ୍ତି ଦେଖାଉଥିଲ ।

ଅଶୋକ

-

ଏ ସବୁ ନିଶ୍ଚୟ ସ୍ୱପ୍ନର ବିକାର ମା’-

ସଂଘ

-

ସେ ଯଦି ସ୍ୱପ୍ନ ହୁଏ ତେବେ ସେ ସ୍ୱପ୍ନ ବଡ଼ ଭୀଷଣ-ବଡ଼ ଅଦ୍ଭୁତ-ବଡ଼ ସଜୀବ । ତୁମ୍ଭେ ଆଉ ଯୁଦ୍ଧ ବିଗ୍ରହ କରନାହିଁ ପିତା !

ଅଶୋକ

-

ଦୂର ପାଗଳି । ରାଜ୍ୟ ରକ୍ଷା କରିବା-ବୃଦ୍ଧି କରିବା ଦେଶକୁ ଗୋଟାଏ ସାମ୍ରାଜ୍ୟ କରିବା ଯେ ଅଶୋକର ଆବାଲ୍ୟ ସ୍ୱପ୍ନ ।

ସଂଘ

-

କିନ୍ତୁ ହତ୍ୟା କରିବା-ବିଭୀଷିକା ସୃଷ୍ଟି କରିବା-ଛାରଖାର କରିବା-ଏତ ସ୍ୱପ୍ନ ନୁହେଁ-?

ଅଶୋକ

-

ଯୁଦ୍ଧର ଆନୁଷଙ୍ଗିକ ଯେ ତାହାହିଁ ମା’-

ସଂଘ

-

ତେବେ ସେ ଯୁଦ୍ଧ ଛାଡ଼-ତୁମ୍ଭ ସାମ୍ରାଜ୍ୟ ତୁମ୍ଭର ଅଛି, କେହି ନେବାକୁ ଆସୁନାହିଁ-କେହି ତୁମ୍ଭର ବୀରତ୍ୱରେ କଳଙ୍କ ଦେଉନାହିଁ-ଜୟ ଯଦି କରିବ ପ୍ରେମରେ ଜୟ କର ।

ଅଶୋକ

-

ପିଲା ପରି କଥା-ପ୍ରେମରେ ରାଜ୍ୟ ଜୟ ହେବ?-ରାଜ୍ୟ ବଢ଼ିବ ?

ସଂଘ

-

ହେବ ନାହିଁ ? ତକ୍ଷଶୀଳାକୁତ ତୁମ୍ଭେ ନିଜେ ସେହିପରି ଜୟ କରିଥିଲ-ଭାବି ଦେଖିଲ-ସେ ଜୟ କି ଅକ୍ଷୟ ଅବିନଶ୍ୱର, ପ୍ରାଣରେ ପ୍ରାଣର ମିଳନ-

ଅଶୋକ

-

ତୁ ରାଜନୀତି କଅଣ ବୁଝିବୁ-ସେ ଅତି ନିର୍ମ୍ମମ-ଅଥଚ କଠୋର କର୍ତ୍ତବ୍ୟ-(କଥାର ଗତି ଫେରାଇବା ଚେଷ୍ଟାରେ) ହଁ ସନ୍ୟାସୀ କଅଣ କହନ୍ତି ?

ସଂଘ

-

ସେ ଆଶାର କଥା କହନ୍ତି-ତୁମ୍ଭର ମନ ପରିବର୍ତ୍ତନ ହେଲେ କାର୍ଯ୍ୟର ଗତି ମଧ୍ୟ ବଦଳି ଯିବ ।

ଅଶୋକ

-

(ଚିନ୍ତା କରି) ହଉ ତୁ ଏବେ ଅନ୍ତଃପୁରକୁ ଯା-(ସଂଘମିତ୍ରାର ପ୍ରସ୍ଥାନ ପରେ)

 

 

(ସ୍ୱଗତଃ) ସଂଘ ଯାହା କହିଲା କଅଣ ସତ୍ୟ ? କଳିଙ୍ଗରୁ ଫେରିଲା ଦିନଠାରୁ ମନ ମୋର ଏହିପରି ଅହେତୁକୀ ଆଶଙ୍କାରେ ବ୍ୟାକୁଳ ହୋଇପଡ଼ୁଛି କାହିଁକି ?-ତାପରେ ସେହି ସନ୍ୟାସୀ, ବାକ୍ୟରେ, କାର୍ଯ୍ୟରେ ଗୋଟାଏ ନୂତନ ଅନୁଭୂତି ଜାଗି ଉଠୁଛି । ଏଟା ଅବଷାଦ, କ୍ଳାନ୍ତ ଓ ମସ୍ତିଷ୍କର ଦୁର୍ବଳତା କି ଗୋଟାଏ ପ୍ରକୃତ ପରିବର୍ତ୍ତନ, କିଛି ଭାବି ଠିକ୍‌ କରି ପାରୁନାହିଁ-ଦେଖେ (ଧୀରେ ଧୀରେ ପ୍ରସ୍ଥାନ)

(ପ ଟ୍ଟ ପ ରି ବ ର୍ତ୍ତ ନ)

Image

 

୫ମ ଦୃଶ୍ୟ

ତୋଷାଲିର କାରାକକ୍ଷ, ସମୟ ରାତ୍ରୀ ।

 

 

 

(କକ୍ଷ ମଧ୍ୟରେ ଶିଳାଦିତ୍ୟ ଚିନ୍ତାକୂଳଭାବେ ଦଣ୍ଡାୟମାନ । ରାଣୀ ଗୋଟିଏ ଖଟ ଉପରେ ଆସୀନା । ଶିଳାଦିତ୍ୟଙ୍କ ମୁହଁରେ ଅସ୍ଥିରତା ଏବଂ ରାଣୀ ଚେହେରାରେ ତୃପ୍ତିର ଲକ୍ଷଣ ବିଦ୍ୟମାନ । କିଛିକ୍ଷଣ ପରେ ଗଭୀର ବିଷାଦରେ ଶିଳାଦିତ୍ୟ କହିଲେ)

ଶିଳା

-

ରାଣୀ ! ଭାଗ୍ୟ କଅଣ ନକରେ-ଆଜି ଯେ ସମ୍ପଦର ଚରମ-ଶିଖରରେ, କାଲି ସେ ବିପଦରେ ଅତଳ ତଳେ । ଆଜି ଯେ ରାଜା, କାଲି ସେ ପଥର ଭିକାରୀ-ଆଜି ଲକ୍ଷ ଶିର ଯା’ର ପଦତଳେ ଅବନତ, ଲକ୍ଷ ମୁଖ ଯା’ର ଜୟଗାନରେ ଉନ୍ମତ, କାଲି ସେ ହୁଏ ଅତି ତୁଚ୍ଛ ନଗଣ୍ୟ; ଆଜି ଯେ ସମ୍ରାଟ-କାଲି ସେ ବନ୍ଦୀ-ପ୍ରପୀଡ଼ିତ-ଲାଞ୍ଛିତ-

ରାଣୀ

-

ସେ କଥା ସତ ମହାରାଜ ! ଭାବିଲେ ପ୍ରାଣ ଶିହରି ଉଠୁଛି-କିନ୍ତୁ ତାହାଠାରୁ ବଳି ମର୍ମ୍ମବିଦାରକ ହେଉଛି କଳିଙ୍ଗର ଅଧିପତି ଆଜି ତାଙ୍କରି ପ୍ରାସାଦରେ, ତାଙ୍କରି କାରାକକ୍ଷରେ ତାଙ୍କରି ସେବକ କର୍ତ୍ତୃକ ବନ୍ଦୀ ।

ଶିଳା

-

ଖାଲି ଏତିକି-କୁଟୀରବାସୀ ଭିକ୍ଷୁକ, ପରାନ୍ନଭୋଜୀ ଯୁବକ, ସେ ହେଉଛି ସମ୍ରାଟର ପ୍ରତିଦ୍ୱନ୍ଦ୍ୱୀ-କେବଳ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବିଜେତା । ଓଃ-ଏ ଅପମାନ, ଏ ଲାଞ୍ଚନା, ସହ୍ୟ କରିବା ଆଗରୁ ମୋର ମୃତ୍ୟୁ ନହେଲା କାହିଁକି ।

ରାଣୀ

-

କାହିଁକି ମହାରାଜ ଶିଳାଦିତ୍ୟକୁ ବନ୍ଦୀ ଅବସ୍ଥାଟା କଅଣ ମଧୁମୟ ଲାଗୁନାହିଁ ?

ଶିଳା

-

(ବିସ୍ମିତ) ଏ କ’ଣ କହୁଛ ରାଣୀ ?

ରାଣୀ

-

(ହସି ହସି) ଯାହା କହିବା କଥା-ଥରେ ମୋ ଦେଶର କଥା, ମୋର ପିତା ଭ୍ରାତାଙ୍କ କଥା ମନେପକାଇଲେ । ସ୍ୱାଧୀନ ବିଜୟ ନଗରକୁ କିଏ ପରାଧୀନ କଲା ? କେଉଁ ରାଜ୍ୟର ରାଜା ପ୍ରଜା ମିଳି ତାହାର ସର୍ବସ୍ୱ ଛାରଖାର କଲେ ? ତୁମ୍ଭେ ଖାଲି ବନ୍ଦୀ ହୋଇଛ, ମୋ ପରି ପିତୃମାତୃ ହୀନା ହୋଇ ଶତ୍ରୁର ସେବିକା ତ ହୋଇନାହଁ ।

ଶିଳା

-

ଯନ୍ତ୍ରଣାବେଳେ ଏ କି ପରିହାସ କରି ମର୍ମ୍ମଦାହ ବଢ଼ାଉଛ ରାଣୀ ?

ରାଣୀ

-

ରାଣୀ ପଦତ ତୁମ୍ଭର କରୁଣା ପ୍ରଦତ୍ତ-କିନ୍ତୁ ପିତୃଶତ୍ରୁର ପ୍ରଣୟିନୀ ହେବା ମୋର ଦାସୀତ୍ୱର ରୂପାନ୍ତର ମାତ୍ର-

ଶିଳା

-

ଚୁପ୍‌ କର ରାକ୍ଷସୀ ! (ଘୃଣାରେ)

ରାଣୀ

-

ଚୁପ୍‌ ହେଲେ ଯେ ଶୁଣି ପାରିବ ନାହିଁ-ଯାହା ହେଉ ଏତେଦିନ ବୁଝିଲି ମୋର ବହୁକାଳର ଚେଷ୍ଟା ସଫଳ ହୋଇଛି-ଏଇତ ପ୍ରତିଶୋଧ । ତୁମ୍ଭର ମୃତ୍ୟୁତ ସୁନିଶ୍ଚିତ ତେବେ ତାହାକୁ ଆହୁରି ବିଷତିକ୍ତ କରିବା ମୋର କାର୍ଯ୍ୟ ।

ଶିଳା

-

ସ୍ତବ୍‌ଧ ହୁଅ ସଇତାନୀ-(ରାଗରେ )

ରାଣୀ

-

ସ୍ତବ୍‌ଧ ହେବି-ତେବେ କହିବି କାହାକୁ? ଜାଣ ରାଜା-ଶତ୍ରୁଦମନର ନିର୍ଦ୍ଦୋଷ ପୁତ୍ର କାହାର ଚକ୍ରାନ୍ତରେ ନିହତ-କାହାର କୌଶଳରେ ପୁଷ୍ପ ଅପହୃତା ? ଏଇ ମୋରି-

ଶିଳା

-

ଓଃ-ଦାନବୀ, ପିଶାଚୀ, କାଳସର୍ପିଣୀ-

ରାଣୀ

-

ହିଁ କହିଯାଅ, ତୁମ୍ଭର ବିଶେଷଣଗୁଡ଼ାକ ମନ୍ଦ ଶୁଭୁନାହିଁ-ନିର୍ବୋଧ ସ୍ତ୍ରୈଣ-ତୁମ୍ଭେ ଖାଲି ନାରୀର ମୁଖବାକ୍ୟକୁ ଅମୃତ ମନେକରି ଆକଣ୍ଠ ପାନ କରିଥିଲ-କିନ୍ତୁ ତାର ହୃଦୟ ଯେ ଷଡ଼ଯନ୍ତ୍ରର ଅଭେଦ୍ୟ ଦୂର୍ଗ, ତାର ନୟନ କଟାକ୍ଷ ଯେ ପ୍ରାଣହନ୍ତା ବିଦ୍ୟୁତ-ଅନ୍ଧ ତୁମ୍ଭେ-ତୁମେ କାହୁଁ ବୁଝିବ ?

ଶିଳା

-

କଅଣ କହିଲୁ (ରାଗରେ)

ରାଣୀ

-

ସ୍ଥିର ହୋଇ ଶୁଣିଯାଅ-ଆଉ ସମୟ ପାଇବ ନାହିଁ-ତୁମ୍ଭେ ମନେ କରିଥିଲ ଯେ ମୁଁ ତୁମ୍ଭର ଅନୁକମ୍ପାରେ ମୁଗ୍‌ଧ ହୋଇ ତୁମ୍ଭଠାରେ ମନପ୍ରାଣ ବିନିମୟ କରିଛି-ତାହା ନୁହେଁ-କାୟା ବିନିମୟ କରି ଧର୍ମ୍ମ ଛାଡ଼ିଛି-କିନ୍ତୁ ଯେ କଠୋର କର୍ତ୍ତବ୍ୟରେ ଅଗ୍ରସର ହୋଇଥିଲି-ପିତାମାତାଙ୍କର ଯେଉଁ ଅନ୍ତିମ ଅନୁରୋଧ-ନାରୀ ମୁଁ-ତଥାପି ତାହା ରକ୍ଷା କରିଛି ସେ ପ୍ରତିଜ୍ଞା ପୂରଣ କରିଛି-ଜାଣ ? ମନ ଜଳିପୋଡ଼ି ଯାଉଛି ନା ? ମୁଁ ତ ତାହାହିଁ ଚାହେଁ-

ଶିଳା

-

ଦୂର ହୁଅ ରାକ୍ଷସୀ । ଓଃ-ମୁଁ କ’ଣ ନକରିଛି-ବିଷକୁ ଅମୃତ ଜ୍ଞାନରେ ଆକଣ୍ଠ ପାନ କରିଛି । ଉଃ-ମୋର ଗତି କଅଣ, ମୋର ପ୍ରାୟଶ୍ଚିତ କାହିଁ ? ବିଧାତା-ଏହି ମୂହୁର୍ତ୍ତକ ଆଗେ ତୋର ନିନ୍ଦା କରୁଥିଲି-କିନ୍ତୁ ବର୍ତ୍ତମାନ ବୁଝୁଛି ତୁ କେଡ଼େ ଦୟାଳୁ-ଐର- ଐର, କାହିଁଅଛ ଐର ! ମୋତେ ମୃତ୍ୟୁ ଦେଇଯାଅ; ଏ ଶାସ୍ତି ମୋର ଅସହ୍ୟ; ମୃତ୍ୟୁ-ମୃତ୍ୟୁ, ମୃତ୍ୟୁରେ ମୁଁ ପ୍ରାୟଶ୍ଚିତ କରେ ।

 

 

(ଐରର ପ୍ରବେଶ)

ଐର

-

ମୃତ୍ୟୁରେ ତ ପ୍ରାୟଶ୍ଚିତ ହୁଏନାହିଁ ରାଜା !

ଶିଳା

-

ମୋର ଦୁଷ୍କାର୍ଯ୍ୟର ଯେ ଅନ୍ତ ନାହିଁ, ବିଜୟୀ

ଐର

-

ବେଶ୍‌, ଅନନ୍ତ ସୁକୃତ ଅର୍ଜନ କର ।

 

 

 

ଶିଳା

-

ସୁକୃତ ଅର୍ଜନ କରିବି ? ତେବେ ନରକର କୃମୀକୀଟ କିଏ ହେବ ? ମୋତେ ମୃତ୍ୟୁ ଦିଅ-ତୁମ୍ଭର ପୁଣ୍ୟ ହେବ, ମୁଁ ଜ୍ୱାଳା ଯନ୍ତ୍ରଣାରୁ ମୁକ୍ତି ପାଇଯାଏ ।

ଐର

-

ମୁଁ ତୁମ୍ଭଙ୍କୁ ବନ୍ଧନରୁ ମୁକ୍ତି ଦେଲି-ଇଚ୍ଛା ହୁଏ ଆସ ମୋ ସହିତ ମିଳି ପିତାପୁତ୍ର ପରି କଳିଙ୍ଗର ସେବା କରିବା-ମାନବକୁ ମହିମାନ୍ୱିତ କରିବା ଜଗତର କଲ୍ୟାଣ ସାଧନରେ ଜୀବନ ଉତ୍ସର୍ଗ କରିବା (ଦ୍ୱାର ମୁକ୍ତ କରିବା) ନଚେତ୍‌ ନିଅ ତୁମ୍ଭ ରାଜ୍ୟଭାର-ମୁଁ ଫେରାଇ ଦେଉଛି ।

ରାଣୀ

-

ଫେରାଇଦେବ ! ଏହି ଦେଖ-(ହଠାତ୍‌ ଶିଳାଦିତ୍ୟକୁ ଛରିକାଘାତ ଐର ଦୌଡ଼ି ଧରିବାକୁ ଯିବା) ହାଃ- ହାଃ-ହାଃ-ଧରିବ-ଧର- ( ନିଜ ବକ୍ଷରେ ମାରି ) ଚାଲ ରାଜା, ଇହଲୋକରେ କାର୍ଯ୍ୟ ଶେଷ ହୋଇଛି-ପରଲୋକରେ ଅନ୍ୟ ସମ୍ୱନ୍ଧ ।

(ପ ଟ୍ଟ ପ ତ୍ତ ନ)

Image

 

୬ଷ୍ଠ ଦୃଶ୍ୟ

 

 

 

(ସ୍ଥାନ-ରାଜପଥ; ସମୟ-ସୂର୍ଯ୍ୟାସ୍ତ । ସେଠାଲି ଓ ଚଞ୍ଚଳା ଦୁହେଁ ବହୁ ଦୂରରୁ ଚାଲି ଚାଲି ଆସୁଛନ୍ତି । ପଥଶ୍ରମରେ ଦୁହେଁ ଥକି ଗଲେଣି ତେବେ ବି ଯେମିତି ଗୋଟାଏ ନିଶାରେ ବିଭୋର ହୋଇ ଚାଲିଛନ୍ତି)

ସେଠାଲି

-

ମା’ ଏମିତି ଆଉ କେତେ ଚାଲୁଥିବୁ-ଏ ଯାତ୍ରାର କ’ଣ ଅନ୍ତ ନାହିଁ ?

ଚଞ୍ଚଳା

-

କାହିଁକି, ତୋତେ କଅଣ କଷ୍ଟ ହେଉଛି-ଆ, ତେବେ ଏଇଠି ଟିକିଏ ବସି ଦମ୍‌ ନେବା ।

ସେଠା

-

ନାହିଁ ମା’, ମୁଁ ମୋ କଥା କହୁ ନାହିଁ-

ଚଞ୍ଚଳା

-

ତେବେ-

ସେଠାଲି

-

ମୁଁ ତୋ’ କଥା କହୁଛି । ତୋର ତ ଏ ସବୁ ଅଭ୍ୟାସ ନାହିଁ ।

ଚଞ୍ଚଳା

-

ମୋ କଥା ଛାଡ଼ ପୁଅ-ସାରା ଜୀବନଯାକ ଚାଲୁଥିଲେ ମୋ ଦୁଷ୍କୃତିର ପ୍ରାୟଶ୍ଚିତ ହେବ ନାହିଁ ।

ସେଠାଲି

-

ଦୁଷ୍କୃତି ତୋର ତ୍ରିସୀମା ଛାଡ଼ି ଯାଇଛି ମା’-ଅନ୍ଧ ବୋଲି ମୁଁ କଅଣ କିଛି ବୁଝିପାରୁନାହିଁ । ତୋର ସେବା ଶୁଶ୍ରୁଷା ଯତ୍ନ-

ଚଞ୍ଚଳା

-

ଥାଉ, ଥାଉ ପୁଅ ସେ କଥା ଉଠା ନା-

ସେଠାଲି

-

ହଉ ମା’-ମୋର ଆଉ ଗୋଟାଏ କଥା ମନେ ହେଉଛି ।

ଚଞ୍ଚଳା

-

କହୁ ନାହୁଁ

ସେଠାଲି

-

ମୁଁ କହୁଛି, ଏଇ ଯେଉଁ ଲଢ଼େଇ ଲାଗିଥିଲା- ସେଥିରେ ହଜାର ହଜାର ଖଣ୍ଡିଆ ଦଣ୍ଡିଆ ହୋଇ ପଡ଼ିଥିବେ-ଅନେକଙ୍କର ଦେଖିବାକୁ ଶୁଣିବାକୁ, ପଦେ ଆହା କରିବାକୁ କେହି ନଥିବେ-ଆମେ ତାଙ୍କ ସେବା କରନ୍ତେ କି-

ଚଞ୍ଚଳା

-

ସେଥିପାଇଁତ ଗୁରୁଙ୍କ ଆଦେଶରେ କଳିଙ୍ଗକୁ ଯାଉଛି- ସେଠି ମୋର ତୋହରି ପରି ହଜାର ହଜାର ଅନ୍ଧ ଲେଙ୍ଗଡ଼ାପୁଅ ଅନାଇ ରହିଥିବେ-

ସେଠାଲି

-

ମୁଁ ତ ଅନ୍ଧ ମା’, ଆଉ କ’ଣ କରିପାରିବି- ତେବେ ଯେଉଁ କାମରେ ଲଗାଇ ଦେବୁ ସେଇଥିରେ ଲାଗିଥିବି-

ଚଞ୍ଚଳା

-

ତୋତେ କିଛି କରିବାକୁ ହେବ ନାହିଁ-ଭଗବାନ ତୋ ଆଖି ନେଇ ତୋ ପ୍ରାଣରେ ଖାଲି ସଙ୍ଗୀତର ଉତ୍ସ ଖୋଲି ଦେଇ ଅଛନ୍ତି-ମୁଁ ସେବା ଶୁଶ୍ରୂଷା କଲାବେଳେ ତୁ ତୋର ମଧୁର ଗୀତ ଗାଇ ତାଙ୍କୁ ଭୁଲାଇ ରଖିବୁ-ସତେ ବାପ ତୋ ଗୀତ ଶୁଣିଲେ ମନରେ ଆଶାହୁଏ ଯେ ପାପାର ପାପ ଯେତେ ବେଶୀ ହେଲେ ମଧ୍ୟ, ପତିତପାବନଙ୍କର କରୁଣାପଣ ତାହାଠୁ ବହୁତ ବେଶୀ ।

ସେଠାଲି

-

ସେଥିରେ ମୋର କି ବାହାଦୂରୀ ଅଛି ମା’-ତୋରି ଭାବ ତୋରି ଭାଷା, ତୋରି ଶିକ୍ଷା, ତୋରି ପ୍ରାଣ, ଖାଲି ମୋ ମୁହଁରୁ ଯାହା ପ୍ରତିଧ୍ୱନିତ ହୁଏ-

ଚଞ୍ଚଳା

-

ହଉ ଚାଲ ବାପ, ସେଇ ଗୀତଟା ପୁଣି ଗାଇ ଗାଇ ଯିବା-

ସେଠାଲି

-

ଗୀତ

 

 

ମଳୟାନିଳେ ସାରା ଅଖିଳେ ଗାଉଛି ନିତି ।

 

 

ମନ୍ଦ୍ରେ ମନ୍ଦ୍ରେ ରନ୍ଧ୍ରେ ରନ୍ଧ୍ରେ ବନ୍ଦନା ଗୀତି । ଧ୍ରୁ ।

 

 

କିଇବା ମିଛ ମୋହେ ମଜି-

 

 

ପରମ ପରଶ ତ୍ୟଜି,

 

 

ଭରମରେ କର୍ମଲିପି ଭୋଗ କୁମତି । ୧ ।

 

 

ଭାଙ୍ଗ ଭାଇ ମାୟା ଖେଳା ଖେଦ କରନା-

 

 

ସୁଧାସିନ୍ଧୁ ତୀରେ ବସି ଶେଷେ ମରନା,

 

 

ମନ ଭରି ପିଅ ବାରି-ପାପ ତାପ ଯିବହାରି,

 

 

ଧ୍ୱନି ହେବ ଜୀବନରେ ଆନନ୍ଦ ରୀତି । ୨।

 

 

 

 

 

(ସେଠାଲିକୁ ବାଟ କଢ଼ାଇ ଚଞ୍ଚଳାର ପ୍ରସ୍ଥାନ)

(ପ ଟ୍ଟ ପ ତ୍ତ ନ)

Image

 

୭ମ ଦୃଶ୍ୟ

 

 

 

(ଖଣ୍ଡଗିରି ନବ ନିର୍ମିତ ଗୁହା ଇତାଦି-ସ୍ଥାନେ ସ୍ଥାନେ ପ୍ରସ୍ତର ନିର୍ମିତ ପଥ, ଅର୍ଦ୍ଧ ପରିଷ୍କୃତ ଜଙ୍ଗଲ, କେଉଁଠାରେ ଅନୁଶାସନ ସ୍ତମ୍ଭ-କେଉଁଠାରେ ଅବା ସୁନ୍ଦର କାରୁକର୍ଯ୍ୟ ମଣ୍ଡିତ ଗୁହାର ଦ୍ୱାରଦେଶ; କାଳ-ଉଷା-କଳିଙ୍ଗେଶ୍ୱର ଐର ସ୍ତମ୍ଭାବଳୀ ଓ ଗୁମ୍ପା ସବୁ ପରିଦର୍ଶନ କରୁଥିଲେ-କେଉଁଠି କିପରି କାର୍ଯ୍ୟ ହୋଇଛି ତାହା ନିରୀକ୍ଷଣ କରୁଥିଲେ; କେତେବେଳେ ପ୍ରସ୍ତର ଖଣ୍ଡ ଉପରେ ବସିପଡ଼ି ନିଜକୁ ଧନ୍ୟ ମନେକରୁଥିଲେ, କିଛିକ୍ଷଣ ପରେ ମନ୍ତ୍ରୀ ପ୍ରବେଶ କରି ଅଭିବାଦନ କଲେ)

ଐର

-

କି ମନ୍ତ୍ରୀ ! ବିନ୍ଧାଣୀମାନେ ଆଜି ଏତେବେଳ ଯାଏ ଆସିନାହାନ୍ତି ଯେ; ସେମାନଙ୍କର ତ ଅତି ପ୍ରତ୍ୟୁଷରୁ ଆସି କାର୍ଯ୍ୟ ଆରମ୍ଭ କରିବାର କଥା ।

ମନ୍ତ୍ରୀ

-

ସେମାନଙ୍କର ତ ଆଉ କିଛି କାର୍ଯ୍ୟ ବାକି ନାହି ମହାରାଜ ।

ଐର

-

ଅନୁଶାସନ ସବୁ ?

ମନ୍ତ୍ରୀ

-

ତା ମଧ୍ୟ ସବୁ ସେମାନେ ଖୋଳି ସାରିଛନ୍ତି-

ଐର

-

ସୀମାଚଳ, ତାମ୍ରଲିପ୍ତର-

ମନ୍ତ୍ରୀ

-

ହଁ ମହାରାଜ-ପାନ୍ଥଶାଳା, ଚିକିତ୍ସାଳୟ ବିହାର ସମସ୍ତ ପ୍ରସ୍ତୁତ

ଐର

-

ରାସ୍ତାଘାଟ-ସେତୁ ?

ମନ୍ତ୍ରୀ

-

ରାଜାଜ୍ଞାରେ ସମସ୍ତ ନିର୍ମିତ; ନିର୍ଦ୍ୱନ୍ଦରେ ନିର୍ଭୟରେ ପଥିକ ଆଜିକାଲି ରାଜ୍ୟର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଚଳାଚଳ ହୋଇପାରୁଛନ୍ତି-ସ୍ଥାନେ ସ୍ଥାନେ କୂପ ପୁଷ୍କରିଣୀ ବିଦ୍ୟାପୀଠ ମଧ୍ୟ ନିର୍ମିତ ହୋଇଛି-

ଐର

-

ବେଶ୍‌-ଆହୁରି କର-ଗ୍ରାମେ, ଗ୍ରାମେ ଏହି ସବୁ ପ୍ରତିଷ୍ଠିତ ହେଉ; ଗୃହସ୍ଥ, ପଥିକ, ଭିକ୍ଷୁ, ବ୍ରହ୍ମଚାରୀ କାହାରି ଯେପରି କୌଣସି ଅଭାବ ନରହେ-ଏସବୁପାଇଁ ମୋର ରାଜକୋଷ ଉନ୍ମୁକ୍ତା । ଅଶିକ୍ଷା, ଅଧର୍ମ, ଅଭାବ, ରୋଗ ଯନ୍ତ୍ରଣାରେ କେହି ଜଣେ ଯେପରି କଷ୍ଟ ନପାଏ; ଜଣେ ଯେପରି କେହି ମନେ ନକରେ ରାଜା ତା’ର ଦୁଃଖରେ ଉଦାସୀନ ବୋଲି-

ମନ୍ତ୍ରୀ

-

ଯେ ଆଜ୍ଞା ମହାରାଜ-

ଐର

-

ଆଉ-ମୈତ୍ରୀ, ପ୍ରୀତି, ସାମ୍ୟ, ସେବା, ଏହ ଚାରୋଟି ହେଉଛି ଐରର ରାଜନୀତି, ଏକଥା ଘୋଷଣା କରାଅ । ପିତୃପିତାମହଙ୍କର ଗିରିଦୁର୍ଗ-ଏହି ଖଣ୍ଡଗିରି-ଦୀନ ଦୁଃଖୀଙ୍କର ପ୍ରଧାନ ପୀଠ ହେଉ; ଐରର ନିବାସ ତୋଷାଲି ରାଜପୁରୀ ନୁହେଁ ଏହିଠାରେ-ଉପରେ ଉନ୍ମୁକ୍ତ ଗଗନ, ମଧ୍ୟରେ ଅନୁନ୍ନତ ଗିରିଶିଖର-ତଳେ ଶ୍ୟାମଳା ଧରଣୀ-ତାର ଚିର ନୈସର୍ଗିକ ଶୋଭାରେ ମୋତେ ଭୁଲାଇ ରଖିବ । ରାଜ୍ୟ ଶାସନର ଆବିଳତା-ସମାଜ ବନ୍ଧନର ସଂକୀର୍ଣ୍ଣତା ଏବଂ ଲୋକାଚାରର ଯଥେଚ୍ଛାଚାରିତା ଛାଡ଼ି ଐରର ଏହିଠାରେହିଁ ଶାନ୍ତି ମିଳିବ; ଦୁସ୍ଥର ସେବା କରି-ସଭୟକୁ ଅଭୟ ଦେଇ-ନିରାଶ୍ରୟର ଆଶ୍ରୟ ହୋଇ ମୋର ପ୍ରାଣର ଇଚ୍ଛା ଏହିଠାରେ ପୂର୍ଣ୍ଣ ହେବ ।

 

 

(ଦୈବାରିକର ପ୍ରବେଶ ଓ ପ୍ରଣାମ)

ଐର

-

କ’ଣ ?-

ଦୈବା

-

ଜଣେ ସନ୍ୟାସୀ ଓ ସନ୍ୟାସିନୀ ମଣିମାଙ୍କର ସାକ୍ଷାତ୍‌ ପ୍ରାର୍ଥୀ ।

ଐର

-

ସନ୍ୟାସୀ, ସନ୍ୟାସିନୀ ? ଯାଅ ମନ୍ତ୍ରୀ ଶୀଘ୍ର ଘେନିଆସ ! ମୂର୍ଖ ଦୈବାରିକ ଜାଣେ ନାହିଁ-ସନ୍ୟାସୀମାନଙ୍କର ଐର ନିକଟକୁ ଅବାଧ ଗତି । (ମନ୍ତ୍ରୀଙ୍କର ପ୍ରସ୍ଥାନ ଓ ଅଳ୍ପପରେ ସନ୍ୟାସୀ ବେଶୀ ଅଶୋକ ଓ ସଂଘମିତ୍ରାଙ୍କୁ ନେଇ ପ୍ରବେଶ)

ଐର

-

(ପ୍ରଣାମ କରି) ଇଏ କିଏ (ଆଶ୍ଚର୍ଯ୍ୟରେ) ସମ୍ରାଟ ? ଆପଣଙ୍କର ଇଏ କି ବେଶ-?

ଅଶୋକ

-

ତୁମେ ରାଜା ତୁମର ଏ ବେଶ କାହିଁକି କହିଲ ?

ଐର

-

ରାଜା ହେଲେ ମଧ୍ୟ ଆଜନ୍ମ ଭିକ୍ଷୁପାଳିତ, ପ୍ରାୟଶ୍ଚିତ୍ତ ଛଳରେ ରାଜପଦ ଗ୍ରହଣ-ସେବାହିଁ ମୋର ଧର୍ମ୍ମ ।

ଅଶୋକ

-

ମୁଁ ମଧ୍ୟ ଏତେଦିନ ବୁଝିଛି ରାଜା ପ୍ରଜାର ସେବକ-ରାଜକୋଷ ପ୍ରଜାର ସଞ୍ଚିତ ଅର୍ଥ । ସେଥିରୁ ବିଳାସ ନିମିତ୍ତ ବ୍ୟୟ କରିବା ଦସ୍ୟୁତା ।

ଐର

-

ତେବେ ଆପଣ କ’ଣ ବୌଦ୍ଧ ଦୀକ୍ଷା-

ଅଶୋକ

-

ଗ୍ରହଣ କରିନାହିଁ; କରିବି ବୋଲି ଏଠାକୁ ଆସିଅଛି ! କାହାନ୍ତି ତୁମ୍ଭର ଗୁରୁ-ସଂଘମିତ୍ରା ମଧ୍ୟ ତୁମ୍ଭର ଗିରିଗୁମ୍ପା ଦେଖିବାକୁ ଜିଦ୍‌ କଲା-ତେଣୁ ଗୋପନରେ ଏ ଆଗମନ

ଐର

-

ବୌଦ୍ଧ ଦୀକ୍ଷା ଲାଗି କିଏ ଆପଣଙ୍କୁ ପରାମର୍ଶ ଦେଲା?

ଅଶୋକ

-

କାହିଁକି, କଅଣ ମନ୍ଦ ହେଲା ?

ଐର

-

ମନ୍ଦ ନୁହେଁ ସମ୍ରାଟ, ଜଗତରେ ଯଦି କିଛି ଭଲଥାଏ ତେବେ ତାହା ଏହି ଦୀକ୍ଷା (ନୀରବ)

ଅଶୋକ

-

ନୀରବ ହୋଇ କଅଣ ଭାବୁଛ ?

ଐର

-

ଭାବୁଛି-ଆପଣଙ୍କର ସେ ସାମ୍ରାଜ୍ୟ ବିସ୍ତାର ଏଥିରେ ତ ସାଧିତ ହୋଇ ପାରିବନାହିଁ

ଅଶୋକ

-

ଏଥିରେ ହେବ ନାହିଁ ତ ଆଉ କେଉଁଥିରେ ହେବ-ଆଗେ ଭାବୁଥିଲି ଭାରତରେ ଏକ ସାମ୍ରାଜ୍ୟ ସ୍ଥାପନ କରି ସମସ୍ତଙ୍କୁ ଏକ ଜାତୀୟତାରେ ମିଶାଇ ଦେବି କିନ୍ତୁ କନ୍ୟା ସଂଘମିତ୍ରା ମୋର ଚକ୍ଷୁ ଫିଟାଇ ଦେଇଛି-କଳିଙ୍ଗ ବିଜୟର ଦାରୁଣ ହତ୍ୟାକାଣ୍ଡରେ ମୋର ଜିଘଂସା ବୃତ୍ତି ବିଲୟ ପାଇଛି-ପ୍ରକୃତି ପୁଞ୍ଜର ଆକ୍ଷେପଉକ୍ତି ‘‘ଚଣ୍ଡାଶୋକ’’ ମୋର ଯୋଗ୍ୟ ପଦବୀ-ଗୋଟିଏ କାମନା ନପୁରୁଣୁ ଅନ୍ୟ କୋଟିଏ ପୁଣି ଜନ୍ମିଛି-ଯେତେ ଭାବୁଛି, ଯେତେ ପାଉଛି ତେତେ ଆକାଙ୍‌କ୍ଷା ବଢ଼ୁଛି-ନା ଐର, ସେ ପଥ ମୁଁ ଛାଡ଼ି ଦେଲି ।

ଐର

-

ଆପଣଙ୍କର ଉଦ୍ଦେଶ୍ୟତ ଅମହତ୍‌ ନଥିଲା ସମ୍ରାଟ ?

ଅଶୋକ

-

ନ ଥିଲା ସତ୍ୟ କିନ୍ତୁ ଆହୁରି ମହତ୍ତର ଉଦ୍ଦେଶ୍ୟ ଏବଂ ମହତ୍ତମ ପଥରେ ଗଲେ-

ଐର

-

କି ପଥରେ ମହାରାଜ ?

ଅଶୋକ

-

ସଂଘ କହୁଛି ତା’ର ଗୁରୁ ନିର୍ଦ୍ଦିଷ୍ଟ କଥ-ସେ ପଥରେ ଆବିଳତା ନାହିଁ ଅହମିକା ନାହିଁ-ବ୍ୟକ୍ତିତ୍ୱ ନାହିଁ-ବିଭବ ସ୍ପୃହା ନାହିଁ-ଅଛି କିନ୍ତୁ ସଦାନନ୍ଦମୟ ଆତ୍ମତ୍ୟାଗର ମୋହନ ମଦିରା-ସମଷ୍ଟି ସତ୍ତାରେ ବ୍ୟକ୍ତିତ୍ୱକୁ ହରାଇବାର ସୋପାନ-ନିଜକୁ ସର୍ବୋତଭାବେ ଶେଷ କରି ଅମରତ୍ୱ ଅର୍ଜନ କରିବାର ପନ୍ଥା ଏବଂ ସର୍ବୋପରି ଅଛି-

 

 

‘‘ଅହିଂସା ପରମୋଽଧର୍ମ୍ମ’’

ଐର

-

ଏ ଯେ ସର୍ବତୋଭାବେ ବୌଦ୍ଧ ଦୀକ୍ଷା-

ଅଶୋକ

-

ବୌଦ୍ଧ ଦୀକ୍ଷା କି ବେଦ ଦୀକ୍ଷା ମୁଁ ବୁଝିନାହିଁ, ଏତିକି କିନ୍ତୁ ବୁଝିଛି ଯେ ଏହା ମାନବ ଆତ୍ମାର ଚରମ ବିକାଶ-ମୁଁ ଚାହେନା ଦୁଃଖର ବିନାଶ-ବରଂ ମୋର ବ୍ୟାକୁଳ ଅନ୍ତର ଚାହେ ପୃଥିବୀରେ ଯେତେ ଯେଉଁଠି ଦୁଃଖ ଅଛି ସବୁ ପୁଞ୍ଜିଭୂତ ହୋଇ ମୋ’ରି ଉପରେ ଯାଉ, କିନ୍ତୁ ବିଶ୍ୱର ମଙ୍ଗଳ ହେଉ । କାମନା ଉନ୍ମତ ଜଗତ ପୁଣି ପ୍ରେମର ପବିତ୍ର ସ୍ପର୍ଶରେ ପୁଲକିତ ହେଉ; ଶତ୍ରୁ ଏବେ ଶକ୍ତିରେ ପରାଭୂତ ନହୋଇ ପ୍ରୀତିରେ ମିତ୍ର ପାଲଟି ଯାଉ; ଧର୍ମ୍ମ, କର୍ମ୍ମ, କାମନା ସମସ୍ତ ବିସର୍ଜନ ଦେଇ, ସମସ୍ତ ବିନିମୟ କରି, ମାନବ ପ୍ରକୃତ ମାନବତ୍ୱକୁ ଅର୍ଜନ କରୁ-ଅଖିଳ ସଂସାର କେବଳ ପରୋପକାରର ଅସୀମ ଜ୍ୟୋତିରେ ଜ୍ୟୋତିଃଷ୍ମାନ ହେଉ-

ଐର

-

ଯୌବନର କର୍ମ୍ମଭୂମି, କଷ୍ଟାର୍ଜିତ ସାମ୍ରାଜ୍ୟ-ବିଭବ ଏ ସବୁ ?

ଅଶୋକ

-

ଏ ସବୁ ? କ୍ଷୁଦ୍ର ଭାରତ କି କ୍ଷୁଦ୍ରତ୍ତମ ମଗଧ ଅଶୋକର କର୍ମ୍ମକ୍ଷେତ୍ର ନୁହେଁ-ଜଗତର ମାନବ ହୃଦୟ ତାହାର କର୍ମଭୂମି-ମୁଷ୍ଟିମେୟ ସୈନ୍ୟ ସାମନ୍ତ ତାହାର ସହାୟ ନୁହନ୍ତି-ତାର ସହାୟ ନିଜର ବିଶ୍ୱମଙ୍ଗଳ ପ୍ରବୃତ୍ତି-ଏହି ଦୀକ୍ଷାରେ ପିତା ପୁତ୍ରୀ ଦୁଇଜଣ ବାହାରିଛୁ ।

ଐର

-

(ଆନନ୍ଦ ଅଧୀର) ଠିକ୍‌ କହିଛନ୍ତି ମହାରାଜ ! ତେବେ କହନ୍ତୁ ସମ୍ରାଟ ମୁଁ କଅଣ ଏଥିରେ କିଛି କରି ପାରିବି ନାହିଁ ? ମୋର କଅଣ କିଛି ଯୋଗ୍ୟତା ନାହିଁ ?

 

 

 

ସଂଘ

-

ନାହିଁ କାହିଁକି ? ଏ ତ ଜଣକର କାର୍ଯ୍ୟନୁହେଁ-ଏ କାର୍ଯ୍ୟରତ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ଅସୀମ ସଂସାର-ଅସଂଖ୍ୟ ମାନବ ଏବଂ ଅନନ୍ତ କର୍ମ୍ମ ପଦ୍ଧତି-ଏଥିରେ ତ ସମସ୍ତଙ୍କର ସମାନ ଅଧିକାର ?

ଐର

-

ତେବେ ଚାଲନ୍ତୁ ସମ୍ରାଟ ! ଚାଲ ସମ୍ରାଟ ପୁତ୍ରୀ-ରାଜପଦର ବିଡ଼ମ୍ୱନା ବିସର୍ଜନ ଦେଇ ତିନିହେଁ ମିଳି ଏ କର୍ତ୍ତବ୍ୟ ସାଧନରେ ନିଜକୁ ଉତ୍ସର୍ଗ କରିବା-ଭିକ୍ଷୁବ୍ରତ ନେଇ ଗ୍ରାମେ, ଗ୍ରାମେ, ବୁଲି ଦେଶେ ଦେଶେ ଏହି ପ୍ରେମ ମନ୍ତ୍ର ବିତରଣ କରିବା-ହତାଶକୁ ଆଶାଦେବା ମୃତ୍ୟୁକୁ ଅମୃତର ସନ୍ଧାନ ଦେବା-ଅନୁତାପିକୁ ସାନ୍ତ୍ୱନା ଦେଇ ଏ ଜୀବନ ଧନ୍ୟ କରିବା-ଏ ସାଧନାର ପ୍ରକୃଷ୍ଟ କ୍ଷେତ୍ର ସୌଷ୍ଠବପୂର୍ଣ୍ଣ ରାଜ ପ୍ରାସାଦ ନୁହେଁ ।

 

 

(ସନ୍ୟାସୀର ପ୍ରବେଶ)

ସନ୍ୟାସୀ

-

କିଏ କହିଲା ନୁହେଁ-ଏ ସାଧନାର କ୍ଷେତ୍ର, ପ୍ରାସାଦ ଓ କୁଟୀର ଉଭୟ । ଗୃହ ପ୍ରାଙ୍ଗଣହିଁ ଏ ସାଧନାର ସର୍ବ ଶ୍ରେଷ୍ଠ କ୍ଷେତ୍ର; ଦେଶର ରାଜତ୍ୱହିଁ ଏ ଧର୍ମ୍ମର ସର୍ବ ଶ୍ରେଷ୍ଠ ସହାୟକ ।

ଐର ଓ ସଂଘ

-

(ପ୍ରଣାମ କରି) ହଠାତ୍‌ କେଉଁଆଡ଼ୁ ଆସିଲେ ?

ସନ୍ୟାସୀ

-

କୁଆଡ଼ୁ କ’ଣ ମା’-ସନ୍ୟାସୀର ଯେ ସର୍ବତ୍ର ସମାନ ଗତି ।

ଅଶୋକ

-

କିଏ ଆପଣ ଦେହଧାରୀ ଧରାବାସୀ, ଅଥଚ ଅମର ଦୁର୍ଲ୍ଲଭ ଆତ୍ମା-କେଉଁ ଭାଗ୍ୟବତୀ ଆପଣଙ୍କର ଜନ୍ମଦାତ୍ରୀ-କେଉଁ ଗରୀୟାନ ଦେଶ ଆପଣଙ୍କର ଜନ୍ମରେ ଧନ୍ୟ ?

ସନ୍ୟାସୀ

-

ବଡ଼ ଅସଙ୍ଗତ ପ୍ରଶ୍ନ ସମ୍ରାଟ; ସଂସାରର ସମସ୍ତ ନାରୀ ମୋର ଜନନୀ-ସାରାସଂସାର ମୋର ଜନ୍ମଭୂମି; ତଥାପି ଯଦି ଶୁଣିବାକୁ ଉତ୍ସୁକ ଥାଅ ଶୁଣ-କଳିଙ୍ଗ ମୋହର ଜନ୍ମଭୂମି-ରାଜା ବ୍ରହ୍ମାଦିତ୍ୟ ମୋର ଜନ୍ମଦାତା ଏବଂ କୁମାର ମାୟାଦିତ୍ୟ ମୋର ପ୍ରାକ୍ତନ ନାମ ।

ସମସ୍ତେ

-

କୁମାର ମାୟାଦିତ୍ୟ ?

ଐର

-

ପିତା, ପିତା, ଜନ୍ମଦାତା ମୋର ! ମୋତେ ସତ୍ୟପଥ ଦର୍ଶାଇଦିଅ-(ପୁଣି ଗୋଡ଼ତଳେ ପଡ଼ିବା)

ସନ୍ୟାସୀ

-

କାହିଁକି, ଆଗରୁତ ତୋର ବିବେକ ତୋତେ ସେ ସନ୍ଧାନ ଦେଇଛି-(ଉଠ)

ଅଶୋକ

-

(ସ୍ୱଗତଃ) ଠିକ୍‌ କ୍ଷତ୍ରୀୟର ବୀରତ୍ୱ ଏବଂ ବ୍ରାହ୍ମଣର ପ୍ରତିଭା-କର୍ମ୍ମ ସହିତ ଧର୍ମ୍ମର ସମ୍ମିଶ୍ରଣ-

ସଂଘ

-

ମୋର କ’ଣ ହେବ ଗୁରୁ ?

ସନ୍ୟାସୀ

-

ତୁ ତ ମା’ ଶକ୍ତି ସଞ୍ଚାରିଣୀ-ବିଭିନ୍ନ ଚିନ୍ତାର ମିଳନ ସେତୁ; ସେବା ସାନ୍ତ୍ୱନାର ସୁରଭିଧାରା-

ସଂଘ

-

(ଲଜ୍ଜିତହେବା)

ସନ୍ୟାସୀ

-

ସମ୍ରାଟ ଆଜି ତୁମ୍ଭର ଆନନ୍ଦର ଦିନ-ଆଜି ପ୍ରକୃତ ବିଜୟର ଦିନ-ସାମାନ୍ୟ ଦେଶ ଜୟ କରି ଯେ ଆନନ୍ଦ ପାଇବ ଏକା ଆପଣାକୁ ଜୟ କରି ତାହାର କୋଟି ଗୁଣ ପାଇବ । ଆଜି ତୁମ୍ଭେ କାମନା ବିଜେତା-ଭିକ୍ଷୁ ମୁଁ-ମୋତେ ଗୋଟିଏ ଭିକ୍ଷାଦେବ-?

ଅଶୋକ

-

ଆପଣ ଯଦି ଭିକ୍ଷୁ ତେବେ ସେହି ଭିକ୍ଷୁ ବ୍ରତରେହିଁ ପୃଥିବୀରେ ସମସ୍ତ ମହତ୍ୱ; ମୁଁ ଯେ ଭିକ୍ଷୁର ଭିକ୍ଷୁ-ଆଦେଶ କରନ୍ତୁ ।

ସନ୍ୟାସୀ

-

ଆଉ କିଛି ନୁହେଁ-ମୁଁ ଚାହେ ମୋର ପୁତ୍ର ପୁତ୍ରୀ ଦୁହିଁଙ୍କର ମଧୁର ମିଳନ । ଅର୍ଥାତ ଐର ଓ ସଂଘମିତ୍ରାର ଐହିକ ବିବାହ ।

ସଂଘ

-

ବିବାହ ! କର୍ତ୍ତବ୍ୟରେ ଉତ୍ସର୍ଗ ଯେ ମୋର ଜୀବନର ବ୍ରତ ଗୁରୁଦେବ !

ଐର

-

(ସଙ୍କୁଚିତ ହେବା)

ସନ୍ୟାସୀ

-

ଅକର୍ତ୍ତବ୍ୟ କିଛି ହେବ ନାହିଁ-ବରଂ ବ୍ରତ ସୁସମ୍ପନ୍ନ ହେବ ବିଶ୍ୱର ମଙ୍ଗଳପାଇଁ; ମାନବର ଶିକ୍ଷାପାଇଁ ହତାଶ୍‌ ହୃଦୟର ପ୍ରେରଣାପାଇଁ ଏବଂ ଧର୍ମ୍ମର ପ୍ରଚାରପାଇଁ ମୁଁ ଏ ମିଳନ ପ୍ରୟାସୀ; ଏଥିରେ କାମନାର ଆବିଳତା ନାହିଁ । ନାରୀ ପୁରୁଷର ଅର୍ଦ୍ଧାଙ୍ଗ-ନାରୀ ଅଭାବରେ ପୁରୁଷ ଅପୂର୍ଣ୍ଣ-ନାରୀ ନଥିଲେ ପୁରୁଷ ଅଶକ୍ତ-ଜଗତର ଅର୍ଦ୍ଧ ସମାଜ ନାରୀ ! ତାର ମଙ୍ଗଳ ଚେଷ୍ଟାରେ ମହାଭାର ନାରୀ ନହେଲେ କିଏ ଗ୍ରହଣ କରିବ ? ପୁରୁଷର ଅନ୍ତଃପୁରରେ, ନାରୀ ନହେଲେ କିଏ ଶାନ୍ତିବାଣୀ ଶୁଣାଇବ ? ଲାଳସା ଓ କାମନା ଜଡ଼ିତ ନରକୁ, ନାରୀ ନହେଲେ କିଏ ନିଷ୍କାମ-ତତ୍ୱର ମୁକ୍ତିମନ୍ତ୍ରରେ ଅନୁପ୍ରାଣିତ କରିବ ? ପଥଭ୍ରାନ୍ତ, କର୍ତ୍ତବ୍ୟ ସ୍ଖଳିତ ନରକୁ, ନାରୀ ନହେଲେ କିଏ ପୁଣି ସ୍ୱକର୍ତ୍ତବ୍ୟରେ ଟାଣି ଆଣିବ ?

ଅଶୋକ

-

ଆ ମା’, ତୋର ଗୁରୁର ଆଜ୍ଞା-ତୋର ମଧୁର ମିଳନ ଦୃଶ୍ୟରେ ତୋର ଏ ଅବୋଧ, ଅଜ୍ଞାନ ପିତା ନୟନ ସାର୍ଥକ କରୁ । (ଦୁହିଁଙ୍କର ହାତ ଧରି ମିଳାଇବା ଦୁହେଁ ପ୍ରଣାମ କରିବା)

 

 

 

ସନ୍ୟାସୀ

-

ଏତେଦିନେ ଐର, ତୋର ଖଣ୍ଡଗିରି ଗୁମ୍ପା ନିର୍ମାଣ ସଫଳ । ଆଜି ତୁ ପୂର୍ଣ୍ଣ ଏବଂ ଆଜିଠାରୁ ଦିଗ୍‌ବିଜୟୀ ଅଶୋକ ‘‘ଦେବାନାଂ ପ୍ରିୟଦର୍ଶୀ ଧର୍ମାଶୋକ’’

 

 

(ଦୂରରେ ଖଣ୍ଡଗିରି ଗୁମ୍ପା ଚତୁଃପାର୍ଶ୍ୱରେ ତରୁଣ ଅରୁଣର ରକ୍ତରାଗ ରଞ୍ଜିତ ହୋଇଉଠିଲା-ଚତୁର୍ଦ୍ଦିଗରେ ଗୋଟାଏ ପୁଲକର ପ୍ରବାହ ଖେଳିଗଲା-ସୁମଧୁର ଐକତାନ ବାଦ୍ୟ ହେଲା-ମହାପୁରୁଷଙ୍କ ଆଦେଶକୁ ସଂଘ ଓ ଐର ମଥା ପୋତି ଗ୍ରହଣ କଲେ, ପ୍ରୀତି ଓ ମୈତ୍ରୀର ବନ୍ଧନରେ ପ୍ରକୃତି ନିଜର ଅସ୍ତିତ୍ୱ ଭୁଲିଗଲା )

(ଯ ବ ନି କା ପ ତ୍ତ ନ)

Image